Unknown

 

 

 

 

 

 

 

 

 

 

 

କଥାକାର ସୁରେନ୍ଦ୍ର ମହାନ୍ତି

ପୀତାଂବର ପ୍ରଧାନ, ଏମ୍‌. ଏ.

 

 

 

 

 

 

 

 

 

 

 

 

 

ମୋ ଛାତ୍ରଛାତ୍ରୀଙ୍କୁ–

 

କଥାକାରଙ୍କ ଲେଖନୀରୁ

 

ନିଜ ଲେଖାର ମୂଲ୍ୟାୟନ ଉପରେ ନିଜେ ଲେଖକ ଗୋଟାଏ ଭାଷ୍ୟ ଯୋଗ କରିବା, ରୁଚି ଦୃଷ୍ଟିରୁ ଯେତିକି ବିରୁଦ୍ଧ; ରୀତି ଦୃଷ୍ଟିରୁ ମଧ୍ୟ ସେତିକି ଅସିଦ୍ଧ । ଲେଖିବା ଅବସ୍ଥାରେ ରଚନା ଉପରେ ଥାଏ ଲେଖକର ଅପ୍ରତିହତ ଅଧିକାର । ମାତ୍ର ତାହା ପ୍ରକାଶିତ ହେବାପରେ, ଲେଖକ ତା’ର ନିଜର ସୃଷ୍ଟିରେ ନିଜେ ହୋଇଯାଏ ଆଗନ୍ତୁକ । ଲେଖା ସମ୍ପର୍କରେ ଅନ୍ୟ ପାଠକ ବା ପାଠକମାନଙ୍କର ମତାମତ ଓ ମୂଲ୍ୟାୟନକୁ ଅତିକ୍ରମ କରିଯିବା ପାଇଁ, ଲେଖକର ନିଜସ୍ୱ ମତାମତର କୌଣସି ଅଧିକାର ନ ଥାଏ । ସେଥିପାଇଁ ମୋର ଗଳ୍ପର ସମାଲୋଚନା ସମ୍ପର୍କରେ ମୋର ଅଭିମତ ସଂପୂର୍ଣ୍ଣ ଅବାନ୍ତର; ଅପ୍ରୟୋଜନୀୟ ମଧ୍ୟ ।

 

ଏ ପୁସ୍ତକରେ ସମାଲୋଚନାର ପଦ୍ଧତି ଓ ଆଭିମୁଖ୍ୟ ସମ୍ପର୍କରେ କେବଳ ଲେଖକ ଶ୍ରୀ ପ୍ରଧାନ ମୋର ମତାମତ ଚାହିଁଥିଲେ । ତାଙ୍କର ସୌଜନ୍ୟ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି-

 

ଲେଖକଙ୍କର ସମାଲୋଚନାର ପଦ୍ଧତି ଏଠାରେ ଆତ୍ମମୁଖୀ ବା ସବ୍‌ଜେକ୍‌ଟିଭ୍‌ । ଲେଖକ ମୋର ଗଳ୍ପଗୁଡ଼ିକୁ (‘‘ମରାଳର ମୃତ୍ୟୁ’’ ପର୍ଯ୍ୟନ୍ତ) ଯେପରି ନିବିଡ଼ ଭାବରେ, ଶ୍ରଦ୍ଧାର ସହିତ ଅଧ୍ୟୟନ କରିଛନ୍ତି; ତାହାହିଁ ମୋ ପକ୍ଷରେ ପରମ ଚରିତାର୍ଥତା । ଗଳ୍ପଗୁଡ଼ିକୁ ସେ କେବଳ ଅଧ୍ୟୟନ କରିନାହାନ୍ତି–ପ୍ରାୟ ପ୍ରତ୍ୟେକଟି ଗଳ୍ପର ମର୍ମୋଦ୍‌ଘାଟନ ପାଇଁ ବିଶ୍ଳେଷଣଧର୍ମୀ ଦୃଷ୍ଟିକୋଣରୁ ସେ ପ୍ରୟାସ କରିଛନ୍ତି । ପୁଣି ଶୈଳୀ, ଆଙ୍ଗିକ ଓ ବିନ୍ୟାସ ଦୃଷ୍ଟିରୁ, କେତେକ ଗଳ୍ପରେ ସେ ଯେଉଁସବୁ ତ୍ରୁଟି ଦର୍ଶାଇଛନ୍ତି; ସେଥି ସହିତ ମୁଁ ପ୍ରାୟ ଏକମତ ।

 

ଦ୍ୱିତୀୟ ମହାଯୁଦ୍ଧର ପରବର୍ତ୍ତୀ କାଳରେ ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ମୁଁ ଏକ ନୂଆ ମୋଡ଼ ଫିଟାଇଥିଲି–ଏହା ଉଲ୍ଲେଖ କରିବାରେ ମୋର କୌଣସି ଦ୍ୱିଧା କିମ୍ବା ଅହେତୁକ ବିନୟ ନାହିଁ । ‘‘ସୁରେନ୍ଦ୍ର ସଞ୍ଚୟନ’’ ଗଳ୍ପ-ସଂଗ୍ରହର ମୁଁ ଏହାକୁ ବିଶଦତର ଭାବରେ ଆଲୋଚନା କରିଛି । ବସ୍ତୁତଃ, ସପ୍ତ-ଦଶକର ଗଳ୍ପହୀନ ଗଳ୍ପ, ଚତୁର୍ଥ-ଦଶକରେ ଲିଖିତ ‘‘ଭାରତ-ଆବିଷ୍କାର’’ ‘‘ଅଷ୍ଟ୍ରେଲିଆ’’ ଏବଂ ‘‘ବଧୂ ଓ ପ୍ରିୟା’’ ପ୍ରଭୃତି ମୋର ବହୁ ଗଳ୍ପରେ ସୁସ୍ପଷ୍ଟ । ସାଂପ୍ରତିକ ସ୍ଥିତିର ନିଃସଙ୍ଗତା ଜର୍ଜରିତ ଶୂନ୍ୟତା ଓ ବେଦନାବୋଧ ପ୍ରଭୃତି ମୋର ଆଦ୍ୟ ଗଳ୍ପଗୁଡ଼ିକରେ ମଧ୍ୟ ବେଶ୍‌ ସୁସ୍ପଷ୍ଟ । ‘ଏଷ୍ଟାବ୍ଳିଶ୍‌ମେଣ୍ଟ’ ବିରୁଦ୍ଧରେ ଆଜିର ବିଦ୍ରୋହ ମୋର ସେଦିନର ଗଳ୍ପଗୁଡ଼ିକରେ ମଧ୍ୟ ଲକ୍ଷ୍ୟ କରାଯାଇପାରେ; କିନ୍ତୁ ଚତୁର୍ଥ-ଦଶକର ଗଳ୍ପହୀନ ଗଳ୍ପଠାରୁ, ଷଷ୍ଠ-ଦଶକର ଚରିତ୍ର ଓ ଘଟଣା ପ୍ରଧାନ ଗଳ୍ପଗୁଡ଼ିକ ପର୍ଯ୍ୟନ୍ତ, ମୋର କ୍ଷୁଦ୍ରଗଳ୍ପ ନାନା ଆବର୍ତ୍ତନ-ବିବର୍ତ୍ତନ ମଧ୍ୟ ଦେଇ କ୍ରମବିକଶିତ ହୋଇଛି । ଷଷ୍ଠଦଶକର ଶେଷଭାଗରୁ ଲିଖିତ ମୋର ସାଂପ୍ରତିକ ଗଳ୍ପଗୁଡ଼ିକ ମେଜାଜ୍‌ ଓ ଆମେଜରେ ସେହିପରି ପୂର୍ବଦଶକର ଗଳ୍ପଗୁଡ଼ିକଠାରୁ ମଧ୍ୟ ସ୍ୱତନ୍ତ୍ର । ମୋର ମନେହୁଏ, ମୋର ଗଳ୍ପସାହିତ୍ୟର ବିକାଶ ଯେପରି ଏକ ବୃତ୍ତାକାର ପଥ ଧରି ଚାଲିଛି । ବସ୍ତୁତଃ ଆଜି ସପ୍ତଦଶକରେ ଯାହା ଗଳ୍ପହୀନ-ଗଳ୍ପ, ଆଭାସଗଳ୍ପ ବା ସେହିପରି ଭାବପ୍ରଧାନ ରୀତିରେ ଲେଖାଯାଉଛି; ସେ ସବୁର ଅନୁଶୀଳନ ମୁଁ ଆରମ୍ଭ କରିଥିଲି, ଚତୁର୍ଥ-ଦଶକରେ । ତାହାର କ୍ରମପରିଣତି ଓ ଗଳ୍ପାଶ୍ରୟୀ ଗଳ୍ପ ଆଡ଼େ ଗତି; ଲେଖକ ଏହି ପୁସ୍ତକରେ ସଂକ୍ଷେପରେ ସୂଚନା ଦେଇଛନ୍ତି । ତାହାର ବିସ୍ତୃତ ଆଲୋଚନା ହୋଇଥିଲେ; ଇତିମଧ୍ୟରେ ଯୁଗରୁଚିରେ ଯେଉଁସବୁ ବିବର୍ତ୍ତନ ଘଟୁଥିଲା ଓ ଘଟୁଛି; ତାହାର ଏକ ଆଲେଖ୍ୟ ନିଶ୍ଚୟ ଅଙ୍କିତ ହୋଇ ପାରିଥାନ୍ତା ।

 

ମୋର ଗଳ୍ପରେ ବେଳେ ବେଳେ ତତ୍ତ୍ୱ-ଗମ୍ଭୀର ‘ଗୁରୁଗିରି’ ଗଳ୍ପର ଅଭିବ୍ୟକ୍ତିକୁ କେଉଁଠି କେଉଁଠି ଅଯଥା ବାଧାଗ୍ରସ୍ତ କରିଛି, ବା ବର୍ଣ୍ଣିତ ଚରିତ୍ରଗୁଡ଼ିକୁ ପରିପ୍ରଚାରର ମାଇକ୍ରୋଫୋନ୍‌ ଯନ୍ତ୍ରରେ ପରିଣତ କରିଛି ବୋଲି ଲେଖକ ଯାହା ଲକ୍ଷ୍ୟ କରିଛନ୍ତି, ସେ ସମ୍ପର୍କରେ ମୁଁ-ଇ ସବୁଠାରୁ ବେଶି ସଚେତନ । କିନ୍ତୁ ସେ ମଧ୍ୟ ଦେଇଛନ୍ତି ତା’ର ଉତ୍ତର...‘‘ସାହିତ୍ୟ (ଗଳ୍ପ) ତାଙ୍କ ପାଇଁ ପ୍ରକାଶର ଏକ ମାଧ୍ୟମ ନୁହେଁ । ଏହା ତାଙ୍କର ଅବଲମ୍ବନ ଓ ଅଭିବ୍ୟକ୍ତିର ଆତ୍ମସତ୍ତା ।’’

 

ମୋର ସଙ୍କେତଧର୍ମୀ, ଭାବାଶ୍ରୟୀ ଗଳ୍ପସବୁ କ୍ରମେ ବର୍ଣ୍ଣନାଧର୍ମୀ ହୋଇପଡ଼ିଛି–ଏ କଥା ମଧ୍ୟ ଠିକ୍‌ । କିନ୍ତୁ ଓଡ଼ିଆ କ୍ଷୁଦ୍ରଗଳ୍ପରେ ମୁଁ ପ୍ରଥମେ ପ୍ରବର୍ତ୍ତନ କରେ ‘ସିମ୍ବ୍‍ଲିଜମ୍‌’ର ଧାରା । ମୋର ପ୍ରତ୍ୟେକ ଗଳ୍ପ ଊଣାଅଧିକେ, କୌଣସି ନା କୌଣସି ସିମ୍ବଲ୍‌ ବା ଭାବରୂପର ସଙ୍କେତ । ପ୍ରତ୍ୟେକ ସିମ୍ବଲ୍‌, ଶିଳ୍ପୀଚେତନାର ରହସ୍ୟବିଜଡ଼ିତ ସୃଷ୍ଟି । ସେଥିପାଇଁ ଏହାର ଅର୍ଥ ଦିବାଲୋକ ପରି ସୁସ୍ପଷ୍ଟ ହେବା ସମ୍ଭବ ନୁହେଁ; ଉଚିତ ମଧ୍ୟ ନୁହେଁ । ଅସଂଖ୍ୟ ପତ୍ର ପାଇଛି–‘‘ମରାଳର ମୃତ୍ୟୁ’’ ଓ ସେହିପରି ଗଳ୍ପରେ ଅନ୍ତର୍ନିହିତ ଭାବରୂପର ମର୍ମୋଦ୍‌ଘାଟନ ପାଇଁ । ମାତ୍ର ସେ ସବୁ ପତ୍ରର ଉତ୍ତର ଦେବା ପାଇଁ ମୁଁ କେବେ ଚେଷ୍ଟା କରିନାହିଁ । ମୋ ମତରେ ସାହିତ୍ୟରେ ଏକ ନିଜସ୍ୱ ପ୍ରକୃତି ରହିଛି । ତାହା ହେଉଛି–‘ଇଭୋକେଟିଭ୍‌’ । ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ମୋର ଭାବଲୋକରେ ଯେଉଁସବୁ ସ୍ପନ୍ଦନ ସୃଷ୍ଟି କରିଛି; ସ୍ୱୟଂ ଫକୀରମୋହନ ଗଳ୍ପଟି ଲେଖିବାବେଳେ, ତାଙ୍କ ଭାବନାରେ ସେପରି ସ୍ପନ୍ଦନ ଥିଲା ବୋଲି କୁହାଯାଇ ନପାରେ । ‘ଛଅମାଣ ଆଠଗୁଣ୍ଠ’ ଉପନ୍ୟାସରେ ମୁଁ ଯେଉଁସବୁ ଭାବରୂପ ଲକ୍ଷ୍ୟ କରିଛି, ଫକୀରମୋହନଙ୍କର ହୁଏତ ସେ ସବୁ କଳ୍ପନାତୀତ ଥାଇପାରେ । ମାତ୍ର ସେ ସୃଷ୍ଟି ସବୁ ‘ଇଭୋକେଟିଭ୍‌’ । ସେଥିପାଇଁ ତାହା କାଳୋର୍ତ୍ତୀର୍ଣ୍ଣ ।

 

ଏ କ୍ଷେତ୍ରରେ ତେଣୁ ପାଠକ ବା ସମାଲୋଚକ, ଲେଖକ ସହିତ ସବୁବେଳେ ଯେ ଏକମତ ହେବେ, ଏପରି କୌଣସି ଅର୍ଥ ନାହିଁ । ପାଠକର ରସଚେତନାରେ; ରଚନାର ରସ-ସଂବେଦନ, ରସପୃଷ୍ଟି ଓ ରସୋର୍ତ୍ତୀର୍ଣ୍ଣତା ନିର୍ଭର କରିଥାଏ । ସମାଲୋଚନାର ସେହି ସୂତ୍ରରେ, ଲେଖକ ମୋର କେତେକ ଗଳ୍ପରେ ଯେଉଁସବୁ ଭାବରୂପ ଲକ୍ଷ୍ୟ କରିଛନ୍ତି, ତାଙ୍କ ଦୃଷ୍ଟିରୁ ତାହା ନିଶ୍ଚୟ ଯଥାର୍ଥ । ଲେଖକ ମୋର ଗଳ୍ପଗୁଡ଼ିକୁ ନିବିଡ଼ ଭାବରେ ଉପଲବ୍‌ଧି କରିଛନ୍ତି, ରସୋଜ୍ଜ୍ୱଳ ଦୃଷ୍ଟିରେ; ଏତିକି ମୋପାଇଁ ଯଥେଷ୍ଟ ।

 

ଶିବାନୀ, କଟକ

ସ୍ୱା: ସୁରେନ୍ଦ୍ର ମହାନ୍ତି

୨, ଅକ୍ଟୋବର, ୭୦

 

ଗାନ୍ଧୀ-ଜୟନ୍ତୀ

 

Image

 

ନିଜକଥା

 

୧୯୫୯ ମସିହାରୁ ଆଜିଯାଏ ସୁରେନ୍ଦ୍ରଙ୍କ କଥାସାହିତ୍ୟ ପଢ଼ାଇଲାବେଳେ ମୋ ପିଲାମାନଙ୍କଠାରୁ ଅଳି ହୋଇଛି, ‘‘ସାର୍‌, କ୍ଳାସ୍‌ରେ ଯେମିତି କହୁଛନ୍ତି, ଅବିକଳ ସେମିତି ବହି ଖଣ୍ଡିଏ ଲେଖନ୍ତୁ । ସୁରେନ୍ଦ୍ର ମହାନ୍ତିଙ୍କ ଉପରେ କୌଣସି ଆଲୋଚନା ବହି ନାହିଁ ।’’ କଥାଟି ନିହାତି ସତ । ସୁରେନ୍ଦ୍ର କ’ଣ, ଓଡ଼ିଶାର କୌଣସି ଜୀବିତ ଲେଖକଙ୍କ ଉପରେ ବିଚାର ପରି ବିଚାର, ଏବେ ସୁଦ୍ଧା ସମ୍ଭବ ହୋଇନାହିଁ ।

 

ତେବେ ପିଲାଙ୍କର ଏହି ‘‘ଯେମିତି’’, ‘‘ସେମିତି’’ ମୋତେ ଯେତିକି ପ୍ରେରଣା ଦେଇଛି, ତା’ଠାରୁ ଅଧିକ ଅଡ଼ୁଆରେ ପକାଇଛି । କାରଣ ଏ ‘‘ଯେମିତି’’ ଓ ‘‘ସେମିତି’’ ଶବ୍ଦ ଦୁଇଟି ଆପେକ୍ଷିକ । ‘ସମୟ’ ଓ ‘ଶୂନ୍ୟତା’ (Time and space) ବକ୍ଷରେ ଘଡ଼ିକୁ ଘଡ଼ି ଏହାର ମୂଲ୍ୟ ବଦଳୁଛି । ପରିସ୍ଥିତିଭେଦରେ ଏହା ପୁଣି ଭିନ୍ନ । ଶ୍ରେଣୀ-କକ୍ଷର ମନ, ଶ୍ରେଣୀ ଛାଡ଼ିଲାବେଳକୁ ଅନ୍ୟ ପ୍ରକାର । ତେଣୁ ‘ପଢ଼ାଘର’ ଟେବୁଲ୍‌ ପାଖରେ ତାହା ତ ଭିନ୍ନ ହେବା ସ୍ୱାଭାବିକ । ତେଣୁ ମୋ ଛାତ୍ରଛାତ୍ରୀଙ୍କର ବର୍ଷ ବର୍ଷ ଧରି ଉତ୍ସାହରୁ ‘‘କଥାକାର ସୁରେନ୍ଦ୍ର’’ ଜନ୍ମ ନେଇଥିଲେ ମଧ୍ୟ ଏହା ‘‘ସେମିତି’’ ହୋଇଛି କି ନାହିଁ, ତାହାର ବିଚାର ସେମାନେ କରିବେ । ମୋ ତରଫରୁ ମୁଁ କହିରଖେ ଯେ ନୂତନ ଦୃଷ୍ଟିଭଙ୍ଗୀରେ ମୁଁ କଥାକାରଙ୍କୁ ଦେଖିବାକୁ ପ୍ରୟାସ କରିଛି । ମୋର ମୁଗ୍‌ଧାନୁଭବ ଭିତରେ ମୁଁ ଯଥାସମ୍ଭବ ନିରପେକ୍ଷତା ଅବଲମ୍ବନ କରି ଲେଖଙ୍କୁ ଦେଖିଛି ବୋଲି ମୋର ବିଶ୍ୱାସ । ମୋ ଆଲୋଚନାକୁ ସୁଖପାଠ୍ୟ କରାଇବା ପାଇଁ ସମାଲୋଚନାର ଯାନ୍ତ୍ରିକ ନିଷ୍ପ୍ରାଣ ଭାଷା ପରିବର୍ତ୍ତେ ମୁଗ୍‌ଧାନୁଭବର ସରସ ଭାଷା, ମୁଁ ସମସ୍ତ ସ୍ଥଳରେ ବ୍ୟବହାର କରିଛି । ଏହା ଭାବପ୍ରବଣତାମୁକ୍ତ, କି ବିଚାରବୁଦ୍ଧି ବର୍ଜିତ, ସେ ନ୍ୟାୟ ପାଠକପାଠିକାମାନେ କରିବେ ।

 

ମୋର ପୂର୍ବ ସୃଷ୍ଟିଗୁଡ଼ିକରେ ଶେଷ ଗାର ଦେଲାବେଳେ ଯେଉଁ ଅତୃପ୍ତିର ଜ୍ୱାଳାରେ ମୁଁ ଜଳିଥିଲି, ଏ ସୃଷ୍ଟିରେ ମଧ୍ୟ ତହିଁରୁ ମୁକ୍ତ ହୋଇପାରିଲି ନାହିଁ । ହୁଏତ, ବହୁ କହିବାର କଥା ଅକୁହା ହୋଇ ରହିଗଲା । ଅପୂର୍ଣ୍ଣତାର ଏ ହାହାକାର ବୋଧହୁଏ ସବୁ ସୃଷ୍ଟିର ମୂଳକଥା–ଏତିକି ମୋର ଅସନ୍ତୋଷ ପାଇଁ ଆଶ୍ୱାସନା ।
 

ପୁରୀ,

ପୀତାଂବର ପ୍ରଧାନ

ସୁନିଆଁ

 

୧୨।୯।୭୦

 

Image

 

କୃତଜ୍ଞତା

 

ମୋ ସମାଲୋଚନାର ଆଭିମୁଖ୍ୟ ସମ୍ବନ୍ଧରେ ନିରପେକ୍ଷ ମନ୍ତବ୍ୟ ପ୍ରକାଶର ଦାୟିତ୍ୱ, ଅମ୍ଳାନ ବଦନରେ ଗ୍ରହଣ କରିଥିବାରୁ ମୁଁ ଗାଳ୍ପିକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ନେହଋଣରେ ଚିର ଋଣୀ ରହୁଛି ।

 

ମୂଳ ପାଣ୍ଡୁଲିପିଟିକୁ ନକଲ କରିବାରେ ମୋର ପ୍ରିୟ ଛାତ୍ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ ଅକୁଣ୍ଠ ସାହାଯ୍ୟଦାନ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ ।

 

–ସମୀକ୍ଷକ–

Image

 

–ବିସ୍ତୃତ ସୂଚୀ–

 

।।ଏକ।।

ସୁରେନ୍ଦ୍ର-ସାହିତ୍ୟ ମୂଲ୍ୟାୟନରେ ଆନ୍ତର୍ଜାତିକ ସାହିତ୍ୟ ଚେତନା : –

ଐତିହାସିକ ଭିତ୍ତି...ଉକ୍ତ ଭିତ୍ତିରୁ....ପ୍ରକାଶ ମାଧ୍ୟମ.....ଏ ବାଦ ବା ପୃଥକୀକରଣ କାହିଁକି ?

।।ଦୁଇ।।

ଲେଖକ ପରିଚିତ ଓ ଗଳ୍ପବିଚାର : –

ଗଳ୍ପଗୁଡ଼ିକର ଶ୍ରେଣୀବିଭାଗ...ବିସ୍ତୃତ ବିଚାର : ପ୍ରଥମ ପର୍ଯ୍ୟାୟ...ସାମନ୍ତବଦ ଓ ବୌଦ୍ଧଯୁଗର ସ୍ମୃତି ଉପରେ ଆଧାରିତ କେତୋଟି ଗଳ୍ପ......ଦ୍ୱିତୀୟ ପର୍ଯ୍ୟାୟ : ମରାଳର ମୃତ୍ୟୁ...

।।ତିନି।।

ଶୈଳୀ ଓ ଶିଳ୍ପୀମାନସର ଆଭିମୁଖ୍ୟ :

ପରିଶିଷ୍ଟ :

...ସଂକ୍ଷେପରେ ସୁରେନ୍ଦ୍ର...

Image

 

Unknown

।। ଏକ ।।

 

ସୁରେନ୍ଦ୍ର-ସାହିତ୍ୟର ମୂଲ୍ୟାୟନରେ ଆନ୍ତର୍ଜାତିକ ସାହିତ୍ୟ-ଚେତନା

 

ଓଡ଼ିଆ ଗଳ୍ପସାହିତ୍ୟର ବିବର୍ତ୍ତିତ ପରମ୍ପରାରେ ଗାଳ୍ପିକ ସୁରେନ୍ଦ୍ର ଯଥାର୍ଥରେ ଏକ ବିସ୍ମୟ-। ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକରେ ପ୍ରଚ୍ଛନ୍ନ, ନିଜ ଜୀବନର ସଂଘାତସଂକୁଳ ପ୍ରତିଛବି ବାସ୍ତବରେ ଆକର୍ଷଣୀୟ । କି ଉପନ୍ୟାସ, କି କ୍ଷୁଦ୍ରଗଳ୍ପ, ପ୍ରତ୍ୟେକରେ ଶିଳ୍ପୀପ୍ରାଣର ଜୀବନ-ଅଭିବ୍ୟକ୍ତି ଓ ଅନୁଭୂତିର କ୍ରମବିକାଶ ଅତ୍ୟନ୍ତ ପ୍ରଖର । ଏହା ଭିନ୍ନ, ବିଶ୍ୱସାହିତ୍ୟର ପ୍ରାଣମୂର୍ଚ୍ଛନା ସହିତ ସେ ଏପରି ଅବିଭକ୍ତ ଭାବରେ ଜଡ଼ିତ ଯେ ତାଙ୍କ କୃତିଗୁଡ଼ିକର ବାସ୍ତବ ମୂଲ୍ୟାୟନ ପାଇଁ ଦୁଇଟି ମହାସମରର ମଧ୍ୟବର୍ତ୍ତୀ ଓ ପରବର୍ତ୍ତୀ ପୃଥିବୀର ସମସ୍ୟାକୁଳ ଚିତ୍ର ଦୃଷ୍ଟିପଥକୁ ଆଣିବାକୁ ପଡ଼େ ।

 

ଐତିହାସିକ ଭିତ୍ତି :-

 

ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଂଶ ଶତାବ୍ଦୀର ଦୁଇଟି ଉଲ୍ଲେଖଯୋଗ୍ୟ ଘଟଣା ହୋଇଥିଲେ ମଧ୍ୟ ଏହା ବ୍ୟତୀତ ବହୁ ରାଜନୈତିକ, ସାମାଜିକ, ସାହିତ୍ୟିକ ଓ ଅର୍ଥନୈତିକ ଝଡ଼-ଝଞ୍ଜା ଏ ଶତାବ୍ଦୀର ପୃଷ୍ଠଦେଶରେ ଅସରନ୍ତି ଆଲୋଡ଼ନ ସୃଷ୍ଟି କରିଛି । ଐତିହାସିକ ଫରାସୀ ବିପ୍ଳବ ଓ ଆମେରିକାର ସ୍ୱାଧୀନତା ସଂଗ୍ରାମଠାରୁ ଜାଗ୍ରତ ପୃଥିବୀର ଦୃପ୍ତ ଆହ୍ୱାନ, କ୍ରମେ କ୍ରମେ ବିଂଶ ଶତାବ୍ଦୀ ଯାଏ ସ୍ପଷ୍ଟରୁ ସ୍ପଷ୍ଟତର ହୋଇଉଠିଛି । ବିଂଶ ଶତକର ବହୁ ପୂର୍ବରୁ ଅର୍ଥାତ୍‌ ମହାରାଣୀ ଭିକ୍ଟୋରିଆଙ୍କର ସିଂହାସନାରୋହଣ (୧୮୩୭) ସମୟରୁ ଆଗାମୀର ଏ ବୈପ୍ଳବିକ ସଂକେତ, ଡାର୍‌ଉଇନ୍‌ଙ୍କର ବିବର୍ତ୍ତନବାଦର ପରିପ୍ରଚାର ଓ ଫରାସୀଦର୍ଶନର ଜଡ଼ବାଦୀ ଦୃଷ୍ଟିଭଙ୍ଗୀରେ ଫୁଟି ଆସୁଥିଲା କହିଲେ ଅସମୀଚୀନ ହେବ ନାହିଁ ।

 

୧୯୦୧ ମସିହାରେ ମହାରାଣୀଙ୍କର ମୃତ୍ୟୁ ସଙ୍ଗେ ସଙ୍ଗେ ତାଙ୍କର ଗୌରବମୟ ଶାସନର ଅବସାନ ଘଟିଲା । ଠିକ୍‌ ଏହାର ପରେ ଧନିକ ଓ ସମ୍ଭ୍ରାନ୍ତ ମଧ୍ୟବିତ୍ତଶ୍ରେଣୀର ବୁନିୟାଦି ଓ ଆଭିଜାତ୍ୟର ସ୍ୱପ୍ନ-ମୀନାରରେ ଅଗ୍ନିର ଝଲକ ଖେଳିଗଲା । ‘ଶ୍ରମିକଦଳ’ ରାଜନୈତିକ ଶକ୍ତିକୁ ହାତମୁଠାକୁ ଆଣିବା ପରେ କେବଳ ଇଂଲଣ୍ଡରେ କାହିଁକି, ପୃଥିବୀର ଅନ୍ୟ ପ୍ରାନ୍ତରେ ମଧ୍ୟ ସର୍ବହରାର ଆଧିପତ୍ୟ ଓ ମାନବିକ ଦାବି ନିମିତ୍ତ ଚିତ୍କାର ଶୁଭିଲା । ସୁତରାଂ ନୂତନ ଶତାବ୍ଦୀର ପ୍ରଶ୍ନିଳ ପର୍ଯ୍ୟାୟରେ ଭିକ୍ଟୋରିଆଯୁଗର ନିର୍ବିବାଦ ସ୍ୱୀକୃତି, ସାଲିସ୍‌ ଓ ଉଦାରତା ଲୋପପାଇ ଆସିଲା । ତାହା ବଦଳରେ ଦେଖାଦେଲା ଅନ୍ୱେଷଣ, ଅନୁସଂଧାନ, ଅସହିଷ୍ଣୁତା ଓ ଅସନ୍ତୋଷ । ରୁଷିଆର ଗଣବିପ୍ଳବ ଓ କାର୍ଲ ମାର୍କସ୍‌ଙ୍କ ସାମ୍ୟବାଦୀ ଚିନ୍ତାଧାରା ପ୍ରଭୃତି ଯେତେ କିଛି ଆଗ୍ନେୟ ଜିଜ୍ଞାସା ଏ ଶତାବ୍ଦୀର ପୂର୍ବ ଓ ମଧ୍ୟବର୍ତ୍ତୀ କାଳରେ ମୁଣ୍ଡ ଟେକିଛି, ଏ ସମସ୍ତର ଜନ୍ମ, ଶ୍ରେଣୀସଂଘର୍ଷ ଓ ଅର୍ଥନୈତିକ ବୈଷମ୍ୟର ଏ ଅଗ୍ନିକୁଣ୍ଡ ମଧ୍ୟରୁ ସମ୍ଭବ ହୋଇପାରିଛି ।

 

ମନୋବିଜ୍ଞାନୀ ସିରାମଣ୍ଡ ଫ୍ରଏଡ଼୍‌ଙ୍କର ‘ସ୍ୱପ୍ନରହସ୍ୟର ବ୍ୟାଖ୍ୟା’ (Interpretation of Dreams) ଏହି ସମୟକୁ (୧୯୦୦) ପ୍ରକାଶଲାଭ କରିଥାଏ । ଅଳ୍ପ ସମୟ ମଧ୍ୟରେ ଫ୍ରୟେଡ଼ୀୟ ଯୌନତଥ୍ୟ ଓ ମନୋବୈଜ୍ଞାନିକ ବିଶ୍ଳେଷଣର ଅନ୍ୟ ଦିଗଗୁଡ଼ିକ ଏତେ ଲୋକପ୍ରିୟ ହୋଇ ଉଠିଲା ଯେ ଯୁଦ୍ଧର ଘନଘଟା ମଧ୍ୟରେ କେତେକ ଇଂରେଜ୍‌ ଲେଖକ ଟ୍ରେଞ୍ଚ୍‌ ଭିତରେ ପଶି ଏହା ପାଠ କରିବାର ଲୋଭ ସମ୍ବରଣ କରିପାରି ନଥିଲେ । ଡି.ଏଚ୍‌.ଲରେନ୍‌ସ୍‌ଙ୍କ ଭଳି ସୁବିଖ୍ୟାତ ଲେଖକ ମଧ୍ୟ ୧୯୧୩ ବେଳକୁ ଫ୍ରଏଡ଼୍‌ଙ୍କର କୌଣସି କୃତୀ ସ୍ପର୍ଶ ନ କରି ଶୁଣାଶୁଣି କଥା ଉପରେ ଖଣ୍ଡିଏ ଯୌନତଥ୍ୟ ମୂଳକ ଉପନ୍ୟାସ ରଚନା କରିଥିଲେ । ଫ୍ରଏଡ଼ୀୟ ମତବାଦର ଲୋକପ୍ରିୟତା ସହଜରେ ଅନୁମେୟ । Mr, Audenଙ୍କ ଭାଷାରେ “To us he (Freud) is no more a person.”

 

“Now but a whole climate of opinion”

 

(ଦ୍ରଷ୍ଟବ୍ୟ : An Assesment of Twentieth century Literature, P. 28-30)

 

ଉକ୍ତ ଭିତ୍ତିରୁ –

 

ଏ ଆଲୋଡ଼ନ, କେବଳ ଇତିହାସ, ରାଜନୀତି ବା ଅର୍ଥନୀତିକୁ ସ୍ପର୍ଶ କଲା ନାହିଁ । ଏହାର ସ୍ପର୍ଶରେ ଗଢ଼ିଉଠିଲା ଏକ ସଂପୂର୍ଣ୍ଣ ନୂତନ ମୂଲ୍ୟବୋଧ, ଏକ ପରିବର୍ତ୍ତିତ ଆଦର୍ଶ; ସାହିତ୍ୟ, ସଂସ୍କୃତି ଓ ଲଳିତ କଳାରେ ଏକ ପରୀକ୍ଷାସିଦ୍ଧ ବୈଜ୍ଞାନିକ ବିଚାରଧାରା । ଫ୍ରାନ୍‌ସ, ଜର୍ମାନୀ, ଇଟାଲୀ, ଇଂଲଣ୍ଡ ଓ ଆମେରିକା ପ୍ରଭୃତି ସମରକ୍ଳାନ୍ତ ଦେଶରେ ଏହା ବିଶେଷଭାବେ ଅନୁଭୂତ ହେଲା । ସେ ଦେଶର କବି ଓ ଲେଖକ କଣ୍ଠରେ ବାଜିଉଠିଲା ନିଃସହାୟତାର ଏକ ସ୍ୱର । ଚିମ୍ନିର କଳାଧୂଆଁରେ ବୁଡ଼ି ଆସୁଥିବା ଆକାଶକୁ ଚାହିଁ ଲଣ୍ଡନର ସେତୁରେ ସେ ଅନୁଭବ କଲା ପତନର ଏକ ଅଦ୍ଭୁତ କମ୍ପନ । ଯନ୍ତ୍ରଯୁଗର ଦାନବୀ ମାୟାରେ ଆଜିର ମଣିଷ କେଡ଼େ ଫମ୍ପା ଓ ଅନ୍ତଃସାରହୀନ, ତାହା ପ୍ରାଣେ ପ୍ରାଣେ ଉପଲବ୍‌ଧି କରି ସେ ବ୍ୟାଥାହତ କଣ୍ଠରେ ଆଗାମୀର ସଂଗୀତ ଗାଇଉଠିଲା; ଯେଉଁଥିରେ ଭାବାବେଗ ବା ଭାବର ଉଚ୍ଛ୍ୱାସ ଅପେକ୍ଷା ବେଶି ମାତ୍ରାରେ ରୂପନେଲା ସ୍ରଷ୍ଟାର ସୂକ୍ଷ୍ମଦୃଷ୍ଟି ଓ ବୌଦ୍ଧିକ ବିଶ୍ଳେଷଣର ଏକ ନବୀନ ପରମ୍ପରା । ଏ ପରମ୍ପରାରେ କଳା ବା ସାହିତ୍ୟର ପରିସର ବୁଦ୍ଧିଦୀପ୍ତ ଓ ବ୍ୟାପକ ହେଲା । ଏହା କେବଳ ହୃଦୟର ସମ୍ପତ୍ତି ନ ହୋଇ ମସ୍ତିଷ୍କରାଜ୍ୟରେ ଦୃଢ଼ ଆସନ ମାଡ଼ିବସିଲା । କଳାରାଜ୍ୟରେ ଦେଖାଦେଲା ଚିନ୍ତା ଓ ରୁଚିଗତ ବହୁ ବିପ୍ଳବ । ଚିତ୍ରକଳାକ୍ଷେତ୍ରରେ ଶିଳ୍ପୀର ସ୍ୱାଧୀନତା ଓ ପରମ୍ପରା ବିରୋଧ ପାଇଁ Gauguin, Vangogh ଓ Kandinsky ଙ୍କ ଦ୍ୱାରା ଯେଉଁ ଆନ୍ଦୋଳନ ସୁରୁ କରାଗଲା ତାହାର ଫଳସ୍ୱରୂପ ଜର୍ମାନ, ଫ୍ରାନ୍‌ସ ଓ ଇଟାଲୀ ପ୍ରଭୃତି ଦେଶର ସାହିତ୍ୟରେ ପ୍ରାୟ ୧୯୧୩ରୁ ୧୯୨୫ ମଧ୍ୟରେ ଆଭାସବାଦ (impressionism), ଅଭିବ୍ୟକ୍ତିବାଦ (expressionism) ଓ ଜ୍ୟାମିତିକ ଘନବାଦ (cubism) ଭଳି ବହୁ ismର ସୂତ୍ରପାତ ଘଟିଲା । ଫଟୋଗ୍ରାଫିକୁ ଅସ୍ୱୀକାର କରି କି ଶିଳ୍ପୀ, କି ଭାସ୍କର, କି ସାହିତ୍ୟିକ, ସମସ୍ତେ ସତେ ଯେପରି ଆକୃତିବିହୀନ ଆକୃତି (formless form) ଭିତରେ ସେମାନଙ୍କର ମୌଳିକତା ପ୍ରକାଶ କରିବାକୁ ବ୍ୟଗ୍ର ହେଲେ । ଦାର୍ଶନିକର ସ୍ଥିତିବାଦୀ ପନ୍ଥା (existentialism) ଏହି କାଳକୁ ସାହିତ୍ୟରେ ବ୍ୟକ୍ତିସର୍ବସ୍ୱତା ପାଇଁ ପଥ ପରିଷ୍କାର କରିଦେଲା । ସ୍ଥୂଳତଃ କଳାସୃଷ୍ଟିରେ ‘ବାସ୍ତବତା’, ‘ପ୍ରତ୍ୟେକଧର୍ମିତା’, ରୂପକଳ୍ପ ଓ ସାଙ୍କେତିକତା ନାମରେ ଭାବମୁକ୍ତିର ଯେଉଁ ଅରୁଣାଲୋକ ଖେଳିଗଲା, ତାହାହିଁ ପ୍ରକାରାନ୍ତରେ ଆଧୁନିକ ସାହିତ୍ୟର ବ୍ୟକ୍ତିନିଷ୍ଠତା ଏବଂ ଦୁର୍ବୋଧ୍ୟତା ପାଇଁ ବିଶେଷ ପରିମାଣରେ ଦାୟୀ ।

 

ପ୍ରକାଶ ମାଧ୍ୟମ :–

ଏ ଦୁର୍ବୋଧ୍ୟତା ଓ ବ୍ୟକ୍ତିନିଷ୍ଠତା ମଧ୍ୟ ଅପରିହାର୍ଯ୍ୟ । କାରଣ ବିଂଶ ଶତାବ୍ଦୀର ପ୍ରାକ୍‌କାଳରୁ ଆଧୁନିକ ମଣିଷ ଧର୍ମ ଓ ଈଶ୍ୱର ବିଶ୍ୱାସର ବାନାତଳୁ ବହୁ ଦୂରକୁ ଯାଇ ଜଡ଼ବିଜ୍ଞାନ ଓ ଯନ୍ତ୍ରଶାଳାର ଯାଦୁକରୀ ମାୟାରେ ବୈଷୟିକ ଉନ୍ନତିର ଯେଉଁ ସ୍ୱପ୍ନ ଦେଖିଥିଲା, ଆଖି ପିଛୁଳାକେ ତାହା ଚୂରମାର ହୋଇଗଲା । ନାଗାସାକୀ ଓ ହାରୋସୀମାର ବିଭୀଷିକାରେ ସେ ଭୟାର୍ତ୍ତ ହୋଇ ଉଠିଲା । ରାଷ୍ଟ୍ରସଂଘ ବା ଜାତିସଂଘର ବ୍ୟର୍ଥତାରେ ପୃଥିବୀର ରଣାଙ୍ଗନରେ ସେ ଦେଖିଲା ବିକୃତ, ବିକଳାଙ୍ଗ ଓ ଅକର୍ମଣ୍ୟର ଯୁଗ ଯୁଗ ଧରି ଯନ୍ତ୍ରଣା । ପୁଞ୍ଜିବାଦୀ ଓ ସାମ୍ୟବାଦୀ ଶିବିରର ପ୍ରକାଶ୍ୟ ସଂଗ୍ରାମ ଓ ସ୍ନାୟୁସଂଗ୍ରାମ ଅପେକ୍ଷା ଯୁଦ୍ଧୋତ୍ତର ଜୀବନର ନିଷ୍ଠୁର ଦୈନନ୍ଦିନତା, ଅଭାବଅନଟନ, ପଡ଼ିପ୍ରଥା, ଧର୍ମଘଟ ଓ ‘ତାଲାବନ୍ଦ’ରେ ସେ ପ୍ରତି ମୁହୂର୍ତ୍ତରେ ଜୀବନମୃତ୍ୟୁର ଅସହ୍ୟ ଯନ୍ତ୍ରଣା ଅନୁଭବ କଲା । ଜୀବନ ତେଣିକି ହେଲା ରଙ୍ଗହୀନ ଓ ଯୌବନ ଖାଲି ଗୋଟାଏ ଅବଦମିତ ବୁଭୁକ୍ଷା । ଜଟିଳ ମାନସିକତାର ଏ ରୁଦ୍ଧ ତୋରଣକୁ ଖୋଲିବା ପାଇଁ କବି, ଭାବୁକ, ଶିଳ୍ପୀ ଓ ସାଧକ ଖୋଜିଲା ମାଧ୍ୟମ । ମହାକାବ୍ୟର ଗୁରୁଗମ୍ଭୀର ଶୃଙ୍ଖଳା, ପୁରାଣପୋଥିର ନୀତି ବଚନିକା ବା ନାଟକର ଅସିଧାର ଗତିରେ ଏ ଅନ୍ୱେଷଣର ଇତି ଘଟିଲା ନାହିଁ । ଇଲିୟଟଙ୍କ ପରି କବିଗୁରୁମାନେ ବିଂଶ ଶତାବ୍ଦୀର ପ୍ରଥମ * ପଚିଶ ବର୍ଷ ମଧ୍ୟରେ ନବଯୁଗର ନୂତନ ଅଭିବ୍ୟକ୍ତି, ନୂତନ ବ୍ୟଞ୍ଜନା, ନୂତନ ଚେତନା ନିମିତ୍ତ ସଂପୂର୍ଣ୍ଣ ଏକ ନୂତନ ଆଙ୍ଗିକର ଆଶ୍ରୟ ନେଲେ । ଫ୍ରାନ୍‌ସ, ଜର୍ମାନ୍‌ରେ ଇଂରାଜୀ ସାହିତ୍ୟ ପରି ଏହାର ପରୀକ୍ଷା-ନିରୀକ୍ଷା ଚାଲିଲା କବିତାର ଭିତ୍ତିଭୂମିରେ । ଭାରତୀୟ ପାଠକର ଆଧୁନିକ କବିତା ପ୍ରତି ଯେପରି ବିମୁଖତା ପ୍ରକାଶ ପାଇଛି, ପାଶ୍ଚାତ୍ୟ ପାଠକପାଠିକା ମହଲରେ ୧୯୫୨ ମସିହା ପର୍ଯ୍ୟନ୍ତ ଅନୁରୂପ ମତ ସେଠିକାର କବିମାନଙ୍କ ପ୍ରତି ପ୍ରକାଶ ପାଇଥିଲା ।

 

* The Wastelandର ପ୍ରକାଶ କାଳ ୧୯୨୨ ମଧ୍ୟରେ ।

 

ଝଟିକାଗ୍ରସ୍ତ ଶତାବ୍ଦୀର ଅତୃପ୍ତ ସାଧକ, କବିତାରେ ମଧ୍ୟ ସନ୍ତୁଷ୍ଟ ରହିପାରିଲା ନାହିଁ । ସେ ଖୋଜିଲା ଅଧିକ ସୁପରିବାହୀ ଏକ ମାଧ୍ୟମ; ଯେଉଁଥିରେ ସେ ନିଜର ପିଷ୍ଟପେଷିତ ମନର ଏକାନ୍ତତା ଓ ସୁପ୍ତ ଅବବୋଧକୁ ନିର୍ଭୁଲ ଭାବରେ ଦେଖିବ ଓ ଅନ୍ୟକୁ ଦେଖାଇବାକୁ ସମର୍ଥ ହୋଇପାରିବ । ଏହିପରି ଅବସ୍ଥାରେ ସୁରେନ୍ଦ୍ରଙ୍କ ପରି ପୃଥିବୀର ବହୁ ସାଧକ, ଉପନ୍ୟାସ ବା ଗଳ୍ପସାହିତ୍ୟକୁ ତାଙ୍କର ନିର୍ଭରଯୋଗ୍ୟ ମାଧ୍ୟମ ଭାବରେ ବାଛିନିଅନ୍ତି । ଅସୁମାରୀ ଅତୀତର ଗଳ୍ପଧାରାରେ ବାସ୍ତବ ଜୀବନର ସଞ୍ଚାର ହୁଏ ଏହି ଶତାବ୍ଦୀରୁ । ତେଣୁ ବ୍ୟାପକ ଅର୍ଥରେ କଥାସାହିତ୍ୟ (ଉଭୟ ଉପନ୍ୟାସ ଏବଂ ଗଳ୍ପ) ହିଁ ଆଧୁନିକ ପୃଥିବୀର ସାର୍ବଜନୀନ ସାହିତ୍ୟ । ଆଧୁନିକ ପ୍ରୟୋଗ-ନିୟୋଗର ଏହାହିଁ ଶକ୍ତିଶାଳୀ ଇସ୍ତାହାର......*

 

* Ralph Fox ତାଙ୍କର the Novel and the people ଗ୍ରନ୍ଥର (ମୁଖବନ୍ଦ ପୃ ୬୧-୬୮ରେ) ସ୍ୱୀକାର କରିଛନ୍ତି ଯେ the novel is the epic art form of our modern bourgeois society......It is a new art form It did not exist, except in very rudimentary form before the modern civilisation which began with the Renaissnace....

 

ଦ୍ର :–ଜନସଭାର ସାହିତ୍ୟ–ପୃ. ୧୨୪ ।

 

ଏ ଇସ୍ତାହାର ଦିନ ଦିନକର ବା ବର୍ଷ ବର୍ଷକର ସଂଘର୍ଷରୁ ନୁହେଁ । ଏହାର ମୂଳରେ ଅଛି ଡଷ୍ଟୋଭସ୍କି, ଏମିଲି ଜୋଲା, ଜର୍ଜଇଲିୟଟ, ଟଲ୍‌ଷ୍ଟୟ, ତୁର୍ଗନେଭ ଓ ଗର୍କିଙ୍କ ଭଳି ମହାନ ବ୍ୟକ୍ତିମାନଙ୍କର ରକ୍ତ ଅଶ୍ରୁତର୍ପଣ । ଏହି ଅଶ୍ରୁତର୍ପଣ ଓ ଅସାଧ୍ୟ ସାଧନର ଶେଷ ନାହିଁ । ଧନତନ୍ତ୍ରୀ ସଭ୍ୟତାର ଦାୟାଦଗଣ ଆଜି ହିପ୍‌ପି ସାଜି ବିଶ୍ୱର ଗଳିକନ୍ଦିରେ ଘୂରିବୁଲୁଛନ୍ତି ଜୀବନ ପାଇଁ ଆଉ ଏକ ନୂତନ ସତ୍ୟ ସନ୍ଧାନ କରିବାକୁ । ଜାପାନ ବା ହଲିଉଡ଼୍‌ରେ ମଣିଷ ଆଜି ଛୁଟିଦିନକୁ ଉପଭୋଗ କରିବା ପାଇଁ, ନିଦ୍ରା ନାମରେ ବାସ୍ତବତାର ଦଂଶନକୁ ଘଡ଼ିକ ପାଇଁ ଭୁଲିଯିବାକୁ ବିଭିନ୍ନ ପ୍ରକାର ବଟିକାର ଆଶ୍ରୟ ନେଉଛି । ଉପଭୋଗ ତ ଭିନ୍ନ କଥା । ରୁକ୍ଷ ବାସ୍ତବତାକୁ ଭୁଲିଯିବାରେ ଆଜିର ଆନନ୍ଦ । ତେଣୁ ଜୀବନର ଅଖଣ୍ଡତା ବା କାଳର ଅନନ୍ତ ବ୍ୟାପ୍ତି ଉପରୁ ମନୁଷ୍ୟର ବିଶ୍ୱାସ ତୁଟିଯାଇଛି । ସେ ଖୋଜିଛି ମୁହୂର୍ତ୍ତଟିଏ, ଛିନ୍ନ ବସନ୍ତରୁ ଟିକିଏ ସୁରଭି, ଖୋଲା ଆକାଶରୁ ଚେନାଏ,–ଆଉ କେଉଁ ନିର୍ଜନ ପାର୍କର କଣରେ ଥିବା ଆସନଖଣ୍ଡି ବା ଉତ୍ତୀର୍ଣ୍ଣ ରାତ୍ରିର ଜନବିରଳ ରେସ୍ତୋରାଁ । ଏହି ବ୍ୟାକୁଳତାହିଁ ଆଜିର ଜୀବନ । ଏଥିରେ ‘ଚେତନ’ ଅପେକ୍ଷା ‘ଅବଚେତନ’ର ଭାରକେନ୍ଦ୍ରହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଣୁ ଆଧୁନିକ କଥାସାହିତ୍ୟରେ ଅଭିବ୍ୟକ୍ତ ଅପେକ୍ଷା ଅନଭିବ୍ୟକ୍ତକୁ, ସ୍ଫୁଟ ଅପେକ୍ଷା ଅସ୍ଫୁଟକୁ, ପ୍ରତ୍ୟକ୍ଷୋକ୍ତି ଅପେକ୍ଷା ସ୍ୱଗତୋକ୍ତି ଓ ଅର୍ଦ୍ଧସ୍ୱଗତକୁ ଧରି ରଖିବାର ପ୍ରୟାସ ନୂତନ ନୂତନ ‘ଟେକ୍‌ନିକ୍‌’ ବା ସୃଷ୍ଟିକୌଶଳ ସାହାଯ୍ୟରେ ସଫଳ ହୋଇପାରୁଛି-। ‘ଜୋଲା’ଙ୍କର ‘Nana’ (୧୮୮୦) ଓ ଜୟସ୍’ଙ୍କର Ulysses (୧୯୨୨) ପ୍ରକାଶିତ ହେବାପରେ ଉପନ୍ୟାସ ସୃଷ୍ଟିରେ ସମାପ୍ତିର ଗାର ଟାଣି ହୋଇଯାଇଛି । ବାସ୍ତବତାର ପଦାଘାତରେ ‘ରୋମାନ୍‌ସ’ର ପରିକଳ୍ପନା, ହୀନ ଓ ନିରର୍ଥକ ପ୍ରତିପାଦିତ ହୋଇଛି । ରୋମାଣ୍ଟିକ ଯୁଗର ଶେଷ ପର୍ଯ୍ୟନ୍ତ ଗଡ଼ି ଆସୁଥିବା ଔପନ୍ୟାସିକ ଶୃଙ୍ଖଳା (ଆକୃତି ଓ ପ୍ରକୃତିଗତ) ଅତ୍ୟାଧୁନିକ ଯୁଗରେ ରକ୍ଷିତ ହେବାର କୌଣସି ଆବଶ୍ୟକତା ଲେଖକମାନେ ଅନୁଭବ କରିନାହାନ୍ତି । ତେଣୁ ବିଭିନ୍ନ ପରିବେଶରେ ମାନବ ଚରିତ୍ରର ବିଚିତ୍ର ପ୍ରତିକ୍ରିୟା, ଚାରିତ୍ରିକ ଉଦ୍ଦେଶ୍ୟ (ମୋଟିଭ୍‌) ଓ ମାନସିକ ସଂଘର୍ଷ, ସଂପୂର୍ଣ୍ଣ ବ୍ୟକ୍ତିକୈନ୍ଦ୍ରିକ (Subjective) ବିଶ୍ଳେଷଣରେ ଅନୁରଞ୍ଜିତ ହୋଇ ଆଧୁନିକ କଥାସାହିତ୍ୟର ପ୍ରାଣପ୍ରତିଷ୍ଠା କରୁଅଛି । ‘ନାନା’ ଅପେକ୍ଷା ‘ୟୁଲିସେସ୍‌’ ପକ୍ଷେ ଏ ଉକ୍ତି ଅଧିକ ପ୍ରଯୁଜ୍ୟ । କାରଣ ‘ନାନା’ରେ ଧାରାବାହିକତାରେ ଯେଉଁ ସାମାନ୍ୟ ସ୍ପର୍ଶ ଥିଲା, ତାହା ‘ୟୁଲିସେସ୍‌’ରେ ପୂରାପୂରି ଲୋପ ପାଇଛି । ଏଥିରେ କଥାବସ୍ତୁ (plot) ଭଳି କଥାବସ୍ତୁ ବା ଚମକପ୍ରଦ ଘଟଣା ବୋଲି କିଛି ନାହିଁ । କେବଳ ମନସ୍ତତ୍ତ୍ୱର ରଜ୍ଜୁରେ ଗୁନ୍ଥା ହୋଇଥିବା ନିତିଦିନିଆ ଘଟଣାଗୁଡ଼ାଏ । ସେହିଥିରୁ ଯୁଗରୁଚିର ଜାଗ୍ରତ ପାଠକ ଯାହା ବୁଝେ, ତାହାହିଁ ଉକ୍ତ କୃତିର ଚରମ ବାର୍ତ୍ତା ।

 

ସଂକ୍ଷେପରେ ଏହାହିଁ ବର୍ତ୍ତମାନ ପୃଥିବୀର ସାହିତ୍ୟିକ ଚେତନାର ରୂପରେଖ । ଯୁଦ୍ଧବିଗ୍ରହ, ବ୍ଳକେଡ଼୍‌ ଓ ବୋମାମାଡ଼, ନାଜୀ ବା ଫାସିଷ୍ଟବାଦୀରେ ସନ୍ତ୍ରସ୍ତ ଜାତି, ଏହାକୁ ବହୁପୂର୍ବରୁ ବୁଝିବା ପରେ ଅନ୍ତତଃ ସ୍ୱାଧୀନତା ପରବର୍ତ୍ତୀ ଯୋଜନା ଯୁଗରେ ଭାରତ ତାହା ବୁଝିବାକୁ ଚେଷ୍ଟା କରୁଛି । କଥାକାର ସୁରେନ୍ଦ୍ରଙ୍କର ଦୂରଦୃଷ୍ଟିରେ ଦ୍ୱିତୀୟ ମହାଯୁଦ୍ଧ କାଳରୁ ମାନବଜାତିର ଏ ଆଗାମୀ ସଙ୍କଟ ଓ ଅସହ୍ୟ ନିର୍ଯ୍ୟାତନାର ଚିତ୍ର ଖେଳିବୁଲୁଛି । ତେଣୁ ତାଙ୍କର ଉପନ୍ୟାସଗୁଡ଼ିକୁ ବାଦ ଦେଇ କେବଳ କ୍ଷୁଦ୍ରଗଳ୍ପଗୁଡ଼ିକୁ ବିଚାର କଲେ ମଧ୍ୟ ବିଶ୍ୱଚେତନାର ଏ ବିସ୍ତୃତି ସହିତ ତାଙ୍କର ସଂଯୋଗକୁ ଉପେକ୍ଷା କରି ହେବନାହିଁ ।

 

ଏ ‘ବାଦ’ ବା ପୃଥକୀକରଣ କାହିଁକି ?

 

ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ମଧ୍ୟରେ ଯେତେପ୍ରକାର ବ୍ୟବଧାନ ସୃଷ୍ଟି କରାଗଲେ ମଧ୍ୟ ଅଦ୍ୟାବଧି ଏ ବ୍ୟବଧାନ ଅସ୍ପଷ୍ଟ ଓ ଅସନ୍ତୋଷଜନକ । ସୁତରାଂ Janko Lavrin ଙ୍କ ମତରେ * ଏ ପୃଥକୀକରଣ ଅବାନ୍ତର ଓ ଉଦ୍ଭଟ । କାରଣ ଗଳ୍ପର ସୀମା କେଉଁଠୁ ଶେଷ ହୋଇ ଉପନ୍ୟାସର ସୀମା କେଉଁଠୁ ଆରମ୍ଭ ହେଉଛି, ଏହା ବୁଝିବା କଷ୍ଟକର । ଉଦାହରଣସ୍ୱରୂପ ଆଲୋଚ୍ୟାଧୀନ ଗଳ୍ପକାର ଶ୍ରୀ ମହାନ୍ତିଙ୍କର ‘ବଧୂ ଓ ପ୍ରିୟା’ ବିଚାରକୁ ନେଲେ, ଏହା ଗଳ୍ପ କି ଉପନ୍ୟାସ, ବିବେଚନା କରିବା କଷ୍ଟକର ହୋଇଥାଏ । ତେବେ ଗାଳ୍ପିକଙ୍କ ନିଜ ମତରେ ଏହା ଗଳ୍ପ-। କ୍ଷୁଦ୍ରଗଳ୍ପର ପରିଚୟ ଦେବାକୁ ଯାଇ ସେ କହିଛନ୍ତି, ‘‘କ୍ଷୁଦ୍ରଗଳ୍ପ କାହାଣୀ ନୁହେଁ ବା ଉପନ୍ୟାସର ସଂକ୍ଷିପ୍ତ ରୂପ ନୁହେଁ । ସଂଗୀତର ପରିଭାଷାରେ, ଏହା ହୁଏତ ନାଦ, ହୁଏତ କମ୍ପନ, ହୁଏତ ବା ମୂର୍ଚ୍ଛନା–କିନ୍ତୁ ସଂପୂର୍ଣ୍ଣ ସଂଗୀତ ନୁହେଁ । କ୍ଷୁଦ୍ରଗଳ୍ପ ଗୋଟିଏ ସୁବିସ୍ତୃତ କାଳ ନୁହେଁ । ଏହା କେବଳ ଗୋଟିଏ ମୁହୂର୍ତ୍ତ । କ୍ଷୁଦ୍ରଗଳ୍ପ ଗୋଟିଏ ଜୀବନଚରିତ ନୁହେଁ । ଏହା ଜୀବନର ଗୋଟିଏ ଭଗ୍ନାଂଶ । ଏହା ଅନନ୍ତ ବିଶ୍ୱର ଏକ ଆଣୁବୀକ୍ଷଣିକ ଚିତ୍ର । ଅସୀମର ଏକ ସସୀମ ସଙ୍କେତ ।’’

 

[ସୁରେନ୍ଦ୍ର ସଞ୍ଚୟନ, ଗୌରଚନ୍ଦ୍ରିକା-ପୃ.୩-୪]

 

ଦ୍ର:–An introduction to the Russian Novel, Janko Lavrin, 4th edition–1947, Great Britain, prefatory note :–

 

“Yet the word ‘novel’ still remains rather vague, Where is the exact boundary between a long story and a novel ?”

 

ପ୍ରଦତ୍ତ ଅଭିମତରେ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପରେ ଯଥାସମ୍ଭବ ପ୍ରଭେଦ ଦର୍ଶାଇବା, ଲେଖକଙ୍କର ଉପଲକ୍ଷ ହୋଇଥିବାରୁ ଅନ୍ତତଃ ତାଙ୍କ କୃତିଗୁଡ଼ିକର ଅନୁଶୀଳନର ‘କଥା’ ଅର୍ଥରେ କେବଳ କ୍ଷୁଦ୍ରଗଳ୍ପଗୁଡ଼ିକୁ ଆଲୋଚନା ପରିସରଭୁକ୍ତ କରାଯାଉଛି । ଏଣୁହିଁ ଏ ପୃଥକୀକରଣ ।

Image

 

Unknown

।। ଦୁଇ ।।

 

ଲେଖକ ପରିଚିତ ଓ ଗଳ୍ପବିଚାର

 

ସୃଷ୍ଟି ମହତ୍‌ । ତେଣୁ ନିଶ୍ଚିତଭାବେ ମହତ୍ତର ତାହାର ସ୍ରଷ୍ଟା-ସୃଷ୍ଟି ଭିତରେ ଏହା ଯେତେ ନିବିଡ଼ ଭାବରେ ଅନୁଭୂତ ହୁଏ, ସାଧାରଣ ପରିଚୟ ବା ଲେଖକଙ୍କର ସାଂସାରିକ ଅଭିଜ୍ଞାନରେ ତାହା ସେତେ ପରିମାଣରେ ଅନାବିଳ ବା ମାଧୁରିମାମୟ ରୂପନେଇ ଦଣ୍ଡାୟମାନ ହୁଏ ନାହିଁ । ଠିକ୍‌ ଏହି ଧାରଣାର ବଶବର୍ତ୍ତୀ ହୋଇ ଧରାବନ୍ଧା ଗତିରେ ପଡ଼ିଆସିଥିବା ଲେଖକ ପରିଚୟ ପରିହାର କରିବାକୁ ମୁଁ ଆଦ୍ୟରୁ କଳ୍ପନାଜଳ୍ପନା କରି ଆସିଥିଲି; କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ସମ୍ଭବ ହେଲା ନାହିଁ । ତେଣୁ ଧରାବନ୍ଧା ଗତିରେ କହିଲେ, ଏ ଦେଶର ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଶ୍ରୀ ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ସୁପରିଚିତ । କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ୨୧।୬।୧୯୨୨ରେ ତାଙ୍କର ଜନ୍ମ । ସର୍ବପ୍ରଥମେ ପ୍ରକାଶିତ କ୍ଷୁଦ୍ରଗଳ୍ପ ‘ବନ୍ଦୀ’ (୧) ଓ ପାଟନାରୁ ପ୍ରକାଶିତ ‘ପ୍ରଭାତୀ’ ପତ୍ରିକାରେ ଦିବାଲୋକ ଦେଖିଥିବା ‘ଭାରତ ଆବିଷ୍କାର’ର (୨) ବଙ୍ଗାନୁବାଦ, ଲେଖକଙ୍କୁ ଯେଉଁ ଆତ୍ମପ୍ରତ୍ୟୟ ଦେଇଥିଲା, ପରବର୍ତ୍ତୀ କାଳରେ ବହୁ କ୍ଷୁଦ୍ରଗଳ୍ପ ଓ ‘ଅନ୍ଧଦିଗନ୍ତ’ ତଥା ‘ନୀଳଶୈଳ’ ଭଳି ଉପନ୍ୟାସ ସେହି ଆତ୍ମପ୍ରତ୍ୟୟ ବା ପ୍ରେରଣାର ଫଳସ୍ୱରୂପ ଜନ୍ମନେଲା । ଐତିହାସିକ ଉପନ୍ୟାସ ଭାବରେ ନୀଳଶୈଳର ମର୍ଯ୍ୟାଦା ଭାରତୀୟକ୍ଷେତ୍ରରେ ନିକଟ-ଅତୀତରେ ନିର୍ଦ୍ଧାରିତ ହୋଇଛି । ଏହା ବ୍ୟତୀତ ସାରଳା-ସାହିତ୍ୟ ଓ ଫକୀରମୋହନ ସାହିତ୍ୟ ସମାଲୋଚନାରେ ସେ ଅଖଣ୍ଡ ସିଦ୍ଧିର ଅଧିକାରୀ ।

 

୧–ଉତ୍କଳ ସାହିତ୍ୟରେ ୧୯୩୮-୩୯ ମଧ୍ୟରେ ପ୍ରକାଶିତ ।

 

୨–ପ୍ରକାଶ କାଳ ୧୯୪୬ ।

 

ଏ ସମସ୍ତ ସତ୍ତ୍ୱେ ତାଙ୍କର ସୃଷ୍ଟି-ପ୍ରତିଭା, ମୁଖ୍ୟତଃ ଗଳ୍ପାଶ୍ରୟୀ । ମହାନଗରୀର ରାତ୍ରି (ପ୍ରକାଶକାଳ ୧୯୫୦), କୃଷ୍ଣଚୂଡ଼ା (୧୯୫୧), ରୁଟି ଓ ଚନ୍ଦ୍ର (୧୯୫୪), ଶେଷକବିତା (୧୯୫୫) ଓ ମରାଳର ମୃତ୍ୟୁ (୧୯୬୨) ପ୍ରଭୃତି ଗ୍ରନ୍ଥରୁ ଏହା ସହଜରେ ପ୍ରମାଣିତ ।

 

ଗଳ୍ପଗୁଡ଼ିକର ଶ୍ରେଣୀବିଭାଗ

 

ଆବେଦନ ଦୃଷ୍ଟିରୁ ସୁରେନ୍ଦ୍ରଙ୍କ ଗଳ୍ପଗୁଡ଼ିକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା –(କ) ଆତ୍ମବିସ୍ମୃତି ଓ (ଖ) ଆତ୍ମ ସଚେତନତାର ଗଳ୍ପ । ଲେଖକଙ୍କର ସ୍ୱୀକୃତି ଅନୁଯାୟୀ ତାଙ୍କର ଆଦ୍ୟଜୀବନର ସ୍ୱାକ୍ଷରରେ ଯେଉଁ ଭାବଭୋଳା ଶିଳ୍ପୀର ପରିଚୟ ମିଳେ, ଉତ୍ତରକାଳରେ ସେ ଶିଳ୍ପୀ ଅଦୃଶ୍ୟ ଓ ଅଲକ୍ଷିତ । ତାହାର ‘‘ବେଦନା ବିଦଗ୍‌ଧ ସ୍ପର୍ଶାତୁରତା ଓ ବେପରୁଆ ଦୃଷ୍ଟିଭଙ୍ଗୀ ଆଡ଼ମ୍ବରର ଔଜ୍ଜ୍ୱଲ୍ୟ ମଧ୍ୟରେ ହଜିଯାଇଛି ।’’ (ସୁରେନ୍ଦ୍ର ସଞ୍ଚୟନ–ଗୌରଚନ୍ଦ୍ରିକା ପୃ-୮)–‘‘ବଧୂ ଓ ପ୍ରିୟା’’ ‘‘ମଣିଷ ଓ ଅର୍ଥନୀତି’’ ‘‘ଭାରତ ଆବିଷ୍କାର’’ ଓ ‘ଅଷ୍ଟ୍ରେଲିଆ’ ଇତ୍ୟାଦି ‘ସଞ୍ଚୟନ’ (୩) ସନ୍ନିବେଶିତ । ପ୍ରାୟ ସମସ୍ତ ଗଳ୍ପ ଆଦ୍ୟ ପର୍ଯ୍ୟାୟଭୁକ୍ତ ଓ ଏଗୁଡ଼ିକର ରଚନାକାଳ ୧୯୪୦ ରୁ ୧୯୫୭ ମଧ୍ୟରେ ସୀମାବଦ୍ଧ । ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ୧୯୫୮ ରୁ ୧୯୬୨ ମଧ୍ୟରେ ବିଭିନ୍ନ ପରିସ୍ଥିତି ନେଇ ଲିଖିତ (ଦ୍ର: ‘ମରାଳର ମୃତ୍ୟୁ’ର ସମୁଦାୟ ଗଳ୍ପ) ଓ ତତ୍‌ପରବର୍ତ୍ତୀ ଅବସ୍ଥାରୁ ଅଦ୍ୟାବଧି ଓଡ଼ିଆ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପଗୁଡ଼ିକ, ଆତ୍ମ ସଚେତନତାର ପ୍ରତୀକ ଭାବରେ ଗ୍ରହଣୀୟ । ପୃଷ୍ଠଭୂମି ବିଚାରରେ ଅଧିକାଂଶ ଗଳ୍ପ ଆଧୁନିକ ଭାରତ ଓ ଉତ୍କଳର ସାମାଜିକତା, ରାଜନୀତି ଓ ଅର୍ଥନୈତିକ ବୈଷମ୍ୟ ଉପରେ ଆଧାରିତ । ଅବଶିଷ୍ଟ ଗଳ୍ପଗୁଡ଼ିକର ଭିତ୍ତି କେତେବେଳେ ପୌରାଣିକ ଅଥବା ବୌଦ୍ଧଯୁଗର ସ୍ମୃତି, କେତେବେଳେ ଅବା ସାମନ୍ତବାଦର ଅବସ୍ଥାକୁ ନେଇ ପରିକଳ୍ପିତ । ଲେଖକଙ୍କର ସ୍ୱୀକାରୋକ୍ତି ସତ୍ତ୍ୱେ ଏହା ନିର୍ଭୀକ ଭାବରେ କୁହାଯାଇପାରେ ଯେ, କି ‘ଆତ୍ମସଚେତନ’ କି ‘ଆତ୍ମବିସ୍ମୃତ’, ଉଭୟ ସ୍ତରରେ ଗାଳ୍ପିକ ସୁରେନ୍ଦ୍ର ଚିର ଭାବବିହ୍ୱଳ, ତନ୍ମୟ ଓ ବେଦନାବିଦଗ୍‌ଧ । ପ୍ରଥମ ସ୍ତରରେ ଏ ଭାବବିହ୍ୱଳତା ଉଚ୍ଛନ୍ନ, ଧାବମାନ ଓ ବର୍ଷଣାତୁର; କିନ୍ତୁ ଦ୍ୱିତୀୟ ସ୍ତରରେ ଏହା ମେଘମେଦୁର, ରୁଦ୍ଧ, କ୍ଷୁବ୍‌ଧ ଓ ଗମ୍ଭୀର । ସୁତରାଂ ବହିଦୃଷ୍ଟିରେ ଭିନ୍ନ ବୋଧ ହେଉଥିଲେ ମଧ୍ୟ, ଅନ୍ତର୍ଦୃଷ୍ଟିରେ ଉଭୟର ଆବେଗିକ ମୂଲ୍ୟ ପ୍ରାୟ ସମାନ-

 

୩–ସୁରେନ୍ଦ୍ର ସଞ୍ଚୟନ :

 

ବିସ୍ତୃତ ବିଚାର : ପ୍ରଥମ ପର୍ଯ୍ୟାୟ

 

ନୂତନ ସମାଲୋଚନାର (New criticism) ଆଦର୍ଶପଦ୍ଧତି * ‘ଆକୃତିଗତ ବିଶ୍ଳେଷଣ’ରେ (Structural analysis) କ୍ଷୁଦ୍ରଗଳ୍ପ, + କେତେଗୁଡ଼ିଏ ଘଟଣା ବା କ୍ରିୟାକଳାପର ସମାହାର ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ସମାହାର ବା ସମଷ୍ଟିସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ଦେଖି ସେମାନଙ୍କର ଅତୀତ, ବର୍ତ୍ତମାନ, ଆଶା-ଆକାଙ୍‌କ୍ଷା ଓ ଆକୃତିପ୍ରକୃତି ସମ୍ବନ୍ଧେ ପାଠକପାଠିକାର ଯେଉଁ ଧାରଣା ଜନ୍ମେ, ତାହାହିଁ ଗଳ୍ପଶୈଳୀରେ ଉଦ୍‌ଘାଟନ (Exposition), ବର୍ଣ୍ଣନ (Description) ଓ ଚରିତ୍ରଚିତ୍ରଣ (Characterisation) ନାମରେ ନାମିତ ହୋଇଥାଏ । ବାହ୍ୟବୋଧରେ ଆକୃତିଗତ ସମୀକ୍ଷା ସ୍ଥୂଳଧର୍ମୀ ହୋଇଥିଲେହେଁ, ବସ୍ତୁତଃ ଏହା ସ୍ଥୂଳସୂକ୍ଷ୍ମର ଅଙ୍ଗାଙ୍ଗୀ ବିଚାର । ‘ଆକାର’ ବିବେଚନାରେ ‘ପ୍ରକାର’, ବା ‘ଆକୃତି’ ଅନୁଶୀଳନରେ ‘ପ୍ରକୃତି’, ଛାଏଁ ଛାଏଁ ସମାଲୋଚନା ପରିସରକୁ ଆସିଯାଇଥାଏ । ତେଣୁ ସୃଷ୍ଟି ଅନ୍ତରାଳରେ ନିହତ ସୌନ୍ଦର୍ଯ୍ୟବୋଧ ବା ଶୈଳ୍ପିକ ଅଭୀପ୍‌ସା, (Artistic intention) ଅକ୍ଳେଶରେ ସାଧାରଣ ବୋଧ୍ୟ ହୋଇଥାଏ ।

 

* J.E. Spingarn, Robert Graves ଓ Kenneth Burkeଙ୍କ ଦ୍ୱାରା ଇଂଲଣ୍ଡ ତଥା ଆମେରିକାର ଲୋକପ୍ରିୟ କରାଯାଇଥିବା ନୂତନ ସମାଲୋଚନା ପଦ୍ଧତି ।

 

+ “To begin with a story is a series of acts on events.” (The Twentieth Century Novel, Joseph Warren Beach-page-2.5)

 

ଉକ୍ତ ମାନଦଣ୍ଡରେ ସୁରେନ୍ଦ୍ର ମହାନ୍ତିଙ୍କର ‘ବଧୂ ଓ ପ୍ରିୟା’ ଏକ ସାର୍ଥକସୃଷ୍ଟି । ପ୍ରେମର ତ୍ରିଭୁଜ ଉପରେ ଏହା ପରିକଳ୍ପିତ ହୋଇଥିଲେ ମଧ୍ୟ ଏ ପ୍ରେମ ଦେହଜ ବିକୃତି ଅପେକ୍ଷା ମନର ବିଳାପ ଉପରେ ବେଶି ଭାଗ ପର୍ଯ୍ୟବସିତ । ‘ଭାରତ ଆବିଷ୍କାର’, ‘ଅଷ୍ଟ୍ରେଲିଆ’ ଓ ‘ପ୍ରଥମ ଆଷାଢ଼’ର ଘଟଣାବିହୀନତା, ଏଥିରେ ଲକ୍ଷ୍ୟ କରି ହୁଏନା । ବଦ୍‌ଲାୟାର୍‌ଙ୍କର ଗଦ୍ୟକବିତା (Prose peom) ଧାରାରେ ଭିତରର କମ୍ପନ, ସ୍ପନ୍ଦନ ଓ ସଂଘର୍ଷକୁ ପ୍ରାଧାନ୍ୟ ଦିଆଯାଇଥିଲେ ମଧ୍ୟ ବାହାରର ନାଟକୀୟ ଘଟଣାପ୍ରବାହକୁ, ଆଲୋଚ୍ୟ ଗଳ୍ପରେ ଉପେକ୍ଷା କରାଯାଇ ନାହିଁ । ଦୀର୍ଘ ପାଞ୍ଚବର୍ଷ ପରେ ଲୀଳା ଓ ପଙ୍କଜର ଆକସ୍ମିକ ସାକ୍ଷାତ, ସେ ଦୁହିଁଙ୍କର ଅତୀତ ଓ ବର୍ତ୍ତମାନକୁ ଖୁବ ପରିମିତ ପରିସର ମଧ୍ୟରେ ପ୍ରକାଶ କରିବାକୁ ସମର୍ଥ ହୋଇଛି । ଏ ପରିବେଶରେ ସରସତା ଅଛି; ନାଟକୀୟତା ଅଛି, ଅଥଚ ଏହା ଅବାସ୍ତବ ବା ଅତିରଞ୍ଜିତ ନୁହେଁ । ସ୍ୱପ୍ନାଚ୍ଛନ୍ନ ବହୁ ତରୁଣ-ତରୁଣୀଜୀବନର ସତେ ଯେପରି ଏହା ଅଙ୍ଗେଲିଭା କାହାଣୀ ଓ ନିହାତି ସାଧାରଣ । ତଥାପି ଏହି ସାଧାରଣକୁ ଅସାଧାରଣ କରି ତୋଳିନେବାରେ ଲେଖକଙ୍କର ସୃଷ୍ଟିକୌଶଳ ଅତ୍ୟନ୍ତ ତାତ୍ପର୍ଯ୍ୟ-ପୂର୍ଣ୍ଣ-

 

ଗଳ୍ପାଙ୍କିତ ଚରିତ୍ରମାନଙ୍କ ମଧ୍ୟରୁ ଲୀଳାର ସ୍ୱାମୀ ଶ୍ରୀକାକ୍ତ ଓ ପଙ୍କଜର ଦୁର୍ଦ୍ଦିନରେ ସାଥୀ ମାଧବ ଚରିତ୍ରରେ ଦେଖାଯାଇଥିବା ଉଦାହରଣ ଓ ଆତ୍ମୋତ୍ସର୍ଗ, ଆଦର୍ଶ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଏଥିରେ ଲେଖକଙ୍କର ନିଜତ୍ୱ ନିର୍ଣ୍ଣୟ କରିବାର ଅବକାଶ ଖୁବ୍‌ କମ୍‌ । କାରଣ ଚରିତ୍ର ଦୁଇଟି ପରମ୍ପରାଗତ । କଥାବସ୍ତୁର ରୋମାଣ୍ଟିକ ପରିବେଶରେ ନାୟକନାୟିକାର ମାନସିକ ଦ୍ୱନ୍ଦ୍ୱକୁ ଧୀରମନ୍ଥର ଗତିରେ ଗଡ଼ାଇ ନେବା ପାଇଁ ସତେ ଯେପରି ଏମାନଙ୍କର ସୃଷ୍ଟି । ସେହିପରି ପଙ୍କଜ ଚରିତ୍ରର ମାଧୁର୍ଯ୍ୟ, ତାହାର ଦୈନ୍ୟପୀଡ଼ିତ ପ୍ରତିଭା, ନିଃସହାୟତ୍ତା ବା ରୁଗ୍‌ଣତା ମଧ୍ୟରେ ନିହିତ ନୁହେଁ । ବରଂ ପ୍ରିୟାକୁ ବଧୂ କରିବା ନିମିତ ତାହାର ରୁଦ୍ଧ ଅତୀତଟା ଯେତେବେଳେ ଅତି ସଲଜ୍ଜ ଭାବରେ ଲୀଳାର ବର୍ତ୍ତମାନ ନିକଟରେ କାକୁତି ବାଢ଼ିଛି, ସେଇଠି ପରାଜୟର ତାଳେ ତାଳେ ସେ ହୋଇଛି ବିଜୟୀ । ଲୀଳା-ମନର ଚରମ ଦୋହଲା ଚହଲାଠାରୁ ଅଧିକ ଭାବମୟ ହୋଇଛି ପଙ୍କଜ ଚରିତ୍ରର ଏଇ ଦୁର୍ବଳ ମୁହୂର୍ତ୍ତଟି । ଗଳ୍ପର ଆରମ୍ଭରୁ ସଂଘର୍ଷର ଝଡ଼ରେ ନାଚି ନାଚି ଅଥୟ ହୋଇପଡ଼ିଥିବା ବଧ ଓ ପ୍ରିୟା ଲୀଳା, ଅନ୍ତତଃ ଏହି ମୁହୂର୍ତ୍ତରେ ତା’ମନର ରୁଦ୍ଧ ତୋରଣକୁ ଲୋତକସ୍ରୋତରେ ଫିଟାଇ ଦେଇପାରିଛି । ବଧୂତ୍ୱର ଶିକୁଳିରେ ବନ୍ଧା ନାରୀତ୍ୱ, ମୁକ୍ତ ହୃଦୟରେ ସ୍ୱୀକାର କରିଛି ଯେ ପଙ୍କଜର ପ୍ରିୟା ଲୀଳାହିଁ, ସତ୍ୟ ଓ ବାସ୍ତବ । ଏହା ବ୍ୟତୀତ ଆଉ ଯାହା କିଛି କେବଳ ଫଙ୍କା, ନିଷ୍ପ୍ରଭ ଓ ଲୌକିକତାର ଢାଙ୍କୁଣିଘୋଡ଼ା ଆତ୍ମପ୍ରବଞ୍ଚନା । ପ୍ରିୟା ଲୀଳାର ବଧୂଭୂମିକା, ଦେହପାଇଁ, ସମାଜପାଇଁ–ମନର ଡାକ ଏଥିରେ ପ୍ରଶମିତି ହୋଇନପାରେ । ସ୍ଥୂଳତଃ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଲୀଳା ଓ ପଙ୍କଜ ଚରିତ୍ର ଅତିମାତ୍ରାରେ ସାର୍ଥକ ।

 

ଏ ସମସ୍ତ ସତ୍ତ୍ୱେ ଗଳ୍ପଟି ବର୍ଣ୍ଣନାଧର୍ମୀ ଏବଂ ଭିକ୍ଟୋରିଆଯୁଗର ଆଦର୍ଶରେ ଅନୁପ୍ରାଣିତ-। ଅତ୍ୟାଧୁନିକ ଢାଞ୍ଚାରେ ଚରିତ୍ରଗୁଡ଼ିକୁ ଅବତାରଣା କରାନଯାଇ ବର୍ଣ୍ଣନା ମାଧ୍ୟମରେ ସେମାନଙ୍କୁ ଆଗେଇ ନେବାର ପ୍ରଚେଷ୍ଟା କରାଯାଇଥିବାରୁ ସେମାନେ ସ୍ୱୟଂଚାଳିତ ନୁହନ୍ତି । ସେମାନଙ୍କର ଚାରିତ୍ରିକ ଉଦ୍ଦେଶ୍ୟ ସହିତ ଅନେକ ସ୍ଥଳେ ଗାଳ୍ପିକଙ୍କର ଭାବପ୍ରବଣତା, ଦାର୍ଶନିକତା ଓ ରୋମାଣ୍ଟିକ ଦୃଷ୍ଟିଭଙ୍ଗୀ ମିଶ୍ରିତ ଭାବରେ ପ୍ରକାଶ ପାଇଛି । ଉକ୍ତିଟିର ସମୀଚୀନତା ପରୀକ୍ଷା କରିବା ପାଇଁ ଶଂସିତ ଗଳ୍ପର ୩ୟ ପୃଷ୍ଠାରୁ ‘‘ମାତ୍ର ସଂଗୀତ ପାଇଁ ସେ ତା’ର ସମସ୍ତ ସମ୍ଭାବନା ବିସର୍ଜନ ଦେଇଥିଲା । ସଂଗୀତକୁ ସେ ଅବଲମ୍ବନ କରିଥିଲା, ନିଜର ଅତୃପ୍ତ ଆତ୍ମାର ଶାନ୍ତିପାଇଁ; କିନ୍ତୁ ସର୍ବଗ୍ରାସୀ ଜଠରକ୍ଷୁଧାର ଖାଦ୍ୟ ଯୋଗାଇବା ପାଇଁ ନୁହେଁ’’ ବା ଦ୍ୱାଦଶ ପୃଷ୍ଠାରୁ ‘‘ଲହରୀର କଳରୋଳ, ଝାଉଁଜଙ୍ଗଲର ପତ୍ରଗହଳି ଭିତରେ ପବନର ହା–ହା–କାର, ଆକାଶର ସାଥିହୀନ ଚନ୍ଦ୍ର, ନୀରବ ନିର୍ଜନ ସନ୍ଧ୍ୟା, ସବୁଠି ଯେପରି ଫୁଟି ଉଠିଥିଲା ସେଇ ବେଦନାବିଦଗ୍‌ଧ ଅଶ୍ରୁଳ ହା–ହା–କାର’’ ଅଥବା ଊନବିଂଶ ପୃଷ୍ଠାରୁ ‘‘ଏଇ ଯିବାଟା-ଇ ଏକମାତ୍ର ସତ୍ୟ । ଆସିବା ଆଉ ଯିବା ଭିତରେ ବାକୀ ରହିଗଲା ଯାହାସବୁ, ସେ ସବୁ କେବଳ ପଥପ୍ରାନ୍ତର ଆକର୍ଷଣ ! କୋଉଟା ସ୍ଥିର ନୁହେଁ, କୋଉଟା ସତ୍ୟ ନୁହେଁ !’’ –କୁ ଉଦାହରଣସ୍ୱରୂପ ଗ୍ରହଣ କରାଯାଇପାରେ ।

 

ଉଦ୍ଧୃତିଗୁଡ଼ିକରେ ଲେଖକଙ୍କର ଭାବବିହ୍ୱଳ ହୃଦୟର କମନୀୟ ପ୍ରକାଶ ଘଟିଥିଲେ ମଧ୍ୟ ଗଳ୍ପ-ସୁଷମାରେ ଏହା ବିଶେଷ ସହାୟକ ହୋଇପାରି ନାହିଁ । ଚରିତ୍ରର ସ୍ୱଚ୍ଛନ୍ଦ ଗତିବିଧି ଓ ହାବଭାବରୁ ଚରିତ୍ର ସମ୍ବନ୍ଧରେ କୌଣସି ଧାରଣା ଆଣିବାର ସ୍ୱାଧୀନତା ପାଠକ ଏ କ୍ଷେତ୍ରରେ ହରାଇ ବସିଛି । ତେଣୁ ଫିଲ୍‌ଡ଼ିଂ (Fielding) ବା ସ୍କଟ୍‌ (Scott)ଙ୍କର ସୃଷ୍ଟିଲିପ୍ତତାର (authors, presence in person) କ୍ଳାନ୍ତିକର ସ୍ୱରରେ ସେ ଊନବିଂଶ ଶତାବ୍ଦୀକୁ ଫେରି ଚାହିଁବାକୁ ବାଧ୍ୟ ହୋଇଥାଏ । ‘ଆକାଶର ସାଥିହୀନ ଚନ୍ଦ୍ର’ ବା ‘ବେଦନାବିଦଗ୍‌ଧ ଅଶ୍ରୁଳ ହା–ହା–କାର’ ଭଳି ଉକ୍ତିଗୁଡ଼ିକର ରୋମାଣ୍ଟିକ ଆବେଶରେ ବାସ୍ତବତା ପଥହରା ହୋଇପଡ଼ିଛି ଓ ଚରିତ୍ରମାନଙ୍କ ପାଇଁ ଲେଖକଙ୍କ ଅନ୍ତରରେ ଫୁଟି ଉଠିଥିବା ସଂବେଦନା, ଅଭିବ୍ୟକ୍ତି, ଅନୁକମ୍ପା (expressed pity)ର ରୂପ ଧରି ଶୈଳ୍ପିକ ସୂକ୍ଷ୍ମତା ଓ ଗାମ୍ଭୀର୍ଯ୍ୟରେ ବାଧା ସୃଷ୍ଟି କରିଛି । ଉପରନ୍ତୁ ପ୍ରକାଶ ବାହୁଲ୍ୟର ଏହି ଘନଘଟା ମଧ୍ୟରେ ଗଳ୍ପଶୈଳୀରେ ସଂଯମର ଅଭାବ ଘଟିଥିବାରୁ ଆଧୁନିକ ଗଳ୍ପର ଟେକନିକଗତ ବୈଶିଷ୍ଟ୍ୟ (‘‘That the story shall tell itself” * Ref:-The Twentieth Century Novel, Joseph Warren Beach, page. 15-16) ବ୍ୟାହତ ହୋଇଅଛି ।

 

‘ବଧୂ ଓ ପ୍ରିୟା’ ପରେ ‘ମଣିଷ ଓ ଅର୍ଥନୀତି’ ଗଳ୍ପଟି ବିଚାର୍ଯ୍ୟ । ଉକ୍ତ ଗଳ୍ପଟି ପୂର୍ବୋକ୍ତ ଗଳ୍ପର ସାତବର୍ଷ ପୂର୍ବରୁ ଲିଖିତ ଏବଂ ‘ଆରତି’ ପତ୍ରିକାର ୧୯୪୧ ମସିହାର ପୂଜାସଂଖ୍ୟାରେ ଏହା ପ୍ରଥମେ ପ୍ରକାଶିତ । ‘ସୁରେନ୍ଦ୍ର ସଞ୍ଚୟନ’ ବ୍ୟତୀତ ଅନ୍ୟ ଏକ କୃତିରେ ଲେଖକ ନିଜେ ଏହାକୁ ତାଙ୍କ ଲିଖିତ ସର୍ବପ୍ରଥମ କ୍ଷୁଦ୍ରଗଳ୍ପ ବୋଲି ସ୍ୱୀକାର କରିଅଛନ୍ତି । କିନ୍ତୁ ସୁରେନ୍ଦ୍ର-ସଞ୍ଚୟନରେ ୧୯୩୮-୩୯ ସାଲରେ ପ୍ରକାଶିତ ‘ବନ୍ଦୀ’କୁ ସର୍ବପ୍ରଥମ କ୍ଷୁଦ୍ରଗଳ୍ପ ଭାବରେ ସ୍ୱୀକାର କରାଯାଇଥିବାରୁ (ଗୌରଚନ୍ଦ୍ରିକା ପୃ-୭) ବାସ୍ତବରେ କେଉଁ ଗଳ୍ପଟି ପ୍ରଥମ, ସେ ନେଇ ସନ୍ଦେହର ସୂତ୍ରପାତ ଘଟିବା ସ୍ୱାଭାବିକ ।

 

ସେ ଯାହାହେଉନା କାହିଁକି, ବିଚାରଧୀନ କ୍ଷୁଦ୍ର ଗଳ୍ପଟି ‘ବଧୂ ଓ ପ୍ରିୟା’ ପରି ଏକ ସୁଦୀର୍ଘ ଗଳ୍ପ ନୁହେଁ । ପରିସୀମା ଦୃଷ୍ଟିରୁ ଏହା କ୍ଷୁଦ୍ର ଏବଂ ନିର୍ଦ୍ଦିଷ୍ଟ ବେଷ୍ଟନୀ ଭିତରେ ଆବଦ୍ଧ । ଯୁଦ୍ଧୋତ୍ତର ପୃଥିବୀର ଯେଉଁ ମୁହୂର୍ତ୍ତ ସମ୍ବଳ ଜୀବନ ଓ ତାହାର ଦୋଛକି ବିଷୟ ପ୍ରଥମ ଅଧ୍ୟାୟରେ ଆଲୋଚିତ; ତାହାର ଏକ ସରସ ଚିତ୍ର, ସୁରେନ୍ଦ୍ରଙ୍କର ନୀଳଜ୍ୟୋତ୍ସ୍ନା, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ସାଙ୍ଗରିଲା ତଥା ଆଲୋଚ୍ୟ ଗଳ୍ପରେ ପରିସ୍ଫୁଟ ହୋଇଅଛି । ଅର୍ଥନୈତିକ ବୈଷମ୍ୟର ଅମୁହାଁ ଦେଉଳରେ ନିର୍ଯାତିତ ହେଉଥିବା ବହୁ ପ୍ରତିକ୍ରିୟାଶୀଳ ମାନସ ପାଇଁ ଅନେକ ମୁହୂର୍ତ୍ତ ମୂଲ୍ୟହୀନ ହେଲେବି, ଗୋଟି ଗୋଟିଏ ବଛା ବଛା ମୁହୂର୍ତ୍ତର ମୂଲ୍ୟ ଖୁବ୍‌ ବେଶି । ଖଟିଖିଆ କିରାଣୀ ଜୀବନର ଏହିପରି ଏକ ମୁହୂର୍ତ୍ତକୁ ‘ମଣିଷ ଓ ‘ଅର୍ଥନୀତି’ ଗଳ୍ପରେ କାରୁଣ୍ୟର ପୁଟ ଦେଇ ରୂପାୟିତ କରାଯାଇଛି । ଲୀଳା ଓ ତାହାର ସ୍ୱାମୀଙ୍କର ପଦେ ପଦେ କଥା ଓ ଟିକେ ଟିକେ ଅନୁରାଗ ମଧ୍ୟରେ ଆଧୁନିକ ବିଶ୍ୱର ବହୁ ଜିଜ୍ଞାସା ଭରି ରହିଛି । ଏ ଜିଜ୍ଞାସା, ଯେତିକି ଶାଣିତ, ସେତିକି ବେଦନାବିଦ୍ଧ । ‘‘ଛାଡ଼, ଗୋଟାଏ ମୁହୂର୍ତ୍ତ ପାଇଁ ମଣିଷ ହଜାର ହଜାର ଖର୍ଚ୍ଚ କରୁଛି, ଆଉ ମୁଁ ପାଞ୍ଚଟା ଟଙ୍କା ଖର୍ଚ୍ଚ କଲେ କ୍ଷତି କ’ଣ ?’’ ଅଥବା ‘‘ଜୀବନରେ ବଞ୍ଚିରହିବା ଅପେକ୍ଷା ଗୋଟାଏ ସ୍ମୃତିର ଦାମ୍‌ ଖୁବ୍‌ କମ୍‌-!’’ –ପ୍ରଭୃତିରେ ଜୀବନ-ଜିଜ୍ଞାସାର ଅସୁମାରୀ ଖିଆଲ୍‌, ଶାଶ୍ୱତ ରୂପ ନେଇ ଦଣ୍ଡାୟମାନ ହୋଇଛି । ପୂର୍ବ ଗଳ୍ପର ଫ୍ରୟେଡ଼ୀୟ ‘ଅବଚେତନ’ ଏଠି ରୁଦ୍ଧ, ଚାପଗ୍ରସ୍ତ, ପ୍ରଶ୍ନିଳ ଓ ଦ୍ୱିଧାବହୁଳ । ଅଭାବୀ ଜୀବନର ପ୍ରଶ୍ନ ମଧ୍ୟରେ ସମାଜକୁ ଖାଲି ଆହ୍ୱାନ କରାଯାଇନି, ବରଂ ଏଥିରେ ଆଗାମୀ ଦୁନିଆର ଧୀରମନ୍ଥର ବିପ୍ଳବର ଉଦ୍‌ଘୋଷଣା ଆରମ୍ଭ ହୋଇଛି ମନୋବୈଜ୍ଞାନିକ ସାମ୍ୟବାଦ (Surrealism) ବା ‘ଅବଚେତନବାଦ’ର ଇସ୍ତାହାର ଜରିଆରେ । ଫରାସୀ କଳାର ଏହି ଅଭିନବ ଧାରାଟି ସୁରେନ୍ଦ୍ରଙ୍କର ଅଧିକାଂଶ ଗଳ୍ପରେ ସଫଳ ଭାବରେ ବିନିଯୋଗ କରାଯାଇଛି ।

 

* ଗଳ୍ପ ନିଜେ ନିଜକଥା କହିବ’–

 

ବର୍ଣ୍ଣନାରୀତି (Description) ଅପେକ୍ଷା ଅବତାରଣା ରୀତିକୁ (Presentation) ଗଳ୍ପ ମଧ୍ୟରେ ପ୍ରାଧାନ୍ୟ ଦିଆଯାଇଥିବାରୁ ଗଳ୍ପଟିର ମୂଲ୍ୟାୟନରେ ଏହା ବିଶେଷ ସହାୟକ ହୋଇଛି । ଗଳ୍ପସଂପୃକ୍ତ ଚରିତ୍ରମାନଙ୍କର ଗାଳ୍ପିକ-ସାପେକ୍ଷତା, ଏଠି ଖୁବ୍‌ କମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ ସାମାଜିକ ପରିବେଶର ନିଖୁଣଚିତ୍ର, ଗଳ୍ପଟିର ଅନ୍ୟତମ ଆକର୍ଷଣ । ଘଟଣା ପ୍ରବାହର ସ୍ୱାଭାବିକତା ଓ ସ୍ୱଚ୍ଛନ୍ଦତା ଯୋଗୁଁ ଗଳ୍ପର ପରିସମାପ୍ତି, ଅତ୍ୟନ୍ତ ଉପଭୋଗ୍ୟ ହୋଇପାରିଛି ।

 

‘ମହାନଗରୀର ରାତ୍ରି’ ପୁସ୍ତକରେ ସନ୍ନିବେଶିତ ଏଗାରଟି ଗଳ୍ପ ମଧ୍ୟରୁ ‘ଭାରତ ଆବିଷ୍କାର’ ଓ ‘ଅଷ୍ଟ୍ରେଲିଆ’ ଶୀର୍ଷକ ଗଳ୍ପର ସଂକ୍ଷିପ୍ତ ସୂଚନା ପୂର୍ବେ ଦିଆଯାଇଛି । ‘ପ୍ରଥମ ଆଷାଢ଼’ ଗଳ୍ପ ସେହି ପର୍ଯ୍ୟାୟଭୁକ୍ତ । ଭାରତୀୟ ସ୍ୱାଧୀନତାର ବର୍ଷକ ପୂର୍ବରୁ ଗଳ୍ପଗୁଡ଼ିକ ଲିଖିତ । ୧୯୪୬ ସାଲରେ କଥାକାର ଯେତେବେଳେ ତାଙ୍କ ଭାଷାର ‘‘ବାଚିଲରସ୍‌ ଡେନ୍‌’’ରେ ବନ୍ଦୀ, ସେହି ବ୍ୟଥାପାଣ୍ଡୁରିଂ ଓ ସଂଶୟମଳିନ ଦିନର ସ୍ମୃତି ଉଲ୍ଲିଖିତ ଗଳ୍ପଗୁଡ଼ିକରେ ଉତ୍କୀର୍ଣ୍ଣ । ଏ ଗଳ୍ପଗୁଡ଼ିକ ସେତେବେଳର ଓଡ଼ିଶାର ମାସିକ ପତ୍ରପତ୍ରିକାମାନଙ୍କରେ ପ୍ରକାଶଯୋଗ୍ୟ ବିବେଚିତ ହୋଇପାରି ନଥିଲା । କାରଣ ଏଗୁଡ଼ିକ ଅତ୍ୟାଧୁନିକ ଆଭାସଗଳ୍ପ ପରି ଆଦ୍ୟ, ମଧ୍ୟ ଓ ପରିସମାପ୍ତି ରହିତ ଥିଲା । ତେବେ ଯାହାହେଉ ‘ଓ୍ୱାନ୍‌ ଓ୍ୱାର୍ଲଡ଼୍‌ କ୍ଳବ୍‌’ର ଅସ୍ୱସ୍ତିକର ଓ ପ୍ରକାଶ ବିରତ ଜୀବନ ମଧ୍ୟରେ ଏହାହିଁ ଥିଲା ଲେଖକଙ୍କ ପାଇଁ ଆତ୍ମଆବିଷ୍କାର ଏକମାତ୍ର ପଥ । ଏହି ଆବିଷ୍କାର ମଧ୍ୟରେ କଳାକୁ ଅସୀମଭାବେ ଉପଲବ୍‌ଧି କରିବାର କଳ୍ପନା ଅତ୍ୟନ୍ତ ପ୍ରବଳ । ତେଣୁ ବହିର୍ଦୃଷ୍ଟିରେ ଲେଖକଙ୍କର ପ୍ରତିକ୍ରିୟା ଅସଂଲଗ୍ନ ବୋଧ ହେଉଥିଲେ ମଧ୍ୟ ଏହି ଅସଂଲଗ୍ନତାର ଏକ ଶକ୍ତିଶାଳୀ ସ୍ୱର ପ୍ରଚ୍ଛନ୍ନ ରହିଛି । ଭାରତର ଅନ୍ତଃସ୍ଥଳ ପରୀକ୍ଷା କରି ତାହାର ଅସମାହିତ ଗୋଲକଧନ୍ଦା ଭିତରେ ତାହାର ଶୋଚନୀୟ ବାସ୍ତବତାକୁ ଆବିଷ୍କାର କରିବା ଏ ସ୍ଥଳରେ ଲେଖକଙ୍କର ଲକ୍ଷ୍ୟ । ଗଳ୍ପରେ ଗାଳ୍ପିକହିଁ ଚରିତ୍ର । ତାଙ୍କର ଆତ୍ମକୈନ୍ଦ୍ରିକ ଚିନ୍ତାର ପରିବେଷଣ ଭଙ୍ଗୀ କେବଳ ତୀର୍ଯ୍ୟକ୍‌ ଓ ସଂବେଦନାସିକ୍ତ ନ ହୋଇ ଆଉ ଟିକିଏ ସୂକ୍ଷ୍ମ ଓ ମନସ୍ତାତ୍ତ୍ୱିକ ହୋଇଥିଲେ ଗଳ୍ପଗୁଡ଼ିକ ଅତ୍ୟାଧୁନିକ ଯୁଗର ଯେ କୌଣସି ବାସ୍ତବବାଦୀ ଗଳ୍ପ ସହିତ ସମକକ୍ଷ ହୋଇପାରିଥାନ୍ତା ।

 

ଉକ୍ତ ପୁସ୍ତକର ‘ଅପରାଜିତ’ ଗଳ୍ପ ପୂର୍ବସୂଚିତ ଗଳ୍ପଗୁଡ଼ିକର ସମକାଳୀନ ହେଲେହେଁ ଏହାର ସମସ୍ୟା ସ୍ୱତନ୍ତ୍ର । ଲୀଳା, ଶ୍ୟାମଳ, ସରୋଜ ଓ ମୃଣ୍ମୟ ଚରିତ୍ର ଜରିଆରେ ଅର୍ଥ ଓ ପ୍ରତିଭାର ଚରମ ସଂଘର୍ଷର ତାଳେ ତାଳେ ଗୋଟିଏ ପଟେ ଧନତନ୍ତ୍ରୀର ବିଜୟ ଆସ୍ଫାଳନ ଓ ଅନ୍ୟପଟେ ଉଦ୍‌ବାସ୍ତୁଙ୍କର କାକୁବାଣୀକୁ ଉପଜୀବ୍ୟ କରି ଏ ଗଳ୍ପର ପ୍ରାଣପ୍ରତିଷ୍ଠା । ପ୍ରତିଭାବାନ୍ ଯୁବକ ଶ୍ୟାମଳର ଭାଷାହୀନ ଦାରିଦ୍ର୍ୟ ଓ ତାହାର ପତ୍ନୀ ଲୀଳାର ନୀରବ ଅଶ୍ରୁ, ଯେ କେହି ପାଠକର ସହାନୁଭୂତି ଦାବୀ କରିଥାଏ । ପ୍ରତିଭାର ପରାଜୟ ଓ ଅପମୃତ୍ୟୁରେ ଲେଖକ ନିଜେ ବେଦନାବିଦ୍ଧ । ଶ୍ୟାମଳର ଦର୍ଶନ ଓ ଆତ୍ମବିଶ୍ଳେଷଣ ମଧ୍ୟରେ ମାର୍କସୀୟ ମତବାଦର ସୁପ୍ରତିଷ୍ଠା ନିମିତ୍ତ ଉଦ୍‌ଗ୍ରୀବତା ଲକ୍ଷଣୀୟ । ଏହି ଉଦ୍‌ଗ୍ରୀବତାର ଅଭିବ୍ୟକ୍ତି ପାଇଁ ସରୋଜ ଚରିତ୍ର, ଅନ୍ୟ ଏକ ମାଧ୍ୟମ ଭାବରେ ଗୃହୀତ । ‘‘ବାର୍ତ୍ତାବହ’’ର ସମ୍ପାଦକ, ଅର୍ଥପତି ମୃଣ୍ମୟ ନିକଟରେ ଆତ୍ମସମର୍ପଣ କରିବାକୁ ଆସି ତାହାର ଇନ୍ଦ୍ରଭୁବନରେ ଶ୍ୟାମଳର ଛାତି ଭିତରୁ ଯେଉଁ ଦୀର୍ଘଶ୍ୱାସ ବାହାରି ଆସେ, ତାହା ଅତ୍ୟନ୍ତ ସ୍ୱାଭାବିକ ଏବଂ ସୂଚନାତ୍ମକ । କିନ୍ତୁ ତାହା ପୂର୍ବରୁ ଏବଂ ପରେ ଶ୍ୟାମଳ ଚରିତ୍ର ଜରିଆରେ ପ୍ରକାଶିତ ଭାବପ୍ରବଣ ଦାର୍ଶନିକତା ବିଶେଷ କ୍ଳାନ୍ତିକର । ସୁରେନ୍ଦ୍ରଙ୍କର ଏ ପ୍ରକାର ଅତିଦାର୍ଶନିକତା ତାଙ୍କ ଲିଖିତ ଅଧିକାଂଶ ଗଳ୍ପରେ କଥାବସ୍ତୁର ପ୍ରବାହକୁ ମନ୍ଦୀଭୂତ କରିବାରେ ସହାୟକ । ସ୍ଥୂଳତଃ ଗଳ୍ପକାରଙ୍କ ପ୍ରତିଭା, ଏ ସ୍ଥଳରେ କାବ୍ୟମୁଖୀ ।

 

ଶ୍ୟାମଳ, ଆତ୍ମସମର୍ପଣ କରି ମଧ୍ୟ ଆତ୍ମସମର୍ପଣ କରିପାରି ନାହିଁ । ତାହାର ଜୀବନବ୍ୟାପୀ ଆଦର୍ଶ ଅପରାଜିତ ରହିଛି । କ୍ଷୁଧାର ଅଗ୍ନିସ୍ନାନ କରି ମଧ୍ୟ ହଜାର ଟଙ୍କର ଚେକ୍‌କୁ ସେ ଗାଡ଼ିରେ ଦଳି ଦେଇଛି । ପ୍ରତିଭାର ମୁମୂର୍ଷୁ ସଂଗ୍ରାମରେ ଅଟଳ ରହିବାକୁ ଯେପରି ଲେଖକଙ୍କର ଅମର ଆହ୍ୱାନ ଓ ଦୃଢ଼ ଚେତାବନୀ ।

 

‘ଅପରାଜିତ’ର ଦୁଇବର୍ଷ ପରେ ‘ସମ୍ପାଦକ’ର ଆତ୍ମପ୍ରକାଶ । ଏଥିଭିତରେ ଭାରତୀୟ ଜନଜୀବନ ଓ ରାଜନୀତିକ ଚିତ୍ରରେ ଯଥେଷ୍ଟ ପରିବର୍ତ୍ତନ ଦେଖାଦେଇଛି । ୧୯୪୭ରେ ସ୍ୱାଧୀନତାର ସ୍ୱାଦୁ ଚାଖିବାକୁ ଆକୁଳ ହେଉଥିବା ଗଣଦେବତାର ପୂଜାପଣ୍ଡାମାନେ ବର୍ଷ ଦୁଇଟି ଅତୀତ ନ ହେଉଣୁ କୁତ୍ସିତ ରାଜନୀତିର ଠେଲାପେଲା ଓ ଚରିତ୍ର ସଂହାର ସାହାଯ୍ୟରେ ସେମାନଙ୍କର ନବଲବ୍‌ଧ ନେତୃତ୍ୱ ବା ନେତୃତ୍ୱର ଭବିଷ୍ୟତ ସ୍ୱପ୍ନକୁ ଦୃଢ଼ କରିବା ଲାଗି କେତେ କେଜାଣି ନାରକୀୟ ଲୀଳାର ଆଶ୍ରୟ ନିଅନ୍ତି । ଲକ୍ଷ ଲକ୍ଷ ସାମ୍ବାଦିକ ଓ ସମ୍ପାଦକଙ୍କୁ ଧନ ଓ ପ୍ରତିପତ୍ତି ଭୟରେ ସ୍ତାବକତା କରିବାକୁ ପଡ଼େ ଏହି ମନୁଷ୍ୟତ୍ୱହୀନ ମନୁଷ୍ୟମାନଙ୍କୁ । ସ୍ୱାଧୀନତା ପରବର୍ତ୍ତୀ ପୀଡ଼ିତ ଭାରତର ଏ ନବସନ୍ଦେଶକୁ ନେଇ ସମ୍ପାଦକର ଜନ୍ମ । କ୍ଷମତାକାଙ୍ଗାଳ ବିଶ୍ୱର ମର୍ମୋପଲବ୍‌ଧି, ଗଳ୍ପଟିରେ ସରସ ଓ ଚିତ୍ତାକର୍ଷକ । ‘‘ସ୍ୱଦେଶ’’ ସମ୍ବାଦପତ୍ରର ସମ୍ପାଦକ ସତ୍ୟ ଓ ସୁନ୍ଦରକୁ ବେଶି ଦିନ ଆଉ ହତ୍ୟା କରିନପାରି ଚାକିରୀ ପରିତ୍ୟାଗ କରିଛନ୍ତି । ତାଙ୍କର ବେକାର ଜୀବନରେ ଏକଦା ତାଙ୍କ ସମ୍ପାଦନାର ଶରବ୍ୟ ହୋଇଥିବା ଶ୍ରୀ...ନିର୍ଜନ ନଦୀକୂଳରେ ‘ନେତାଜୀଙ୍କ ବିରୁଦ୍ଧରେ ସମ୍ବାଦପତ୍ରଟିଏ ବାହାର କରିବାକୁ ଯୋଜନା କରନ୍ତି । ଏ ଯୋଜନାରେ ସମ୍ପାଦକୀୟ ସାହାଯ୍ୟ ଦେବାକୁ ବ୍ୟଙ୍ଗପୂର୍ଣ୍ଣ ସମ୍ମତି ଜଣାନ୍ତି ସ୍ୱଦେଶର ଭୂତପୂର୍ବ ସମ୍ପାଦକ । ତାଙ୍କର ସଂଶୟଦଗ୍‌ଧ ଦୃଷ୍ଟିରେ ଗୋଟିଏ ନୀତିହୀନ ବିଶ୍ୱର ବୀଭତ୍ସ ଦୃଶ୍ୟ ଓ ଅପର ଦିଗରେ ବୁଭୁଷୁ ଧରଣୀର ସୌନ୍ଦର୍ଯ୍ୟ ବିମୁଖତା, ଦ୍ୱନ୍ଦ୍ୱ ସଂଘର୍ଷର ଘୂର୍ଣ୍ଣି ସୃଷ୍ଟିକରେ । ସେ ସ୍ରଷ୍ଟା, ସମାଲୋଚକ ଓ ବ୍ୟଙ୍ଗକାର ରୂପରେ ତାଙ୍କର ମାନସିକ ପ୍ରତିକ୍ରିୟା ଗଳ୍ପଟିର ପ୍ରତି ଛତ୍ରରେ ଝରାଇ ଦିଅନ୍ତି । ସମ୍ପାଦକ ଚରିତ୍ର ମଧ୍ୟରେ ସୁସ୍ପଷ୍ଟରୂପେ କଥାକାରଙ୍କର ଆତ୍ମପ୍ରକାଶ ଘଟିଛି । ତେଣୁ ଗଳ୍ପଶୈଳୀରେ ପ୍ରବନ୍ଧସୁଲଭ ପରିବେଶ ଓ ସାମ୍ବାଦିକତାର ଆଭାସ ଫୁଟିଉଠିଛି । ଗଳ୍ପଟି କେତେକ ଦୃଷ୍ଟିରୁ ବାସ୍ତବ ଓ ଉପଭୋଗ୍ୟ ହୋଇଥିଲେ ମଧ୍ୟ ପୂର୍ବ ଗଳ୍ପଗୁଡ଼ିକର ତ୍ରୁଟିରୁ ମୁକ୍ତ ନୁହେଁ । ଭିକ୍ଟର ହ୍ୟୁଗୋ ବା ରୋମାରୋଲାଁଙ୍କ ଭଳି ଗାଳ୍ପିକ ସୁରେନ୍ଦ୍ର ତାଙ୍କର ଜୀବନ-ଦର୍ଶନକୁ ଅଳ୍ପେବହୁତେ ପ୍ରତ୍ୟେକ ଗଳ୍ପରେ ପରିବେଷଣ କରିବା ପାଇଁ ବ୍ୟଗ୍ରତା ପ୍ରକାଶ କରିଅଛନ୍ତି । ସୁତରାଂ, ଗଳ୍ପ ପରିଦୃଷ୍ଟ ତ୍ରୁଟିଗୁଡ଼ିକ ମୁଖ୍ୟତଃ ଏହି ବ୍ୟଗ୍ରତା ଓ ଭାବପ୍ରବଣତାରୁ ଜନ୍ମନେଇଛି ।

 

ଜେଲଖାନାର ‘ସତର ନମ୍ବର ଓ୍ୱାର୍ଡ଼’ ‘ବି’ କ୍ଳାସ ଦାଗୀ ବଳରାମ, ନୀଳକଣ୍ଠ, ଅନୁଗୁଳର ପାହାଡ଼ୀ ମଣିଷ ଧରମୁ ଓ ଜେଲଖାନା ଓ୍ୱାର୍ଡ଼ର ତଥା ଜମାଦାର ପ୍ରଭୃତି ଚରିତ୍ରର ପୃଷ୍ଠଭୂମିରେ ଆଧୁନିକ ନୀତିନିୟମ ଓ ଆଇନକାନୁନର ଅସରତା ପ୍ରତି କଥାକାରଙ୍କର ତୀର୍ଯ୍ୟକ୍‌ ଦୃଷ୍ଟି ପ୍ରକାଶ ପାଇଛି । ଭାରତୀୟ ଗଣବିପ୍ଳବର ନ୍ୟସ୍ତସ୍ୱାର୍ଥ ନାୟକମାନେ ଆଜି ଶାସନ ନାମରେ ସତ୍ୟ, ନ୍ୟାୟର ଗଳାଚିପି ଯେଉଁ ଅନ୍ଧନୀତି ଚଳାଇ ଅଛନ୍ତି, ତାହା ଲେଖକଙ୍କୁ ଗଭୀର ବ୍ୟଥା ଦେଇଛି । ‘ସତର ନମ୍ବର ଓ୍ୱାର୍ଡ଼’ ଶୀର୍ଷକ ଗଳ୍ପଟି ଉକ୍ତ ମର୍ମପୀଡ଼ାର ସ୍ୱାକ୍ଷର କହିଲେ ଅତ୍ୟୁକ୍ତି ହେବ ନାହିଁ । କାରାଗାର ଜୀବନର ନିଛକ୍‌ ଅନୁଭୂତି ସଙ୍ଗେ ଲେଖକଙ୍କର ପ୍ରତିକ୍ରିୟାଶୀଳ ମାନସର ପରିଚୟ ମିଳିବା ବ୍ୟତୀତ ଅନ୍ୟ କୌଣସି ନୂତନତା ଏ ଗଳ୍ପରେ ପ୍ରାୟ ଦୃଷ୍ଟି ପଥାରୂଢ଼ ହୁଏ ନାହିଁ ।

 

ନିହାତି ମାମୁଲି ଓ ସାଧାରଣ ପରିବେଶରୁ ଚେଖଭଙ୍କର ଅସାଧାରଣ ଗଳ୍ପଗୁଡ଼ିକ ଗଢ଼ିଉଠିଲା ପରି ସୁରେନ୍ଦ୍ରଙ୍କ ‘ସିଗାରେଟ୍‌’ ଗଳ୍ପଟି ବିନି ବାପାଙ୍କର ଜୀବନ ଅପରାହ୍ନର ବିଳାସ, ମାର୍କୋଭିଚ୍‌ ସିଗାରେଟ୍‌କୁ ମୂଳ କରି ଗଢ଼ିଉଠିଛି । ଷାଠିଏବର୍ଷର ବୁଢ଼ା ବିନିବାପାଙ୍କୁ ସମୟ ଆଜି ଅଦରକାରୀ ଭାବି ଅଳିଆଗଦାକୁ ଫିଙ୍ଗିଦେଇଛି । ତାଙ୍କର ବଳ ନାହିଁ, ବୟସ ନାହିଁ, ନାହିଁ ମଧ୍ୟ କ୍ଷୁଧା କି ତୃଷ୍ଣା । ବାର୍ଦ୍ଧକ୍ୟର ଆବର୍ଜନା ମଧ୍ୟରୁ ଶୁଭୁଛି ଆଦର୍ଶର ଗୋଟାଏ ଅର୍ଥହୀନ ସ୍ୱର, ନିଷ୍ଠୁର ଶୃଙ୍ଖଳାର ପ୍ରତାରଣାପୂର୍ଣ୍ଣ ଗାମ୍ଭୀର୍ଯ୍ୟ । ସିଗାରେଟ୍‌ ଚୋର ସୁନୁର ଯଥେଚ୍ଛାଚାରରେ ସେ ଯେପରି ବିଡ଼ମ୍ବିତ......କେବଳ ସେଥିପାଇଁ ଯେତେ କିଛି ଅଭିଯୋଗ ଓ ଅଶାନ୍ତି । କିନ୍ତୁ ବାସ୍ତବରେ ବିନିବାପାଙ୍କର ଏ ଅବସାଦ, ସୁନୁର ଉଚ୍ଛୃଙ୍ଖଳତାରୁ ନୁହେଁ । ଏହା ପଳାୟିତ ଯୌବନର ଏକ ରୁଦ୍ଧ କାକଳି, ଚୈତ୍ରରାତ୍ରିର ନିରୁତ୍ସବ ପାହାନ୍ତିର ଏକ ନୀରବ ଆତ୍ମବିଶ୍ଳେଷଣ । ଚେତନ ସ୍ତରରେ ଏହା ଯେତେ ଗୁରୁଗମ୍ଭୀର ହେଲେ ମଧ୍ୟ ଅବଚେତନ ସ୍ତରରେ ଏହା ନିତାନ୍ତ ଚଳଚଞ୍ଚଳ ଓ ଯୌନପିପାସାର ଦୁନିର୍ବାର ଶିଖାରୁ ଏହାର ଉଦ୍‌ଭବ । ‘ନବନୀତା’ ଓ ତା’ ବରର ଫେନିଳ ତାରୁଣ୍ୟ, ତଥା ସୁନୁର ଚୈତ୍ରାଭିସାର ମଧ୍ୟରେ କର୍ମକ୍ଳାନ୍ତ ଅଧ୍ୟାପକ ବିନିବାପାଙ୍କର ବର୍ତ୍ତମାନ ଜୀବନର ବିଫଳତା, ତାଙ୍କ ମନ ଭିତରୁ ବିଦ୍ରୂପ କରି ଉଠିଛି । ଯେଉଁ ମନସ୍ତାତ୍ତ୍ୱିକ ପ୍ରବୃତ୍ତିକୁ ଖୋରାକ୍‌ ଦେବା ନିମିତ୍ତ ଏ ମ୍ଳାନ ସାୟହ୍ନରେ ସେ କୁଣ୍ଠିତ ଓ ସଲଜ୍ଜ, ଅବାଧ୍ୟ ସେ ପ୍ରବୃତ୍ତିଟା ପ୍ରାଗୈତିହାସିକ ସରୀସୃପ ପରି କଡ଼ମୋଡ଼ି ତାଙ୍କର ସ୍ଥବିରତାକୁ ଉପହାସ କରିଯାଉଛି । ତେଣୁ ଯୌବନ ପ୍ରତି କେମିତି ଗୋଟାଏ ବାହାର ଦେଖା ଘୃଣାରେ ସେ ନିଜ ଭିତରର ଅସହାୟତାକୁ ଚାପିଦେବାକୁ ଚେଷ୍ଟା କରିଛନ୍ତି । ତଥାପି ସୁନୁ ଓଠର ଲିପ୍‌ଷ୍ଟିକ୍‌ ଦାଗ ଓ ତାହାର ପଞ୍ଜାବୀ ପକେଟ୍‌ରେ ଥିବା ପ୍ରେମପତ୍ରର ଇଭିନିଂ-ଇନ୍‌-ପାରିସ୍‌ର ଗନ୍ଧରେ ‘ଲିବିଡ଼ୋ’ ବା ଯୌନବୁଭୁକ୍ଷାର ଚିରନ୍ତନତାହିଁ ସ୍ୱୀକୃତ ହୋଇଛି ।

 

ବିନିବୋଉଙ୍କର ବ୍ୟସ୍ତତା ଓ ବିନିବାପାଙ୍କ ପ୍ରତି ବିମୁଖତା ଭିତରେ ଜୈବିକ ପ୍ରବୃତ୍ତିର ସେହି ରହସ୍ୟାଚ୍ଛନ୍ନ ଇତିହାସକୁହିଁ ଉଦ୍‌ଘାଟିତ କରାଯାଇଛି । ଗୋଟିଏ ପକ୍ଷରେ ବୟସର ସ୍ୱପ୍ନମଧୁର ଶଯ୍ୟାଶାୟୀ କେତୋଟି ଉଦ୍ଦାମ ଚରିତ୍ର ଓ ଅପର ପକ୍ଷରେ ଉକ୍ତ ଶଯ୍ୟାରୁ ଅପସାରିତ ବୟସ ବିଷଣ୍ଣ ଉଦାସୀନ କେତୋଟି ଚରିତ୍ର ସାହାଯ୍ୟରେ ମାନସିକ ସ୍ରୋତର ଅନ୍ତଃସଲିଳତା ବେଶ ସୂଚନାତ୍ମକ ଭାବରେ ଏ ଗଳ୍ପରେ ଚିତ୍ରଣ କରାଯାଇଅଛି । ବାସ୍ତବତା ଓ ସୂକ୍ଷ୍ମ ମନୋବୈଜ୍ଞାନିକ ଚିତ୍ରରେ ଗଳ୍ପଟିର ବିକାଶ, ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ । ଅବସରପ୍ରାପ୍ତ ଅଧ୍ୟାପକ ଚରିତ୍ରର ମାନସିକ ବିଶ୍ଳେଷଣରେ ସମୟେ ସମୟେ ଅତିନାଟକୀୟତା ପ୍ରକାଶ ପାଇଥିଲେ ମଧ୍ୟ ଏହା ବାସ୍ତବତା ବର୍ଜିତ ନୁହେଁ । କାରଣ ବାହାରର ନାଟକୀୟ ଘଟଣା ପ୍ରବାହ ସହିତ ସମତାରଖି ଅନ୍ତରର ନାଟକୀୟତା ଏଠି ସୋପାନ ପରେ ସୋପାନ ଅତିକ୍ରମ କରିଯାଇଛି । ପକ୍ଷାନ୍ତରେ ଗଳ୍ପର ଗତିଶୀଳତା ଓ ସଫଳତା ସକାଶେ ଏହା ବିଶେଷ ଭାବରେ ଦାୟୀ ।

 

କଥାକାରଙ୍କର ଚରିତ୍ରପ୍ରଧାନ ଗଳ୍ପଗୁଡ଼ିକ ମଧ୍ୟରେ ‘ଅତିଥି’ର ସ୍ଥାନ ଉଲ୍ଲେଖଯୋଗ୍ୟ । ଶ୍ୟାମଳ ଗଳ୍ପଟିର ମୁଖ୍ୟ ଚରିତ୍ର । ନିର୍ମଳା ଓ ଜଗୁ ସ୍ୱାଇଁ ଇତ୍ୟାଦିଙ୍କୁ ପାର୍ଶ୍ୱଚରିତ୍ର ଭାବରେ ଗ୍ରହଣ କରାଯାଇପାରେ । ‘‘ମରଣବାହିନୀ’’ର ନିଷ୍ଠାପର କର୍ମୀ ଶ୍ୟାମଳ ତାହାର ସୃଷ୍ଟି ଛଡ଼ା କର୍ମ ନିମନ୍ତେ ଆତ୍ମୀୟସ୍ୱଜନଙ୍କ ନିକଟରେ ଘୃଣ୍ୟ ଓ ଅବହେଳିତ । ସେ ଦେଶଦ୍ରୋହୀ, ଜ୍ଞାତିକୁଟୁମ୍ବଙ୍କର ଶତ୍ରୁ, ପରିତ୍ୟକ୍ତ ଓ ନିର୍ବାସିତ । ରାତି ଅଧରେ ସକାଳର ଶୁଖିଲା ରୁଟି ସ ବାସି ତରକାରୀ ଭଳି ପଶୁଖାଦ୍ୟ ଖାଇ ମଧ୍ୟ ସେ ନିରୁଦ୍‌ବିଗ୍ନ । ନିର୍ମଳାର ଝିଂଗାସ ବାଣୀ ଓ ଅଶ୍ରୁ ଉଦ୍‌ବେଳିତ ଅଭିମାନରେ ସେ ଦବି ଯାଇ ନାହିଁ । ବୈଷମ୍ୟର ପ୍ରାଚୀର ଭାଙ୍ଗି ସାମ୍ୟ ଓ ମୁକ୍ତି ଆଣିବାକୁ ସେ ଯେପରି ସଂକଳ୍ପବଦ୍ଧ । ତେଣୁ ସହର ଶେଷରେ କେଉଁ ନିର୍ଜନ ଦୋତାଲାରେ ଗୁପ୍ତବୈଠକ ଡାକିବାରେ ଓ ନିଜ ଘରେ ନିଜେ ଚୋର ପରି ପ୍ରବେଶ କରିବାରେ, ତାହାର ପୁରୁଷକାର ଟଳି ଯାଇ ନାହିଁ । ଚିର ଅଟଳ ଆଉ ନିରୁଦ୍‌ବିଗ୍ନ ଏ ମଣିଷଟା । ତା’ ସମାଜ ତାକୁ ଉପେକ୍ଷା କଲେ ମଧ୍ୟ ଦୂର ଗାଁର ସେ କୁଣିଆ, ନୟନପୁରର ସେ ଅତିଥି । ନୟନପୁର ଗାଁର ଛୁଆପିଲା ଓ ବୁଢ଼ା-ଦରବୁଢ଼ାଙ୍କ ପ୍ରାଣରେ ତା’ପାଇଁ ଅନନ୍ତ ଶ୍ରଦ୍ଧା ଓ ଅଫୁରନ୍ତ ଆନନ୍ଦ । ଆର ବର୍ଷ କରବର୍ଜନ ଆନ୍ଦୋଳନରେ ସେ ଏ ଗାଁକୁ ଆସିଥିଲା । ଏ ଗାଁ ମାଟିର ଅତି ଆପଣାର ପ୍ରିୟବଂଧୂ ସେ । ଗୋଟିଏ ଘରଭାଙ୍ଗି ଲକ୍ଷେ ଘର ଓ କୋତୋଟି ପ୍ରାଣରେ ଧକ୍‌କା ଦେଇ ଲକ୍ଷେ ପ୍ରାଣର ସ୍ୱାଗତ ସେ ପାଉଛି ତାହାର କର୍ମକ୍ଷେତ୍ର ଏ ଛୋଟିଆ ଗାଁ ନୟନପୁରରେ । ସଂକୀର୍ଣ୍ଣ ଘର ବାହାରେ ବିରାଟ ପୃଥିବୀର ଅସୀମ ମମତା, ତାହାର ସୃଷ୍ଟି ଛଡ଼ା ଜୀବନର ଉପହାର । ଏତିକିରେ ପରମତୃପ୍ତ ସେ ।

 

ଶ୍ୟାମଳ ଜୀବନର ଏହି ରୁକ୍ଷ ବାସ୍ତବତା, ସଂଘର୍ଷ ମଝିର ଏହି ଆତ୍ମଦର୍ଶନ, ସୁନ୍ଦରରୂପେ ଏ ଗଳ୍ପଟିରେ ପ୍ରତିଷ୍ଠାଲାଭ କରିଅଛି । ନୟନପୁରର ସରଳ ଗ୍ରାମ୍ୟଜୀବନ ଓ ନିରୀହ ଗ୍ରାମୀଣତା ମଧ୍ୟରେ ଉତ୍କଳୀୟ ପଲ୍ଲୀଜୀବନର ମର୍ମସ୍ପର୍ଶୀ ଚିତ୍ର ଫୁଟିଉଠିଛି । ସଭ୍ୟତାର ଲୌହଚିତ୍ରତଳେ ନିଷ୍ପୀଡ଼ିତ, ନିର୍ଯ୍ୟାତୀତ ଓ ଭାରବାହୀ ଏହି ପଲ୍ଲୀବାସୀମାନଙ୍କର ଶାନ୍ତ, ସ୍ନିଗ୍‌ଧ ଜୀବନର ଯେଉଁ ଆନ୍ତରିକତାରେ ଲେଖକ ମୁଗ୍‌ଧ, ତାହାର ଅପୂର୍ବ ଆବେଶ ନେଇ ଶ୍ୟାମଳ ଚରିତ୍ରର ଉତ୍ପତ୍ତି । ରୁଦ୍ଧ ଯାନ୍ତ୍ରିକତା ଓ କୃତ୍ରିମ ସାଂସାରିକ ସମ୍ବନ୍ଧରେ କ୍ଳାନ୍ତ ମଣିଷପାଇଁ ବିପୁଳା ଚ ପୃଥ୍ୱୀର ଉଦାର ସୌଜନ୍ୟ ଓ ନିରୀହ ମୁକ୍ତି ଯେ କାମ୍ୟ, ତାହା କଥାକାର ପ୍ରାଣେ ପ୍ରାଣେ ଉପଲବ୍‌ଧି କରିଛନ୍ତି । ସଂକୀର୍ଣ୍ଣତାର ବେଷ୍ଟନୀ ଭାଙ୍ଗି ବିସ୍ତୃତି ପଥରେ ଆଗେଇଯିବାକୁ ଏହା ତାଙ୍କର ନବଯୁଗର ବୈପ୍ଳବିକ ଇସାରା ।

 

ସ୍ଥୂଳତଃ ଗଳ୍ପଟିର ସଫଳତା ପାଇଁ ଶ୍ୟାମଳ ଚରିତ୍ରର ସ୍ୱାଭାବିକ ସଂଘର୍ଷ ଓ ମୌଳିକ ଦୃଷ୍ଟିଭଙ୍ଗୀ ବିଶେଷ ଭାବରେ ଦାୟୀ । ପରିବେଶ ଉପଯୋଗୀ ଭାଷା ଓ ଘଟଣା ସଂଯୋଜନାର ସଙ୍ଗତି, ଗଳ୍ପର ଅନ୍ୟ ଦୁଇଟି ଆକର୍ଷଣରୂପେ ଗ୍ରହଣୀୟ ।

 

ଆଲୋଚ୍ୟ ପୁସ୍ତକର ଶିରୋନାମାରେ ‘ମହାନଗରୀର ରାତ୍ରି’ ଗଳ୍ପର ଅବଦାନ ଅନସ୍ୱୀକାର୍ଯ୍ୟ । ମହାନଗରୀର ରାତ୍ରି ବାହାରୁ ଶ୍ଳୀଳ ଓ ଚାକଚକ୍ୟମୟ ବୋଧ ହେଉଥିଲେ ମଧ୍ୟ ତାହାର ଅନ୍ତରରେ ନାରକୀୟ ଲୀଳାର ସ୍ରୋତ ଛୁଟିଚାଲିଛି । ଏହି ସ୍ରୋତରେ ବହୁ ଜନନି ଓ ଜାୟା, ଭଗିନୀ ଓ ମାତା, ଆଖିର ପଲକମାତ୍ରେ ବାରବିଳାସିନୀରେ ପରିଣତ ହେଉଛନ୍ତି । ଯନ୍ତ୍ରପୁରୀର ଆଦିମ ଆହ୍ୱାନ, ଶିଳ୍ପୋନ୍ନତ ନଗରୀର ଅର୍ଥଖୋର ଦଲାଲି, ଏହି ସାମାଜିକ ଅପରାଧକୁ ପ୍ରଶ୍ରୟ ଦେଉଛି । ଦିବାଲୋକର ମହାନଗର ରାତ୍ରିକାଳରେ କି ମାଂସଲୁବ୍‌ଧ ! କି ବୀଭତ୍ସ ! ! ଗଣିକା ନିଶୀଥିନୀର ବିଷ-ନିଃଶ୍ୱାସରେ ସହରର ଗଳି-ଉପଗଳି ଓ ପାର୍କରେସ୍ତୋରାଁର ମଣିଷଟା ଗୋଟାଏ କୁତ୍ସିତ ରାକ୍ଷସରେ ପରିଣତ ହେଉଛି । ନାରୀର ଦେହ ଓ ପୁରୁଷର ଉଦ୍ଦାମ ପାଶବିକ ଲାଳସାକୁ ନେଇ ଛୁଟିଛି ବ୍ୟବସାୟର ହିସାବନିକାଶ । ସେଥିପାଇଁ ବିଜ୍ଞାପନ, ବକ୍‌ସିସ ଓ ପର୍‌ସେଣ୍ଟେଜ୍‌ ପ୍ରଭୃତିର ସୌଦାଗରୀ କଳ୍ପନା । ଉକ୍ତ ପରଂପରାର ତିରୋଧାନ ପାଇଁ ଗଳ୍ପଟିରେ ଲେଖକଙ୍କର ଦୃଷ୍ଟିଭଙ୍ଗୀ ସଂସ୍କାର ପ୍ରୟାସୀ । ହେଲେହେଁ ଶୁଷ୍କ ଆଦର୍ଶ ଅପେକ୍ଷା ସରସ ଓ ରୋମାଣ୍ଟିକ୍‌ ପରିବେଶରେ ସେ ଏହା ସାଧନ କରିବାକୁ ଚେଷ୍ଟିତ । ନିଜେ ତେଣୁ ଚନ୍ଦ୍ରା ଓ ମିନୁ ମିନୁ ସହିତ ଚରିତ୍ରରୂପେ ଗଳ୍ପ ମଧ୍ୟରେ ଦଣ୍ଡାୟମାନ । ସେମାନଙ୍କର କ୍ରିୟାକଳାପ ମାଧ୍ୟମରେ କଥାବସ୍ତୁ ଓ ଚରିତ୍ରଗତ ଅଭିବୃଦ୍ଧି ସାଧନାରେ ସ୍ୱଚ୍ଛନ୍ଦତା ରକ୍ଷା କରାଯାଇପାରିଛି । ଗଳ୍ପ ପ୍ରାରମ୍ଭରେ କେତେକାଂଶରେ ଲେଖକଙ୍କର ଆଦର୍ଶ ଓ ଉଦ୍ଦେଶ୍ୟର ନଗ୍ନ ପ୍ରକାଶ ଯୋଗୁଁ ବିଷୟବସ୍ତୁର ଗତିଶୀଳତା ବ୍ୟାହତ ହୋଇଛି ଏବଂ ଏ ସ୍ଥଳରେ ପାଠକପାଠିକା କଥା ପ୍ରବାହରେ ଭାସି ନ ଯାଇ କଥାକାରଙ୍କର ବକ୍ତବ୍ୟ ଶୁଣିବାକୁ ବାଧ୍ୟ ହୁଅନ୍ତି ।

 

‘ମହାନଗରୀର ରାତ୍ରି’ ଏହି ତ୍ରୁଟିଟିକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଦିଗ ଅତ୍ୟନ୍ତ ଉପଭୋଗ୍ୟ । ଗଳ୍ପର ଆଦ୍ୟ ଓ ପ୍ରାନ୍ତରେ ‘‘ଗଙ୍ଗା ଜେଟୀରେ ଷ୍ଟିମର୍‌ର ଅଶାନ୍ତ ଚିତ୍କାର’’ ବିଶେଷ ଇଙ୍ଗିତପୂର୍ଣ୍ଣ ବା ଆଭାସିକ । ଆଧୁନିକ ବଣିକସଭ୍ୟତା ପ୍ରତି ବୁଦ୍ଧିଜୀବୀ ମହଲରେ ଯେଉଁ ଅନାସ୍ଥା ଏବଂ ଶାଣିତ ଦୃଷ୍ଟି ପ୍ରକାଶ ପାଇଥାଏ, ତାହା ସୁରେନ୍ଦ୍ରଙ୍କ ଲେଖନୀମୁନରେ ଅଧିକ ପ୍ରାଣବନ୍ତ ଓ ପ୍ରଭାବଶାଳୀ ହୋଇପାରିଛି । ସମାଜର ଗଳିକନ୍ଦିରେ ସଢ଼ି ଯାଉଥିବା ହତଭଗିନୀମାନଙ୍କ ପାଇଁ ଲେଖକ-ହୃଦୟର ସଦିଚ୍ଛା ଓ ବାତ୍ସଲ୍ୟ ଯଥାକ୍ରମେ ଚନ୍ଦ୍ରା ଓ ମିନୁ ମାଧ୍ୟମରେ ପରିସ୍ଫୁଟ ହୋଇଛି । ଏହା ବ୍ୟତୀତ ବିଚାରଧୀନ ଗଳ୍ପରେ ତାଙ୍କର ରୁଚିଜ୍ଞାନ ଓ ମାତ୍ରାବୋଧ ଅତ୍ୟନ୍ତ ଉଚ୍ଚକୋଟିର । ନାଗରିକ ଜୀବନର ନିବିଡ଼ ଅନୁଭୂତି ଓ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଗଳ୍ପଟିର ସ୍ତରେ ସ୍ତରେ ପ୍ରତିଫଳିତ ।

 

‘ବଳିଦାନ’ କଥାକାରଙ୍କର ଚେତନଚିନ୍ତା ବା ସଜ୍ଞାନ କଳା (Conscious art)ର ଏକ ମୂର୍ତ୍ତି ପ୍ରତୀକ । ସମସାମୟିକତାର ଏହା ଏକ ଶକ୍ତିଶାଳୀ ଇତିହାସ । ତେଣୁ ବିଂଶ ଶତାବ୍ଦୀର ସନ୍ଦେହ ଓ ସଙ୍କଟ ପ୍ରଳାପ ଓ ପ୍ରତାରଣାର ବୁକୁଫଟା ଚିତ୍କାର, ଏଥିରେ ସଫଳତା ସହିତ ଚିତ୍ରିତ । ଷଢ଼ୈକଳା ଓ ଖରସୁଆଁକୁ ଓଡ଼ିଶାରୁ ବିଚ୍ଛିନ୍ନ କରିବା ସକାଶେ ରାଜନୈତିକ ଫିସାଦିର ଯେଉଁ ଅନ୍ଧବତାସ, ଶାଳବଣର ସମୁଦ୍ରରେ କମ୍ପନ ଆଣି କେତେ କେଜାଣି ବିନୋଦିଆ ଓ ମହୁଆର ପ୍ରେମସ୍ୱପ୍ନକୁ ଧୂଳିସାତ୍‌ କରି ଦେଇଥିଲା, ସେହି ନିଷ୍ଠୁର ସତ୍ୟ ଉପରେ କାହାଣୀଟି ପର୍ଯ୍ୟବସିତ । ଏ ସତ୍ୟକଥନ ମଧ୍ୟରେ ନିପଟ କଳ୍ପନା ଓ ବାସ୍ତବତା ବିରହିତ ସ୍ୱପ୍ନ ଥାଇପାରେ । ତଥାପି ଲେଖକଙ୍କର ଚମତ୍କାର ନିର୍ବାଚନ ପଦ୍ଧତି, ଅନାବଶ୍ୟକର ପରିହାର କୌଶଳ, ଉଦ୍‌ଭାବନ ତଥା ଅଭିଜ୍ଞତା ସାହାଯ୍ୟରେ ମଧୁର ମିଥ୍ୟା ମଧ୍ୟ ସତ୍ୟ ଓ ବାସ୍ତବ ପରି ପ୍ରତିଭାତ ହୋଇପାରିଛି । ତେଣୁ ସେ Katherine Mansfield ଙ୍କ ଉକ୍ତିରେ * ମିଥ୍ୟାବାଦୀର ଚାତୁରୀରେ ସତ୍ୟର ଚିତ୍ର ଉଦ୍‌ଘାଟନ କରିଛନ୍ତି । ତାଙ୍କର ଲେଖନୀସ୍ପର୍ଶରେ ଷଢ଼ୈକଳା ସାନ୍ତାଳପଲ୍ଲୀ, ତାହାର ନିରୀହ ଆରଣ୍ୟକ ଓ ଆଦିମ ଜୀବନର ନୃତ୍ୟଚପଳ ପ୍ରାକୃତିକତା, ଯେପରି ଶାନ୍ତ ଓ ଧୀର; ବିହାର କେଶରୀର ଅଭିସନ୍ଧିପୂର୍ଣ୍ଣ ନିର୍ଦ୍ଦେଶରେ ସେହି ଶାନ୍ତି ଆଦିମତା ‘‘ଲଢ଼୍‌କେ ଲେଙ୍ଗେ ଝାଡ଼ଖଣ୍ଡ, ମାରକେ ଲେଙ୍ଗେ ଝାଡ଼ଖଣ୍ଡ’’ ଧ୍ୱନିରେ ସେହିପରି ଅଶାନ୍ତ ଓ ଅସ୍ଥିର । ସରଳ ପ୍ରାଣରେ ହିଂସ୍ରତାର ବୀଜ ବୁଣି ନେତା, ନେତୃତ୍ୱ ଓ ଦେଶପ୍ରେମ ନାଁରେ ଯେଉଁ ନରମେଧର ସୂତ୍ରପାତ ଚାଲିଛି, ତାହା ଇତିହାସପୃଷ୍ଠାରେ ଏକାନ୍ତ ନୂତନ ନ ହେଲେ ମଧ୍ୟ ବିଂଶ ଶତାବ୍ଦୀର କଳଙ୍କିତ ଅଧ୍ୟାୟକୁ ଏହା ଅଧିକ କଳଙ୍କିତ କରୁଛି । ନବଯୁଗର ଏହି ଅଦ୍ଭୁତ ନରବଳିର ଲେଖକ ପ୍ରାଣରେ ଗଭୀର ଉତ୍କଣ୍ଠା ଫୁଟିଉଠିଛି । ଏ ଉତ୍କଣ୍ଠାର ରୂପ କେତେକ କ୍ଷେତ୍ରରେ ବ୍ୟଙ୍ଗ ମିଶ୍ରିତ ହେଲେ ମଧ୍ୟ ଅଧିକାଂଶ ସ୍ଥଳରେ ଏହା କାରୁଣ୍ୟରଞ୍ଜିତ ଓ ଶାନ୍ତଶୀତଳ । ପରମ୍ପରା ବିଦ୍ରୋହୀର ଆଗ୍ନେୟ ଆହ୍ୱାନ ଅପେକ୍ଷା ଋଷିକଣ୍ଠର ଉଦାତ୍ତ ଲହରୀ ଏ ଗଳ୍ପରେ ବିଶେଷ ଆକର୍ଷଣୀୟ । ତୁଚ୍ଛ ଆଧୁନିକତା ମଧ୍ୟକୁ ଅନ୍ତର୍ଦୃଷ୍ଟି ନିକ୍ଷେପ କରି ତାହାର ନୈତିକବ୍ୟାଧି ଦୂର କରିବା ଲାଗି ମାନବବାଦକୁ ଲେଖକ ଶ୍ରେଷ୍ଠପନ୍ଥା ନିର୍ଦ୍ଧାରଣ କରିଛନ୍ତି । ଏ ସମସ୍ତ ଦୃଷ୍ଟିରୁ ଗଳ୍ପଟି ସ୍ୱତନ୍ତ୍ର ସୌନ୍ଦର୍ଯ୍ୟର ଅଧିକାରୀ ।

 

ସାମନ୍ତବାଦର ସମାଧି ଉପରେ ‘ଧ୍ୱଂସାବଶେଷ’ ଗଳ୍ପଟି ଆଧାରିତ । କମ୍ପାନୀ ବାହାଦୂରଙ୍କ ବାହୁଛାୟାତଳେ ପାଳିତ ନଟରାଜ ଚୌଧୁରୀଙ୍କ ଐଶ୍ୱର୍ଯ୍ୟ ଉପରେ ପୁତ୍ର ବିଶ୍ୱପତିଙ୍କ ବେଳକୁ ଦୁର୍ଦ୍ଦିନର ଶିଉଳି ଲାଗି ଆସୁଥାଏ । ବଂଶପରମ୍ପରା କ୍ରମେ ସ୍ୱର୍ଣ୍ଣଯୁଗର ଶେଷରଶ୍ମି ସ୍ତିମିତ ହୋଇ ଆସେ ଓ ସ୍ତିମିତ ରଶ୍ମିର ନଷ୍ଟ ପ୍ରଭାବରେ ଜନ୍ମ ନିଅନ୍ତି ବିଶ୍ୱପତିଙ୍କ ପୁତ୍ର ଉମାପତି, ଉମାପତିଙ୍କ ପୁତ୍ର ନୀଳମଣି ଓ ନୀଳମଣିଙ୍କ ପରେ ତାଙ୍କ ପୁତ୍ର ରାଜେନ୍ଦ୍ର । ଏମାନଙ୍କ ମଧ୍ୟରୁ ନୀଳମଣି ଅତିମାତ୍ରାରେ ବିଷୟବାଦୀ; ଅନ୍ୟମାନେ ପ୍ରାୟ ସ୍ୱପ୍ନଜୀବୀ, ପଦ୍ମଭୁକ୍‌ ଓ ବିଳାସୀଶ୍ରେଣୀୟ-। ମେଘନାଦ ପାଚିରୀଘେରା ଉଆସ ଭିତରେ ଦୁର୍ଦ୍ଦିନର ଜମାଟବନ୍ଧା ଅନ୍ଧକାର, ରାଜେନ୍ଦ୍ରଙ୍କ ବେଳକୁ ବହଳ ହୋଇ ଆସେ । ସ୍ୱପ୍ନସଞ୍ଚାରୀର ପଳାତକ ମନୋବୃତ୍ତି ଓ ବାସ୍ତବତାର ରୁକ୍ଷ ଆବେଷ୍ଟନୀ ମଧ୍ୟରେ ଏହିଠାରୁ ରାଜେନ୍ଦ୍ର ଓ ଲୀଳା ଚରିତ୍ର ଜରିଆରେ ସଂଘର୍ଷ ଆରମ୍ଭ ହୋଇଯାଏ । ଚୌଧୁରୀବଂଶରେ ଏ ସଂଘର୍ଷ ନୂତନ ନ ହେଲେ ମଧ୍ୟ ରାଜେନ୍ଦ୍ର ଓ ଲୀଳାଙ୍କର ଭିନ୍ନ ଦୃଷ୍ଟିକୋଣ ଓ ରୁଚିସ୍ୱାତନ୍ତ୍ର୍ୟ ନେଇ ଏହା ଭିନ୍ନ ଆକାର ଧାରଣ କରେ । ତେଣୁ ଏକଦା ଏ ବଂଶର ବଧୂ କମଳମଣିଙ୍କ ଦୃପ୍ତ ଅସନ୍ତୋଷ, ଲୀଳାର ମୌନ ଅଭିଯୋଗରେ ରୂପାନ୍ତରିତ ହୁଏ ଏବଂ ଉମାପତିଙ୍କର ଭୀରୁ ପଳାୟନ ପନ୍ଥା ରାଜେନ୍ଦ୍ରଙ୍କର ସହିଷ୍ଣୁ ସ୍ୱପ୍ନସଞ୍ଚାରର ରୂପ ନିଏ । ଦୁଇଟି ବିପରୀତମୁଖୀ ମତବାଦର ଏ ସଂଗ୍ରାମରେ ଚୌଧୁରୀବଂଶର ଆସନ୍ନ ଧ୍ୱଂସର ଚିତ୍ର ଅବଶ୍ୟମ୍ଭାବୀ ହୋଇ ଉଠେ । ଉକ୍ତ ସଂକଟରେ ଲୀଳାର ନିଛକ୍‌ ନାରୀତ୍ୱ ଓ ରାଜେନ୍ଦ୍ରଙ୍କର ଦୈନ୍ୟଦର୍ଶନ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ‘ଦାରିଦ୍ର୍ୟ ଅପରାଧ ନୁହେଁ’–ରାଜେନ୍ଦ୍ରଙ୍କର ଏ ଉକ୍ତି ଭିତରେ ରାଜେନ୍ଦ୍ର ଚରିତ୍ରର ମୌଳିକତା ନିହିତ ଥାଇପାରେ । ପକ୍ଷାନ୍ତରେ ଏହା ତାଙ୍କର ପରାହତ ପୌରୁଷର ଏକ ମୌନସ୍ୱୀକୃତି ଏବଂ ପତ୍ନୀ ଲୀଳାର ଅବଶୋଷୀ ମନ ପାଇଁ ନିଷ୍ଠୁର ନିର୍ଯ୍ୟାତନାର ପ୍ରତୀକ ହୋଇଥିବାରୁ ଏଥରେ ଆନନ୍ଦ ଅପେକ୍ଷା ଗ୍ଳାନିର ମାତ୍ରା ଅଧିକ । ନୈରାଶ୍ୟର ଏ ପାହାଡ଼ ତଳୁ କୁବେରପୁରୀର ଏ ଆର୍ତ୍ତନାଦ, ବୁର୍ଜୋୟାର ଏ କରୁଣ ପ୍ରାୟଶ୍ଚିତ୍ତ, ଲେଖକଙ୍କ ମନରେ ଆତ୍ମସନ୍ତୋଷ ଆଣି ନାହିଁ । ଯୁଗସୁଲଭ ପ୍ରତିକ୍ରିୟାରେ ସାମନ୍ତଶ୍ରେଣୀର ଧ୍ୱଂସକୁ ସେ ନିଷ୍କରୁଣ ଦୃଷ୍ଟିରେ ଦେଖିପାରି ନାହାନ୍ତି । ମନୁଷ୍ୟପାଇଁ ମନୁଷ୍ୟ ମନର ସମ୍ବେଦନା ଓ ସହାନୁଭୁତି ସେ ଅକୁଣ୍ଠିତ ଭାବରେ ଚରିତ୍ର ନିର୍ବିଶେଷରେ ସମସ୍ତଙ୍କ ଲାଗି ଝରାଇ ଦେଇଛନ୍ତି । ସୁତରାଂ ଲୀଳା ଓ ରାଜେନ୍ଦ୍ର ଚରିତ୍ରର ବିକାଶ ପଥରେ ଲେଖକଙ୍କର ମମତାସ୍ନିଗ୍‌ଧ କୋମଳତା ଲକ୍ଷ୍ୟ କରିବାର ବିଷୟ ।

 

*–“to tell the truth, as only liar can tell it” P. 79 (An Assessment of Twentieth Century Literature.)

 

ରାଜପୁରୀର ଅତୀତ-ବର୍ତ୍ତମାନ ବର୍ଣ୍ଣନାରେ ରାଜକୀୟ ପରିବେଶରେ ନିଖୁଣ ଆଲେଖ୍ୟ ଦେବା ପାଇଁ ଲେଖକ ଭାବପ୍ରବଣ ଏବଂ ସ୍ୱପ୍ନାଚ୍ଛନ୍ନ ହେବା ସ୍ୱାଭାବିକ । ସମ୍ଭ୍ରାନ୍ତ ପରିସରରେ ଲେଖକଙ୍କର ଏ ଭାବାବେଗ, ବାସ୍ତବତା ସମ୍ପାଦନରେ ଅପୂର୍ବ ସଫଳତାର ଅଧିକାରୀ ହୋଇଛି । ବିଭବର ନଷ୍ଟ ଶ୍ମଶାନକୁ ବାରମ୍ବାର ଦୃଷ୍ଟିପଥକୁ ଆଣି ତାହାରି ପୃଷ୍ଠଭୂମିରେ ସେ ତାଙ୍କର ଚରିତ୍ରମାନଙ୍କର, ବିଶେଷ କରି ଲୀଳା ଓ ରାଜେନ୍ଦ୍ରଙ୍କର ଅନ୍ତସ୍ଥଳର ପ୍ରତିଟି କମ୍ପନ ବିଷୟରେ ପାଠକପାଠିକାଙ୍କୁ ଅବଗତ କରାଇବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି । ସେ ହେତୁ ଗଳ୍ପର ଆରମ୍ଭରେ ଦେଖାଦେଇଥିବା ଜୀବନୀ ବା ପ୍ରବନ୍ଧସୁଲଭ ବର୍ଣ୍ଣନାଶୈଳୀ, ଗଳ୍ପର ପ୍ରାଣଶକ୍ତିରେ କୌଣସି ବାଧାବନ୍ଧନ ଆଣିବାକୁ ସମର୍ଥ ହୋଇପାରିନି । ‘ମହାନଗରୀର ରାତ୍ରି’ ପୁସ୍ତକର ଅପେକ୍ଷାକୃତ ଦୀର୍ଘ ଏ ଗଳ୍ପଟି କୌଣସି ଦିଗରୁ କ୍ଳାନ୍ତିକର ନୁହେଁ । ପରିବେଶ ଓ ପରିଣତି, ସ୍ୱାଭାବିକତା ଓ ସୌନ୍ଦର୍ଯ୍ୟବୋଧର ମହିମାରେ ଗଳ୍ପଟି ଦୀପାନ୍ୱିତ ଓ ପ୍ରୋଜ୍ଜ୍ୱଳ । କଥାକାରଙ୍କର ଆଦ୍ୟପର୍ଯ୍ୟାୟର ସୃଷ୍ଟି ହୋଇଥିଲେହେଁ, ଏହା ତାଙ୍କର ପରିପକ୍ୱ ଚିନ୍ତା ଓ ଅପୂର୍ବ ସାଧନାର ପରିଚାୟକ ।

 

ସୁରେନ୍ଦ୍ରଙ୍କର ‘କୃଷ୍ଣଚୂଡ଼ା’ର ସମସ୍ତ ଗଳ୍ପରେ ଭିତରର କମ୍ପନ ଓ ସ୍ପନ୍ଦନକୁ ପ୍ରାଧାନ୍ୟ ଦିଆଯାଇଛି । ପୂର୍ବସୂଚିତ ‘‘ଅତିଥି’’ ଗଳ୍ପରେ ତାଙ୍କର ବ୍ୟକ୍ତିଜୀବନର କ୍ଷୀଣସ୍ମୃତି ଲାଖିରହିଲା ପରି ‘‘କୃଷ୍ଣଚୂଡ଼ା’’ ଓ ‘‘କାଳିମାଟି’’ ପ୍ରଭୃତିରେ ସ୍ରଷ୍ଟାର ନିହାତି ଆପଣାର ଓ ନିହାତି ବ୍ୟକ୍ତିଗତ ଆବେଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଦଣ୍ଡାୟମାନ ।

 

‘ଜୋଲା’ଙ୍କ ପରି ଲେଖକଗଣ ବିଜ୍ଞାନକୁ ଭବିଷ୍ୟତ ପୃଥିବୀର ଏକାନ୍ତ ଆଶାଭରସା ବୋଲି ଧରିନେଇ ଯେ କୌଣସି ସାମାଜିକ ପ୍ରବୃତ୍ତିକୁ ବୈଷୟିକ ବ୍ୟାଖ୍ୟା ଦେଇଥିବା ସ୍ଥଳେ, ସୁରେନ୍ଦ୍ରଙ୍କ ଦୃଷ୍ଟିରେ ଜଡ଼ବାଦୀ ବିଜ୍ଞାନ ଏକ ସାମାଜିକ ଅଭିଶାପରୂପେ ବିବେଚିତ । କାରଣ ଏହା ମନୁଷ୍ୟକୁ ମୁକ୍ତ, ସ୍ୱାଧୀନ ଅଥବା ଉନ୍ନତ କରିପାରି ନାହିଁ । ବରଂ ସ୍ରଷ୍ଟା, ସୃଷ୍ଟିର କ୍ରୀତଦାସ ହୋଇଛି-। ତାହାର ଚାରିପଟେ ବେଢ଼ିଯାଇଛି ଅସମତା ଓ ଯାନ୍ତ୍ରିକ ଶୃଙ୍ଖଳାର ଲୌହପ୍ରାଚୀର । ଏ ଶୃଙ୍ଖଳା ଭାଙ୍ଗିବାକୁ ହେବ । ଏ ଶୋଷଣର ପାଷାଣ ଚାପାତଳୁ ଜଗୁ ଓଝା ଭଳି ଶହୀଦମାନଙ୍କୁ ଉଦ୍ଧାର କରିବାକୁ ପଡ଼ିବ । ସେଥିପାଇଁ ଆବଶ୍ୟକ ନୂତନ ବିଜ୍ଞାନ, ନୂତନ ପୃଥିବୀର ନୀରବ ଭାଷା–‘ଟିସ୍‌କୋ’ର ପ୍ରହସନରେ ଏହା ସମ୍ଭବ ନୁହେଁ ।

 

କାଳିମାଟିର ଅନାମଧେୟ କୁଲି ଜଗୁ ଓଝାର ଅସହାୟ ମୃତ୍ୟୁକୁ ଉପଜୀବୀ କରି ‘କାଳିମାଟି’ ଗଳ୍ପଟି ଲିଖିତ ହୋଇଥିଲେ ମଧ୍ୟ ଏଥିରେ ମାନବତାର ମୁକ୍ତି ପାଇଁ ନିର୍ଭୀକସ୍ୱର ଉତ୍ତୋଳିତ ହୋଇଅଛି । ବ୍ୟକ୍ତି ପାଇଁ ଶ୍ରଦ୍ଧା ଓ ସମପ୍ରାଣତା ଭିତରୁ ଜନ୍ମ ନେଇଛି ବିପୁଳ ଜନତାର ରୁଦ୍ଧ ମାନବିକତା ପାଇଁ ଆର୍ତ୍ତଚିତ୍କାର । ଆଗାମୀ ଯୁଗ ସକାଶେ ଏହା ଏକ ପ୍ରଶ୍ନବାଚୀ...ମନୁଷ୍ୟକୃତ ସଂକଟ ଦୂର କରିବା ନିମନ୍ତେ ଏହା ଯୁଗ-ବିପ୍ଳବର ଗୋଟିଏ ଅନିର୍ବାଣ ଅଗ୍ନିଝଲକ ।

 

ବିଚାରାଧୀନ ଗଳ୍ପକୁ ବାସ୍ତବ ଓ ସାମ୍ୟବାଦ-ନୀତିରେ ପରିପୃଷ୍ଟ କରିବାକୁ ମାର୍କସ୍‌ ବା ଲେନିନ୍‌ଙ୍କର ଚିନ୍ତାଧାରାର ସହାୟତା ସହଜରେ ଅନୁମେୟ । କଥାବସ୍ତୁର ବିକାଶରେ ଲେଖକଙ୍କ ବାର୍ତ୍ତା, ମୁଖ୍ୟସ୍ଥାନ ଅଧିକାର କରିଥିବାରୁ ଗାଳ୍ପିକ ସ୍ୱଚ୍ଛନ୍ଦତା ରକ୍ଷିତ ହୋଇପାରି ନାହିଁ । କାରଣ ଗଳ୍ପର ଆଦ୍ୟ, ପ୍ରାନ୍ତ ଓ ଉପାନ୍ତରେ ପାଠକ, କଥାକାରଙ୍କର ତୀବ୍ର ବେଦନାବୋଧ ଜନିତ ବକ୍ତବ୍ୟ ଶୁଣିବାକୁ ବାଧ୍ୟ । ଜଗୁ ଓଝାର ଜୀବନଚରିତ୍ରରେ ନୂତନତା ଓ ଉଦ୍‌ଭାବନ ବୋଲି କିଛି ନାହିଁ । ଗୋଦାବରୀଶଙ୍କର ପତ୍ରସଭ୍ୟତାପେକ୍ଷିତ ମାଗୁଣିର ଚିତ୍ର ତୁଳନାରେ ଏହା ନିତାନ୍ତ ନିଷ୍‌ପ୍ରଭ ଓ ମୌଳିକତାବିହୀନ । ଲେଖକଙ୍କର ହୃଦୟାବେଗରେ ଗଠିତ ହୋଇଥିବାରୁ ‘ଜଗୁ’ ଚରିତ୍ରରେ ବୈଚିତ୍ର୍ୟ ବା ସୌନ୍ଦର୍ଯ୍ୟର ସ୍ପର୍ଶ ନାହିଁ କହିଲେ ଚଳେ । ଜୀବନୀମୂଳକ ସରଳତା, ତାହାର ଇତିବୃତ୍ତ ଉଦ୍‌ଘାଟନ କରିଛି । ବର୍ଣ୍ଣନାପ୍ରାବଲ୍ୟ ଗଳ୍ପଟିର ଅନ୍ୟତମ ଦୋଷ ।

 

‘ପତାକା ଉତ୍ତୋଳନ’ ଭାରତୀୟ ସ୍ୱାଧୀନତା ଉତ୍ସବର ପ୍ରଥମ ଦିନର ସ୍ମୃତି ଉପରେ ଉତ୍କୀର୍ଣ୍ଣ । ମୁକ୍ତ ଭାରତର ପ୍ରିୟ ତ୍ରିରଙ୍ଗା, ଅକ୍ଷୟ ଇତିହାସର ସ୍ମାରକୀ । ସେହି ଇତିହାସର ଏକ ରକ୍ତ ଅଶ୍ରୁଲେଖା କାହାଣୀ ‘ପତାକା ଉତ୍ତୋଳନ’ରେ ଲିପିବଦ୍ଧ । ମହାମହିମ ବ୍ରିଟିଶ୍‌ ସରକାରଙ୍କ ପ୍ରତି ଅନୁରକ୍ତ ‘ରାୟ ବାହାଦୂର’ଙ୍କ ଭଳି ବହୁ ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ, ଏହି ମୁହୂର୍ତ୍ତରେ ତାଙ୍କର ହିଂସ୍ର ଓ ରକ୍ତମୁଖୀ ଅତୀତ ପାଇଁ ଯେଉଁ ଉତ୍କଟ ମାନସିକ ସଂଘର୍ଷରେ କ୍ଷିପ୍ତ ହୋଇ ଉଠିଥିବେ, ତାହାର ଏକ ସଜଳ ସ୍ୱାକ୍ଷର, ଗଳ୍ପଟିର ନାଟକୀୟ ପରିବେଶ ପାଇଁ ଦାୟୀ । ସ୍ୱାଧୀନତା ଉତ୍ସବର ନିଶୀଥ ଝଙ୍କାରରେ ବୃଦ୍ଧ ରାୟ ବାହାଦୂରଙ୍କର ପ୍ରତି ଅସ୍ଥିଖଣ୍ଡ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଉଛି । ଭେଲ୍‌ଭେଟ୍‌ ବାକ୍‌ସରେ ସୁରକ୍ଷିତ ‘ଅରୁ’ର ଫଟୋଗ୍ରାଫ୍‌ ତାଙ୍କୁ ସତେ ଯେପରି ବିଦ୍ରୂପ କରିଯାଉଛି । ପୁତ୍ର ଅରୁଣ ତାଙ୍କରି ନିଜ ହାତର ଗୁଳିରେ ପ୍ରାଣ ଦେଇଥିଲା । ତା’ପରଦିନ ସେ ହୋଇଥିଲେ ଇନ୍‌ସପେକ୍ଟର । ଗତ ପଚିଶବର୍ଷ ଭିତରେ ସେ ନିଜକୁ ନିଜେ ସାନ୍ତ୍ୱନା ଦେଇ ଆସିଛନ୍ତି–‘‘ଏ ପୁତ୍ରହତ୍ୟା କର୍ତ୍ତବ୍ୟର ସାଧନ; ଏହା ନିର୍ମମ ହୋଇପାରେ, ମାତ୍ର ଅନ୍ୟାୟ ନୁହେଁ ।’’ ପୁତ୍ରହତ୍ୟାର ପିତା-ଅନ୍ତରର ସ୍ୱାଭାବିକ ଦୁର୍ବଳତା, ଯୁକ୍ତିବାଦୀ ମନର ଏ ଅସାର ସିଦ୍ଧାନ୍ତରେ ପ୍ରଶମିତ ହୋଇପାରି ନାହିଁ । ଭାରତୀୟ ଜନତାର ଚିରଇପ୍‌ସିତ ମଙ୍ଗଳ ଲଗ୍ନର ଶଙ୍ଖ, ମହୁରୀ ଓ ଘଣ୍ଟ, ହୁଳହୁଳି ଧ୍ୱନିରେ ତାଙ୍କର ବ୍ୟର୍ଥ ପୌରୁଷର ସଂଖ୍ୟାହୀନ ପରାଜୟର କାହାଣୀ ସ୍ପଷ୍ଟ ହୋଇ ଉଠିଛି-। ପତ୍ନୀ ହେମମାଳିନୀ ଓ ନାତି ବିଜୟର ଦୃପ୍ତ ପତାକା ଉତ୍ସବରେ ସେ ନିଜକୁ ନିତାନ୍ତ ଏକାକୀ ଓ ଅପାଙ୍‌କ୍ତେୟ ମନେ କରୁଛନ୍ତି । ତେଣୁ ସେମାନଙ୍କର ବିରୋଧ ସତ୍ୱେ ସିଲ୍‌କର ୟୁନିଅନ୍‌ ଜାକ୍‌ଟି ଉଡ଼ାଇ ସେ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି ତାଙ୍କର ପରାହତ ବ୍ୟକ୍ତିତ୍ୱର ମାନସିକ ଦଂଶନ ।

 

ରାୟ ବାହାଦୂର ଚରିତ୍ରର ଏହି ମାନସିକ ଟଣାଓଟରାର ଚିତ୍ର ଅତ୍ୟନ୍ତ ହୃଦ୍ୟ । ଚେତନ ଓ ଅବଚେତନର ବିଭିନ୍ନ ସ୍ତରରେ ଏହାର ତରଙ୍ଗ ଖେଳିଯାଇଛି । ଚେତନାର ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ପ୍ରସାରିତ ହେବା ସମୟରେ ଏ ତରଙ୍ଗର ଗତି ଅତ୍ୟନ୍ତ ବିଚିତ୍ର । ତାଙ୍କର ବାହ୍ୟ କୋପ, ହିଂସ୍ରତା , ଅସ୍ଥିରତା ଓ ସଂକଳ୍ପବଦ୍ଧତା ଭିତରେ ଅବଚେତନର ସେହି ଗୋଟିଏ ପ୍ରାସ (ପିତୃସୁଲଭ ଦୁର୍ବଳତା) ଅବିମିଶ୍ର ଭାବରେ ଦେଖାଦେଉଛି । ସୁତରାଂ ଏ ମାନସିକ ଅସହାୟତାରୁ ରକ୍ଷା ନାହିଁ । ଅପରାଧୀର ନ୍ୟୂନବୋଧରେ ଛଟପଟ ହୋଇ ସେ ଖୋଜିଛନ୍ତି ଆହୁରି ନୂତନ ଅପରାଧରେ ତାଙ୍କର ଅତୀତଟାକୁ ଢାଙ୍କିଦେବା ପାଇଁ । ତାହା ସମ୍ଭବ ହୋଇପାରି ନାହିଁ । ବିଜୟର ସ୍ପର୍ଦ୍ଧିତ ଉତ୍ତର..... ‘‘ଏ ଦେଶ ଆମର । ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ଏଠି ।’’ ବା ହେମମାଳିନୀଙ୍କର ରୁଦ୍ଧ ବେଦନାସିକ୍ତ ଚିତ୍କାର, ‘‘ମୋତେ ଛୁଅଁନା, ଛୁଅଁନା ତମେ–ମୋ ଅରୁ ଆଜି ଫେରିଆସିଛି ମୋ କୋଳକୁ’’ ତାଙ୍କୁ ଅଧିକ ପାଗଳ କରିଦେଇଛି । ସମାଜ ଦୃଷ୍ଟିରେ ହେୟ, ପରିବାର ଦୃଷ୍ଟିରେ ଘୃଣ୍ୟ ରାୟ ବାହାଦୂର, ତାଙ୍କର ଅବଚେତନର ଘାଉଲାପାଇଁ ସାମାନ୍ୟ ଟିକିଏ ସହାନୁଭୂତି ମଧ୍ୟ ପାଇନାହାନ୍ତି କେଉଁଠାରୁ । ତେଣୁ ହିଂସ୍ର ଓ ଉତ୍‌କ୍ଷିପ୍ତ ଭାବରେ ସେ ମରଣାନ୍ତକ ଯନ୍ତ୍ରଣା ଅନୁଭବ କରିଛନ୍ତି । ବିଜୟର ଠେଲାରେ ସମସ୍ତ ଯନ୍ତ୍ରଣାରୁ ନିଷ୍କୃତି ମିଳିଛି । ଜୀବନର ପ୍ରତି ପଦକ୍ଷେପରେ ଭାଷାହୀନ ମୃତ୍ୟୁ ବରିବା ଅପେକ୍ଷା ସହସ୍ର ଗୁଣରେ ଶ୍ରେୟସ୍କର ଏ ଆସନ୍ନ ମୃତ୍ୟୁ । ଏହି ଆଶାରେ ମୁମୂର୍ଷୁ ଅବସ୍ଥାରେ ସେ ଶାନ୍ତି ପାଇଛନ୍ତି । ତାଙ୍କର କ୍ଷୀଣକଣ୍ଠରୁ ଝରିପଡ଼ିଛି......‘‘ତୋତେ ଆର୍ଶୀର୍ବାଦ କରୁଛି ବିଜୁ ! ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର । X X X ତୋର ପତାକାର ଜୟ ହେଉ !’’

 

ସ୍ଥୂଳତଃ ‘ଚେତନାବାଦୀ’ (Stream of consciousness) ପରମ୍ପରାରେ ରାୟ ବାହାଦୂରଙ୍କର ଚାରିତ୍ରିକ ଦ୍ୱନ୍ଦ୍ୱର ସଫଳ ସଂସ୍ଥାନ ଘଟିଥିଲେ ମଧ୍ୟ ଗଳ୍ପର ପରିଣତିରେ ‘ସେନାପତି ଯୁଗ’ ଅଥବା ଭିକ୍ଟୋରିଆ ଯୁଗର ନୈତିକତା ପ୍ରାଧାନ୍ୟଲାଭ କରିଅଛି । କବିସୁଲଭ ପାପପୁଣ୍ୟର ବିଚାର (Poetic justice)ରେ ଅପରାଧୀର ପତନ ବା ପ୍ରାୟଶ୍ଚିତ୍ତ ଅବଶ୍ୟମ୍ଭାବୀ, ଏହି ରୀତିରେ ରାୟ ବାହାଦୂର ତାଙ୍କର ଅତୀତ ଲାଗି ପ୍ରାୟଶ୍ଚିତ୍ତ କରିଛନ୍ତି ମୃତ୍ୟୁର ଶାନ୍ତିମୟ କୋଳରେ-। ନୀତିରାଜ୍ୟର ଏହି ସରଳ ସମାଧାନରେ ପ୍ରକୃତିରାଜ୍ୟର ସତ୍ୟକୁ ଉପେକ୍ଷା କରାଯାଇଅଛି । ପ୍ରକୃତି ନିୟମରେ ଅନେକ ସମୟରେ ଦୋଷୀ ମଧ୍ୟ ପ୍ରାୟଶ୍ଚିତ୍ତ ନ କରି ତାହାର ଉତ୍ତରୋତ୍ତର ପାଶବିକତା ବା ଆଦିମତା ଭିତରେ ଗୋଟାଏ ବିକୃତ ଆତ୍ମସନ୍ତୋଷ ପାଇଥାଏ–ଏହି ସତ୍ୟ ପ୍ରତି ଲେଖକ ଜ୍ଞାତସାରରେ ଅବହେଳା ପ୍ରଦର୍ଶନ କରିଛନ୍ତି । ସୁତରାଂ ଗଳ୍ପର ମଧ୍ୟଭାଗ ପର୍ଯ୍ୟନ୍ତ ରାୟ ବାହାଦୂର ଚରିତ୍ରର ଯେଉଁ ନାଟକୀୟ ଆବେଗ ପାଠକମନର ରଙ୍ଗମହଲରେ ଅଭିନୀତ ହୋଇ ଉକ୍ତ ଚରିତ୍ରକୁ ଅଧିକ ସମ୍ଭାବନାମୟ କରିଥିଲା, ଗଳ୍ପର ପରିସମାପ୍ତିରେ ତାହା ଅସ୍ତମିତ । ଡଷ୍ଟୋଭସ୍କିଙ୍କର ‘‘Crime and Punishment” ବା ସାଲ୍‌ ଓ୍ୱାଲ୍‌ଟର୍‌ ସ୍କଟ୍‌ଙ୍କର ‘The Heart of Midlothian’ର ନୈତିକ ସଚେତନାରେ ଏହା ଭାରାକ୍ରାନ୍ତ ।

 

ଅନ୍ୟାନ୍ୟ ଚରିତ୍ରଗୁଡ଼ିକ, ରାୟ ବାହାଦୂରଙ୍କର ଚରିତ୍ରକୁ ଆଗେଇ ନେବା ଲାଗି ଉଦ୍ଦିଷ୍ଟ । ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ଅରୁଣର ସ୍ଥାନ ଅବଶ୍ୟ ସ୍ୱତନ୍ତ୍ର । ତେବେ ଗଳ୍ପ ମଧ୍ୟରେ ସେ ଅଶରୀରୀ ଅତୀତର ଏକ ଅଶ୍ରୁବିଧୌତ ସ୍ମୃତି । ତଥାପି ଏହା ସାହାଯ୍ୟରେ ମହାପାତ୍ର ଚରିତ୍ର ଓ ଗଳ୍ପ ପ୍ରବାହରେ ବିୟୋଗାନ୍ତକ ଛାୟା ସୃଷ୍ଟି କରିବା ସମ୍ଭବ ହୋଇପାରିଛି । ଉଲ୍ଲିଖିତ କେତେକ ପ୍ରମାଦ ସତ୍ତ୍ୱେ ଉକ୍ତ ବିୟୋଗାନ୍ତକ ଛାୟା, ଗଳ୍ପଟିର ସାମଗ୍ରିକ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ।

 

ବିଂଶ ଶତାବ୍ଦୀରେ ଉତ୍କଟ ଧନଲାଳସା ଓ ତାହାର ବିଷମୟ ପରିଣତି ‘ମହାମାନବର ସାଗରତୀରେ’ ଗଳ୍ପର ଉପଜୀବ୍ୟରୂପେ ଗୃହୀତ । * ମିଦାସୀୟ ସ୍ୱର୍ଣ୍ଣସ୍ୱପ୍ନରେ ବିମୋହିତ ଶେଠ ଗୋବିନ୍ଦରାମ ଆଧୁନିକ ପୁଞ୍ଜିପତି ସୃଷ୍ଟିର ଅଭ୍ରାନ୍ତ ପ୍ରତୀକ । ତାଙ୍କର ଚତୁର୍ଦ୍ଦିଗରେ ରବୀନ୍ଦ୍ର, ରୋମାରୋଲାଁ ଓ ଆନିବେଶାନ୍ତ ପ୍ରଭୃତି ମନୀଷୀମାନଙ୍କର ଗ୍ରନ୍ଥକୁ ନେଇ ଯେଉଁ ମାୟାଜାଲ ସୃଷ୍ଟି କରାଯାଇଛି, ତାହା ବର୍ତ୍ତମାନ ବିଶ୍ୱର ଶୋଷଣଚାତୁରୀ ଓ ଧର୍ମବକତ୍ୱର ପ୍ରମାଣ । ଜ୍ଞାନୀ ଓ ବୁଦ୍ଧିଜୀବୀର ଅଭିନୟ କରି ସୋମନାଥଙ୍କର ଶୋଚନୀୟ ପରିସ୍ଥିତିର ବେଶ୍ ସୁଯୋଗ ନେଇଛନ୍ତି ଗୋବିନ୍ଦରାମ୍‌ । ଦୁଇ ଭରି ଓଜନର ସୁନାଚୁଡ଼ୀକୁ ଅଶୀଟି ଟଙ୍କାରେ ଠକିନେବା ପରେ ଗୀତାଞ୍ଜଳିର ଗୁଜୁରାଟୀ ସଂସ୍କରଣ କାଢ଼ି ସୁର ଧରି ପଢ଼ିବା, ଧନକୁବେରଗୋଷ୍ଠୀ ପକ୍ଷରେ ଯେତିକି ସଙ୍ଗିତ, ସେତିକି ହାସ୍ୟାସ୍ପଦ । ଉକ୍ତ ଗୋଷ୍ଠୀର ଛଦ୍ମମୁଖା ଖୋଲି ଲେଖକ ସେମାନଙ୍କର ଦୁର୍ଦ୍ଦାନ୍ତ ଅନ୍ତରରେ ଦେଖିଅଛନ୍ତି କେବଳ ସୁନା, ହୀରା, ନୀଳା ଓ ଜହରତ୍‍ର ଅଶାନ୍ତ କ୍ଷୁଧା । ଜଗତର ହୃତ୍‌ପିଣ୍ଡକୁ ବନ୍ଦୀ କରି ମଧ୍ୟ ଏମାନଙ୍କର ଜାନ୍ତବ ଲାଳସାର ତୃପ୍ତି ନାହିଁ । ପ୍ରଚଣ୍ଡ ଏ ଲାଳସାରେ ବ୍ୟକ୍ତି ସର୍ବସ୍ୱତା ମିଶ୍ରିତ ଥିବାରୁ ନିଜ ଗୋଷ୍ଠୀର ଅନ୍ୟ ଜଣେ ବ୍ୟବସାୟୀକୁ ତଳିତଳାନ୍ତ କରିଦେବାରେ ଅନୁଶୋଚନା ନାହିଁ; ଅଛି ପୁରୁଷପଣିଆର ଗୋଟାଏ ନିର୍ଲ୍ଲଜ୍ଜ ଆତ୍ମପ୍ରସାଦ । ରୂପରତନ ଓ ରମେଶ୍ୱରଲାଲ୍‌ଙ୍କର ଏହି ନିର୍ଲ୍ଲଜ୍ଜ ଆତ୍ମପ୍ରସାଦ ପାଇଁ ଗୋବିନ୍ଦରାମଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଛି-। ଯକ୍ଷପୁରୀରେ ଜଳିଉଠିଛି ଲାଲ୍‌ବତୀର ଦୁର୍ଦ୍ଦିନ ନିଶାନ । ଶିଳ୍ପ ସଭ୍ୟତାର ଏ ଆକସ୍ମିକ ଉଠାପକା, ପ୍ରତାରଣା ଓ ପ୍ରବଞ୍ଚନା ତଥା ଆକାଶୀ ସ୍ୱପ୍ନ, ନିର୍ଭୁଲ ଭାବରେ ଗଳ୍ପ ମଧ୍ୟରେ ଅଙ୍କିତ ହୋଇଛି । କଥାକାରଙ୍କର ସୃଷ୍ଟି ପ୍ରତିଭା, ଏ ସ୍ଥଳରେ ଟଲଷ୍ଟୟଙ୍କ ପ୍ରତିଭା ପରି ମୁଖ୍ୟତଃ କାବ୍ୟିକ ଅଥଚ ବସ୍ତୁଧର୍ମୀ । ପୂର୍ବ ଗଳ୍ପର ନାଟକୀୟତା ଏଠାରେ ପ୍ରାୟ ଲକ୍ଷିତ ହୋଇ ନାହିଁ କହିଲେ ଚଳେ । ଗଳ୍ପ ଶେଷରେ ସୋମନାଥଙ୍କର ପତ୍ନୀ ମୃତ୍ୟୁଦ୍ୱାରରେ କରାଘାତ କରୁଥିବା ସମୟରେ ଗୋବିନ୍ଦରାମଙ୍କର ଶୀତଳ ଶବ ସୁନାର କୁଢ଼ ଉପରେ ଢଳି ପଡ଼ିବା, ବିଶେଷ ସୂଚନାତ୍ମକ । ଚାରିତ୍ରିକ ଗତିଶୀଳତା ଓ ଉପସ୍ଥାପନା କୌଶଳ ଆଲୋଚ୍ୟ ଗଳ୍ପର ଅନ୍ୟ ଦୁଇଟି ଦିଗଭାବେ ଗ୍ରହଣ କରାଯାଇପାରେ ।

 

* ରାଜା ମିଦାସ୍‌ଙ୍କର ଅଦ୍ଭୁତ ସ୍ୱର୍ଣ୍ଣ-ଲାଳସା ।

 

ମଣିଷର ଇଚ୍ଛା ହୁଏ ‘ଇଜିମ୍‌’ (Ism)ର ନାଗଫାଶରୁ ମୁକ୍ତି ପାଇ ବିପ୍ଳବ ପୃଥିବୀର କେଉଁ ନାମହୀନ କୋଣରେ ଛୁଟିର ଦୀର୍ଘଶ୍ୱାସ ମାରିବା ପାଇଁ । ମାତ୍ର ସେଥିରେ ବାଧାଦିଏ ତାହାର ପୌରୁଷ ଓ ଅଭିମାନ । ମଣିଷର ଏହି ସ୍ୱାଭାବିକ ପ୍ରବୃତ୍ତି ଓ ଗୋଷ୍ଠୀ, ସମ୍ପ୍ରଦାୟ ତଥା ବିଭିନ୍ନ ମତବାଦ ମଧ୍ୟରେ ଯେଉଁ ସଂଘର୍ଷ ଚାଲେ, ସେହି ସଂଘର୍ଷକୁ ନେଇ ‘ନୟନପୁର ଏକ୍‌ସ୍‌ପ୍ରେସ୍‌’ର ପ୍ରାଣପ୍ରତିଷ୍ଠା । ଜରାଜୀର୍ଣ୍ଣ, ପଙ୍ଗୁ ଓ ପଙ୍କିଳ ସମାଜ ବିରୁଦ୍ଧରେ ବିଦ୍ରୋହର ବେଦ ଗାନ କରିବାକୁ ହିଂସ୍ର ଉତ୍ତେଜନାରେ ଅଧୀର ହୋଇ ଉଠିଛି ନରେନ୍ଦ୍ର । ତାହାର ଏହି ଅସ୍ଥିରତାକୁ ପ୍ରକାଶ କରିବାକୁ ଯାଇ ଗଳ୍ପର ପରିସର, ମନସ୍ତାତ୍ତ୍ୱିକ ଜଟିଳତାରେ ପରିପୂର୍ଣ୍ଣ । ଝଡ଼ ବର୍ଷାର ଦ୍ୱନ୍ଦ୍ୱନୃତ୍ୟ ସଙ୍ଗେ ସଙ୍ଗେ ନରେନ୍ଦ୍ର ମନର ଉତ୍କଣ୍ଠା, ଅସ୍ଥିରତା ଓ ରୁଦ୍ଧ ଆବେଗର ଚିତ୍ର ଅତ୍ୟନ୍ତ ସରସ ଓ ପ୍ରସଙ୍ଗ ଉପଯୋଗୀ-

 

ରାଜନୈତିକ କର୍ମୀ ନରେନ୍ଦ୍ର ଶ୍ୟାମଳର ପ୍ରରୋଚନାରେ ଏ ଯୁଗର ନୂତନ ପରୀକ୍ଷାରେ ଯୋଗ ଦେଇଛି । ତଥାପି ପ୍ରତି ମଣିଷ ଭିତରର ସୁକୁମାର ଶିଳ୍ପୀଟି ତା’ଭିତରୁ ମରି ନାହିଁ । ମେଘମେଦୁର ରାତ୍ରିର ପାଗଳ ହାଓ୍ୱାରେ ଉନ୍ମତ୍ତ ହୋଇ ସେ ଆଗେଇ ଯାଇଛି । ଟିପିଟିପି ବର୍ଷା, ଲକ୍‌ଲକ୍‌ ବିଜୁଳି, ତାହାର ପଥରୋଧ କରିପାରି ନାହିଁ । ମେଘାବ୍ରିଜ୍‌ ଚାରିଶବାସ୍ତରୀ ମାଇଲ୍‌ ପୋଷ୍ଟ ପାଖରୁ ଛ’ଟା ଫିସ୍‌ପ୍ଳେଟ୍‌ ଉଠାଇ ନେଇ ଫିଙ୍ଗି ଦେଇଛି ମେଘା ଭିତରକୁ । ଦୁଇଟା ସତାବନରେ ନୟନପୁର ଏକ୍‌ସପ୍ରେସ୍‌ ଆସିବ । ସେଥିରେ ନେତାସାହେବ ଆସିଥିବେ; ଆଉ ମଧ୍ୟ ଆସିଥିବେ କେତେ ବୃଦ୍ଧ-ବୃଦ୍ଧା, ଶିଶୁ-କିଶୋର, ଜନନୀ ଓ ଜାୟା । ନେତାସାହେବର ଭୀଷଣ ଶାସ୍ତି ସଙ୍ଗେ ସେମାନଙ୍କୁ ମଧ୍ୟ ସେ ଶାସ୍ତି ମିଳିବ । ମୃତ୍ୟୁର ଅଟ୍ଟହାସ୍ୟ ଭିତରେ ନିରୀହ ମନର କେତେ କେଜାଣି ସ୍ୱପ୍ନ ଘଡ଼ିକ ମଧ୍ୟରେ ଚୂରମାର ହୋଇଯିବ । ତା’ପରେ ଖାଲି ଆର୍ତ୍ତଚିତ୍କାର...ଏ ଶୋଚନୀୟ ପରିଣତି ଚିନ୍ତାରେ ବ୍ୟାକୁଳ ହୋଇଉଠେ ନରେନ୍ଦ୍ର । ତା’ ମନର ଶିଳ୍ପୀଟା । ମଣିଷସୁଲଭ କୋମଳତାରେ ତୁଚ୍ଛ ମନେକରେ ତାହାର ନିର୍ଭୀକ ବିପ୍ଳବର ଏ ଭୀଷଣ ବିଜୟ ଗୌରବକୁ । ଏ ଅତ୍ୟାଚାରିତ ମୁହୂର୍ତ୍ତରେ ପରିତ୍ୟକ୍ତ ମଞ୍ଜୁର ସେବା ମନେପଡ଼େ ।

 

ସଂକ୍ଷେପରେ କହିଲେ ନରେନ୍ଦ୍ରର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଲେଖକଙ୍କର କଳାକୁଶଳତାର ପରିଚାୟକ । ମାନସିକ ପ୍ରବୃତ୍ତିର ଅନୈକ୍ୟ ଓ ଚିନ୍ତାଧାରାର ଚଞ୍ଚଳତା ମଧ୍ୟରେ ମାନବ-ମନର ଯେଉଁ ସହଜ ସ୍ୱପ୍ନଟି ଚିରନ୍ତନ ଓ ସାର୍ବଜନୀନ, ତାହା ଅତି ସତର୍କତା ସହିତ ନରେନ୍ଦ୍ର ଚରିତ୍ରରେ ଅଙ୍କିତ । ଉକ୍ତ ଚରିତ୍ରର ଉଜ୍ଜ୍ୱଳତାରେ ଅନ୍ୟ ଚରିତ୍ରଗୁଡ଼ିକ ପ୍ରାୟ ନିଷ୍‌ପ୍ରଭ । ଲେଖକଙ୍କର ଅନ୍ତର୍ମୁଖୀନତା ଏ ଗଳ୍ପରେ ବିଶେଷ ପ୍ରଶଂସନୀୟ । ମାନସିକ ବିଶ୍ଳେଷଣ ମାଧ୍ୟମରେ ଗାଳ୍ପିକ, ଗଳ୍ପ ଓ ପାଠକ ମଧ୍ୟରେ ପ୍ରବେଶ କରିଥିବାରୁ ତାଙ୍କ ପ୍ରଚାରିତ ମତବାଦ, ଚରିତ୍ରର ନିଜକଥା ଭଳି ପ୍ରତିଭାତ ହୁଏ । ତେଣୁ ଏହା ଗଳ୍ପଶୈଳୀ ବା ଗଳ୍ପର ଗତିପଥରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରେ ନାହିଁ ।

 

ଆକସ୍ମିକ ଆରମ୍ଭ ଓ ଉତ୍‌କଣ୍ଠ ପରିସମାପ୍ତ, ଗଳ୍ପଟିକୁ ଉପଭୋଗ୍ୟ କରିବାରେ ସହାୟକ-। ଲେଖକଙ୍କର ସମକାଳୀନ ବିଶ୍ୱର ନିର୍ଭୁଲ ଚିତ୍ର, ଏଥିମଧ୍ୟରେ ପରିବେଷିତ । ସମସାମୟିକତାର ଇସ୍ତାହାର ଧରି ଏହା ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ଆସନର ଅଧିକାରୀ । ଯୁଦ୍ଧୋତ୍ତର ପୃଥିବୀର ହିଂସ୍ର ନରମେଧ, ଅମୀମାଂସିତ ମାନସର ରୁଦ୍ଧ ପ୍ରତିକ୍ରିୟା ଓ ପ୍ରଶ୍ନାତୁର ଶତାବ୍ଦୀ ସଂଖ୍ୟାହୀନ ସ୍ୱଗତୋକ୍ତି ପ୍ରକାଶରେ, କଥାକାରଙ୍କର ଶିଳ୍ପୀସୁଲଭ ବ୍ୟକ୍ତିତ୍ୱ ଅପୂର୍ବ ମହିମାରେ ମହିମାନ୍ୱିତ । ବିକ୍ଷୁବ୍‌ଧ ଧରଣୀର ଚିତ୍ତବିକ୍ଷେଭା ପ୍ରତି ସେ ଯେତେଦୂର ସଚେତନ, ତାହା ଆଲୋଚ୍ୟ ଗଳ୍ପରୁ ସହଜରେ ଅନୁମେୟ ।

 

ଶୁଦ୍ଧମାନବତାର ଅନ୍ତର୍ଧୂଳି, ମନୁଷ୍ୟ ସୃଷ୍ଟି ରାଜନୀତି, ଜାତିଗୋତ୍ର ଓ ସଂପ୍ରଦାୟର ଅତ୍ୟାଚାରର କିପରି ଜର୍ଜରିତ, ତାହାର ଏକ ଆଂଶିକ ରୂପ ପୂର୍ବ ଗଳ୍ପରେ ପ୍ରତିଫଳିତ । ‘ଦୁଇ ବନ୍ଧୁ’ରେ ସଂପ୍ରଦାୟପୀଡ଼ିତ ମାନବାତ୍ମାର ସେହି ବ୍ୟଥାବିଦ୍ଧ କାହାଣୀ ରମେଶ ଓ ଇସ୍‌ମାଇଲ୍‌ ଚରିତ୍ର ଜରିଆରେ ପ୍ରକାଶିତ । ସ୍ୱାଧୀନ-ଭାରତର ଅବ୍ୟବହିତ ପୂର୍ବରୁ ଘଟିଥିବା ହିନ୍ଦୁ-ମୁସଲମାନ ବିଦ୍ୱେଷଜନିତ ଦଙ୍ଗାହେଙ୍ଗାମ୍‌ ଓ ଲୁଟ୍‌ତରାଜର କଳଙ୍କିତ ଅଧ୍ୟାୟକୁ ନେଇ ଗଳ୍ପଟି ଗଢ଼ିଉଠିଛି । ନିବିଡ଼ ବନ୍ଧୁତା ସତ୍ତ୍ୱେ ହିନ୍ଦୁ ରମେଶ ଓ ମୁସଲମାନ ଇସ୍‌ମାଇଲ୍‌ର ଅବଚେତନରେ ସଂପ୍ରଦାୟର ଡାକରା ପ୍ରବଳ ହୋଇଛି । ‘ଚେତନ’ର ଆଦର୍ଶ, ମାୟାମମତା ଓ ବିଚାରବୁଦ୍ଧି କାଟି ସୁପ୍ତ ଚେତନାର ଜାଗ୍ରତ ଆହ୍ୱାନରେ ଦୁଇ ବନ୍ଧୁ ରକ୍ତ ପାଇଁ ପାଗଳ ହୋଇ ଉଠିଛନ୍ତି । ନିର୍ଜନ ଫୁଟ୍‌ପାଥ୍‌ରେ ରମେଶ ଓ ଇସ୍‌ମାଇଲ୍‌ର ମନ ଭିତରର ଜାନୁୟାର୍‌ ଦୁଇଟା ଚେଇଁ ଉଠିଛନ୍ତି ‘ପାକିସ୍ଥାନ.....ଜିନ୍ଦାବଦ୍‌’ ଓ ‘ବିଶ୍ୱାସ ଘାତକ, ସ୍ପାଇ ଗୁପ୍ତଚର’ ଇତ୍ୟାଦି ଧ୍ୱନି ମଧ୍ୟରେ । ଏହାପରେ ଉଭୟେ ରକ୍ତାକ୍ତ ଓ କିଛିକ୍ଷଣ ପରେ ଶୁଣି ଅନୁତପ୍ତ ।

 

ଭାରତ ଇତିହାସର ନିକଟ-ଅତୀତର ରକ୍ତରଙ୍ଗା ଚିତ୍ର ମଧ୍ୟରେ ଏ ଯୁଗର ବିଚିତ୍ର ସାମ୍ବାଦିକତା ଓ ସତ୍ୟକୁ ଅପଳାପ କରିବାର ଅଦ୍ଭୁତ କୌଶଳ, ସଫଳତା ସହ ଆଲୋଡ଼ନ କରାଯାଇଛି । ଲେଖକଙ୍କର ବ୍ୟଞ୍ଜନା ଓ ଇଙ୍ଗିତକୁ ଆଶ୍ରୟ କରି ଇସ୍‌ମାଇଲ୍‌ ଓ ରମେଶର ସୂକ୍ଷ୍ମ ଅବଚେତନର ତାଡ଼ନା ବେଶ୍‌ ଲକ୍ଷ୍ୟ କରିହୁଏ । ଗଳ୍ପର କେତେକାଂଶରେ ବର୍ଣ୍ଣନାପ୍ରାବଲ୍ୟ ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହା କ୍ଳାନ୍ତିକର ନୁହେଁ । ବରଂ ‘ହ୍ୱାଇଟ୍‌ହର୍ସ କ୍ଳବ୍‌’ ପ୍ରଭୃତିର ଜୀବନ୍ତ ବର୍ଣ୍ଣନା, ଗଳ୍ପୋକ୍ତ ପ୍ରସଙ୍ଗର ପୁଷ୍ଟିସାଧନରେ ସହାୟକ । କ୍ଳବର ଅଶାନ୍ତ ବାତାବରଣ ବ୍ୟତୀତ ଦୁଇ ବନ୍ଧୁଙ୍କର ମାନସ କେନ୍ଦ୍ରର ସୁପ୍ତ ସାମ୍ପ୍ରଦାୟିକତାର ଜାଗରଣ, ଯଥାର୍ଥରେ ଅବାନ୍ତର ଓ କଳ୍ପନାତୀତ । ଲେଖକଙ୍କର ଉଦାର ମାନବତା, ନିରପେକ୍ଷ ଦୃଷ୍ଟିଭଙ୍ଗୀ ଓ ମାତ୍ରାବୋଧ, ଗଳ୍ପଟିର ଛତ୍ରେ ଛତ୍ରେ ବିରାଜିତ । ସୁତରାଂ କଥାବସ୍ତୁ, ଚରିତ୍ରଚିତ୍ରଣ ଓ ଗାଳ୍ପିକ ଆଦର୍ଶ ଦୃଷ୍ଟିରୁ ଦୁଇବନ୍ଧୁ ଗଳ୍ପର ସୃଷ୍ଟି ସୌନ୍ଦର୍ଯ୍ୟ ବିଶେଷ ହୃଦୟଗ୍ରାହୀ ।

 

‘ଦୁଇବନ୍ଧୁ’ ପରେ ‘ଭାଗାବଣ୍ଡ’ ଗଳ୍ପ ଅନୁଶୀଳନସାପେକ୍ଷ । ଉକ୍ତ ଗଳ୍ପରେ ଆଧୁନିକତାର ଏକ ନିଛକ୍‌ ସ୍ୱାକ୍ଷର ଦୃଷ୍ଟିଗୋଚର ହୁଏ । ଯନ୍ମଯୁଗରେ ବଞ୍ଚିବାଠାରୁ ବଡ଼ ସମସ୍ୟା ହୋଇଛି ସଂସାରଠାରୁ ଆତ୍ମରକ୍ଷା କରି ଲୁଚି ଲୁଚି ବୁଲିବା ।

 

ଏହି ଲୁଚି ଲୁଚି ବୁଲିବାରେ କମଳ, ବସନ୍ତ ବା ବିନୋଦ ଜୀବନରେ ସଂଗ୍ରାମର ସ୍ୱପ୍ନ ଅଛି, ଶୂନ୍ୟତା ଭିତରେ ହଜିଯିବାର ଆନନ୍ଦବି ଅଛି । ଉକ୍ତ ଉଦ୍‌ବାସ୍ତୁକ ଆନନ୍ଦର ବୈଚିତ୍ର୍ୟ ତଥା ନୂତନତାର ଗଳ୍ପଟି ପରିପୂର୍ଣ୍ଣ । ଗାଳ୍ପିକ ପରିବେଶକୁ ଟିକିଏ ରୋମାଞ୍ଚକର କରିବାକୁ ‘ଶିଥିଳବକ୍ଷା, ଦୀର୍ଘଦନ୍ତା ମଲ୍ଲୀକାର ସୃଷ୍ଟି । ତାହାର ଛଳନା ଓ ଅଭିନୟ ମଧ୍ୟରେ ପାଇବା ଅପେକ୍ଷା ନ ପାଇବାର ଅବସାଦ ଖୁବ୍‌ ବେଶି । ସଂସାର ଦାଉରେ ଆତ୍ମରକ୍ଷା ନିମିତ୍ତ ତାହାର କୁଟିଳ ପ୍ରୟାସ, କେବଳ ପ୍ରହେଳିକାମୟ ନୁହେଁ, ବାସ୍ତବ ଓ ସଂବେଦନାସାପେକ୍ଷ । ବୀମାକମ୍ପାନୀର ଏଜେଣ୍ଟ ଭାବରେ ଆଶାହୀନତା ବିରୁଦ୍ଧରେ ଆଶା ବାନ୍ଧି ସଂସାର ଯୁଦ୍ଧରେ ଆଗେଇ ଚାଲିଛି କମଳ । ମଲ୍ଲୀକାର ସ୍ୱପ୍ନ ତା’ପାଇଁ ଅବାନ୍ତର ହେଲେ ମଧ୍ୟ ଏତିକି ହୁଏତ ତାହାର ରୁକ୍ଷବନ୍ଧୁର ପଥର ପାଥେୟ । ଦୁନିଆ ଆଖିରେ ଅଭିଶପ୍ତ ଏ ଚରିତ୍ରଟି ବସନ୍ତ ଓ ବିନୋଦ ପରି ବସ୍ତୁହରା, ଆପାଙ୍‌କ୍ତେୟ । ତଥାପି ଢିମା ଗେଙ୍ଗୁଟିର ଠୋକ୍‌କର ଖାଇ ବଞ୍ଚି ରହିବାର ସବଳତା, ଏ ଚରିତ୍ରଗୁଡ଼ିକ ମଧ୍ୟରେ ଯୁଗଦର୍ଶନର ନୂତନ ସଙ୍କେତ । ଫଟାସୋଲ ଓ କ୍ଷତବିକ୍ଷତ ପାଦକୁ ଏମାନଙ୍କର ଖାତିର୍ ନାହିଁ । କପେ ଚା’ ବା ଆସ୍‌ ଟେ’ର ଦରପୋଡ଼ା ସିଗାରେଟ୍‌ ଖଣ୍ଡିକରେ ଏମାନେ ମାଡ଼ି ଚାଲିଛନ୍ତି ଯୋଜନ ଯୋଜନ, ତିନି ନମ୍ବର ଫିସ୍‌ମାର୍କେଟ୍‌ ଲେନ୍‌ରୁ ଲେକ୍‌ରୋଡ଼, ଲେକ୍‌ରୋଡ଼ରୁ ‘‘ବୋଲଭାର୍ଡ଼’’ ରେସ୍ତୋରାଁ । ପକେଟ୍‌ ଖାଲି ଓ ହୃଦୟ ଖୋଲା ଜୀବନଗୁଡ଼ିକର ବେପରଓ୍ୱା ଜୀବନ, ଶତାବ୍ଦୀର ଅଭିଶାପ କି ଆଶୀର୍ବାଦ, ତାହାର ଉତ୍ତର ଭବିଷ୍ୟତହିଁ ଦେବ । ତେବେ କଥାକାରଙ୍କ ଦୃଷ୍ଟିରେ ଆପତ୍ତିହୀନ, ଚିରସନ୍ତୁଷ୍ଟ ଏ ଜୀବନ । ଉତ୍‌ଥାନର ଆଶା ନାହିଁ, ପତନର ଭୟରେ ବିଚଳିତ ନୁହନ୍ତି ଏମାନେ । ଖୋଲା ଆକାଶତଳେ ଶୋଇରହି ଯୁଗ ଯୁଗର ଇତିହାସକୁ ଦେଖି ଆସିଛନ୍ତି ଅତି ସତର୍କ ଦୃଷ୍ଟିରେ । ଲାଞ୍ଛନା ଓ ଅପମାନ ଏମାନଙ୍କ ଚିରସହଚର ହେଲେ ମଧ୍ୟ ପ୍ରାଣର ନିବେଦନ ଘେନି ଏମାନେ ନୂତନତାର ପରିଚୟ ଦେଇଛନ୍ତି । ବଞ୍ଚିବାର ନୂତନ ଦିଗ, ଏହିପରି ବହୁ କୃଷ୍ଣମଲ୍ଲୀକା ଓ କମଳ ବିନୋଦର ଆତ୍ମପରିଚୟରେ ଉଦ୍ଭାସିତ ହୋଇଉଠିଛି । ଆଧୁନିକ ବିଶ୍ୱର ଜ୍ୱାଳା ଓ ଦହନର ନିଷ୍ଠୁର ସଂଘର୍ଷ, ଭାଗାବଣ୍ଡ ଚରିତ୍ରଗୁଡ଼ିକର ଆଶ୍ରୟରେ ରସୋର୍ତ୍ତୀର୍ଣ୍ଣ ହୋଇପାରିଛି । ସୃଷ୍ଟିର ଏକ ଆଦିମ ନିୟମକୁ ଲେଖକ ମର୍ମସ୍ପର୍ଶୀ ଭାବରେ ଅଙ୍କନ କରିଛନ୍ତି ଏ ଗଳ୍ପରେ । ଗଳ୍ପୋକ୍ତ ପ୍ରତ୍ୟେକ ଚରିତ୍ରରେ ଆଦିମାନବ ସଂସ୍କୃତିର ମୌଳିକ ବାର୍ତ୍ତା ସତେ ଯେପରି ମୂର୍ତ୍ତିମନ୍ତ । କମଳ ବିନୋଦ ପରି ଦୁନିଆ ଆଖିର ନଗଣ୍ୟ ଜୀବଗୁଡ଼ିକର ରାହାହୀନ ରାହାରେ, ସୃଷ୍ଟିର ଯେଉଁ ଚିରନ୍ତନ ସତ୍ୟ ଲୁକ୍‌କାୟିତ, ତାହା ଉଦ୍‌ଘାଟନ କରିବାରେ ଲେଖକର ରୁଚିସ୍ୱାତନ୍ତ୍ର୍ୟ ବିଶେଷ ଭାବରେ ଲକ୍ଷ୍ୟଣୀୟ । ମହାନଗରୀର ପ୍ରମତ୍ତ କୋଳାହଳର ଅଦୂରରେ ରିଫ୍ୟୁଜି କ୍ୟାମ୍ପର ଚିତ୍ର ଦେବା ସମୟରେ ଲେଖକ ଶାନ୍ତ ନିର୍ମଳତା ଭିତରେ ସୃଷ୍ଟିର ମଧୁର ଆଦିମ ମୁହୂର୍ତ୍ତକୁ ଅନ୍ୱେଷଣ କରିଛନ୍ତି । ନିରାଟ ଦୈନନ୍ଦିନତାରୁ ପଳାୟନ କରିବା ସକାଶେ ଏହା ଏକ ପ୍ରସ୍ଥାନ ପଥ ନୁହେଁ । ବରଂ ତୁଚ୍ଛ ବାସ୍ତବତାକୁ ଉପହାସ କରି ରଙ୍ଗହୀନ ପ୍ରାକୃତିକତା ସହିତ ସାଲିସ୍‌ କରିବାର ଏହା ଏକ ଶକ୍ତିଶାଳୀ ସଂକଳ୍ପ । ସୁପ୍ତିର ଅନ୍ଧକାର ଭିତରେ, ଶୂନ୍ୟତାର ମଧୁର କ୍ରୋଡ଼ରେ ଚିର ଅନୁଦ୍‌ବେଳିତ ଏ ଭାଗାବଣ୍ଡ ଜୀବନ-

 

ମନୁଷ୍ୟଜଗତର ଏହିପରି ଏକ ପୁରାତନ ତଥ୍ୟର ନୂତନ ପରୀକ୍ଷାରେ ‘ଭାଗାବଣ୍ଡ’ ଗଳ୍ପଟି ରୁଦ୍ଧିମନ୍ତ । ଆଧୁନିକ ବ୍ୟକ୍ତିଚେତନାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରୁ ପ୍ରାଗୈତିହାସିକ ମାନବ ଚେତନାର ସେ ଅନ୍ତର୍ଲିପି କାଢ଼ିବା, କେବଳ ସୁରେନ୍ଦ୍ରଙ୍କ ପରି ସୂକ୍ଷ୍ମଦ୍ରଷ୍ଟାମାନଙ୍କ ପକ୍ଷରେ ସମ୍ଭବ ହୋଇଥାଏ । ସେହି ହେତୁରୁ ବହିର୍ଦୃଷ୍ଟିରେ ସାଧାରଣ ବୋଧ ହେଉଥିବା ଏ ଗଳ୍ପଟିର ସୂକ୍ଷ୍ମସୌନ୍ଦର୍ଯ୍ୟ ଯଥାର୍ଥରେ ଅକଳନୀୟ ।

 

‘କୃଷ୍ଣଚୂଡ଼ା’ରେ ମାନବତାର ଏ ନୂତନ ଦିଗନ୍ତ ନାହିଁ, ସରଳ ମୁକ୍ତିର ଏ ସାମଗ୍ରିକ ସାଲିସ୍‌ ନାହିଁ । ଆଧୁନିକ ଜଗତିକତାର ଏକ ବ୍ୟକ୍ତିସୁଲଭ ଅଭିରୁଚି, ସଂପାଦକ ଜୀବନର ଏକ ବାସ୍ତବ ଅନୁଭୂତି ଉପରେ ଏହା ଆଧାରିତ । ଗଳ୍ପକାରଙ୍କର ନିଜ ଜୀବନର ଏହା ବ୍ୟକ୍ତିଗତ ଅନୁଭୂତି ହୋଇପାରେ । ତଥାପି ‘‘ସଂଗ୍ରାମ’’ ଖବରକାଗଜର ସଂପାଦକ ଓ ପ୍ରୁଫ୍‌ରିଡ଼ର ସଦାନନ୍ଦ ମାଧ୍ୟମରେ ଏହା ସାର୍ବଜନୀନ । ଯନ୍ତ୍ରପେଷିତ ଧରଣୀର ବିସ୍ୱାଦୁକର ପୌନପୌନିକତା ମଧ୍ୟରେ ଭାବପ୍ରବଣତା ଜୀବନର ପ୍ରତୀକ ହେଉଛି କୃଷ୍ଣଚୂଡ଼ା । ଏହାର ରକ୍ତିମ ଆହ୍ୱାନରେ ବାସ୍ତବତା ବିରହିତ ଏକ ସ୍ୱପ୍ନପୁରୀରେ ପ୍ରାଣକୁ ଉପଭୋଗ କରିହୁଏ । ଜୀବନଯୁଦ୍ଧରେ କୃଷ୍ଣଚୂଡ଼ାର ଏ ମୁଗ୍‍ଧ ମାଦକତାକୁ ନେଇ ଜୟର ସ୍ୱାକ୍ଷର ଲେଖିହୁଏ । ତାଙ୍କ ମତରେ କ୍ରୀତଦାସର ଏ ପୃଥିବୀରେ ବଞ୍ଚିବା ପାଇଁ ଆବଶ୍ୟକ କୃଷ୍ଣଚୂଡ଼ାର ମେଘମେଦୁର ବିଳାସ, ଦେହ ଓ ମନ ପାଇଁ କିଛିଟା ଖୋରାକ୍‌ । ଏହା ଭିନ୍ନ ଜୀବନ ନୁହେଁ । ଗୋଟାଏ କ୍ଳାନ୍ତିକର ଧାରାବାହିକତା ଓ ରୁଟିନ୍‌ବନ୍ଧା ଗୋଲାମି ଭିତରେ ଆମ ଅଲକ୍ଷ୍ୟରେ ଆମେ ମରିଯାଉ । ଅବଶିଷ୍ଟ ଯାହା କିଛି ପଡ଼ିରହେ, ତାହା ବୈଚିତ୍ରହୀନ ରୁଟୀନ୍‌ର କଂକାଳ ବ୍ୟତୀତ ଅନ୍ୟ କିଛି ନୁହେଁ । କୁଲିବସ୍ତିର ଅବିରାମ କ୍ଳାନ୍ତି ବା ଆଦର୍ଶ ବାଦର କ୍ଳାନ୍ତିକର ଏକମୁଖୀତା ଭିତରେ ମଣିଷ ପରି ବଞ୍ଚିବାକୁ ଉପାଦାନ କାହିଁ ? ମନର କ୍ଷୁଧା ମେଣ୍ଟାଇବା ଲାଗି, ଦଳିତ ନିଷ୍ପେଷିତ ଲାଗି ଏ ଦୀନହୀନ ବିଶ୍ୱର କୃଷ୍ଣଚୂଡ଼ାର ଏ ଶୃଙ୍ଖଳବିହୀନତା ବା ପ୍ରାକୃତିକ ମୁକ୍ତି ବରଂ କାମ୍ୟ । ସଦାନନ୍ଦ ଚରିତ୍ରରେ ଏହା ପ୍ରତିବିମ୍ବିତ । ମେଘାକ୍ରାନ୍ତ ଆକାଶତଳେ କୃଷ୍ଣଚୂଡ଼ାର ମୋହିତ ସ୍ୱପ୍ନକୁ ସଫଳ କରିବା ସକାଶେ ସଦାନନ୍ଦର ଆୟାସ ପ୍ରଶଂସନୀୟ ହେଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ତାହାର ମୌନ ଅପ୍ରତିଭତା ଶୋଚନୀୟ । ତେବେ ଏ ପରାଜୟ କେବଳ ସଦାନନ୍ଦର ନୁହେଁ, ସମଗ୍ର ପୃଥିବୀର । ଅପମୃତ୍ୟୁର ଏହା ଯେପରି ଏକ ଅଶ୍ରୁଳ ସ୍ମାରକୀ, ଏକ ବିଶ୍ୱ ଇତିବୃତ୍ତ ।

 

ବର୍ତ୍ତମାନ ବିଶ୍ୱର ଜୀବନସଂଜ୍ଞାକୁ ଲେଖକ ଦୃଢ଼ଗମ୍ଭୀର ସ୍ୱରରେ ପ୍ରତ୍ୟାଖ୍ୟାନ କରିଛନ୍ତି-। ତାଙ୍କ ମତରେ ଜୀବନର ଅର୍ଥ ଖାଲି ବଞ୍ଚିବା, ଖାଲି ସାମ୍ରାଜ୍ୟ ବା ଖାଲି ଆଧିପତ୍ୟ ନୁହେଁ । ଦୁର୍ବଳକୁ ଶୋଷଣ କରି ଖାଲି ରାଜନୀତି ବା କ୍ଷମତାର ଊର୍ଦ୍ଧ୍ୱାସନକୁ ଉଠିବା ମଧ୍ୟ ଜୀବନର ପରିଚୟ ନୁହେଁ ।

 

କାରଣ ଜଡ଼ବାଦୀର ଉଦ୍‌ବର୍ତ୍ତନ ସଂଘର୍ଷରେ ଏହା ଯେତେ ସତ୍ୟ ହେଲେ ମଧ୍ୟ ମାନସିକ ପ୍ରବୃତ୍ତିର କୋମଳତା ଓ ସ୍ପର୍ଶାତୁରତା ନିକଟରେ ଅତି ତୁଚ୍ଛ ଏ ସୌନ୍ଦର୍ଯ୍ୟବିହୀନ ଐତିହାସିକ ବିଜୟ । ନିଷ୍ଠୁର ଦୈବିକତା ଠାରୁ ମୁକୁଳିଯିବା ବା ଜୀବନର କ୍ଷତବିକ୍ଷତ ଭୁଲି ମୁକ୍ତ ଆକାଶରେ ଟିକେ ମୁଲାୟମ୍‌ ପକ୍ଷ ତୋଳି ଉଡ଼ିବୁଲିବା, ଶତଗୁଣେ ଶ୍ରେୟସ୍କର ଏ ବିଜୟ ଅଭିଯାନ ଠାରୁ । ଗଳ୍ପର ପ୍ରାଣସତ୍ତାରେ କୃଷ୍ଣଚୂଡ଼ାର ଏହି ମୁଦ୍ରାଙ୍କ ସ୍ୱସ୍ତିକର ସୌନ୍ଦର୍ଯ୍ୟର ଏହି ଚିରନ୍ତନ ଜୟଧ୍ୱନି, ଜଡ଼ବାଦ ଉପରେ ପ୍ରତିଷ୍ଠିତ ମାନବିକ ପ୍ରଗତିର ଅସାରତା ପୋଷଣ କରିବାରେ ଶତମୁଖ ।

 

ଅତିବାସ୍ତବତାର ଆନ୍ଦୋଳନ ବା ସାମ୍ୟବାଦର ଚିତ୍କାର ମଧ୍ୟରେ କଥାକାରଙ୍କର ଏ ଦୃଷ୍ଟିକୋଣ, ସାମନ୍ତବାଦୀର ବିଳାସ ବା ବୁର୍ଜୋୟାର ସ୍ୱାର୍ଥପରତା ବୋଲି ବିବେଚିତ ହୋଇପାରେ । କ୍ଷୁଧାକାତର ପୃଥିବୀର ବୈଷମ୍ୟ ଓ ଅସଙ୍ଗତ ଭିତରେ ନିରର୍ଥକ ଏ ରୋମାଣ୍ଟିକ କୃଷ୍ଣଚୂଡ଼ାର ସ୍ତବକ-। କାରଣ ଏହାଠାରୁ ସହସ୍ର ଗୁଣରେ କାମ୍ୟ କେଣ୍ଡାଏ ଶସ୍ୟ ବା ଗଣ୍ଡିଏ ଖାଦ୍ୟ । ଦେହର ଭୋକ ପାଇଁ ହୁଏତ ତାହା ଆଶୁ ସମାଧାନ; କିନ୍ତୁ ଶିଳ୍ପଶାଳାର ମଣିଷଟା କ’ଣ ଖାଲି ଯନ୍ତ୍ର ପରି କୋଇଲା ଓ ପାଣି ନେଇ ଅବିରାମ ଗତିରେ ଛୁଟି ଚାଲିବ ? ତାହାର ହୃଦୟରେ ମାୟାମମତା, ଆବେଗ ଓ ସୌନ୍ଦର୍ଯ୍ୟବୋଧ କିଛି ରହିବ ନାହିଁ; ଦେହଧର୍ମୀ ମନୁଷ୍ୟ ଆଉ ଯନ୍ତ୍ର ମଧ୍ୟରେ ପାର୍ଥକ୍ୟ ତାହାହେଲେ କେଉଁଠି ? ମାନବ ସଭ୍ୟତାର ପ୍ରଗତିର ଶେଷବାର୍ତ୍ତା ତା’ ହେଲେ କ’ଣ ଏହି ଯାନ୍ତ୍ରିକତା ?

 

ସମରଶୋଷିତ ପୃଥିବୀର ଏ ନିତ୍ୟନୈମିତ୍ତିକ ପ୍ରଶ୍ନରେ ସନାନନ୍ଦ ଚରିତ୍ରଟି ମୁଖରିତ । ତେଣୁ ରୋମାଣ୍ଟିକ ଆବେଗର ଆକାଶୀ ପାହାଚ ଅପେକ୍ଷା, ବାସ୍ତବତାର ଅତୁଟ ଦ୍ରାଘିମା ଗଳ୍ପଟିକୁ ସମସ୍ୟାକୁଳ କରିଛି । ଏ ସମସ୍ୟାର ସମାଧାନ ପାଇଁ ଲେଖକ ଯେଉଁ ପନ୍ଥା ଆବିଷ୍କାର କରିଛନ୍ତି, ତାହା ମଧ୍ୟ ମନୁଷ୍ୟସୃଷ୍ଟ କୃତ୍ରିମ ଲୌକିକତା ଓ ଆଚାରବିଚାର ମଧ୍ୟରେ କଣ୍ଟକିତ । ସୁତରାଂ ପଥ କାହିଁର ରୁଦ୍ଧ ସ୍ୱଗତୋକ୍ତି ଭିତରେ ଗଳ୍ପର ପରିସମାପ୍ତି କରୁଣ ଓ ବ୍ୟଙ୍ଗାତ୍ମକ । ଶତାବ୍ଦୀର ଅସହାୟତା ବିରୁଦ୍ଧରେ ନୀରବ ଉପହାସର ମର୍ମଲିପି, ଏଥିରେ ଖୋଦିତ ।

 

ମନୁଷ୍ୟ ଜୀବନରେ ବଞ୍ଚିବା ପରି ବଞ୍ଚିବାକୁ, ଲେଖକ ଗୁରୁତ୍ୱ ସହକାରେ ବିଚାର କରିଛନ୍ତି । ତାଙ୍କ ମତରେ କ୍ରୀତଦାସର ବୈଚିତ୍ୟବିହୀନ ଉଦ୍‌ବର୍ତ୍ତନହିଁ ଯଥାର୍ଥରେ ମୃତ୍ୟୁ । ଏ ମୃତ୍ୟୁକୁ ପରିହାର କରିବା ନିମିତ୍ତ ମାନବଜୀବନ ସହଜ, ସ୍ୱଚ୍ଛନ୍ଦ ଓ ସ୍ୱାଧୀନ ହେବା ଆବଶ୍ୟକ । ପେଷିତ ପୃଥିବୀର ମଜ୍ଜା ଭିତରୁ ମୁକ୍ତିର ଯେଉଁ ଆର୍ତ୍ତନାଦ, ମନୁଷ୍ୟର ଛଳନା, ପ୍ରତାରଣା ଓ ପ୍ରାଣହୀନତା ଯୋଗୁଁ ବିକୃତ ବିକଳାଙ୍ଗ ହୋଇ ଆସୁଛି, ତାହାର ନିର୍ଭୀକ ଅଭିବ୍ୟକ୍ତି, ଗଳ୍ପଟିକୁ ମନୋରମ କରିପାରୁଛି । ସଦାନନ୍ଦର ମାନସିକ ବିଶ୍ଳେଷଣ, ଗଳ୍ପଟିର ପ୍ରଧାନ ଉପଜୀବ୍ୟ ହୋଇଥିବାରୁ ବାହାରର ଘଟଣାଦିକୁ ଗଳ୍ପ ମଧ୍ୟରେ ସେତେ ଗୁରୁତ୍ୱ ଦିଆଯାଇ ନାହିଁ । ଏହା ସତ୍ତ୍ୱେ ଗଳ୍ପଟି ସଫଳ ଓ ଲେଖକଙ୍କର ଉଦ୍ଦେଶ୍ୟ ବ୍ୟକ୍ତ କରିବାରେ ସମର୍ଥ । ସଦାନନ୍ଦର ମାନସିକ ତରଙ୍ଗକୁ ଆଶ୍ରୟ କରି ଘଟଣାର ଗତିପ୍ରକୃତିରେ ନୂତନତା ସୃଷ୍ଟି କରାଯାଇଛି । ତେଣୁ ସଦାନନ୍ଦର ଏକାନ୍ତ ଆତ୍ମନିଷ୍ଠ କ୍ରିୟାପ୍ରତିକ୍ରିୟା ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ‘କୃଷ୍ଣଚୂଡ଼ା’ର ସୃଷ୍ଟିକୌଶଳ ବାସ୍ତବରେ ପ୍ରଶଂସନୀୟ ।

 

‘ରୁଟି ଓ ଚନ୍ଦ୍ର’ ପୁସ୍ତକର ପ୍ରଥମ ଗଳ୍ପ ‘ରୁଟି ଓ ଚନ୍ଦ୍ର’ରେ ପାଗଳ ପୃଥିବୀର ମାନସିକ ଦାରିଦ୍ର୍ୟ ଓ ଅପୂର୍ଣ୍ଣତା ଉପରେ ଦୃଷ୍ଟିପାତ କରାଯାଇଛି । ପୂର୍ବଗଳ୍ପର ଉପଲକ୍ଷ୍ୟ ସହିତ ଏହା ସମାନ ହୋଇଥିଲେ ମଧ୍ୟ ଏହାର ପରିଧି ଓ ପରିସର, ପୂର୍ବ ଗଳ୍ପଠାରୁ ସଂପୂର୍ଣ୍ଣ ଭିନ୍ନ । ଲେଖକଙ୍କ ଦୃଷ୍ଟିରେ ଇତିହାସର ଅର୍ଥନୈତିକ ବ୍ୟାଖ୍ୟା, କି ‘‘ଲାଲ୍‌ଝଣ୍ଡା ଜିନ୍ଦାବାଦ’’ ଭିତରେ ଜୀବନ ନାହିଁ । ନିହାତି ପ୍ରୟୋଜନବୋଧରୁ ଏହାର ଜନ୍ମ । ସୁନ୍ଦରର ପୃଥିବୀରେ ମାର୍କସ୍‌ ବା ଲେନିନ୍‌ଙ୍କର ଦର୍ଶନ ବଞ୍ଚିବା ପାଇଁ ଉପାୟ ହୋଇପାରେ, କିନ୍ତୁ ଜୀବନର ଚରମ ଲକ୍ଷ୍ୟ, ଏଥିମଧ୍ୟରେ ମ୍ଳାନ ଓ ପରାହତ । କାରଣ ‘ଉତ୍ପାଦନ’ ‘ବଣ୍ଟନ’ ବା ‘ପ୍ରାଚୁର୍ଯ୍ୟ’ର ତୁଚ୍ଛ ସ୍ଳୋଗାନ୍‌କୁ ନେଇ ଭିତରର ସୌନ୍ଦର୍ଯ୍ୟପିପାସାକୁ ଖଞ୍ଜ, ରୁଗ୍‌ଣ ବା ଅବରୁଦ୍ଧ କରିଦେବା, ଜୀବନ ପକ୍ଷରେ ଏକ ଘୋର ଅଭିଶାପ । ପୂରା ମଜୁରୀ ଓ ପୂରାପେଟର ଦ୍ୱାହିରେ ପ୍ରକୃତିର ଆନନ୍ଦମୟ ରାଜ୍ୟକୁ ଉପେକ୍ଷା କରି ଆଜିର ମଣିଷ ତା’ ଅଲକ୍ଷ୍ୟରେ ଦୁଃସ୍ଥ ଓ ଅଥର୍ବ ହୋଇ ଆସୁଛି । ନୟନା ଆଉ କାଜ୍‌ରୀର ବାଧାବନ୍ଧହୀନ ଜୀବନ, ଏ ଅଥର୍ବତା ବିରୁଦ୍ଧରେ ଏକ ପ୍ରେମମୟ ଆହ୍ୱାନ । କମ୍ରେଡ଼ ବିନୋଦ ଓ ଲଳିତାର ମାର୍କସୀୟ ଦର୍ଶନର ଅପୂର୍ଣ୍ଣତା ଏଇଠି । ନୟନାର ଲହରିଆ ବଂଶୀତାନରେ ସେମାନଙ୍କର ମାନସିକ ଦ୍ୱନ୍ଦ୍ୱ ଉତ୍କଟ ହୋଇ ଉଠିଛି । ଜଡ଼ବାଦୀ ଜୀବନର ତିକ୍ତତାରେ ଅସ୍ଥିର ହୋଇ ଚାନ୍ଦକୋଳର ପୃଥିବୀକୁ ସେମାନେ ଓହ୍ଲାଇ ଆସିଛନ୍ତି । ସବୁଜ ଧରଣୀର ଅପ୍ରତିରୋଧ ଆହ୍ୱାନରେ ମିଲ୍‌ର ଶ୍ରମିକ ନୟନା, କାଜ୍‌ରୀ ଓ କମ୍ରେଡ଼ ବିନୋଦ ବା ଲଳିତା ମଧ୍ୟରେ ବାସ୍ତବରେ କୌଣସି ପାର୍ଥକ୍ୟ ନାହିଁ । ପ୍ରାଣର ଆଦିମ ପୂରବୀରେ ସମସ୍ତେ ମୁଗ୍‌ଧ । ଧର୍ମଘଟ ପାଇଁ ମଜୁରୀ ବନ୍ଦ, ରାତିଟି ଭୋକ-ଉପାସରେ କଟିବ–ଏ ଚିନ୍ତାରେ ନୟନା ଓ କାଜ୍‌ରୀର ଖଟିକିଆ ଜୀବନ ବିଚଳିତ ହୋଇ ନାହିଁ । କିନ୍ତୁ ବିନୋଦ ଓ ଲଳିତାର ଶୁଷ୍କ ମାର୍କସବାଦ ସତେ ଯେପରି ସଂଶୟାକୁଳ ହୋଇ ଉଠିଛି ଜ୍ୟୋତ୍ସ୍ନାର ଏ ଚଟୁଳ ବିଳାସ ମଧ୍ୟରେ । ବଞ୍ଚିବାର କୋଳାହଳ ଓ ସଂଗ୍ରାମକୁ ବଡ଼ କରି ଏ ଶତାବ୍ଦୀର ଜୀବନଦ୍ୱାରା କିପରି ରୁଦ୍ଧ, ତାହାର ନିଖୁଣ ଚିତ୍ର ବିନୋଦ ଓ ଲଳିତାର ମାନସିକ ସଙ୍କଟ ମଧ୍ୟରେ ରୂପାୟିତ । ଏ ସଙ୍କଟରୁ ରକ୍ଷା ପାଇବା ଲାଗି ନୟନା ଓ କାଜ୍‌ରୀର ଜୀବନବୋଧ ଆବଶ୍ୟକ । ବଞ୍ଚିବାର ସ୍ୱଚ୍ଛନ୍ଦମୋହ, ବୁର୍ଜୋୟାବିଳାସ ନୁହେଁ । ଦାନାକନାର ବ୍ୟାଧିଗ୍ରସ୍ତ ସଂସାର ପାଇଁ ଏହା ହୁଏତ ପ୍ରକୃତିର ଏକ ଅମୋଘ ନିଦାନ ।

 

ଏହିପରି ବୁଦ୍ଧିଦୀପ୍ତ ବିଶ୍ଳେଷଣ ଓ ସମାଧାନରେ ‘ରୁଟି ଓ ଚନ୍ଦ୍ର’ ଗଳ୍ପଟି ସମୃଦ୍ଧ । ଯୁଗବିପ୍ଳବର ତ୍ରୁଟି ଦର୍ଶାଇବାରେ ଲେଖକଙ୍କର ସ୍ପଷ୍ଟବାଦିତା ଓ ମୌଳିକତା ଯଥାର୍ଥରେ ସ୍ୱାଗତଯୋଗ୍ୟ । ସାଂପ୍ରତିକ ବିଶ୍ୱଚେତନାର ସ୍ୱଚ୍ଛମୁକୁର ଭାବରେ ଗଳ୍ପଟିର ସାଫଲ୍ୟ ଅତୁଳନୀୟ । ସ୍ଥଳ ବିଶେଷରେ ଗାଳ୍ପିକଙ୍କର ଭାବାବେଗ ମାତ୍ରାଧିକ୍ୟ ବୋଧ ହେଉଥିଲେ ମଧ୍ୟ ଗଳ୍ପର ବାସ୍ତବତାକୁ ଏହା ହ୍ରାସ କରିପାରି ନାହିଁ । ବରଂ ନିର୍ଯ୍ୟାତିତ ଶତାବ୍ଦୀର ମର୍ମବେଦନା, ଏଥିମଧ୍ୟରେ ପୁଙ୍ଖାନୁପୁଙ୍ଖଭାବେ ପର୍ଯ୍ୟବେଷିତ । ଜୀବନର ସୂକ୍ଷ୍ମ ସ୍ଥୂଳ ଦିଗର ଆଲୋଡ଼ନରେ କଥାକାରଙ୍କର ବୌଦ୍ଧିକ ଦୃଷ୍ଟିଭଙ୍ଗୀ, ନିର୍ବାଚନ ଓ ପରିହାର କଳା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଫାଙ୍କା ଆଦର୍ଶର ଆବର୍ଜନା ମଧ୍ୟରୁ ଜୀବନର ବାସ୍ତବ ସୁଗନ୍ଧ ଅନ୍ୱେଷଣ କରିବା ପାଇଁ ଲେଖକଙ୍କର ଅନ୍ତର୍ଦୃଷ୍ଟି ଜଗତ ପକ୍ଷରେ ଏକ ଚେତାବନୀ । ସୁତରାଂ କାର୍ଯ୍ୟକରଣ ସମ୍ବନ୍ଧନିଷ୍ଠ ଆଗାମୀ ଦୁନିଆ ଲାଗି ‘ରୁଟି ଓ ଚନ୍ଦ’ କେବଳ ସମସ୍ୟା ନୁହେଁ, ସମସ୍ୟାର ଉପଯୁକ୍ତ ସମାଧାନ ମଧ୍ୟ ।

 

‘‘ରୁଟି ଓ ଚନ୍ଦ୍ର’’ଠାରୁ ଅଣ୍ଡରଗ୍ରାଉଣ୍ଡର ସ୍ୱର ଟିକିଏ ପୃଥକ୍‌ । ଅନ୍ଧ ବସ୍ତୁତାନ୍ତ୍ରିକତାର ମାୟାମୁଗ୍‌ଧ ଶ୍ୟାମଳ, ବିନୋଦ ଓ ଲଳିତା ଚରିତ୍ରକୁ ଆଶ୍ରୟ କରି ବନ୍ଧ୍ୟା ଧରଣୀର ନିଷ୍ଫଳ ଶୋଭାଯାତ୍ରା, ଗଳ୍ପଟି ମଧ୍ୟରେ ପ୍ରକାଶଲାଭ କରିଛି । ଉଗ୍ର ସାମ୍ୟବାଦ ନାମରେ ଚାଲିଥିବା ବିପ୍ଳବ ଓ ଧ୍ୱଂସକ୍ରିୟା, କର୍ମୀ-କର୍ମିଣୀଙ୍କର ନିରୁଦ୍ଧ ଜୀବନର ଗୋଟାଏ ଅହେତୁକ ମୋହ ବା ଆସଙ୍ଗଲିପ୍‌ସାର ଗୋଟାଏ ପ୍ରଚ୍ଛନ୍ନ ଅଭିନୟ ମାତ୍ର । ଲଳିତା ପାଇଁ ଶ୍ୟାମଳର ଅବଶୋଷ ବିପ୍ଳବର ପୂର୍ଣ୍ଣତାରେ ନୁହେଁ; ଦୁଇଟି ସ୍ୱପ୍ନାଚ୍ଛନ୍ନ ଆଖିର ମୂକ ବିହ୍ୱଳ ଭାଷାରେ ବା ଲଳିତାର ଶଙ୍ଖଧବଳ ଗ୍ରୀବାର ପୀଡ଼ନରେ ହୁଏତ ପୂର୍ଣ୍ଣ ହୋଇପାରେ । କମ୍ପିତ କରରେ କମ୍ରେଡ଼୍‌ ଲଳିତାଙ୍କ ହାତରୁ ଚା’ ନେବାରେ ଶ୍ୟାମଳ ମନର ଏ ଦୁର୍ବଳତା ସୁସ୍ପଷ୍ଟ ।

 

ଗଳ୍ପ ଆରମ୍ଭର ଅସଂଲଗ୍ନ ସହରୀ ପରିବେଶ ମଧ୍ୟରେ ଯେପରି ଏକ ସାଧାରଣ ଅର୍ଥ ନିହିତ, ଶ୍ୟାମଳର ଭଙ୍ଗାରୁଜା ଆଦର୍ଶ, ହିଂସ୍ରତା ଓ ଚାଞ୍ଚଲ୍ୟ ମଧ୍ୟରେ ତା’ ଚରିତ୍ର ବିକାଶର ସେହିପରି ଏକ ସାଧାରଣ ରହସ୍ୟ ଅବଗୋପିତ । ବୈପ୍ଳିବିକ ସିଦ୍ଧାନ୍ତର ମୁଖାତଳୁ ଶ୍ୟାମଳ, ବିନୋଦ ଓ ଲଳିତାର ରୁଦ୍ଧଜୈବିକତା ଚିତ୍କାର କରୁଛି । ତନୁ ଖୋଜିଛି ତନୁର ଆଶ୍ଳେଷ । ମହମବତୀର ସ୍ନିଗ୍‌ଧ ଆଲୋକରେ ‘ହାମ୍‌ଲେଟ୍‌’ର ଯେତେ ବ୍ୟାଖ୍ୟା ଦେଲେ ମଧ୍ୟ ଅନ୍ଧାର ଭିତରୁ ଆଲୋକର ସତ୍ୟତାହିଁ ପ୍ରକାଶ ପାଉଛି । ଶ୍ୟାମଳର ପ୍ରକାଶ୍ୟ-ଅପ୍ରକାଶ୍ୟ ବେଦନା ମଧ୍ୟରେ ବିନୋଦର ‘ଅଥେଲୋ’–ସମ୍ବଳ ପ୍ରବଞ୍ଚନା ମଧ୍ୟରେ, ବା ଲଳିତାର ଲୀଳାଚଞ୍ଚଳ ବିପ୍ଳବ ବହ୍ନିରେ, ବୁଭୁକ୍ଷୁ ଅବଚେତନର ଭୀଷଣ ରୂପଟା ଅଧିକ ଉଗ୍ର ହୋଇ ଉଠୁଛି । କେଉଁ ଅଳସ ଗୋଧୂଳିରେ ନିଜ ନିଜ ସମାଧି ଉପରେ ଲଳିତା ହସ୍ତର ଅପରାଜିତା ସ୍ତବକଟି ପାଇବାର ନୀରବ ରୋମାଣ୍ଟିକ୍‌ ପ୍ରବୃତ୍ତି, ଶ୍ୟାମଳକୁ ତାହାର ଆସ୍ଥାହୀନ ବିପ୍ଳବ ପଥକୁ ଟାଣିନେଇଛି । ତେଣୁ ମୃତ୍ୟୁଶଯ୍ୟାରେ ତାହାର ରିକ୍ତ ହୃଦୟ ଖୋଜିଛି ଲଳିତା ଆଖିର ଦୁଇବିନ୍ଦୁ ଛଳନାର ଅଶ୍ରୁ । ସୁବିଧାବାଦୀ ବିନୋଦ ବିପ୍ଳବର ପୃଷ୍ଠଭୂମିରୁ ମାର୍କସବାଦୀ ଆଦର୍ଶର ଶୁଷ୍କ ପାଣ୍ଡିତ୍ୟ ଝରାଇଛି । ରକ୍ତସ୍ନାନ ନିମନ୍ତେ ଅନ୍ୟମାନଙ୍କୁ ପ୍ରସ୍ତୁତ କରିବାରେ ଯେପରି ତା’ ଚରିତ୍ରର ସଫଳତା । ଅପରିପାକ ରାଜନୈତିକ ଆଦର୍ଶର ଅଗ୍ନିମାନ୍ଦ୍ୟରେ ପୀଡ଼ିତ ତରୁଣ ମନର ଯୌନଲିପ୍‌ସାରେ ଆଉ ଏକ ଅଣ୍ଡର୍‍ଗ୍ରାଉଣ୍ଡ ଗଢ଼ିଉଠିଛି କମ୍ରେଡ଼ମାନଙ୍କ ମନଗହନରେ । ସେ ଅଣ୍ଡର୍‍ଗ୍ରାଉଣ୍ଡର ମନସ୍ତାତ୍ତ୍ୱିକ ଆଲୋଡ଼ନରେ ବିପ୍ଳବର ଏ ପ୍ରତାରଣା କେଡ଼େ ଅବାନ୍ତର, ତାହାହିଁ ଗଳ୍ପର ମଧ୍ୟବିନ୍ଦୁରେ ଉତ୍କୀର୍ଣ୍ଣ ।

 

ଶ୍ୟାମଳର ମାନସିକ ଚିତ୍ର ମାଧ୍ୟମରେ ଲେଖକଙ୍କର ପ୍ରଚାରଧର୍ମିତା ପ୍ରବଳଭାବେ ଆତ୍ମପ୍ରକାଶ କରିଛି । ଯଥାସମ୍ଭବ ସତର୍କତା ଅବଲମ୍ବନ କରି ସେ ଏହାକୁ ଚରିତ୍ରୋପଯୋଗୀ ଚେଷ୍ଟା କରିଛନ୍ତି । ତାଙ୍କର ପ୍ରଯତ୍ନ ସତ୍ତ୍ୱେ ଗଳ୍ପଟି ‘ରୁଟି ଓ ଚନ୍ଦ୍ର’ ଭଳି ସ୍ୱଭାବସୁନ୍ଦର ହୋଇପାରି ନାହିଁ । କିପରି ଏକ ଆୟାସଲବ୍‌ଧ କୃତ୍ରିମତା ଏହାକୁ ପ୍ରାଣହୀନ ଓ ମନ୍ଥର କରିଦେଇଛି । ଗଳ୍ପ ଶେଷରେ ଶ୍ୟାମଳର ମୃତ୍ୟୁ, ପୂର୍ବକଳ୍ପିତ ଓ ଯୋଜନାବଦ୍ଧ ହୋଇଥିବାରୁ ଏହା ପାଠକପାଠିକାର ସ୍ୱାଭାବିକ ସହାନୁଭୂତି ଦାବୀ କରେ ନାହିଁ । ତେଣୁ ‘କାଳିମାଟି’ ବା ‘ପତାକା ଉତ୍ତୋଳନ’ର ବିୟୋଗନ୍ତକ ବାତାବରଣ ଏ ଗଳ୍ପରେ ତିରୋହିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

‘ରୁଟି ଓ ଚନ୍ଦ୍ର’ ତଥା ‘ଅଣ୍ଡର୍‍ଗ୍ରାଉଣ୍ଡ’ର ଚାରିବର୍ଷ ପୂର୍ବରୁ ୧୯୪୪ରେ ‘ବାଲି’ ଗଳ୍ପ ଲିଖିତ । ଦିନ ମଜୁରୀଆ ନରି ପଧାନର ଆକସ୍ମିକ ମୃତ୍ୟୁର ଅସହାୟତା, ଗଳ୍ପ ମଧ୍ୟରେ ପ୍ରକାଶ ପାଇଛି । ସରଳ ଶୈଳୀରେ ଲିଖିତ ଗଳ୍ପଟିରେ ବିଶେଷ କିଛି ନୂତନତା ଲକ୍ଷ୍ୟ କରାଯାଏ ନାହିଁ । ଖଟିଖିଆ ଜୀବନର ମୌନ ପ୍ରତିକ୍ରିୟା ଭିତରେ ସାମ୍ୟବାଦୀ ଦର୍ଶନ, ଅତ୍ୟନ୍ତ ନଗ୍ନ ଓ ବୈଚିତ୍ୟହୀନ ଭାବରେ ରୂପ ନେଇଛି । ତେଣୁ ନରି ହୃଦୟର ବିଦ୍ରୋହର ଉତ୍ତାପ ନାହିଁ । ବୌଦ୍ଧିକ ପରିପାଟିବିହୀନ ଏ ଗଳ୍ପଟି ବର୍ଣ୍ଣନାପ୍ରଧାନ ହୋଇଥିବାରୁ ପରିବେଷଣ-ଚାତୁରୀ ବା ଚରିତ୍ର ଚିତ୍ରଣରେ କୌଣସି ବିଶେଷତ୍ୱ ନାହିଁ ।

 

‘ବାଲି’ ଗଳ୍ପର ଦୁଇବର୍ଷ ପରେ ଲିଖିତ ‘ବେଲୁନ’ ଆଧୁନିକ ଗଦ୍ୟକବିତା ବା ଆଭାସ ଗଳ୍ପ ସହିତ ତୁଳନୀୟ । ଧାରାବାହିକ ଅର୍ଥରେ ଗଳ୍ପର ଉପାଦାନ ଏଥିରେ ରକ୍ଷିତ ହୋଇ ନାହିଁ । ପ୍ରକାଶଭଙ୍ଗୀରେ ବ୍ୟକ୍ତିକେନ୍ଦ୍ରିକତା, ବିଶେଷଭାବେ ଲକ୍ଷଣୀୟ । ଲେଖକ ମନର ଆପତତଃ ଅସଂପୃକ୍ତ ଚିନ୍ତା ଉପରେ ଗଳ୍ପଟି ଆଧାରିତ । ଜୀବନ ଯୌବନର ଦାର୍ଶନିକ ସଞ୍ଚାର ଭିତରେ ‘ବେଲୁନ୍‌’ ଏକ ଚିରନ୍ତନ ପ୍ରତୀକ । ଏହାରି ତଳେ ରୁନ୍ଧିହୋଇ ରହିଛି ବହୁ ଦାର୍ଶନିକର ଆତ୍ମା ବା ମନୋବିଜ୍ଞାନୀ ପାଭେଲ୍‌ଙ୍କର (Conditioned reflen) ବା ‘‘ଅଭ୍ୟାସଜନିତ ଖୋଇ’’ର ବିଚିତ୍ର ବିଚାର । ମନଗହୀରର ଅସୁମାରୀ ତରଙ୍ଗକୁ ସଂଶ୍ଳିଷ୍ଟ କରି ତାହା ମାଧ୍ୟମରେ ଜୀବନର ଏକ ସ୍ପଷ୍ଟ ଧାରା ଦର୍ଶାଇବାକୁ ଲେଖକ ଗଳ୍ପ ଆରମ୍ଭରୁ ବ୍ୟଗ୍ର ଥିବା ପରି ମନେହୁଏ । ତେଣୁ ଲେଖକଙ୍କର ତରୁଣସୁଲଭ ଆବେଗ କିମ୍ବା ପ୍ରୌଢ଼ସୁଲଭ ବିଚାରବୁଦ୍ଧି, ଯେ କୌଣସି ଦିଗର ପର୍ଯ୍ୟାଲୋଚନା କଲେ ମଧ୍ୟ ସେଥିଭିତରେ ଜଟିଳ ମନସ୍ତତ୍ତ୍ୱବାଦୀର ଗୂଢ଼ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିବା ପରି ବୋଧହୁଏ ।

 

ସ୍ଥୂଳତଃ, ପ୍ରତୀକବାଦୀ ଏ ଗଳ୍ପଟିରେ ‘‘ସ୍ୱପ୍ନର କଲ୍ୟାଣୀ ଯଦି ତୃଷ୍ଣା, ବାସ୍ତବର କଲ୍ୟାଣୀ ଜଳ ।’’ ତାସର ପ୍ରାସାଦ ପରି ଭାଙ୍ଗିପଡ଼ୁଥିବା ଜୀବନବୋଧର ଆଶାଆକାଙ୍‌କ୍ଷା ମଧ୍ୟରେ ଏ ତୃଷ୍ଣା ଓ ଜଳକୁ ଅସ୍ୱୀକାର କରିହୁଏ ନାହିଁ; କାରଣ ଜୀବନ କହିଲେ ଯାହା ବୁଝାଯାଏ, ତାହାର ପ୍ରାରମ୍ଭ ବୋଧହୁଏ ଏହି ତୃଷ୍ଣା ଓ ଜଳର ବ୍ୟବଧାନ ମଧ୍ୟରୁ ।

 

ମନସ୍ତାତ୍ତ୍ୱିକ ସୂକ୍ଷ୍ମତା ଓ ବୌଦ୍ଧିକ ତୀର୍ଯକତା ଦୃଷ୍ଟିରୁ ‘‘ବେଲୁନ’’ ଗଳ୍ପକୁ ଆଭାସଚିତ୍ର କହିବା, ଅଧିକ ସମୀଚୀନ । ଆଭାସଚିତ୍ରର ଜଟିଳ ସଙ୍କେତ ଯୋଗୁଁ ଏହା ସାଧାରଣରେ ଦୁର୍ବୋଧ୍ୟ ଓ ଅନୁପଭୋଗ୍ୟ । କାହାଣୀ ଭାଗର ଅଭାବ ହେତୁ ସାଧାରଣ ପାଠକପାଠିକା, ଗଳ୍ପଗଠନରେ କ୍ଳାନ୍ତି ଅନୁଭବ କରିବା ବିଚିତ୍ର ନୁହେଁ ।

 

‘‘ବେଲୁନ୍‌’’ର ଛ’ବର୍ଷ ପରେ ଲିଖିତ ‘ସାଙ୍ଗ୍‍ରିଲା’ ଓଡ଼ିଆ ସାହିତ୍ୟରେ ଏକ ଅପୂର୍ବ ସୃଷ୍ଟି-। ଅମିତାଭ, ଅଶୋକ, ସୁରଜିତ୍‌, ସୁକାନ୍ତ ଓ ରାଧାକୁ ଘେନି ଏହାର କଳ୍ପନା । ‘‘ବୁଦ୍ଧିଜୀବୀ ନିମ୍ନବିତ୍ତର ଜୀବନ୍ତ ସମାଧି’’ ଉପରେ ଶତାବ୍ଦୀର ଘାସଫୁଲ ଏ ସାଙ୍ଗ୍‍ରିଲା....ଶିଳ୍ପକଳାରେ ଅତୁଳନୀୟ, ସ୍ୱଚ୍ଛନ୍ଦ, ବାସ୍ତବ ଓ ଉପଭୋଗ୍ୟ । ଅବସରପ୍ରାପ୍ତ ଦର୍ଶନ ଅଧ୍ୟାପକଙ୍କର ଶିଉଳିବସା କୋଠାରୁ ଆରମ୍ଭ କରି ଥାନାହାଜତ୍‌ ଯାଏ ଲମ୍ବିଯାଇଛି ଏ ଗଣଅନୁଷ୍ଠାନର ପରିସର । ଅଶୋକର ସଂଗୀତ ସାଧନା, ସୁରଜିତ୍‌ର ମଶକସଂହାର, ସୁକାନ୍ତର ଦର୍ଶନଚର୍ଚ୍ଚା ଓ ଗାଁ’ ନାଚଆଖଡ଼ାର ଏକଦା ରାଣୀ ରାଧାର ପୁରୁଷତ୍ୱ ଉପରେ ନାରୀତ୍ୱର ଏକ ସଯତ୍ନ ଆରୋପ ପରି ସବୁକିଛି ଏହାର ବିଚିତ୍ର ଓ କୌତୁହଳଜନକ । ସବୁଠିଁ ବାକୀ, ଅଥଚ ସମସ୍ତେ ନିଶ୍ଚିନ୍ତ, ସମସ୍ତେ ଯେପରି ନବାବ ଓ୍ୱାଜିଦ୍‌ ଅଲ୍ଲୀ ସା’ଙ୍କର ଗୋଟିଏ ଗୋଟିଏ ନାତି ।’’ ଭଙ୍ଗା ସାଇକେଲ୍‌ର ବେଲ୍‌ ବଜାଇ ସକାଳୁ ସକାଳୁ ରାଧାକୁ ଡାକରା ପଡ଼େ । ‘‘ବେଡ଼-ଟି’’ ନ ହେଲେ ଶଯ୍ୟାତ୍ୟାଗ ହୁଏନା । ବାକୀ ଆଦାୟ କରିବା ପାଇଁ ସମସ୍ତେ ଆସନ୍ତି–ପ୍ରଥମେ ଦର୍ଶନ ଅଧ୍ୟାପକ, ତାଙ୍କ ପଛରେ ଖଇରାତୀ ଖାଁ, ତା’ପଛକୁ ନଜିର୍‌ ମିଆଁ, ତା’ପଛକୁ କୀଣୁ ସାହୁ । ଅମିତାଭର ସ୍କାଉଟ୍‌ ହୁଇସିଲ୍‌ରେ ଗଣମେସ୍‌ ସାଙ୍ଗରିଲାରେ ଆତ୍ମରକ୍ଷା ପର୍ବ ଆରମ୍ଭ ହୋଇଯାଏ । ସାଇରେନ୍‌ ଶୁଣୁ ଶୁଣୁ ଖଟତଳେ ଲେପଟି ପଡ଼ିବାରେ ସମସ୍ତେ ସୁଶିକ୍ଷିତ । ତାହାପରେ ରାଧାର ଚଢ଼ାଗଳାରେ କର୍କଶ ସ୍ୱରରେ ସମସ୍ତେ ଛତ୍ରଭଙ୍ଗ ଦେଇ ପଳାଇଯାଆନ୍ତି । ପୁଣି ‘ଅଲ୍‌ କ୍ଳିୟର୍‌’ର ହୁଇସିଲ୍‌ ପରେ ସାଙ୍ଗ୍‍ରିଲାରେ ପୁରୁଣା ଜୀବନ ଫେରିଆସେ ।

 

ଉକ୍ତ ନିତ୍ୟନୈମିତ୍ତିକ ନାଟକୀୟତା ଭିତରେ ଅଶୋକ, ଅମିତାଭ ଇତ୍ୟାଦିଙ୍କର ସଂସାର ଆଖିରୁ ଲୁଚିବୁଲିବାର ପ୍ରାୟାସ ଯେତିକି ହସ୍ୟୋଦ୍ଦୀପକ, ସେତିକି କରୁଣ । ବଞ୍ଚିରହିବାର ଏ ନୂତନ ମୋଡ଼ରେ, ସେମାନଙ୍କର ଆବିଷ୍କାର, ଉଦ୍‌ଭାବନ ଓ ଅବସ୍ଥାନ୍ତର ସହିତ ସାଲିସ୍‌; ଜୀବନ ସଂଘର୍ଷର ଅପୂର୍ବ ମୂଲ୍ୟବୋଧରେ ରସାଣିତ । ଏକ ପକ୍ଷରେ ଖେୟାଲ୍‌ର ବିଳମ୍ବିତ ଆଳାପ ଅସଙ୍ଗକୁ ପ୍ଳେଟୋ ଓ ସୋଫେନ୍‌ ହାଓ୍ୱାର୍‌ଙ୍କ ଦର୍ଶନ ଓ ଅନ୍ୟପକ୍ଷରେ ଦାରିଦ୍ର୍ୟର ସନ୍ତର୍ପିତ ସଂଗ୍ରାମ ସଙ୍ଗକୁ ସାରିଙ୍ଗ୍‍ରାରିଲାର ଭୃତ୍ୟ, ସୂପକାର ଓ ଦରଦୀ ବନ୍ଧୁ ରାଧାଚରିତ୍ରର ବୈଚିତ୍ର୍ୟ ବିଶେଷ ଉପଭୋଗ୍ୟ-। କଥାବସ୍ତୁ ଓ ଚାରିତ୍ରିକ ମୌଳିକତା ସଂପାଦନରେ ଏ ସମସ୍ତର ଅବଦାନ ଉଲ୍ଲେଖଯୋଗ୍ୟ । ଓଟମାର୍କା ସିଗାରେଟ୍‌ କଂପାନୀର ଏଜେଣ୍ଟ୍‌ ଚରିତ୍ର ବା ‘ନୋ-କ୍ରେଡ଼ିଟ୍‌’ ଚା’ ଦୋକାନର ଆବ୍‌ହାଓ୍ୱା ଚିତ୍ରଣରେ, ଲେଖକଙ୍କର ଶିଳ୍ପ-ଚାତୁରୀ ଅତୁଳନୀୟ । ଦଶ ନମ୍ବର କପଡ଼ାବାଲା ଲେନ୍‌ର ପଳାତକ ଜାମାତାକୁ ଖୋଜି ବାହାର କରିବା ନିମନ୍ତେ ଅମିତାଭ ଯେଉଁ ଯୋଜନା ଆରମ୍ଭ କରିଛି, ତାହାର ଭିତ୍ତିପାତ ହୋଇଛି ବସ୍ତି ଅଞ୍ଚଳର ଏହି ‘ନୋ-କ୍ରେଡ଼ିଟ’ ଚା’ ଦୋକାନରୁ । ସାଙ୍ଗ୍‍ରିଲାର ଭବିଷ୍ୟତ, ବା ହାଜତ୍‌ ଭିତରର ସାଙ୍ଗ୍‍ରିଲା, ଏହାରି ଉପରେ ନିର୍ଭରଶୀଳ । ଗଳ୍ପର ପରିସ୍ଥିତି ସଂଯୋଜନାରେ ଗାଳ୍ପିକଙ୍କର ଉଦ୍‌ଭାବନୀ ଶକ୍ତି, ଅନନ୍ୟ ସାଧାରଣ-। ପ୍ରତିପାଦ୍ୟ ବିଷୟବସ୍ତୁକୁ ଅନୁସରଣ କରି ଚାରିତ୍ରିକ ଗତିବିଧିର ସଂଗତ ଓ ସୂକ୍ଷ୍ମାନୁସୂକ୍ଷ୍ମ ରୂପ ପରିବେଷଣରେ ସେ ଯେଉଁ ଦକ୍ଷତାର ପରିଚୟ ଦେଇଛନ୍ତି, ତାହା ଗଳ୍ପରେ ବାସ୍ତବତା ଓ ସ୍ୱାଭାବିକତା ସୃଷ୍ଟି କରିବାରେ ଦାୟୀ । ମହାନଗରୀର ଜନସ୍ରୋତରେ ବା ନିର୍ଜନ ପାର୍କର ନିସ୍ତବ୍‌ଧ କୋଣରେ ପଳାତକ ଜାମାତାଙ୍କୁ ଅନ୍ୱେଷଣ କରିବାର ଦୃଶ୍ୟଟି ହାସ୍ୟରସାତ୍ମକ ହେଲେ ମଧ୍ୟ ଅତିନାଟକୀୟତାରେ ଭାରାକ୍ରାନ୍ତ । ସେହିପରି ପଳାତକ ଜାମାତା ଜ୍ଞାନରେ ଧରା ହୋଇଥିବା ଅଜ୍ଞାତ ବ୍ୟକ୍ତିଟିର ଚରିତ୍ରରେ ସେପରି କିଛି ନୂତନତା ଲକ୍ଷ୍ୟ କରିହୁଏ ନାହିଁ । ଆଦିମ ସାଙ୍ଗ୍‍ରିଲା ଛାଡ଼ି ନୂତନ ସାଙ୍ଗ୍‍ରିଲାକୁ ଯିବା ପଥରେ ଏହା ଯେପରି ଏକ ଉପାୟ ବା ବ୍ୟକ୍ତିସଂଯୋଗ । ଅତଏବ ଗଳ୍ପଟିରେ ଶେଷ ତୁଳି ଦେବାକୁ ଏ ଚରିତ୍ରଟି ସହାୟକ । ଏହା ଭିନ୍ନ, ନିମ୍ନବିତ୍ତର ଅତୀତ ଓ ବର୍ତ୍ତମାନର ସାଙ୍ଗ୍‍ରିଲାକୁ ଏହାର ଦାନ ଅତ୍ୟନ୍ତ ନଗଣ୍ୟ ।

 

ଗଳ୍ପଟିର ଉପସ୍ଥାପନା ରୀତିରେ ଅନ୍ୟ ସମସ୍ତ ଚରିତ୍ର, ପ୍ରାଚୁର୍ଯ୍ୟପୂର୍ଣ୍ଣ । ରକ୍ତମାଂସର ଦେହ ଧରି ସେମାନେ ପାଠକପାଠିକାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତି । ସେମାନଙ୍କର କ୍ରିୟାକୁଶଳତା ଓ ଚପଳତାରେ ଗଳ୍ପର ପ୍ରବାହ ଚିରଚଞ୍ଚଳ । ସାଙ୍ଗ୍‍ରିଲାର ଅଙ୍ଗ ଓ ଆତ୍ମାକୁ ଆଖିରେ ଦେଖି ହୁଏ ଓ ହୃଦୟରେ ଅନୁଭବ କରିହୁଏ । ତାହାର ପ୍ରତି ତନ୍ତ୍ରୀରେ ଆଧୁନିକତାର ବିଭଙ୍ଗ ମୂର୍ଚ୍ଛନା ବା ସ୍ଥିତିସ୍ଥାପନା ପାଇଁ କଠୋର ସଂଗ୍ରାମର ସୂଚନା ଫୁଟିଉଠେ ।

 

‘ସ୍ୱପ୍ନରେ ମନ୍ଦୋଦରୀ’ ଆଧୁନିକ ଉପନ୍ୟାସ-ସାହିତ୍ୟ ଉପରେ ଏକ ତୀର୍ଯ୍ୟକ ଦୃଷ୍ଟିପାତର ଫଳ । ହାସ୍ୟ, ବ୍ୟଙ୍ଗ ଓ ବକ୍ରୋକ୍ତିରେ ଏହା ଶାଣିତ ତଥା ସଂଗଠନଧର୍ମୀ । ଲେଖକ ଅବାନ୍ତର ଆଧୁନିକତା ବା ରକ୍ଷଣଶୀଳ ପ୍ରାଚୀନତାର ପକ୍ଷପାତୀ ନୁହନ୍ତି । ସାହିତ୍ୟ-ସେବା ନାମରେ ଚାଲିଥିବା ବ୍ୟବସାୟୀ ମନୋଭାବ ବା ‘ଉପନ୍ୟାସ ଇଣ୍ଡଷ୍ଟ୍ରୀ’, ସାହିତ୍ୟିକ ପ୍ରଗତି ପାଇଁ ଯେ ସହାୟକ ନୁହେଁ, ତାହା ସେ ପ୍ରାଣେ ପ୍ରାଣେ ଅନୁଭବ କରିଛନ୍ତି ତାଙ୍କର ଏହି ଅନୁଭୂତି, ଔପନ୍ୟାସିକ ଶ୍ୟାମଚରଣ ଓ କବି ଶ୍ରୀକାନ୍ତ ଜରିଆରେ ପ୍ରକାଶ ପାଇଛି । ଶସ୍ତା ସ୍ରଷ୍ଟାର ଅଜବ୍‌ କଳ୍ପନା ଓ ହାସ୍ୟୋଦ୍ଦୀପକ ଆତ୍ମପ୍ରସାଦ ବିରୁଦ୍ଧରେ ଶ୍ୟାମଚରଣ ଏକ ଶ୍ଳେଷୋକ୍ତି । ତାଙ୍କ ଭିତରେ ଏ ଯୁଗର ଯଶ କାଙ୍ଗାଳ ମନୋବୃତ୍ତିର ଶସ୍ତା ସାହିତ୍ୟିକ ଦମ୍ଭ ସତେ ଯେପରି ରୁନ୍ଧି ହୋଇ ରହିଛି । ଆତ୍ମନିଷ୍ଠା ବା ଆତ୍ମରୁଚି ବୟାନ କରିବାକୁ ଯାଇ ସେ ନିଜେହିଁ ନିଜର ବା ଯୁଗରୁଚିରେ ଦେଖାଦେଇଥିବା ଏ ଦୁର୍ବଳତାର ସମାଲୋଚକ ସାଜିଛନ୍ତି । ତାଙ୍କ ସୃଷ୍ଟି ସବ୍ୟସାଚୀ ଓ ମନ୍ଦୋଦରୀ ଏ ସମାଲୋଚନାରେ ଦୁଇଟି ଶାଣିତ ଶର । ଉକ୍ତ ଶର ସଂଯୋଗରେ ବିକ୍ଷତ ଶତାବ୍ଦୀର ପ୍ରେମ ଓ ପ୍ରୟୋଜନ, ପରମ୍ପରାର ପରୀକ୍ଷା-ନିରୀକ୍ଷା, ସଂଶୟ ଓ ସମସ୍ୟା ପ୍ରଭୃତିର ରକ୍ତାକ୍ତ ଚିତ୍ର, ପାଠକର ଦୃଷ୍ଟି ଆକର୍ଷଣ କରିଥାଏ ।

 

H. G. Wellsଙ୍କ ପରି, ଗାଳ୍ପିକ ସୁରେନ୍ଦ୍ର ଏକାଧିକ ସ୍ଥଳରେ ସ୍ୱୀକାର କରିଛନ୍ତି ଯେ ଏ ଯୁଗରେ ଉପନ୍ୟାସର ବାର୍ତ୍ତା ସ୍ୱତନ୍ତ୍ର । ପ୍ରାଚୀନତାର ରସବିଚାର, ଋତୁବର୍ଣ୍ଣନା ବା ଚନ୍ଦ୍ରଚାଳନା ମଧ୍ୟରେ ଏହା ଆବଦ୍ଧ ରହିପାରିବ ନାହିଁ । ବିବରଣୀ ଅପେକ୍ଷା ଉପଦ୍ରୁତ ଶତାବ୍ଦୀର ସନ୍ଦେହ, ସଂଶୟ, ପରୀକ୍ଷା ଓ ପ୍ରୟୋଗରେ ଏହା ଜ୍ୱାଳାମୟ ହେବ । ଯୁଗୋଚିତ ଜୈବିକ ନୀତିର ଫର୍ମୁଲାରେ ବ୍ୟବଚ୍ଛିନ୍ନ ଆତ୍ମାର ସେ ପୂର୍ବ ଚିରନ୍ତନତା ଓ ଆଧ୍ୟାତ୍ମିକ ଗୁରୁତ୍ୱ, ଏ ଯୁଗରେ ବିରଳ । ତେଣୁ ପ୍ରେମରେ ଚିରନ୍ତନତା ବା ପବିତ୍ର ବନ୍ଧନ ଖୋଜିବା ଅବାନ୍ତର । ଯୁଗରୁଚିରେ ପ୍ରେମ ଗୋଟାଏ ପଲିସ୍‌ । ଏହା ‘ହୋଲ୍‌ଟାଇମ୍‌ ଜବ୍‌’ ନୁହେଁ; ମୁହୂର୍ତ୍ତର ଆବଶ୍ୟକତାରୁ ଏହାର ଜନ୍ମ । ସୁତରାଂ ମନୋବିଜ୍ଞାନୀର ପ୍ରବୃତ୍ତି ବା ‘ଲିବିଡ଼ୋ’କୁ ଉପେକ୍ଷା କରି ଏହାର କଳ୍ପନା କରାଯାଇପାରେ ନାହିଁ ।

 

ଶ୍ୟାମଚରଣଙ୍କର ଆଠଗୋଟି ସନ୍ତାନର ମଲ୍ଲଯୁଦ୍ଧ ଭିତରେ ଗଳ୍ପଟିର ପରିସମାପ୍ତି ଘଟିଥିଲେ ମଧ୍ୟ ତାଙ୍କ ରଚିତ ସବ୍ୟସାଚୀ ଓ ମନ୍ଦୋଦରୀ, ଲେଖକଙ୍କର ଉଦ୍ଦେଶ୍ୟସିଦ୍ଧିରେ ସଂପୂର୍ଣ୍ଣ ସହାୟତା କରିଅଛନ୍ତି । ତେଣୁ ଶ୍ୟାମଚରଣଙ୍କର ଅସମାପ୍ତ ସ୍ୱପ୍ନ ଭିତରେ ସାମୟିକୀର ବାର୍ତ୍ତା ଅସଂପୂର୍ଣ୍ଣ ନୁହେଁ । ଗଳ୍ପଟି ଅନେକ ଦୃଷ୍ଟିରୁ ସରସ ଓ ଉପଭୋଗ୍ୟ ।

 

‘ଭଗ୍ନଦୂତ ଗଳ୍ପଟି ତା ୨୭।୯।୧୯୪୯ରେ କଟକ ବେତାରକେନ୍ଦ୍ରରୁ ପ୍ରଚାରିତ ହୋଇଥିଲା । ହୀବ୍ରୁ ଇତିହାସର ଏହା ଏକ ନିଖୁଣ ଅଧ୍ୟାୟ । ଐତିହାସିକ ଅନୁସନ୍ଧିତ୍ସା ଓ ଗାଳ୍ପିକର ସଂଯମ ମଧ୍ୟରେ ଇତିହାସର ମୁକ ପୃଷ୍ଠା ଏଥିମଧ୍ୟରେ ମୁଖର ହୋଇ ଉଠିଛି । ଅପୂର୍ବ ଆବେଶରେ ପାଠକ ଏଠି ନିଜକୁ ହଜାଇଦିଏ ଖ୍ରୀ: ପୂ: ୨୦୦୦ ବର୍ଷ ତଳର ମିଶର ଦେଶୀୟ ମରୁଭୂମିରେ ବା ‘ଫାରାଓ’ମାନଙ୍କର ପିରାମିଡ଼୍‌ତଳେ ।

 

ପଳାତକ ହୀବ୍ରୁ ‘ମୋସେସ୍‌’ର କାତର ଜିଜ୍ଞାସା ମଧ୍ୟରେ, ମଣିଷ-ମଣିଷ ଭିତରେ ଥିବା ପାର୍ଥକ୍ୟ ପାଇଁ, ଗଭୀର ଆକୁଳତା ପ୍ରକାଶ ପାଇଛି । ଜିହୋବାଙ୍କର ଆଦେଶ ପରି ବୃଦ୍ଧ ହୀବ୍ରୁନେତାର ଆଦେଶ, ଭୀତ ହୀବ୍ରୁମାନଙ୍କୁ ନୂତନ ପ୍ରେରଣା ଯୋଗାଇଛି । ଉକ୍ତ ପ୍ରେରଣାରେ ବଳୀୟାନ ହେଇ ସେମାନେ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଛନ୍ତି । ବଞ୍ଚିବା ପାଇଁ ସଂଗ୍ରାମର ଚିରନ୍ତନ ଯୋଗ୍ୟତାକୁ ଲେଖକ ଗଳ୍ପର ମୌଳିକ ଉଦ୍ଦେଶ୍ୟରୂପେ ଉପସ୍ଥାପନା କରିଛନ୍ତି ଏବଂ ମୋସେସ୍‌ ଓ ତାଙ୍କର ଅନୁଚରମାନଙ୍କର ଚରିତ୍ରର ଏହାହିଁ ବିଶେଷତ୍ୱ । କ୍ଳାନ୍ତି ଓ ମୃତ୍ୟୁ ପୂର୍ବର ଅବସନ୍ନତାରେ ବୃଦ୍ଧଙ୍କର ଚକ୍ଷୁ ମୁଦ୍ରିତ ହୋଇ ଆସୁଛି । ତଥାପି ‘ପାଲେଷ୍ଟାଇନ ଅଳ୍ପଦୂର’ କହି ଶାନ୍ତ ହୀବ୍ରୁଜାତିକୁ ଭାଗ୍ୟପରୀକ୍ଷା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି । ବୃଦ୍ଧଙ୍କର ଏ ଉତ୍ସାହପୂର୍ଣ୍ଣ ନିର୍ଦ୍ଦେଶ ମାନବତାର ଯାତ୍ରାପଥରେ ‘ଚରୈବତି’ ବା ‘ଆଗେଇ ଚାଲ୍‌’ର ଆହ୍ୱାନ ଭଳି ମୁଗ୍‌ଧମଧୁର ଓ ଭାବଗମ୍ଭୀର । ଗଳ୍ପର କରୁଣ ଓ ଭାବବିହ୍ୱଳ ଆବେଷ୍ଟନୀ ମଧ୍ୟରେ ଲେଖକଙ୍କର ଜୀବନ ସିଦ୍ଧାନ୍ତ ସୁପ୍ରତିଷ୍ଠିତ । ସୁରେନ୍ଦ୍ରଙ୍କର ଐତିହାସିକ ଗଳ୍ପଗୁଡ଼ିକରେ କଳ୍ପନା ଓ ବାସ୍ତବତାର ଯେଉଁ ସୁଷମ ବିକାଶ ପରିଲକ୍ଷିତ ହୋଇଥାଏ, ତାହା ସଂଶିତ ଗଳ୍ପରେ ବିରଳ ନୁହେଁ ।

 

‘ରୁଟି ଓ ଚନ୍ଦ୍ର’ର ଶେଷ ଗଳ୍ପ ‘ନର୍ତ୍ତକୀ’, କଥାକାରଙ୍କର ରୋମାଣ୍ଟିକ୍‌ ପ୍ରବୃତ୍ତିର ଏକ ଅକ୍ଷୟ ଅଭିଲେଖ । ଶିଳ୍ପୀ ନଟବର ଓ ନର୍ତ୍ତକୀ ପୂର୍ଣ୍ଣିମାର ପ୍ରେମାବେଶକୁ ନେଇ ଗଳ୍ପଟି ଗଢ଼ିଉଠେ-। ଲିଙ୍ଗରାଜ ମନ୍ଦିରର ସନ୍ଧ୍ୟାଆରତି ପରେ ତରୁଣୀ ପୂର୍ଣ୍ଣିମା ତାହାର ନାରୀମନର ଦୁର୍ବଳତାକୁ ଆବିଷ୍କାର କରେ । ତରୁଣ ବିନ୍ଧାଣି ନଟବର ପ୍ରତି ତା’ର ଅନୁରାଗକୁ ସେ ଅସ୍ୱୀକାର କରିପାରେନା-। ବଡ଼ପଣ୍ଡାଙ୍କ ଦୃଷ୍ଟିରେ ବ୍ୟଭିଚାର ବୋଲି ବିବେଚିତ ହୁଏ ତା’ର ଦେହ ଓ ମନର ଏହି ନିରୀହ ମମତା । ନୀତିନିୟମର ନିର୍ମମତା ଓ ଜୀବନର ସହଜ ସ୍ପନ୍ଦନକୁ ନେଇ ନଟବର ଓ ପୂର୍ଣ୍ଣିମାର ମନ ଭିତରେ ସଂଘର୍ଷର ଜାଲ ସୃଷ୍ଟି ହୁଏ । ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଆଦର୍ଶର ଶୁଷ୍କ ଭଣ୍ଡାମୀକୁ ଉପେକ୍ଷା କରି ସେ ଦୁହେଁ ଜୀବନର ଆକର୍ଷଣକୁ ମାନିନିଅନ୍ତି । ଜୀବନବାଦର ଭୂମିକାକୁ ଲେଖକ ଏ ସ୍ଥଳରେ ଦୃଢ଼ କରିବାକୁ ଚେଷ୍ଟିତ ଥିଲେ ମଧ୍ୟ ପୂର୍ଣ୍ଣିମାର ଆତ୍ମୋତ୍ସର୍ଗରେ ଏହା ଗତାନୁଗତିକ ଏବଂ ଶିଥିଳ ହୋଇ ପଡ଼ିଛି । ବାସ୍ତବ ସଂସାରର ଅନ୍ଧ ପରମ୍ପରାତଳେ ଏହା ଏକ ଦୁର୍ବଳ ଆତ୍ମସମର୍ପଣ । ଲେଖକ ତାଙ୍କ ସୃଷ୍ଟିର ଏହି ଦୁର୍ବଳତା କ୍ଷାଳନ କରିବାକୁ ଯାଇ ନଟବର ହସ୍ତରେ ପ୍ରେମମୟୀ ପୂର୍ଣ୍ଣିମାର ମୂର୍ତ୍ତି ଗଢ଼ାଇଛନ୍ତି । ମନ୍ଦିରଗାତ୍ରରେ ନର୍ତ୍ତକୀର ଜୀବନ୍ତ ରୂପ ଦର୍ଶନରେ ଯଯାତିଙ୍କର କ୍ରୋଧ ଓ ପରେ ପରେ ଶିଳ୍ପୀକୁ ଅଭିନନ୍ଦନ ଜଣାଇବା ଇତ୍ୟାଦିରେ ନଟବରର ଉକ୍ତି–‘‘ସୌନ୍ଦର୍ଯ୍ୟ ପାପ ନୁହେଁ ମହାରାଜ’’, ଜୀବନ ଓ କଳାର ଜୟଗାନ ପାଇଁ ଲେଖକଙ୍କର ଉଦ୍ଦେଶ୍ୟମୂଳକ ଚେଷ୍ଟାର ଫଳ ମାତ୍ର । ଏଥିମଧ୍ୟରେ ସଂସାରର ମଣିଷ, ଧର୍ମ ଓ ଆଦର୍ଶର ନାମ ଧରି ଜୀବନ ଓ ସତ୍ୟକୁ କିପରି ଭୁଲିଯାଇଛି, ତାହା ପ୍ରତି ଏକ କଟାକ୍ଷପାତ କରାଯାଇଛି । ରୋମାଣ୍ଟିକ୍‌ ଧାରାରେ ପ୍ରବାହିତ ହୋଇଥିବାରୁ ଲେଖକଙ୍କର ସଂସ୍କାରସ୍ପୃହା ବା ମନୁଷ୍ୟଗଢ଼ା ନୀତିନିୟମ ପ୍ରତି ଆକ୍ଷେପ ମଧ୍ୟରେ ଶୀତଳ ସମ୍ବେଦନା ଓ କରୁଣ ସହାନୁଭୂତିର ମାତ୍ରା ପ୍ରାୟ ଅଧିକ । ସୁତରାଂ ପ୍ରାଣଶକ୍ତିର ଉନ୍ମାଦନାରେ ଏହା ଉତ୍ତପ୍ତ କିମ୍ବା ଉତ୍କଟ ନୁହେଁ ।

 

ଶେଷ କବିତାରେ ଆମ ସାମାଜିକତାର ଫମ୍ପା ସହାନୁଭୂତି ଓ ଛଳନାମୟ ଆଦର୍ଶକୁ ସମାଲୋଚନା କରାଯାଇଛି । ଏହାର ଛ’ବର୍ଷ ପରେ ଲିଖିତ ‘ଜୀଅନ୍ତା ଭୂତ’ର ବିଦ୍ରୂପାତ୍ମକ ସ୍ୱର, ଶେଷ କବିତାରେ ସେତେ ଉତ୍କଟ ନ ହେଲେ ମଧ୍ୟ ପ୍ରାୟ ବିରଳ ନୁହେଁ । ଗଣକବି ଭୂତନାଥଙ୍କର ଶୋକସଭାରେ ଦୁଃଖପ୍ରକାଶ କରିଥିବା ଅନେକ ବ୍ୟକ୍ତି ସେମାନଙ୍କର ବୈଷୟିକ ଲାଭକ୍ଷତି ନେଇ ବ୍ୟସ୍ତ । ଭୂତନାଥଙ୍କର ମୃତ୍ୟୁରେ କେଉଁ ବ୍ୟକ୍ତିଙ୍କର ଶହେ ଟଙ୍କାର ଔଷଧ ଆଉ ଫିସ୍ ବାକୀ ରହିଗଲା ଅଥବା କାହାର ଋଣ ପରିଶୋଧର ଆଶା ବୁଡ଼ିଗଲା–ଏହା ହୋଇଛି ବାସ୍ତବ ଚିନ୍ତାର ବିଷୟ । କିନ୍ତୁ ଲୋକଦେଖାଣିଆ ସହାନୁଭୂତି ବା ଖବରକାଗଜ ପୃଷ୍ଠାରେ ନିଜ ନାମ ଦେଖିବା ଆଶାରେ ବହୁ ବ୍ୟକ୍ତି ‘ସାହିତ୍ୟ ଭବନ’ରେ ଆନ୍ତରିକତାହୀନ ଦୁଃଖପ୍ରକାଶରେ ଭାଗୀ ହୋଇଛନ୍ତି । ସଭ୍ୟତାର ଏ ଛଳ ଅଭିନୟରେ ଲେଖକ ଗଭୀର ମର୍ମବେଦନା ଲାଭ କରିଛନ୍ତି । ଭୂତନାଥଙ୍କର କ୍ଷତବିକ୍ଷତ ଜୀବନର ଏକାଧିକ ଗ୍ଳାନିରେ ସେ ଏପରି ସମ୍ବେଦନଶୀଳ ଯେ, ଗଳ୍ପର ପରବର୍ତ୍ତୀ ଛତ୍ରରେ ସେ ତାଙ୍କର ଅନ୍ତର୍ଦହନକୁ ପ୍ରକାଶ କରିବା ନିମିତ୍ତ ଶାଣିତ ବ୍ୟଙ୍ଗ ଓ ଶ୍ଳେଷୋକ୍ତିର ସାହାଯ୍ୟ ନେବାକୁ ବାଧ୍ୟ ହୋଇଛନ୍ତି । ଫଳତଃ ଆଲୋଚନାଧୀନ ଗଳ୍ପରେ ପ୍ରକାଶ ପାଇଥିବା ହାସ୍ୟ ଓ ବିଦ୍ରୂପର ଅନ୍ତରାଳରେ ଲେଖକଙ୍କର ହାର୍ଦ୍ଦିକ ଉଦ୍‌ବେଳନ ପ୍ରଚ୍ଛନ୍ନ ରହିଛି । ସମାଜର ଦୋଷଦୁର୍ବଳତାକୁ ଦର୍ଶାଇବା ନିମନ୍ତେ ସାଧାରଣ ବ୍ୟଙ୍ଗକାର ପରି ସେ ନିଜକୁ କଳଙ୍କିତ ସାମାଜିକତାର ଊର୍ଦ୍ଧ୍ୱରେ ଅବସ୍ଥାପିତ କରିନାହାନ୍ତି । ବରଂ ଗଳ୍ପର ଏକ ଚରିତ୍ରଭାବେ ନିଜକୁ ଅବତାରଣା କରି ସମାଜର ଅଜ୍ଞତା ତଥା ନିଜ ଜୀବନର ଦୁର୍ବଳତାରେ ସେ ମୁହ୍ୟମାନ ହୋଇଅଛନ୍ତି ।

 

ଗତ କେତେ ବର୍ଷତଳେ ସେକ୍‌ସପିୟର୍‌ଙ୍କୁ ‘ସଖାପିଅର’ ବା ‘ଶେଖ୍‌ପିର୍‌’ କରି କେତେବେଳେ ତାଙ୍କୁ ଓଡ଼ିଆ ଓ କେତେବେଳେ ତାଙ୍କୁ ପାରସ୍ୟବାସୀ କରିବାର ଲଜ୍ଜାହୀନ ଗବେଷଣାରେ ଏ ଦେଶର ସାହିତ୍ୟକ୍ଷେତ୍ରରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରାଯାଇଥିଲା, ତାହାର ହେତୁହୀନ ଦିଗ ପ୍ରତି ଲେଖକଙ୍କର ଦୃଢ଼ ମନ୍ତବ୍ୟ, ଗଳ୍ପ ମଧ୍ୟରେ ପ୍ରକାଶିତ । ଆମ ସମାଜର ନିର୍ଯ୍ୟାତନାରେ ତିଳ ତିଳ ଦଗ୍‌ଧ ହୋଇ ଅପମୃତ୍ୟୁ ବରଣ କରିଥିବା କବି ଓ ଲେଖକମାନଙ୍କର ଧୋବାଖାତାରୁ କିପରି ଆଧୁନିକ କବିତାର ଖିଅ କାଢ଼ି ଏ ଦେଶର ତଥାକଥିତ ସାହିତ୍ୟିକ, ସାମ୍ବାଦିକମାନେ ସ୍ମୃତିପୂଜାର ପାଲା ଆରମ୍ଭ କରନ୍ତି, ତାହାର ନିଖୁଣ ଚିତ୍ର ଭୂତନାଥଙ୍କର ସ୍ମରଣିକା ଉଦ୍‌ଘାଟନୋତ୍ସବରେ ସୁସ୍ପଷ୍ଟ ।

 

ନୀଳିମା ଦେବୀଙ୍କର ଅଜ୍ଞାତରେ ଆନୀତ କବି ଭୂତନାଥଙ୍କର ଧୋବାହିସାବ ଖାତାଟି, ଗଳ୍ପର ଶେଷରେ ପରିସ୍ଥିତିକୁ ସଂପୂର୍ଣ୍ଣ କୌତୁହଳଜନକ ଓ ଓଲଟପାଲଟ କରିଦେବାରେ ସହାୟକ । ଏଥିମଧ୍ୟରେ ଆମ ବୁଦ୍ଧିଜୀବୀ-ମହଲର ଅଜ୍ଞତା ଓ ଆତ୍ମପ୍ରଖ୍ୟାପନକୁ ଉତ୍ପାଟନ କରିବା ପାଇଁ ଲେଖକ ଦୃଢ଼ସଂକଳ୍ପ ପରି ମନେହୁଏ । ଗଳ୍ପଟିର କେତେକାଂଶରେ ଆଧୁନିକ କବିତା ବିଶ୍ଳେଷଣରେ ଲେଖକ ଦୀର୍ଘ ଆଲୋଚନାର ଆଶ୍ରୟ ନେଇଥିବାରୁ ଗଳ୍ପରେ ଟିକିଏ ମନ୍ଥରତା ଆସିଛି । ଏହାକୁ ବାଦ୍‌ ଦେଲେ ନୀଳିମା ଓ ଲେଖକଙ୍କର ଉକ୍ତିପ୍ରତ୍ୟୁକ୍ତି ବା ସାହିତ୍ୟ ସଭାର ଚିତ୍ରାଦି ଅବତାରଣା କରିବାରେ ଗଳ୍ପିକଙ୍କର ନୈପୁଣ୍ୟ ଅନୁଭବସାପେକ୍ଷ ।

 

ସର୍ବୋପରି ସମସ୍ୟାପ୍ରଧାନ ଏ ଗଳ୍ପଟିରେ ଚରିତ୍ରଚିତ୍ରଣରେ ସଂଯମ ଓ ବାସ୍ତବତା ରକ୍ଷା କରାଯାଇଅଛି । ସୂକ୍ଷ୍ମ ସଂକେତ ସାହାଯ୍ୟରେ ଚଚିତ୍ରର ସ୍ୱରୂପ ପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲେଖକଙ୍କର ସାର୍ଥକତାର ପରିଚୟ ମିଳେ ।

 

‘ମରୁଡ଼’ ଗଳ୍ପଟି ଭାବପ୍ରଧାନ । ମାଲ୍ୟଗିରି ତଳର ମରୁଡ଼ିଗ୍ରସ୍ତ ଅଞ୍ଚଳର ସାଧାରଣ ସମସ୍ୟା ଅପେକ୍ଷା, ମରୁଡ଼ିପୀଡ଼ିତ ପଲ୍ଲୀଜୀବନର ଚିତ୍ତବୃତ୍ତି ଏଥିରେ ଅଧିକ ପ୍ରତିଫଳିତ ହୋଇଛି । ଅରଣା ଗାଁର ମରୁଡ଼ି ସଭାରୁ ଲେଖକ ଯେଉଁ ଅନୁଭୂତି ନେଇ ଫେରିଛନ୍ତି, ତାହା ସମଗ୍ର ଉତ୍କଳର ପ୍ରାଣବାର୍ତ୍ତା କହିଲେ ଚଳେ । ନେତା ନେତୃତ୍ୱର କାରସାଦି ବା ଉପରଠାଉରିଆ ସହାନୁଭୂତି ଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତି ଏ ସରଳ ସ୍ୱଚ୍ଛନ୍ଦ ଗ୍ରାମ୍ୟଜୀବନ । ନିରୀହତା ଓ ଅଜ୍ଞତା ଭିତରେ ମଣିଷ ଏଠି ଶାନ୍ତି ପାଇ ପାରୁଛି । ଦୈନ୍ୟ ଏଠି ପାପ ନୁହେଁ । ବାଉଁଶବୁଣା ତାଟ ଉପରେ ମାଟିଲେସା କାନ୍ଥର ଘରକୁ ସମ୍ବଳ କରି ମଧ୍ୟ ମଣିଷ ଏଠି ପଶୁ ପାଲଟି ନାହିଁ । ସଂଘର୍ଷ ନ ଜାଣି ମଧ୍ୟ ସବୁ ନିରାଶା ଭିତରେ ଆଶା ଧରି ସେ ବଞ୍ଚିରହିଛି । ଧର୍ମ ନାମରେ ଗୋଟାଏ ସରଳ ଅନ୍ଧବିଶ୍ୱାସ ଓ ଟୁକୁରା ଟୁକୁରା ଖଞ୍ଜଣୀ ତାନରେ ସେ ତୁଚ୍ଛ ଦୈନନ୍ଦିନତାକୁ ଉପହାସ କରିପାରୁଛି । ପଲ୍ଲୀଜୀବନର ଉକ୍ତ ଆବେଗଟିକୁ ଗଳ୍ପିକ ଯେପରି ସୂକ୍ଷ୍ମାନୁସୂକ୍ଷ୍ମ ଭାବରେ ଅଙ୍କନ କରିଛନ୍ତି, ତାହା ଅନ୍ୟତ୍ର ପ୍ରାୟ ଦୁର୍ଲଭ-

 

ସହରର ସଭ୍ୟ ମଣିଷ ଓ ମଫସଲର ଅସଭ୍ୟ ଜୀବ ମଧ୍ୟରେ ଚୈତ୍ତିକ ପାର୍ଥକ୍ୟର ଯେଉଁ ସୀମାରେଖା ବିଦ୍ୟମାନ, ସୁରେନ୍ଦ୍ରଙ୍କ ଲେଖନୀ ମୁନରେ ଖୁବ୍‌ ସଂକ୍ଷିପ୍ତ ପରିସର ମଧ୍ୟରେ ତାହା ଯଥାଯଥ ଭାବରେ ବ୍ୟକ୍ତ ହୋଇଅଛି । କେତେଗୁଡ଼ିଏ ବାହ୍ୟବିନ୍ୟାସ ଓ କୃତ୍ରିମ ଶୃଙ୍ଖଳାରେ ବନ୍ଧା ସଭ୍ୟତା ପ୍ରତି ତାଙ୍କର ଅନାସ୍ଥା ପ୍ରକାଶ ପାଇଛି । କାରଣ ‘‘ସହରର ସଭ୍ୟମଣିଷ ଚାରି ଓଳିରେ ଓଳିଏ ଉପାସ ରହିଲେ ଚୋରି କରେ; ନୋହିଲେ ଆତ୍ମହତ୍ୟା କରେ ।’’ କେବଳ ବଞ୍ଚିବା ତା’ର ଲକ୍ଷ୍ୟ । ଶୁଭ୍ର ଅମର ଜୀବନର ପରିଚୟ ସେ ପାଇ ନାହିଁ କେବେ । ସବୁ କୁସଂସ୍କାର ଓ ଅନ୍ଧପରମ୍ପରା ଭିତରେ ଅନାହତ ବିଶ୍ୱାସ ଧରି ଯେଉଁମାନେ ବଞ୍ଚି ରହିଛନ୍ତି, ସେହିମାନେହିଁ ଜୀବନ୍ତ । ଜୀବନର ନୂତନ ଦିଗ ସନ୍ଧାନରେ କଥାକାର ଏହି ସ୍ୱଚ୍ଛ ଆଦିମତା ଓ ଦ୍ୱନ୍ଦ୍ୱରହିତ ମାନବତାକୁ ଅଧିକ ସମ୍ମାନ ଦେଇ ଆସିଛନ୍ତି । ତାଙ୍କ ମତରେ ଇଡ଼ା ପିଙ୍ଗଳାର ନିଷ୍ଠୁର ସାଙ୍କେତିକତା ଓ ଅଜପାର ଅଜଣା ରହସ୍ୟରେ ମୁଗ୍‌ଧ ଜନତା ନିଃସହାୟ ଆତ୍ମସମର୍ପଣର ଯେଉଁ ଆନନ୍ଦ ପାଇ ଆସିଛି, ଏ ଯୁଗର ମୁନାଫାଖୋର୍‌ ନେତୃତ୍ୱ ବା ସଭାସମିତି ତାକୁ ସେ ଆନନ୍ଦ ଦେଇପାରିବ ନାହିଁ । ତେଣୁ ଏଥିପ୍ରତି ସେ ବିମୁଖ ଓ ବୀତସ୍ପୃହ । ଆମ ବିଶ୍ୱାସର ପ୍ରାଚୀନତାରେ ବାସ୍ତବ ଜୀବନର ସୂତ୍ର ଖୋଜି, ତାକୁହିଁ ଜୀବନ ବୋଲି ଘୋଷଣା କରିବାରେ ଲେଖକଙ୍କର ନିର୍ଭୀକତା ଅତ୍ୟନ୍ତ ବିସ୍ମୟକର । ପକ୍ଷାନ୍ତରେ ଇତିହାସର ପ୍ରଗତି ପଥରେ କୃତ୍ରିମତା-ସମ୍ବଳ ସଭ୍ୟତାକୁ ଅସାର ବୋଲି ପ୍ରତିପନ୍ନ କରିବାକୁ ସେ ଯଥେଷ୍ଟ ଶକ୍ତିଶାଳିତାର ପରିଚୟ ଦେଇଛନ୍ତି ।

 

ମାନବମନର ଅନ୍ଧପୁଟୁଳି ଖୋଲି ତାକୁ ସତ୍ୟ ଓ ଶାଶ୍ୱତ ପଥରେ ଟାଣିନେବା ପାଇଁ ଫକୀରମୋହନଙ୍କ ପରେ ସୁରେନ୍ଦ୍ର ହେଉଛନ୍ତି ଓଡ଼ିଆ ଗଳ୍ପସାହିତ୍ୟରେ ଶ୍ରେଷ୍ଠ ପଥପ୍ରଦର୍ଶକ ଓ ସଂସ୍କାରଚେତା ସ୍ରଷ୍ଟା । ସମାଜ ଓ ସାମାଜିକତା ଅପେକ୍ଷା ମାନବ ଓ ମାନବୀୟ ଆଦି ସଂସ୍କୃତିକୁ ସେ ନିବିଡ଼ ଭାବରେ ଉପଲବ୍‌ଧି କରିଥିବାର ଅନେକ ପ୍ରମାଣ, ତାଙ୍କର ଆଲୋଚ୍ୟ ଗଳ୍ପ ଓ ଅନ୍ୟାନ୍ୟ ଗଳ୍ପ ତଥା ଉପନ୍ୟାସରେ ପରିଲକ୍ଷିତ । ତାହା ବୋଲି ସମାଜ ଓ ସାମାଜିକତାକୁ ସେ ଅସ୍ୱୀକାର କରିନାହାନ୍ତି । ମାନବିକ ମୂଲ୍ୟବୋଧର ଅନନ୍ତ ପରିଧିରେ ସେ ସମାଜ ଓ ସାମାଜିକତାକୁ ବିଚାର କରିଅଛନ୍ତି । ତେଣୁ ସ୍ୱଦେଶର ସଂସ୍କୃତିକୁ ନୂତନ ଆଲୋକରେ ଦେଖିବା ତାଙ୍କ ଦୃଷ୍ଟି ଓ ସୃଷ୍ଟିର ଏକ ବିଶେଷତ୍ୱ । ତେବେ ସତ୍ୟବାଦୀ ଯୁଗର ସ୍ରଷ୍ଟାମାନଙ୍କ ପରି ନୀରୋଳ ସଂସ୍କୃତି-ଚେତନାରେ ସେ ତାଙ୍କର ସୃଷ୍ଟି ସୌନ୍ଦର୍ଯ୍ୟକୁ ନୀତି ଓ ଆଦର୍ଶରେ ଆବଦ୍ଧ କରିଦେଇ ନାହାନ୍ତି । ବରଂ ଆମ ସଂସ୍କୃତିର ଅନାସକ୍ତି, ଅନ୍ତର୍ମୁଖୀନତା, ସହିଷ୍ଣୁତା ଓ ଆତ୍ମସମର୍ପଣ ଭଳି ବହୁ କଥା, କେତେବେଳେ ଗଡ଼ନାୟକଙ୍କ ଚଉପାଢ଼ୀରେ ବା କେତେବେଳେ ଅରଣା ଗ୍ରାମର ସାଧାରଣ ବ୍ୟକ୍ତିଙ୍କ ମୁଖରେ ଫୁଟିଉଠିଛି । ଏ ସମସ୍ତ ଲେଖକଙ୍କର ସ୍ୱସଂସ୍କୃତିର ପ୍ରାଣ-ପରୀକ୍ଷାର ଫଳ । ନିଜ ସଂସ୍କୃତିର ଅନାବିଳ ଧାରା ଆଜି ସୁଦ୍ଧା ଆମ ଦେଶର ମାଟି-ପଙ୍କର ମଣିଷ ତୁଣ୍ଡରୁ ବାରିନେବା, ତାଙ୍କର ଭୁୟୋଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି । ସୁତରାଂ ମରୁଡ଼ି ଅଞ୍ଚଳ ଲୋକମାନଙ୍କର ଅନାସକ୍ତି ସଭାସମିତି ବିମୁଖତା ଓ ରଙ୍ଗହୀନ ଅତିଥିଚର୍ଚ୍ଚା ମଧ୍ୟରେ ସେ ସେମାନଙ୍କର ପଶ୍ଚାତ୍‌ଗାମିତା ଓ ବର୍ବରତା ନ ଦେଖି, ଦେଖିଛନ୍ତି ଗୋଟାଏ ପ୍ରାଚୀନ ଜାତିର ଗୌରବାବହ ପରମ୍ପରା, ତାହାର ଅଟଳ ଏକମୁଖିତା ଆଧୁନିକ ଜଡ଼ ସଭ୍ୟତାର ତାସ୍‌ଦୁର୍ଗ ଅପେକ୍ଷା ନିଶ୍ଚୟ ଦୃଢ଼ତର ଓ ବହୁ ସଂଘର୍ଷର ସାକ୍ଷୀ ଏ ପୁରାଣପ୍ରସିଦ୍ଧ ଦୁର୍ଗ ଏହାକୁ ଅସ୍ୱୀକାର କରିବା ଅର୍ଥ ଜୀବନକୁ ଅସ୍ୱୀକାର କରିବା । ଏହି ସତ୍ୟ ଓ ସୌନ୍ଦର୍ଯ୍ୟର ଆଦର୍ଶରେ ‘ମରୁଡ଼ି’ ଗଳ୍ପର ଅଧିକାଂଶ ଚରିତ୍ରଗୁଡ଼ିକ ପୁଷ୍ଟ । ଲେଖକଙ୍କର ପଲ୍ଲୀପ୍ରାଣତା ଓ ଟିକିନିଖି ବର୍ଣ୍ଣନା ମଧ୍ୟରେ ମରୁଡ଼ି ଗଳ୍ପରେ ଉକ୍ତ ଶୈଳ୍ପିକ ଉଦ୍ଦେଶ୍ୟ, ସାର୍ଥକ ଭାବରେ ସାଧିତ ହୋଇଅଛି ।

 

‘ମରୁଡ଼ି’ ପରି ‘ଇଜ୍‌ମାଲି’ ଗଳ୍ପ ମଧ୍ୟ ଉତ୍କଳୀୟ ପଲ୍ଲୀର ପ୍ରାଣ ଗହନର କଥା । ଆମ ଚଳଣି, ଆମ ସାଧନାର ଅତୀତ ଯାହା କି ପୂର୍ବ ଗଳ୍ପରେ ବହୁଦିଗରୁ ପରୀକ୍ଷିତ ଓ ନୂତନ ଆଲୋକରେ ଆଲୋକିତ, ତାହାର ପୁନର୍ବିଚାର, ଆଲୋଚ୍ୟ ଗଳ୍ପର ପ୍ରାଣପିଣ୍ଡ । ସୁରେନ୍ଦ୍ରଙ୍କ ପ୍ରତ୍ୟେକ ଗଳ୍ପରେ ଦୃଷ୍ଟିଭଙ୍ଗୀର ଯେଉଁ ବୈଚିତ୍ର୍ୟ ଲେଖାଯାଏ, ତାହା ଏ ଗଳ୍ପରେ ଦୁର୍ଲଭ ନୁହେଁ ।

 

ହରିପୁର ଛାମୁକରଣ ସାହିର ଭାଇଆଳି କଳହ ମଧ୍ୟରେ ବ୍ରଜବନ୍ଧୁ ଓ ନିଧି ଚରିତ୍ର ସାହାଯ୍ୟରେ ପରମ୍ପରାର ସେ ଅମର ବନ୍ଧନକୁ ଦୃଢ଼ୀଭୂତ କରିବା ପାଇଁ ଲେଖକଙ୍କର ଦୃଷ୍ଟିଭଙ୍ଗୀ, ଏ ଗଳ୍ପରେ ସ୍ୱତନ୍ତ୍ର ଓ ପ୍ରଖର । ଜୀବନ ମରଣର ଦ୍ୱାରଦେଶରେ ଉପଗତା ‘ପାର’ ଅପା କ୍ଷୟିଷ୍ଣୁ ଅତୀତର ଏକମାତ୍ର ଶେଷ ପ୍ରତିନିଧି । ତାହାରି ଜୀବନ, ଯୌବନ ଓ ବାର୍ଦ୍ଧକ୍ୟ ସଙ୍ଗରେ ଛନ୍ଦା ଗୋଲାମସାହୀ ଓ ଛାମୁକରଣସାହୀର ସ୍ମୃତି, ପୁଣିଥରେ ତା’ର ମୃତ୍ୟୁଶଯ୍ୟାରେ ଉଜ୍ଜୀବିତ ହୋଇ ଉଠିଛି । ଇଜ୍‌ମାଲୀ ସମ୍ପତ୍ତି ଓ ବାଡ଼ିବଗିଚା କଳହରେ ନିଧିର ମୁଣ୍ଡ ଫାଟିବା ବା ବ୍ରଜବନ୍ଧୁର କଙ୍କାଳରେ ବୋଲୁଅ ବାଜିବା, ସେ ମମତା-ମଧୁର ଅତୀତ ନିକଟରେ କିଛି ନୁହେଁ । ଝଡ଼ବର୍ଷା ବା ଆଣ୍ଠୁଏ ପାଣିରେ ମଧ୍ୟ ପାର ଅପାର ମଡ଼ା ବାସି ହୋଇପାରିବ ନାହିଁ, ରାତାରାତି ତାହାର ଶବସଂସ୍କାର ହେବ–ନିଧିତୁଣ୍ଡର ଏ କଥା କାନଗୋଇ ସାହି ବା ଛାମୁକରଣ ସାହିର ଫଟା ଇଜ୍‌ମାଲୀକୁ ଯୋଡ଼ିବାରେ କମ୍‌ ଶକ୍ତିଶାଳୀ ନୁହେଁ । ଆଜି ଦୁର୍ଦ୍ଦିନରେ ପାର ଅପା ପାଇଁ ଗୋଲାମ ସାହିଆ ଓ କାନଗୋଇ ସାହିଆଙ୍କ ଅପୂର୍ବ ମିଳନରେ ଅଥବା ସକାଳେ ବ୍ରଜବନ୍ଧୁ ହାତରେ ମାଡ଼ ଖାଇଥିବା ନିଧିଭାଇର ପାର ଅପାର ଶବସଂସ୍କାର ଲାଗି ତୋଟାରୁ କାଠ ଓ ବାଉଁଶ କାଟିବାର ଠକ୍‌ ଠକ୍‌ ଶବ୍ଦରେ, ସବୁ ବାଦବିସମ୍ବାଦ ଯେପରି ଧୋଇ ହୋଇଯାଇଛି । ପାଠଶାଠ ନ ପଢ଼ିଥିବା ହୁଙ୍କାପିଟା ନିଧି ଭିତରେ ମହାମାନବତାର ଉଦୟ ଘଟିଛି । ‘‘ଆରେ ମୁଁ କହିଛି ପରା, ଏକା ନାହି ସାତଖଣ୍ଡ । ପାଣିରେ ଯେତେ ବାଡ଼େଇଲେବି ପାଣି ଦି’ଖଣ୍ଡ ହେବ ନାହିଁ’’–ନିଧି ଅନ୍ତରର ଏ କେଇପଦ କଥାରେ ତା’ ଚରିତ୍ରର ଅକ୍ଷୟ ସୁଷମା ଫୁଟିଉଠିଛି । ଏକ ସାଧାରଣ ଅତୀତର ସ୍ମୃତିକୋଷ ମନ୍ଥନ କରି ଭାତୃତ୍ୱର ଉଦ୍‌ବୋଧନ କରିବା ଲାଗି ଅସଣ୍ଠଣା ନିଧିର ଏ ମୁଗ୍‌ଧ ଅନୁଭବରେ ବେଶ୍‌ ତାତ୍ପର୍ଯ୍ୟ ପରିଲକ୍ଷିତ ହୁଏ । ତାହାର ଏହି ପ୍ରାଣଘେନା ଆବେଦନରେ ପାର ଅପାର ଶେଷଶଯ୍ୟା ଉପରେ ଏକାନ୍ନବର୍ତ୍ତୀ ପରିବାରର ପାରସ୍ପରିକ ସ୍ନେହପ୍ରୀତିର ମୂଳଦୁଆ ପୁଣି ଦୃଢ଼ ହୋଇଯାଇଛି । ତେଣୁ ପାଠୁଆ ନାଥ ବଡ଼ାପ୍‌ପା କିମ୍ବା ବ୍ରଜବନ୍ଧୁ ଚରିତ୍ର ତୁଳନାରେ ଗଳ୍ପର ସମୃଦ୍ଧି ପାଇଁ ନିଧି ଚରିତ୍ରର ଅବଦାନ ବିଶେଷ ଉଲ୍ଲେଖଯୋଗ୍ୟ । ପ୍ରତି ଚରିତ୍ର ଓ ଘଟଣା ପ୍ରତି କଥାକାରଙ୍କର ନିବିଡ଼ ଶ୍ରଦ୍ଧା ଓ ଅପୂର୍ବ ସହୃଦୟତା, ଗଳ୍ପଟିର ସଫଳତା ପାଇଁ ଦାୟୀ । ଲେଖନୀର କୁହୁକ ସ୍ପର୍ଶରେ ନିହାତି ସାଧାରଣ ଘଟଣାକୁ ହୃଦ୍ୟ ଓ ଆଦର୍ଶସ୍ଥାନୀୟ କରି ଥୋଇବାରେ ଲେଖକଙ୍କର ଯେଉଁ ଅଦ୍ଭୁତ ଶକ୍ତି ତାଙ୍କ ସୃଷ୍ଟି ବହୁ ଗଳ୍ପରେ ପ୍ରତିବିମ୍ବିତ, ତାହା ଇଜ୍‌ମାଲୀ ଗଳ୍ପର ବାସ୍ତବତା ସମ୍ପାଦନାରେ ପ୍ରୋଜ୍ଜ୍ୱଳ ହୋଇ ଉଠିଛି । ଗଳ୍ପଟି ପାଠ କରି ସାରିବା ପରେ ନିଧି, ନାଥ, ବ୍ରଜବନ୍ଧୁ ବା ପାର ଅପାର ଇତିହାସ ସଙ୍ଗରେ ପାଠକପାଠିକାର ଇତିହାସ ମିଶିଗଲା ପରି ଅନୁଭବ ହୁଏ । ବ୍ରିଟିଶ୍‌ ସାମ୍ରାଜ୍ୟବାଦର ଚକ୍ରାନ୍ତରେ ଭାଙ୍ଗିରୁଜି ଯାଇଥିବା ଅତୀତର ମୋହ ଓ ଏକାନ୍ନବର୍ତ୍ତୀ ପରିବାରର ଆଦର୍ଶ ପୁଣି ରକ୍ତମାଂସର ଦେହ ଧରି ତାହାର ନୂତନ ମୂଲ୍ୟାୟନ ପାଇଁ ଅଳିକରି ବସେ । ବିଗତର ପ୍ରାଣକଥା ଓ ଅତୀତର ସ୍ପନ୍ଦନକୁ ଏପରି ଏକାନ୍ତ ଓ ମୁଗ୍‌ଧ ଭାବରେ ଅନୁଭବ କରିବା ଓ ଅନୁଭବ କରାଇବାରେ ଆଧୁନିକ ଓଡ଼ିଆ ସାହିତ୍ୟରେ କଥାକାର ସୁରେନ୍ଦ୍ରଙ୍କ ସ୍ଥାନ ଯଥାର୍ଥରେ ଅତୁଳନୀୟ ।

 

ଉତ୍କଳର ଜନପଦ ଜୀବନରେ ପାଟ, ଅପନ୍ତରା ଓ ଗୋଖୋଜକୁ ନେଇ ଲୋକତୁଣ୍ଡର ଯେଉଁ ଇତିହାସ ଗଢ଼ି ଆସିଛି, ‘‘ଘଇତାମାରୀ ପାଟ’’ ସେହି ଇତିହାସର ଏକ ଚିରନ୍ତନ ଅଧ୍ୟାୟ । ଋତୁ ପର୍ଯ୍ୟାୟରେ ମଣିଷର କ୍ଷୁଧା ଆଉ ପ୍ରକୃତିର ଖିଆଲ, ଏଠି ବିଭିନ୍ନ ବର୍ଣ୍ଣର ଚିତ୍ରଲେଖାରେ ରୂପାନ୍ତରିତ ହୁଏ । ସୃଷ୍ଟିଚକ୍ରର ମୌଳିକ ହେତୁର ସ୍ୱର୍ଣ୍ଣାକ୍ଷର ଯେପରି ଜଳିଉଠେ ଏଠି ସ୍ପଷ୍ଟଭାବରେ-। ମଣିଷର ଅସରନ୍ତି କ୍ଷୁଧାରେ ଦିନେ ଏ ପଟାର ସମସ୍ତ ଜମିର ମାଲିକ ଥିଲେ ଗଡ଼ ନରିପୁରର ଜମିଦାର ମାନ୍ଧାତା ହରିଚନ୍ଦନ । ଯୁଗ ବିପ୍ଳବରେ ଭୂଦାନସୂତ୍ରରେ ସେ ଜମିର ଏକୋଇଶ ବାଟୀ ଭୂମିହୀନମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ତଥାପି ମନୁଷ୍ୟର କ୍ଷୁଧାର ଅନ୍ତ ନାହିଁ । ଭୂମିହୀନ ହରିଜନ ଓ ଭାଗଚାଷୀମାନଙ୍କ ଭିତରେ ଲାଗିଯାଇଛି ରକ୍ତାକ୍ତ ହୋରିଖେଳ । ଉକ୍ତ କଥାବସ୍ତୁ ଉପରେ ଗଳ୍ପଟି ପ୍ରତିଷ୍ଠିତ । ବିନୋବାଙ୍କର ଭୂଦାନ ଯଜ୍ଞର ଉଦ୍‌ଯୋଗ ପୂର୍ବର ଆଦ୍ୟବାର୍ତ୍ତା ଓ ତାହାର ପରିଣତି ହରିଚନ୍ଦନ ଓ ଦେଓ୍ୱାନ ନିଧି ମହାନ୍ତି ପ୍ରଭୃତି ଚରିତ୍ର ମାଧ୍ୟମରେ ପ୍ରକାଶିତ । ହୃଦୟହୀନ ମଣିଷର ସ୍ୱାର୍ଥପରତା ବିରୁଦ୍ଧରେ ଭୂଦାନ ଆନ୍ଦୋଳନ ଯେ ହୃଦୟ ପରିବର୍ତ୍ତନ ପାଇଁ ଏକ ଅମୂଲ୍ୟ ମନ୍ତ୍ର, ତାହା ଲେଖକ ଅବାଧ ଭାବରେ ସ୍ୱୀକାର କରି ନେଇଛନ୍ତି । ହେଲେହେଁ ଏହାର ପ୍ରତ୍ୟାଶିତ ସଫଳତା ଗଳ୍ପ ଶେଷରେ ସଂଶୟାଚ୍ଛନ୍ନ ।

 

ପୂର୍ବ ଗଳ୍ପ ପରି ଏ ଗଳ୍ପରେ ଫକୀରମୋହନଙ୍କ ବର୍ଣ୍ଣନାରୀତି ଅନୁସରଣ କରାଯାଇଛି । ‘ଗଡ଼ ନରିପୁର’ ବା ‘ମୁକୁଦା ହଳିଆ’ ଭଳି ନାମ ନିର୍ବାଚନରେ ମଧ୍ୟ ସେନାପତିଙ୍କର ‘ମାମୁଁ’ ବା ‘ଛମାଣ ଆଠଗୁଣ୍ଠ’ର ମୁଗ୍‌ଧ ଅନୁଭବ, ଲେଖକଙ୍କ ଲେଖନୀରେ ଅଣାୟତ୍ତ ସ୍ମୃତିରୂପେ ଆତ୍ମପ୍ରକାଶ କରିଥିବା ଅସମ୍ଭବ ନୁହେଁ । ବିଶେଷତଃ ଦରବାରୀ ଦପ୍ତର ଭିତରେ ଏପାଖ ସେପାଖ ହେଉଥିବା ହରିଚନ୍ଦନଙ୍କ ଜଳନ୍ତା ହୁକା ଓ ତାହାର ରୂପାତାର ମୋଡ଼ା ନଳିଧରି ତାଙ୍କ ପଛେ ପଛେ ଢୁଳାଇ ଢୁଳାଇ ଯାଉଥିବା ଲୋକ ଦୁଇଟି ଯେପରି ହାସ୍ୟଜନକ ଭାବରେ ଛନ୍ଦାଛନ୍ଦି ହୋଇ ତଳେ ଢଳି ପଡ଼ିଛନ୍ତି ଓ ଦେହର ଚିଆଁ ଫୁଙ୍କୁ ଫୁଙ୍କୁ ହସିବାକୁ ଚେଷ୍ଟା କରିଛନ୍ତି, ତାହା ପାଠକଲେ ଫକୀରମୋହନଙ୍କର ଆଖୁନ୍‌ଜୀଙ୍କର ଦାଢ଼ୀ ପୋଡ଼ିଯିବାର କୌତୁକାବହ ଦୃଶ୍ୟ, ସ୍ମୃତିପଟରେ ଭାସିଯାଏ ଓ ହରିଚନ୍ଦନଙ୍କ ଠୋ ଠୋ ହସରେ ପାଠକ ମଧ୍ୟ କଣ୍ଠମିଳାଇ ବହେ ହସିଯାଏ ।

 

ଘଇତାମାରୀ ପାଟର ଭାଗୀଚାଷମାନଙ୍କ ପାଇଁ ଅଣାଯାଇଥିବା ରଙ୍ଗବେରଙ୍ଗ ସରବତ୍‌କୁ ସେମାନେ ‘‘ଗୋଟିଏ ଗୋଟିଏ ଗ୍ରାମ୍ୟ ଢୋକରେ’’ ଶେଷ କରିଦେଲେ କହିବା ଭିତରେ କଥାକାରଙ୍କର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଓ ରସିକତାର ପରିଚୟ ମିଳେ । ଜମିଦାରଙ୍କ ଉଆସରେ ଉକ୍ତ ଆଗନ୍ତୁକମାନଙ୍କର ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ହାବଭାବ, ଚାଲିଚଳନ ତଥା ମାନସିକ ଆବେଗର ଚିତ୍ରଣ-ରୀତି, ଯଥାସମ୍ଭବ ହୃଦ୍ୟ ଓ ଉପଭୋଗ୍ୟ ହୋଇପାରିଛି ।

 

ଭାଗଦାରିମାନଙ୍କୁ ତାଙ୍କ ନିକଟକୁ ପଠାଇଦେବାକୁ ନିର୍ଦ୍ଦେଶ ଦେଇ ସେମାନେ ଆସୁଥିବା ସମୟରେ ମାନ୍ଧାତା ରାଇଫଲ୍‌ଟିକୁ ଘରକୋଣରୁ ଟାଣିଆଣି ସଫାକରିବାରେ ଲାଗିଯିବାଦ୍ୱାରା ଗଳ୍ପଟିର ପରସ୍ଥିତି ଉତ୍କଣ୍ଠ ଓ ଅଶୁଭ ସମ୍ଭାବନାରେ ଛାୟାଚ୍ଛନ୍ନ ହୋଇଉଠିଛି । ଭାଗଦାରିମାନଙ୍କୁ ଏହା ଭୀତତ୍ରସ୍ତ କରିଥିବା ସ୍ୱାଭାବିକ । ‘ମେରୀ’ର ଲହଲହ ଜିହ୍ୱା ଏ ଭୟକୁ ଦ୍ୱିଗୁଣିତ କରିଛି । ଆଗନ୍ତୁକମାନଙ୍କୁ ନିର୍ଭୟ ଆଲୋଚନା ଲାଗି ସୁଯୋଗ ଦେବାକୁ ମାନ୍ଧାତା ନିଜ ପକ୍ଷରୁ ‘‘ଏ ବନ୍ଧୁକଟା କଳଙ୍କି ଲାଗି ଯାଇଥିଲା, ସଫା କରୁଥିଲି’’–ଇତ୍ୟାଦି କୈଫିୟତ୍‌ ଦେବା ପର୍ଯ୍ୟନ୍ତ ତାଙ୍କର କ୍ରିୟାକଳାପ, ବେଶ ସୂଚନାତ୍ମକ ହୋଇ ଉଠିଛି । ଗଳ୍ପସ୍ରୋତର ଅନ୍ତଃପ୍ରବାହ, ଏଭଳି କ୍ଷେତ୍ରରେ ଚରମ ଗଭୀରତାକୁ ସ୍ପର୍ଶ କରିଯାଇଛି । ସଂକ୍ଷେପରେ କହିଲେ ବିଚାର୍ଯ୍ୟ ଗଳ୍ପଟି ଅନେକ ଦୃଷ୍ଟିରୁ ସାର୍ଥକ ଓ କଳାତ୍ମକ ହୋଇ ଉଠିଛି ।

 

‘ସାଇକେଲ୍‌ ଚୋର’ ଭାରତୀୟ ଅର୍ଥନୈତିକ ଦୁର୍ଗତିର ଏକ ବିଦ୍ରୂପାତ୍ମକ ସ୍ୱର । ଯୋଜନା କମିଶନ ରିପୋର୍ଟରେ, ମନ୍ତ୍ରିମାନଙ୍କ ଭାଷଣରେ ଫାଇଲ୍‌ ପତ୍ରର ଯେଉଁ ଦ୍ରୁତ ପ୍ରଗତିସମ୍ପନ୍ନ ଭାରତର ଚିତ୍ର ମିଳେ, ତାହା କେଡ଼େ ଅବାସ୍ତବ ଓ କପୋଳକଳ୍ପିତ, ତାହା ଉକ୍ତ ଗଳ୍ପରେ ବିସ୍ତୃତ ଭାବରେ ପ୍ରଦର୍ଶିତ । ‘ଅଣ୍ଡର ଗ୍ରାଉଣ୍ଡ’ ଗଳ୍ପ ପରି ଆଲୋଚ୍ୟ ଗଳ୍ପର ପ୍ରାରମ୍ଭରେ ଦେଖାଦେଇଥିବା ଅସଂପୃକ୍ତ ବର୍ଣ୍ଣନା ମଧ୍ୟରେ ରାଜୁର ଅସହାୟ ମନର ବହୁ ଅସଂଲଗ୍ନ ଚିନ୍ତା ପ୍ରକାଶ କରିବା ନିମନ୍ତେ ଭିତ୍ତି ପ୍ରସ୍ତୁତ କରାଯାଇଛି । ଆଧୁନିକତାର ନଗ୍ନରୂପ ଏଥିମଧ୍ୟରେ ସାର୍ଥକ ଭାବରେ ଫୁଟିଉଠିଛି । ବି.ଏ. ଡିଗ୍ରୀଧାରୀ ରାଜୁ ଓ ତାହାର ମଉସା ଘରର ଶୋଚନୀୟ ଚିତ୍ରରେ ଆମର ତଥାକଥିତ ସମୃଦ୍ଧି ବା ପ୍ରଗତିର ଅସାରତା ପ୍ରତିଫଳିତ ହୋଇଛି । ଇଣ୍ଟରଭ୍ୟୁରେ ଅକୃତକାର୍ଯ୍ୟ ହେବାପରେ ସେକ୍ରେଟେରୀଏଟ କୋଠାର ରାସ୍ତା ଏ ପାଖରେ ବସି ରାଜୁ ବିଡ଼ି ଟାଣିବା, କାଗଜ ପଢ଼ିବା କିମ୍ବା ଘାସ ଚୋବାଇବା ମାଧ୍ୟମରେ ଏ ଶତାବ୍ଦୀର କଳଂକ ସାର୍ଥକଭାବେ ଉଦ୍‌ଘାଟିତ । ଏ ଯୁଗର ମର୍ମଲିପି ଖୋଦନରେ ଏଭଳି ଉଚ୍ଚକୋଟୀର ବ୍ୟଞ୍ଜନା ଓ ସଂକେତର ମୂଲ୍ୟ ଅକଳନୀୟ । ହୃଦୟର ପ୍ରତିଟି ସ୍ପନ୍ଦନ ଏଥିମଧ୍ୟରେ ନିଖୁଣଭାବେ ପ୍ରକାଶିତ ।

 

ମାଉସୀଙ୍କର ହାଡ଼ଫଟା କଥା ଓ ମଉସାଙ୍କର ମୂକମୌନ ଦାରିଦ୍ର୍ୟ ରାଜୁକୁ ତାହାର ଜୀବନ ପାଇଁ ଆଶୁ ସମାଧାନ ବା ପନ୍ଥା ଖୋଜି ବାହାର କରିବାକୁ ବାଧ୍ୟ କରିଛି । କିନ୍ତୁ ପ୍ରିୟାପ୍ରୀତିତୋଷଣର ଏ ଦୁନିଆରେ ତାହାର ମାନପତ୍ର ତାକୁ ବଞ୍ଚିବା ସକାଶେ ରାହା ଦେଇପାରିନି-। ଏହିପରି ଦୁଃସ୍ଥ ଅବସ୍ଥାରେ ତାହାର ନିଃସହାୟ ମନ ସାଇକେଲ୍‌ ଚୋରିକୁ ପରବର୍ତ୍ତୀ ଜୀବନର ଏକମାତ୍ର ପନ୍ଥା ବୋଲି ବାଛିନେଇଛି । ଖବରକାଗଜର ସ୍ତମ୍ଭରେ–‘‘ପୁଲିସ୍‌କର୍ତ୍ତୃପକ୍ଷ କହନ୍ତି–ସାଇକେଲ୍‌ ଚୋରିଠାରୁ ବଳି ସହଜ ଅନ୍ୟ ଚୋରି ନାହିଁ । ମାତ୍ର ସାଇକେଲ୍‌ ଚୋରି ଧରିବା ଠାରୁ ବଳି ଅନ୍ୟ କୌଣସି ଦୁଃସାଧ୍ୟ ଚୋରିଧରା ନାହିଁ ।’’ –ସମ୍ବାଦଟି ନାଟକୀୟ ସୂଚନା ଧରି ବାରମ୍ବାର ତା’ ଭିତରର ନୈତିକ ପୁରୁଷକୁ ଦୁର୍ବଳତା ଭାଙ୍ଗି ଯୁଗସ୍ରୋତରେ ଭାସିଯିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ରାଜୁ ଅନ୍ତରର ନୀତିନିୟମଜନିତ ଦୁର୍ବଳ ମଣିଷ ଓ ନିତ୍ୟନୈମିତ୍ତିକ ପ୍ରୟୋଜନ ବୋଧ ବା ବଞ୍ଚିବାର ଗୋଟାଏ ବର୍ଣ୍ଣହୀନ ମୋହରୁ ଜନ୍ମ ନେଇଥିବା ସବଳ ପଶୁ ମଧ୍ୟରେ ଚାଲିଥିବା ସଂଘର୍ଷର ରୂପ ଅତ୍ୟନ୍ତ ବେଦନାକ୍ତ ଓ ବାସ୍ତବ । ସାଇକେଲ୍‌ ଚୋରି ପୂର୍ବରୁ ଓ ପରେ ରାଜୁର ମନସ୍ତାତ୍ତ୍ୱିକ ଦ୍ୱନ୍ଦ୍ୱର ବିଶ୍ଳେଷଣ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ସେନାପତିଙ୍କ ରୀତିରେ ଲୋକପ୍ରସିଦ୍ଧ ଶ୍ଳୋକର ବିକୃତ ଓ ହାସ୍ୟରସସିକ୍ତ ବ୍ୟାଖ୍ୟା କରି ଉକ୍ତ ମନସ୍ତାତ୍ତ୍ୱିକ ସୂକ୍ଷ୍ମତାକୁ । ଲେଖକ ଯୁଗସଙ୍କଟ ଛାୟାରେ ଆଚ୍ଛନ୍ନ କରିବାକୁ ସମର୍ଥ ହୋଇଛନ୍ତି ।

 

ଚୋରି ସାଇକେଲ୍‌ ବନ୍ଧକ ଦେବା ପରେ ମଧ୍ୟ ରାଜୁ ସ୍ଥିର ରହିପାରିନି । ଖବରକାଗଜ ପୃଷ୍ଠାର ସଦ୍ୟ ସାଇକେଲ୍‌ ଚୋରିର ସମ୍ବାଦ ଓ ପ୍ରତ୍ୟେକ ଟ୍ରାଫିକ୍‌ ପୋଲିସର ସ୍ୱାଭାବିକ ଇସାରାରେ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି । ତାହାର ମନେହେଉଛି, ସମଗ୍ର ସଂସାରଟା ଯେପରି ତାକୁ ଖୋଜି ବାହାର କରିବାଲାଗି ବ୍ୟଗ୍ର । ସାଇକେଲ୍‌ ବନ୍ଧାଦେଇ ଆଣିଥିବା ତିରିଶ ଟଙ୍କାରୁ କୋଡ଼ିଏ ଟଙ୍କା ପକେଟମାରୁ ହେବାପରେ ତାହାର ମାନସିକ ଚଞ୍ଚଳତା ନିବିଡ଼ ଅନ୍ଧକାରଦ୍ୱାରା ଢାଙ୍କି ହୋଇ ଆସିଛି । ତେଣୁ ଆକାଶର ଅସୁମାରି ତାରା ଦାନ୍ତମେଲି ତାକୁ ଗ୍ରାସ କରିବା ପାଇଁ ଅନାଇ ବସିଲାପରି ସେ ଅନୁମାନ କରିଛି । ପରିସ୍ଥିତି ତାଡ଼ନାରେ ଚୋର ସାଜିଥିବା ରାଜୁର ଉକ୍ତ ମାନସିକ ସଂବେଗର ଚିତ୍ର, ଲେଖକଙ୍କର ସୂକ୍ଷ୍ମବିଶ୍ଳେଷଣର ଏକ ଅକ୍ଷୟ ସୂଚୀପତ୍ର । ବାହାର ଜଗତର ଘଟଣାସ୍ରୋତ ଅପେକ୍ଷା ମାନସିକ ଘାତପ୍ରତିଘାତର ବିଦ୍ୟୁତ୍‌ ତରଙ୍ଗରେ ଗଳ୍ପଟି ଚିରଚଞ୍ଚଳ ଓ ନୂତନତାରେ ଋଦ୍ଧିମନ୍ତ । ଚରିତ୍ରସୃଷ୍ଟିରେ ଲେଖକଙ୍କର ପାରଦର୍ଶିତା ସାଧାରଣ ଚରିତ୍ର ଓ ମାମୁଲି ପରିବେଶକୁ ଅସାଧାରଣ ଓ ଚିରନ୍ତନ କରିବାରେ ଯଥେଷ୍ଟ ସାଫଲ୍ୟର ଅଧିକାରୀ ହୋଇଛି ।

 

କଞ୍ଚାହାଣ୍ଡି ଦେହରେ ଦାଗପରି ଉତ୍ତୀର୍ଣ୍ଣ ବୟସରେ ଜୀବନ-ସକାଳର ସ୍ମୃତି ଅଲିଭା ହୋଇ ରହିଯାଏ । କଅଁଳ ବୟସର ଅବଶୋଷଟା ମନ ଭିତରେ ମରି ମରି ନ ଯାଇ କ୍ରମେ କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ହୁଏ । ଅତୀତର ଏହି ଅସ୍ୱସ୍ତି ଓ ଅବଶୋଷରୁ ଘନିଆଁ ମନରେ ଗଣେଷଚତୁର୍ଥୀ ପାଳିବା ପାଇଁ ଯେତେ କିଛି ବ୍ୟାକୁଳତା ପ୍ରକାଶ ପାଇଛି, ସେହି ବ୍ୟାକୁଳତାରେ ପନ୍ଦର ବର୍ଷର ବାଉରିଟୋକା ଘନିଆଁ ଘଡ଼ିକ ସକାଶେ ବର୍ତ୍ତମାନକୁ ଭୁଲିଯାଇ ଅତୀତ ଭିତରେ ମିଶିଯାଇଛି । ତା’ଠାରୁ ଅଳ୍ପ ବର୍ଷର ପିଲାଙ୍କ ସଙ୍ଗେ ମିଶି ସେ ପୁଣିଥରେ ବଇ ଅବଧାନର ଚାହାଳୀକୁ ଫେରି ଚାଲିଲା ପରି ଅନୁଭବ କରିଛି । ମା’ ବୁଢ଼ୀର ରଡ଼ି ବା ସାଙ୍ଗ ମୂଲିଆମାନଙ୍କର ଡାକରାରେ ଅପୂର୍ଣ୍ଣ ଅତୀତଟାକୁ ସେ ଭୁଲିଯାଇ ପାରିନି । ଅଛବ ହେତୁ ଦିଅଁ ଚରଣରେ ପୁଷ୍ପାଞ୍ଜଳି ଦେଇ ନ ପାରିବାର ଯେଉଁ ସାମାଜିକ ପରାଭବକୁ, ସେ ଶିଶୁ ମନର ନିର୍ବିବାଦ ସ୍ୱୀକୃତି ମଧ୍ୟରେ ହଜାଇ ଦେବାକୁ ଚେଷ୍ଟା କରିଛି, ତାହା ବାସ୍ତବରେ ହଜି ଯାଇ ପାରିନି । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ଗଭୀରରୁ ଗଭୀରତର ହୋଇଛି ଏ ଅବସାଦଟି । ସେହିହେତୁ ପନ୍ଦରବର୍ଷର ବାଉରୀପିଲା ଘନିଆଁର ଗଣେଷ ଚତୁର୍ଥୀ ପାଳନ ଭିତରେ ବଞ୍ଚିରହିଛି ବାଲୁତ ଘନିଆଁ ଓ ତାହାର ଯେତେ କିଛି ବାଳୁତ ସୁଲଭ ସରଳତା ଓ ସମତା ପାଇଁ ସହଜ ସ୍ୱପ୍ନ ।

 

ଫକୀରମୋହନଙ୍କ ଠାଣିରେ ଘନିଆଁର ଚାହାଳୀଜୀବନ ତା’ ବାପର ଆଶାନିରାଶା ଓ ବଇମାଷ୍ଟଙ୍କ ଅବଧାନୀ, ସୁଚାରୁରୂପେ ଗଳ୍ପରେ ସ୍ଥାନ ପାଇଛି । ଏସବୁ ପାଠ କଲାବେଳେ ସେନାପତିଙ୍କର ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପର ମଧୁର ସ୍ମୃତି ହୃଦୟରେ ଜାଗି ଉଠିବା ସ୍ୱାଭାବିକ । ଫକୀରମୋହନଙ୍କ ଅବଧାନ ଚରିତ୍ର ପରି ଚିରନ୍ତନ ଏ ବଇ ଅବଧାନ ଚରିତ୍ରଟି । ଏଥିରେ ପରମ୍ପରାର ମଳିଧୂଳି ଥିଲେବି ଅତୀତ ଉତ୍କଳର ଜ୍ଞାନବିଜ୍ଞାନ ଓ କୃଷ୍ଟିର ଇତିହାସରେ ଏ ଅଥର୍ବ ରେଖାଟିକୁ ଅବହେଳା କରିହୁଏ ନାହିଁ । ପ୍ରାଚୀନ ଚାଟଶାଳୀର ରୂପରେଖ ମଧ୍ୟରେ ଘନିଆଁ ଜୀବନର ବୈଚିତ୍ର୍ୟ, ବଇମାଷ୍ଟ୍ରଙ୍କୁ ଛାଡ଼ି କଳ୍ପନା କରାଯାଇ ନ ପାରେ । ଏ ବୈଚିତ୍ର୍ୟ ମଧ୍ୟରେ ତାହାର ଆନନ୍ଦ ଓ ଗ୍ଳାନି ମିଶ୍ରିତ ରହିଛି । ଅଛବ ପିଲାର ଦୈନ୍ୟ ଓ ସାମାଜିକ ଆଚାରର ନିଷ୍ଠୁରତା ପ୍ରତିପାଦନରେ ଏ ପର୍ଯ୍ୟାୟଟିର ଦାନ ଉଲ୍ଲେଖଯୋଗ୍ୟ ।

 

ବରଜୁ ହାତରୁ ମାସକୁ ମାସ ସଞ୍ଚା ଓ ଦକ୍ଷିଣୀ ପାଇବା ଲାଳସାରେ ବଇ ଅବଧାନ ଘନିଆଁକୁ ଚାହାଳୀରେ ବସାଇଥିଲେ ମଧ୍ୟ ପଛପିଣ୍ଡାର ଛାଇଛାଡ଼ି ଆଲୁଅକୁ ଆସିବାକୁ ତାକୁ ସୁଯୋଗ ଦିଆଯାଇନି । ତେଣୁ ସାମାଜିକ ଉପେକ୍ଷା ଓ ବଡ଼ଚାଟର ବିଧାଖୁନ୍ଦା ମଧ୍ୟରେ ତାହା ଜୀବନର ଯେଉଁ ବିପୁଳ ସମ୍ଭାବନା ହତ୍ୟା କରାଯାଇଛି, ସେଥିପାଇଁ ଲେଖକଙ୍କର ସ୍ୱର, ବେଦନାବିଧୁର ଓ ଇଙ୍ଗିତପୂର୍ଣ୍ଣ । ସାମାଜିକ ବାସନ୍ଦର ଏ ଅନ୍ଧଦିଗନ୍ତରେ ଘନିଆଁ ପରି ବହୁ ଯାତ୍ରୀଙ୍କୁ ପଥବଣା କରାଯାଇଛି । ଅପଦାର୍ଥତାର ସ୍ୱାକ୍ଷର ଦେଇ ସେମାନଙ୍କୁ ମଣିଷ ତିଆରି ନର୍କ ମଧ୍ୟକୁ ଠେଲି ଦିଆଯାଇଛି । ସେ ନର୍କ ଭିତରୁ ଘନିଆଁର ମୌନ ଲହର, ପଙ୍ଗୁ ସାମାଜିକତା ବିରୁଦ୍ଧରେ ଅଭିଶାପର ଏକ ଅସ୍ପଷ୍ଟ ସ୍ୱର ଭିନ୍ନ ଅନ୍ୟ କିଛି ନୁହେଁ ।

 

ବାଲ୍ୟକାଳରେ ନ ହେଲେ ମଧ୍ୟ ଯୌବନର ପଦଚାରଣାରେ ମନର ଭୋକ ମେଣ୍ଟାଇବା ଲାଗି ଘନିଆଁ ସତେ ଯେପରି ସଂକଳ୍ପବଦ୍ଧ । ତା’ ହାତର ଫୁଲ ଦିଅଁ ଚରଣରେ ପୁଷ୍ପାଞ୍ଜଳି ଲାଗିବାର ଦେଖି ସେ ପ୍ରାଣଭରା ଆନନ୍ଦରେ ପୁଲକିତ ହୋଇଛି । ଏ ପୁଲକରେ କଦାକାର ‘ବୁଲା’ ଓ ତାହାର ବୁଢ଼ୀ ମା’କୁ ମିଶାଇ ନେବାରେ ତାହାର ଅଦ୍ଭୁତ ଆନନ୍ଦ । ମୁଠାଏ ମୁଠାଏ ଖଇଉଖୁଡ଼ା ଓ ଖଣ୍ଡେ ଖଣ୍ଡେ ଖସାଲଡ଼ୁ ସେ ଦୁହିଁଙ୍କ ଆଡ଼କୁ ଫିଙ୍ଗିଦେବା ମଧ୍ୟରେ ସେ ତା’ ଜୀବନର ପୂର୍ଣ୍ଣସ୍ୱାଦୁ ଉପଭୋଗ କଲା ପରି ମନେକରିଛି । ମାନବ ମନର ଏହି ସୂକ୍ଷ୍ମବିଚାର, ଗଳ୍ପଟିକୁ ଉଚ୍ଚକୋଟିର କରିପାରିଛି । ବାଉରୀପିଲାର ଅନ୍ତର ଭିତରେ ବୈଷମ୍ୟପୀଡ଼ିତ ବିଶ୍ୱମାନବତାର ବିଳାପ, ଲେଖକଙ୍କୁ ଉଦାରତାରେ ଅଭିଭୂତ କରିଦେଇଛି । ସୁତରାଂ ଘନିଆଁର ଗଣେଶ ଚତୁର୍ଥୀ ପାଳନ, ପିଲାମନର ମଦ୍‌ଖିଆଲ ନୁହେଁ; ଏଥିରେ ଅଛି ପୀଡ଼ିତମନର ମୁକ୍ତିସ୍ୱପ୍ନ ଓ ଅସାର୍ଥକକୁ ସାର୍ଥକ କରିବାର ମାନବୀୟ ବାସନା । ଘନିଆଁ, ସେହି ବଞ୍ଚିତ ଚେତନାର ଅଟଳ ପ୍ରତିନିଧି ଓ ତାହାର ଅତୀତ ସେହି ବ୍ୟଥାତୁର ଇତିହାସର ମର୍ମଲିପି କହିଲେ ଅତ୍ୟୁକ୍ତି ହେବ ନାହିଁ-

 

ମନୁଷ୍ୟଚିତ୍ତର ଯେଉଁ ସୂକ୍ଷ୍ମ ଆବେଗକୁ ରୂପାୟିତ କରିବା ନିମିତ୍ତ ଉଲ୍ଲିଖିତ ଗଳ୍ପର ପରିକଳ୍ପନା; ତାହାର ଏକ ଗଭୀରତମ ସ୍ୱର ‘‘ସୀମାରେଖା’’ରେ ସୁସ୍ପଷ୍ଟ । ସମାଜ ବା ରାଜନୀତିର ଘୂର୍ଣ୍ଣି, ‘ଶୋଷକ’, ‘ଶୋଷିତ’ର ମାର୍କା ମାରି ମଣିଷକୁ ମଣିଷଠାରୁ ଅଲଗା କରିଦିଏ । ତଥାକଥିତ ଭେଦ ଓ ବୈଷମ୍ୟକୁ ଆଳ କରି ରକ୍ତ-ରକ୍ତରେ ଅଗ୍ନିର ସୁଅ ଛୁଟାଇ ଦିଆଯାଏ । ମଣିଷ ତିଆରି ଏ ହଟଚମଟରେ ଘଡ଼ିକ ଲାଗି କ୍ଷେତ୍ରମୋହନ ଭୁଲିଯାଏ ଗଉରାକାଣ୍ଡୀକୁ । ମାଟି ମା’କୁ ନିଜର କରିବାକୁ ଯାଇ ଭାଗଦାତା ଓ ଭାଗଚାଷୀ ମଧ୍ୟରେ ରୁଜୁ ହୋଇଯାଏ କଳିତକରାଳ ଓ ଦଙ୍ଗାହେଙ୍ଗାମ୍‌ । ଅସ୍ଥାୟୀ ମହାଭାରତରେ ମଣିଷ ପଶୁ ପାଲଟେ ସତ, କିନ୍ତୁ ତା’ଭିତରୁ ନିଶ୍ଚିହ୍ନ ହୋଇଯାଏ ନା ମାନବବାଦର ସେ ଆଦିମ ସଙ୍ଗୀତ । ଅମୃତ ମୁହୂର୍ତ୍ତରେ ମନୁଷ୍ୟ ପୁଣି ମନୁଷ୍ୟକୁ ଚିହ୍ନେ । କୃତ୍ରିମତାର ସୀମାରେଖା ଭାଙ୍ଗ, ପ୍ରାଣର ପରଶରେ ପ୍ରାଣ ଅଧୀର ହୋଇଉଠେ । ମାନବତାର ଏ ସଂଗୀତ, ସଂକ୍ଷିପ୍ତ ହେଲେ ମଧ୍ୟ ଶାଶ୍ୱତ । କିଆଝରୀ ଗାଁ’ର କ୍ଷେତ୍ରମୋହନ ଓ ଗଉରା ଚରିତ୍ରରେ ଉକ୍ତ ଶାଶ୍ୱତ ରହସ୍ୟର ବ୍ୟାଖ୍ୟା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଭାଗଚାଷ ଆଇନକୁ ଭଣ୍ଡୁର କରିବା ଲାଗି ଏକ ପକ୍ଷରେ ନାରାୟଣ ମହାପାତ୍ର, ଚେମ ମହାନ୍ତି ଓ ଜଗନ୍ନାଥ ପ୍ରଭୃତି ଯେପରି ପାଗଳ; ଅନ୍ୟ ପକ୍ଷରେ ତାହାକୁ ଦୃଢ଼ କରି ଜମି ଉପରେ ‘‘ଶୋଷିତ’’ର ଦାବୀ ସାବ୍ୟସ୍ତ କରିବାକୁ ବାଉରୀସାହିଆ ସେହିପରି ବ୍ୟଗ୍ର ଓ ଉନ୍ମତ୍ତ । ଲେଖକଙ୍କ ମତରେ ଏ ସମସ୍ତର ଉତ୍ପତ୍ତି, ସମାଜର ବିଲକ୍ଷଣ ଫଳରେ ସମ୍ଭବ ହୋଇଛି । ଗାଁ-ଟାଉଟର ଓ ମାମଲତକାରଙ୍କ କାରସାଦିରେ ପଡ଼ୋଶୀଧର୍ମ ଭୁଲିଯିବା ପରେ ପଶୁ-ପଶୁ ମଧ୍ୟରେ ହିଂସ୍ରତାର ରକ୍ତସଂଗ୍ରାମ ଲାଗିଯାଇଛି । ଅନ୍ତର୍ଦୃଷ୍ଟି ପ୍ରସାରିତ କରି ହୃଦୟ-ହୃଦୟକୁ ବୁଝିବାକୁ ଚେଷ୍ଟାକଲେ ମାନବିକ ସମତା ଓ ସହୃଦୟତା ଲାଗି ଅବକାଶ ସୃଷ୍ଟି ହୋଇପାରିବ ।

 

ଶୋଷକ, ଶୋଷିତର ଦୁଆ ଧରି ରିକ୍ତ ହୋଇ ଆସୁଥିବା ଆଧୁନିକ ବିଶ୍ୱ ବକ୍ଷରେ ଲେଖକଙ୍କର ଏ ମତବାଦ, ଆଗାମୀ ଯୁଗର ଶୁଭସଂକେତ । ବସ୍ତୁତନ୍ତ୍ରକୁ ଜୟକରି ପ୍ରାଣପ୍ରଚୁରତାରେ ଉଛୁଳି ଉଠିବା ଲାଗି, ଏହା ତାଙ୍କର ଏକ ମୌଳିକ ଆହ୍ୱାନ । ପ୍ରୟୋଜନବୋଧର ନିଷ୍ଠୁରତାରୁ ଊର୍ଦ୍ଧ୍ୱକୁ ନ ଉଠିଲେ ଶାନ୍ତି ଓ ସ୍ୱସ୍ତିର ଆଶା, ଆକାଶସ୍ୱପ୍ନ–ବୁଭୁକ୍ଷୁ ସଭ୍ୟତାକୁ କଥାକାରଙ୍କର ଏ ବାଣୀ, ତାଙ୍କ ଲିଖିତ ଅଧିକାଂଶ ଗଳ୍ପରେ ଶୁଣାଇ ଦିଆଯାଇଛି । ଭାରତୀୟ ଜୀବନ ଓ ସଂସ୍କୃତିର ଏହାହିଁ ଚରମବାର୍ତ୍ତା । ଉକ୍ତ ଚରମ ସିଦ୍ଧାନ୍ତକୁ ଲେଖକ, ସମସାମୟିକ ସମସ୍ୟା ଓ ଆଧୁନିକ ଯୁଗାଲୋକ ମଧ୍ୟରେ ଅଧିକ ରଶ୍ମି ଯୁକ୍ତ କରିବାରେ ଅପୂର୍ବ ନିଷ୍ଠା ଓ ନୈପୁଣ୍ୟର ପରିଚୟ ଦେଇଛନ୍ତି । ତାଙ୍କର ବର୍ଣ୍ଣନା ଚାତୁରୀ ଓ ଟିକିନିଖି ବିଶ୍ଳେଷଣରେ ଚରିତ୍ର ବା ପରିସ୍ଥିତିରେ କଳ୍ପନାର ବିମୋହନ ମାୟା ଲକ୍ଷ୍ୟ କରିହୁଏ ନାହିଁ । ବରଂ ସବୁ ଯେପରି ବାସ୍ତବ ସଂସାରରୁ ଆହୃତ ଅକ୍ଷତ ଭଳି ବୋଧହୁଏ । ସ୍ଥୂଳତଃ, କିଆଝରୀର ଜୀବନ ଓ ସମସ୍ୟା ସମଗ୍ର ଭାରତର ଜୀବନ-ସମସ୍ୟାର ଅପରୂପ ଚିତ୍ର । ଏଥିରେ ଛଳନା ଅପେକ୍ଷା ସହୃଦୟତାର ଆଶ୍ଳେଷ ଅତ୍ୟନ୍ତ ନିବିଡ଼ । ସ୍ଥୂଳ ମଧ୍ୟରେ ସୂକ୍ଷ୍ମକୁ ଓ ସାମୟିକୀ ମଧ୍ୟରେ ସମୟବିହୀନ ସତ୍ୟକୁ ଉପସ୍ଥାପନ କରିବାରେ କଥାକାରଙ୍କର ନିଷ୍ଠା ପ୍ରଶଂସନୀୟ ।

 

ଗଳ୍ପଟିର ଘଟଣା ପ୍ରବାହରେ ଗଉରାର ହୁରୁମାକଣ୍ଠର ଅଭିଯୋଗ ଓ ଅଭିମାନ ଆକସ୍ମିକ ହେଲେ ମଧ୍ୟ ଅବାସ୍ତବ ନୁହେଁ । ସେହିପରି ତାହାର ଦୀର୍ଘନିଶ୍ୱାସରେ କ୍ଷେତ୍ରମୋହନଙ୍କ ଦୀର୍ଘନିଃଶ୍ୱାସ ମିଶି ଏକାକାର ହୋଇଯିବା ବିଚିତ୍ର କିମ୍ବା ଅସ୍ୱାଭାବିକ ହୋଇ ନ ପାରେ । କାରଣ, ଜୀବନର ଗୋଟିଏ ମୁହୂର୍ତ୍ତହିଁ ଜୀବନ ଗୋଟାକର ଶ୍ରେଷ୍ଠ ପରିଚୟ ଦେଇଥାଏ । କଳିତକରାଳ ଓ ଜମିଦଖଲର କୋଳାହଳ ମଧ୍ୟରେ ଯେଉଁ ମୁହୂର୍ତ୍ତଟି ଅପସରି ଯାଇଥିଲା, ଗଉରାକାଣ୍ଡୀର ଗଁ ଛାଡ଼ିଯିବାବେଳେ ତାହା ପୁଣି ଫେରିଆସିଛି । ସମସ୍ତଙ୍କ ମନରେ ସନ୍ଧ୍ୟାର ଗାଢ଼ ଅନ୍ଧକାର ପରି ଘେରିଯାଇଛି ଗୋଟାଏ ଅବ୍ୟକ୍ତ ବେଦନା । ମାନବପାଇଁ ମାନବର ଏ ବେଦନା, ଭାଷାହୀନ ହେଲେବି ସନାତନ । ବିଚାର୍ଯ୍ୟ ଗଳ୍ପର ସୌନ୍ଦର୍ଯ୍ୟବୃଦ୍ଧିରେ ଏହାର ଅବଦାନ ସ୍ମରଣୀୟ ।

 

‘‘ଖାଦାନୀ’’ ଯନ୍ତ୍ରସଭ୍ୟତାର ଶୋଷଣ ଓ ଲୁଣ୍ଠନର ଏକ କରୁଣ ଚିତ୍ର । ବଡ଼ବିଲର ଖାଦାନତଳେ ଯେଉଁ ଅସୁମାରୀ ଆଦିମତାର ସଂଗୀତ, କମ୍ପାନୀ ସାଇବ ବା ଠିକାଦାରର ନିର୍ଯ୍ୟାତନାରେ ଆତ୍ମହର ହୋଇଆସେ, ଜାନନ୍‌ମୁଣ୍ଡା ସେହି ବଞ୍ଚିତ ଆଦିମତାର ଏକ ଅବସନ୍ନ ପ୍ରତିନିଧି । ତାହାର ଶେତାଶେତା ଫୁଲା ଆଖିର ଶେଷ ଅଶ୍ରୁରେ ପ୍ରାକୃତିକ ମଣିଷର ସରଳ ଇତିହାସ କୁଣ୍ଠିତ ଓ ମ୍ରିୟମାଣ । ସଭ୍ୟତାର ଆକ୍ରମଣ ଆତ୍ମରକ୍ଷା କରିବା ପାଇଁ ଏ ଇତିହାସ ଯେମିତି ଅଜଣା ଅଚିହ୍ନା ପଥରେ ପଡ଼ିଉଠି କେଉଁ ନୂତନ ‘‘ସାର୍‌ନା’’ର ସନ୍ଧାନରେ ଧାଇଁବୁଲୁଛି । ଓଡ଼ିଶାର ଆଦିବାସୀ ଜାନମ୍‌ମୁଣ୍ଡା ଯେଉଁ ମାଟିକୁ ‘ହାସାବଙ୍ଗା’ ବୋଲି ପୂଜା କରି ଆସୁଥିଲା; ଯେଉଁ ପାହାଡ଼କୁ ବୁରୁବଙ୍ଗା ଭାବି ବଳିଦେଇ ଆସୁଥିଲା, ଯେଉଁ ସାର୍‌ନାରେ ଅରଣ୍ୟଦେବତା ବୀରବଂଗାର ବଂଶୀତାନ ଶୁଣି ସେ ଅଧୀର ହେଉଥିଲା; ସେହି ମାଟି, ପାହାଡ଼ ଓ ଅରଣ୍ୟର ଦେବତା, ତଥା ସେ ସବୁର ଉପରେ ଦିନରାତି ଆଖିମେଲି ଚାହିଁବସିଥିବା ରିମିଲବଂଗାକୁ ପାଦ୍ରୀ ସାଇବ, କମ୍ପାନୀ ସାଇବ ଓ ଗୋଲଖପୁରୀ ଗୁଣ୍ଡାର ଦାରୁପିଆ ଆଖି, ତାହାଠାରୁ ଛଡ଼ାଇନେବାକୁ ପ୍ରୟାସ କରିଛି । ସଭ୍ୟଜଗତର ବଣିଆ ତାହାର ସବୁକିଛି ଲୁଟ୍‌ କରିନେଇଛି । ଖାଦାନ୍‌ ଶୋଷିନେଇଛି ତାହାର ମାନ୍‌, ଇଜ୍ଜତ୍‌, ରକ୍ତ, ଅଶ୍ରୁ ଓ ଫୁଲମନି, ରାୟମନିଙ୍କ ପରି କେତେ ଧାଙ୍ଗ୍ଡ଼ୀଙ୍କର ଦେହ ଆଉ ମନ । କାରୋ ଗାଁ’ର ଜାନମ୍‌ମୁଣ୍ଡା ସେ ସବୁର ପ୍ରତିବାଦ କରିନି, ପ୍ରତିବାଦ କରିପାରିନି । ପେଟ ପାଇଁ ବାଧ୍ୟ ହୋଇ ସେ ମଧ୍ୟ ଯାଇଛି ଖାଦାନ୍‌କୁ । ହେଲେହେଁ ମାନସିଂ, ସୁନିଆଁ, କଇଁତା ବା ରାୟମନି, ଫୁଲମନି ପରି ସେ ତାହାର ଚେତନାକୁ ଖାଦାନୀ ସଭ୍ୟତାର ଦାରୁ, ଅତର ବା ଛିଟଲୁଗା ପାଖରେ ବଳି ଦେଇପାରିନି । ପୁରାତନର ସରଳ ବିଶ୍ୱାସ ଓ ନୂତନର ଚିନ୍ତାହୀନ ମୋହରୁ ତା’ ମନରେ ନୂଆ-ପୁରୁଣାର ସଂଘର୍ଷ ଦେଖାଦେଇଛି । ନୂତନତ୍ତ୍ୱର ଇତିହାସରେ ଆଦିମର ଏ ସଂଘର୍ଷ ନୂତନ ନୁହେଁ । ଆଧୁନିକତା ନାମରେ ପୁରାତନୀ ପୃଥିବୀର ଆଶାଭରସା ଓ ସରଳତାକୁ ଇତିହାସ ବକ୍ଷରେ ଏହିପରି ବାରମ୍ବାର ପଦାଘାତ କରାଯାଇଛି ।

 

ଜାନମ୍‌ମୁଣ୍ଡାର ସ୍ୱଗତୋକ୍ତି, ଇତିହାସର ସେହି ଯୁଗ ଯୁଗର ଅବିଚାର ବିରୁଦ୍ଧରେ ନୀରବ ଆହ୍ୱାନ । ଜୀବନର ସବୁକିଛି ବିନିମୟରେ ସେ ତାହାର ବହୁଦିନର ସଂସ୍କୃତିକୁ ଅବିଶ୍ୱାସ କରିପାରି ନାହିଁ । ଫୁଲମନି ମା’ର ଶଶାନଦିରୀ ପାଖରେ ସେ ଫୁଲମନିର ପାଉଁଶ ଆଉ ହାଡ଼କୁ ପୋତି ଦେଇଛି । ମା’ ଝିଅର ଶଶାନ-ଦିରୀ ଅନ୍ତରାଳରେ ସେ ତାହାର ଆତ୍ମବିଶ୍ୱାସକୁ ପୋତି ଦେଇଯାଇଛି ତାହାର ଅତି ପରିଚିତ କାରୋ ଗାଁ’ର ଶାଳ ଆଉ କୁରେହୀ ଗଛତଳେ । ଯାଯାବରର ମୂଳଭାଷାରେ ସେ ଲେଖି ଦେଇଯାଇଛି ତାହାର ଅପରାହତ ମନର ମୌନକବିତା; ଏ ପାହାଡ଼ ଓ ଶାଳବଣର ପ୍ରତି ଫାଙ୍କରେ ତେଣୁ ଖାଦାନୀର ମାତାଲ ଓ ରକ୍ତମୁଖା ସଭ୍ୟତା ଭିତରେ ଜାନମ୍‌ମୁଣ୍ଡା ଓ ତାହାର ଆଦି ଭୂଇଁକୁ ଭୁଲିହୁଏ ନାହିଁ ।

 

ଗୋପାଳବଲ୍ଲଭ ଓ ଗୋପୀନାଥଙ୍କର ଔପନ୍ୟାସିକ ଚେତନାରୁ ଉଦ୍ଭୁତ ହେଲେ ମଧ୍ୟ ‘ବଳିଦାନ’ ଓ ‘ଖାଦାନୀ’ରେ ଲେଖକଙ୍କର ଦୃଷ୍ଟିଭଙ୍ଗୀଗତ ସ୍ୱତନ୍ତ୍ରତା ପରିଲକ୍ଷିତ ହୁଏ । ଆଦିମ ସରଳତାର ମୁଗ୍‌ଧ ରୂପ ପ୍ରଦର୍ଶନ କେବଳ ତାଙ୍କର ଗଳ୍ପସୃଷ୍ଟିର ଲକ୍ଷ୍ୟ ନୁହେଁ । ଜଡ଼ସଭ୍ୟତାର ତାଡ଼ନାରେ ନିର୍ଯ୍ୟାତିତ ଆଦିମତା, କିପରି ଆତ୍ମରକ୍ଷା ପାଇଁ ସଂଗ୍ରାମରତ, ଜାନମ୍‌ମୁଣ୍ଡାର ଚାରିତ୍ରିକ ଉତ୍କର୍ଷରେ ତାହା ପ୍ରତିବିମ୍ବିତ । ଲୋକ ଅଦେଖାରେ, ଅଜଣା ଗିରିଦରୀରେ ଏ ଚେତନା ଯେ ଅକ୍ଷୟ, ତାହା ପରୋକ୍ଷ ଭାବରେ ଗଳ୍ପ ମଧ୍ୟରେ ସ୍ୱୀକୃତ । ସମୟଚକ୍ରରେ ବ୍ୟକ୍ତିର ଏ ଦୁର୍ଦ୍ଦମ ସ୍ୱାଧୀନଚିନ୍ତା, କମ୍‌ ଶକ୍ତିଶାଳିତାର ପରିଚୟ ନୁହେଁ । ଆତ୍ମପ୍ରତ୍ୟୟର ଏ ବିଜୟରେ, ଆତ୍ମସମର୍ପଣର ଏ ସଂକଳ୍ପବଦ୍ଧତା ଓ ସଙ୍କଟ ମଧ୍ୟରେ ଜାନମ୍‌ମୁଣ୍ଡାର ଚାରିତ୍ରିକ ସୌନ୍ଦର୍ଯ୍ୟ, ସମଗ୍ର ଗଳ୍ପକୁ ସୁଷମାନ୍ୱିତ କରିବାରେ ସହାୟକ । ଯାନ୍ତ୍ରିକ ପ୍ରଗତିର ଅଭିଶାପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଉକ୍ତ ଚରିତ୍ରଟି ଲେଖକଙ୍କର ଏକ ସୁପରିକଳ୍ପିତ ସୃଷ୍ଟି । ଅସନ୍ତୋଷର ସ୍ତୂପୀକୃତ ତୁଷାର ମଧ୍ୟରୁ ଏହାର ଜନ୍ମ । ତଥାପି ଏହାର ଶିରାପ୍ରଶିରାରେ କେବଳ ଶୀତଳତା ନାହିଁ, ଖୁନ୍ଦିହୋଇ ରହିଛି ପ୍ରଚ୍ଛନ୍ନ ତାପ ଓ ପ୍ରଚୁର ଉନ୍ମାଦନା ।

 

ରାୟମନି, ଫୁଲମନି ଓ ମାନସିଂ ରକ୍ତରେ ବନଗହନର ଏ ଉତ୍ତାପ ଥିଲା । ପ୍ରଥମେ ପ୍ରଥମେ ବୁଢ଼ା ଜାନମ୍‌ମୁଣ୍ଡା ପରି ସେମାନେ ଖାଦାନ୍‌କୁ ଘୃଣା କରୁଥିଲେ । ଶାଳଗଛ ଓ ମହୁଲଗଛ ଛାଇତଳେ ଝୁମୁର, ଡାଲକୋଇ ନାଚି ନାଚି ସେମାନେ ମଧ୍ୟ ଜୀବନଟାକୁ ବିତାଇ ଦେଇ ପାରିଥାନ୍ତେ । କିନ୍ତୁ ଖାଦାନ୍‌ର ପଇସା ଓ ଚାଉଳର ଡାକ, ସେମାନେ ଏଡ଼ି ପାରିଲେ ନାହିଁ । ଦେହର ଆବଶ୍ୟକତା ତୁଳନାରେ ମନର ସ୍ୱଚ୍ଛନ୍ଦତା, ହୀନ ବୋଧହେଲା । ପ୍ରୟୋଜନବୋଧର ମଣିଷଟା, ସୁଧୁ ଦେହଭୋକରେ ଆତ୍ମସ୍ୱାଧୀନତା ବିକ୍ରୟ କରି କିପରି ଗୋଲାମ ପାଲଟିଯାଏ, ତାହାର ଶାଶ୍ୱତ ଅଭିବ୍ୟକ୍ତି ଏ ଚରିତ୍ରଗୁଡ଼ିକ ।

 

ଜାନମ୍‌ର ଅନ୍ଧବିଶ୍ୱାସରେ ଯେ ଖାଦାନ୍‌କୁ ଯାଏ, ସେ ଆଉ ଫେରେନି । ମାନସିଂ ଓ ଫୁଲମନି ପ୍ରଭୃତି ଖାଦାନ୍‌ରେ ଯୋଗଦେବା ପରେ ଅକ୍ଷତ ଦେହ ଓ ମନର ସେହି ପୁରୁଣା ସୋହାଗ ନେଇ ଆଉ ଫେରିନାହାନ୍ତି । ମଣିଷକୁ ପଶୁ କରି, ସାଧୁକୁ ଶୟତାନ୍‌ କରି ଫିଙ୍ଗି ଦେଇଛି ଏ ଖାଦାନ୍‌ । ତେଣୁ ଜୀବନ-ପରୀକ୍ଷାରେ ଜିତିବାକୁ ଯାଇ ହାରିଯାଇଛନ୍ତି ଖାଦାନ୍‌ର ଶହ ଶହ ଆଦିବାସୀ ତରୁଣତରୁଣୀ । ସେମାନଙ୍କର ଅପୂର୍ଣ୍ଣ ସଂଗ୍ରାମର ପ୍ରେମ, ପ୍ରଣୟ, ପ୍ରତିହିଂସା ଓ ଅବସାଦ; ସବୁକିଛି ଜାନମ୍‍ମୁଣ୍ଡାର ବିଶାଳ ଦର୍ଶନ ଛାୟାରେ ଲୁକ୍‌କାୟିତ । ତାହାର ଦାର୍ଶନିକତାର ଅନୁପୂରକ ଭାବରେ କାର୍ଯ୍ୟ କରିଥିଲେ ମଧ୍ୟ ଖାଦାନୀର କାହାଣୀ ଭାଗରେ କେବଳ ଜାନମ୍‌ମୁଣ୍ଡାକୁ ସ୍ଥିରଦୃଷ୍ଟିରେ ଲକ୍ଷ୍ୟ କରିହୁଏ । ଅନ୍ୟ ସମସ୍ତେ ଏହି ସ୍ଥିରଦ୍ୟୁତିର ବିସ୍ଫୋରଣ......କେତେବେଳେ ଅଟଳ, କେତେବେଳେ ଚଞ୍ଚଳ, କେତେବେଳେ ପଥଭ୍ରଷ୍ଟ, କେତେବେଳେ ଅବା ରଶ୍ମିହୀନ । ଗଳ୍ପ ପ୍ରାରମ୍ଭରୁ ଯେ ଏକାକୀ ପ୍ରତିକୂଳକୁ ଗତି କରିଛି, ସେହି ଚେତନା-ବିପ୍ଳବୀ ଜାନମ୍‌ମୁଣ୍ଡା ମଧ୍ୟରେ ଲେଖକଙ୍କୁ ଅନୁଭବ କରିହୁଏ । ଜୀବନର ଭୂମିକାକୁ ମାର୍ଜିତ କରିବା ଲାଗି ତାଙ୍କର ଏକକ ବିପ୍ଳବର ଗୁରୁଗମ୍ଭୀର ତାନ, ଭବିଷ୍ୟତ ସୃଷ୍ଟିର ପ୍ରସ୍ତୁତି ପଥରେ ମଙ୍ଗଳ ଆଳାପନ କହିଲେ ଚଳେ ।

 

ପ୍ରସଙ୍ଗ ଉପଯୋଗୀ ଚରିତ୍ର ଓ ଚରିତ୍ରସୁଲଭ ଭାଷା, ‘‘ଖାଦାନୀ’’ର ସ୍ୱାଭାବିକ ବାତାବରଣ ପାଇଁ ବିଶେଷ ଭାବରେ ଦାୟୀ । ପାହାଡ଼ ଡୁଙ୍ଗର ଓ କାରାନଈକୂଳର ଅବିକଳ ମୂର୍ଚ୍ଛନା, ଏ ସ୍ୱାଭାବିକତାକୁ ଆହୁରି ପ୍ରାଣବନ୍ତ କରିପାରିଛି । ବାର୍ଡ଼କମ୍ପାନୀର ଖାଦାନ ଘଣ୍ଟାର ଧ୍ୱନି, ଟ୍ରକ୍‌ ଜିପ୍‌ର କାନଫଟା ଶବ୍ଦ; ବଡ଼ବିଲ ରେଲ୍‌ ସାଇଡ଼ିଂ ଆଡ଼େ ମାଲଗାଡ଼ିର ସିଟି ତଥା ବଡ଼ବିଲ ମଦଭାଟିରେ ମାତାଲକଣ୍ଠର ହି, ହି ସହ, ଗୋଟିଏ ପଟରେ ରୁଦ୍ଧ ଯାନ୍ତ୍ରିକତାକୁ ଯେପରି ସ୍ପଷ୍ଟ କରିଛି, ଅପର ପଟେ କାରୋ, ଖେଣ୍ଡ୍ରା ଓ ଦଲକୀ ଗାଁ’ର ମୁକ୍ତଜୀବନକୁ ସେହିପରି ଆକର୍ଷଣୀୟ ମାଦକତାରେ ଭରିଦେଇଛି । ପରସ୍ପର ବିପରୀତମୁଖୀ ଦୁଇଟି ସଭ୍ୟତାର ସଂଘର୍ଷ ମଧ୍ୟରେ ଗଳ୍ପୋକ୍ତ ଚରିତ୍ରଗୁଡ଼ିକର ଉନ୍ମେଷ, ଅତ୍ୟନ୍ତ ଚିତ୍ତାକର୍ଷକ । ସଭ୍ୟତାର ଦ୍ୱନ୍ଦ୍ୱ ଭିତରେ ସେମାନଙ୍କର ମାନସିକ ଅସହାୟତା, କେତେକ ସ୍ଥଳରେ ଏକମୁଖୀ ହେଲେ ମଧ୍ୟ ଗଳ୍ପର ସାମଗ୍ରିକ ପରିଣତିକୁ ଏହା କରୁଣରସରେ ସିକ୍ତ କରିଅଛି । ତେଣୁ ‘‘ଖାଦାନୀ’’ ଗଳ୍ପର ପ୍ରଭାବ, ପାଠକ ମନରେ ଚିରସ୍ଥାୟୀ ଓ ଅଚଞ୍ଚଳ ।

 

‘‘ସୁରେନ୍ଦ୍ର ସଞ୍ଚୟନ’’ ସନ୍ନିବେଶିତ ‘‘ସବୁଜପତ୍ର ଓ ଧୂସର ଗୋଲାପ’’ର ଆଠଟିଯାକ ଗଳ୍ପ ୧୯୫୫ରୁ ୧୯୫୭ ମଧ୍ୟରେ ଲିଖିତ । କଥାକାରଙ୍କ ମତରେ ଏସବୁ ତାଙ୍କର ‘‘ଆରମ୍ଭ ବେଳର ଗଳ୍ପ’’–(ଗୌରଚନ୍ଦ୍ରିକା) । କିନ୍ତୁ ‘‘ମରାଳର ମୃତ୍ୟୁ’’ରେ ସନ୍ନିବିଷ୍ଟ ଗଳ୍ପଗୁଡ଼ିକୁ (୧୯୫୮-୧୯୬୨ ମଧ୍ୟରେ ରଚିତ) ଦ୍ୱିତୀୟ ପର୍ଯ୍ୟାୟର ଗଳ୍ପ ବୋଲି ଧରିନେଲେ ‘‘ସବୁଜପତ୍ର ଓ ଧୂସର ଗୋଲାପ’’ର ଗଳ୍ପସମୂହ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ସନ୍ଧିକ୍ଷଣର ଗଳ୍ପ ହେବା ଅଧିକ ଯୁକ୍ତିସଙ୍ଗତ । କାରଣ ଉକ୍ତ ପୁସ୍ତକର ପ୍ରଥମ ଗଳ୍ପ ‘ସବୁଜପତ୍ର ଓ ଧୂସର ଗୋଲାପ’ ବା ଅନ୍ୟାନ୍ୟ ସାତଟି ଗଳ୍ପରେ ଲେଖକଙ୍କର ଆଦ୍ୟଜୀବନର ଉଚ୍ଛ୍ୱାସ ଓ ପରବର୍ତ୍ତୀ ଜୀବନର ଆତ୍ମସଚେତନତା ତଥା ବୌଦ୍ଧିକତା ନିହିତ । ‘ମେଣ୍ଢାଖାଈ’ର ଦୃଷ୍ଟିଭଙ୍ଗୀ, ‘ବରଜୁ ମେଣ୍ଢାଘାଇ’ରେ ରୂପାନ୍ତରିତ । ସବୁଜପତ୍ର ଓ ଧୂସର ଗୋଲାପ କିମ୍ବା ‘ଶାଳଭଞ୍ଜିକା’ର ମନସ୍ତାତ୍ତ୍ୱିକ ସଙ୍କେତ, ‘ମରାଳର ମୃତ୍ୟୁ’ ବା ‘ପାଗଳାଗାରଦର କାହାଣୀ’ରେ ବର୍ଣ୍ଣାଢ଼୍ୟ ଓ ସଂପ୍ରସାରିତ । ସେହିପରି ‘ସାତଭଉଣୀ’, ‘ଅମୃତ’ ଅଥବା ‘ବାସୀମଡ଼ା’ର ଅନ୍ତର୍ମୁଖୀନତା; ରୂପାନ୍ତର ଆଶ୍ରୟରେ ‘ଜୀଅନ୍ତା ଭୂତ’, ‘ଆନନ୍ଦ ଭୈରବୀ’ ଓ ‘ଗୃହଦାହ’ ପ୍ରଭୃତିରେ ପ୍ରକାଶିତ । ସୁତରାଂ ‘ମରାଳର ମୃତ୍ୟୁ’ର ପ୍ରସ୍ତୁତି ପଥରେ ବିଚାରାଧୀନ ପୁସ୍ତକର ଗଳ୍ପଗୁଡ଼ିକ, ସୋପାନଶିଳା ପରି ବିଦ୍ୟମାନ । ସେମାନଙ୍କର ବିଚାରଧାରାରେ ମରାଳର ମୃତ୍ୟୁର ଅନୁଶୀଳନ ଲାଗି ଭିତ୍ତି ପ୍ରସ୍ତୁତ ହେବା, ଅସମୀଚୀନ ନୁହେଁ ।

 

‘ସବୁଜପତ୍ର ଓ ଧୂସର ଗୋଲାପ’ ଗଳ୍ପଟି ‘‘କାଳହୀନ ସୌନ୍ଦର୍ଯ୍ୟ’’ ଓ ଶେଷହୀନ ତାରୁଣ୍ୟର ଏକ ସବୁଜ ଫଳକ । ଏକଦା କୌଣସି ସମ୍ବାଦପତ୍ରର ସହକାରୀ ସମ୍ପାଦକ ଓ କମ୍ୟୁନିଷ୍ଟ ମତବାଦୀ ଟି.ପି.ଜୋଷେଫ୍‌, ତାହାର ପ୍ରଣୟିନୀ ଲରା ଓ ବାନ୍ଧବୀ ମିସ୍‌ ଡାଇଭର ଚରିତ୍ର ଜରିଆରେ ଦେହ ଓ ମନର ସୌନ୍ଦର୍ଯ୍ୟ ତଥା ତାରୁଣ୍ୟ ମଧ୍ୟରେ ରହିଆସିଥିବା ବ୍ୟବଧାନକୁ କଥାକାର, ମାନସିକ ଆବେଗର ବାସ୍ତବ ଭିତ୍ତିଭୂମିରେ ସାର୍ଥକଭାବେ ବିଶ୍ଳେଷଣ କରିଅଛନ୍ତି । ତାଙ୍କ ମତରେ ସମୟର ସୀମା ଭିତରେ ଦେହର ମନୁଷ୍ୟଟା ସୌନ୍ଦର୍ଯ୍ୟବିହୀନ ବା ତାରୁଣ୍ୟବିରହିତ ହୋଇଯାଏ । କିନ୍ତୁ ମନର ମନୁଷ୍ୟ, ତାହାର ଇତିହୀନ ସୌନ୍ଦର୍ଯ୍ୟ ଓ ଯୌବନର ତୃଷ୍ଣାକୁ ନେଇ ଠିକ୍‌ ଲରା, ମିସ୍‌ ଡ୍ରାଇଭର ଓ ଟି. ପି. ପରି ବହୁ ଘାଟରେ ଘୂରି ବୁଲୁଥାଏ । କୌଣସି ‘ଇଜିମ୍‌’ର ତୁଚ୍ଛଦର୍ଶନ, ତାକୁ ଶାନ୍ତି ଦେଇପାରେ ନାହିଁ । ପ୍ରୌଢ଼ତ୍ୱ ବାର୍ଦ୍ଧକ୍ୟକୁ ପଦାଘାତ କରି ସେ ଗଢ଼ିବସେ ତାହାର ନିଜର ଦର୍ଶନ । ‘ପ୍ରିନ୍‌ସେସ୍‌’ର ‘କାବାରେ’ (Cavaret) ବା ଅତରର ଭୁରୁଭୁରୁ ଗନ୍ଧରେ ସେ ଜୀବନର ‘ମେଟାମର୍‌ଫସିସ୍‌’କୁ ବିଶ୍ୱାସ କରେ । ବିବାହସୁଲଭ ବନ୍ଧନ କିମ୍ବା ପ୍ରଣୟର ଲଘୁଚପଳତା, କୌଣସିଟିର ଧାରାବାହିକତା ନାହିଁ ଏ ଜୀବନରେ । ମନର ପ୍ରୟୋଜନ ମେଣ୍ଟାଇବାକୁ ସହସ୍ର ଭ୍ରମରଚୁମ୍ବିତା ଲରା, ଟି. ପି.କୁ ପ୍ରତାରିତ କରି ପୁଲିସ ସାର୍ଜେଣ୍ଟର ହାତ ଧରିବା ବା ମେଦବହୁଳା ମିସ୍‌ ଡ୍ରାଇଭର, ପଚାଶ ବର୍ଷ ବୟସରେ ଜଣେ ଯୁବକ ସହିତ ‘ରୁମ୍ବା’ର ଲଘୁଛନ୍ଦରେ ପ୍ରିନ୍‌ସେସ୍‌ର ନୃତ୍ୟଶାଳାକୁ ମୁଖରିତ କରିବା ଅନ୍ତରାଳରେ ମନର ଏହି ଅନ୍ତହୀନ କ୍ଷୁଧାହିଁ ପ୍ରବଳ ।

 

ଅବଶ୍ୟ ଟି.ପି.ର ଦର୍ଶନ ଟିକେ ସ୍ୱତନ୍ତ୍ର । ସାଧାରଣ ଭାବରେ ଛନ୍ଦହୀନ ଜୀବନର ଏ ବିଚିତ୍ର ଛନ୍ଦୋବଦ୍ଧତାକୁ ସେ ବିଶ୍ୱାସ କରୁଥିଲେ ମଧ୍ୟ ବିବାହବନ୍ଧନକୁ ସେ ଅବିଶ୍ୱାସ କରି ନାହିଁ । ପଇଁଚାଳିଶବର୍ଷର ପ୍ରୌଢ଼ତ୍ୱକୁ ଫାଙ୍କିଦେବାର ସାହସ ତା’ର ନାହିଁ । ଏଣୁ ମିସ୍‌ ଡ୍ରାଇଭରଙ୍କ ପରି ବିବାହ ତା’ପାଇଁ କେବଳ ଅବଲମ୍ବନ ନୁହେଁ । ଲରା କଥାର ସ୍ୱପ୍ନାଞ୍ଜନ ବୋଲି କୁତ୍ସିତ ଅପୂର୍ଣ୍ଣତାକୁ ଏଡ଼ାଇଦେବାର ଆତ୍ମପ୍ରତ୍ୟୟକୁ, ସେ ଆପଣାର ବୋଲି ଭାବିପାରେ ନା । ସଂସାର ଝଡ଼ରେ ସେ ବୁଝିଛି, ‘‘ଆକାଶର ନୀଳିମଶୂନ୍ୟତା ମଧ୍ୟରେ ଦାୟିତ୍ୱହୀନ ମୁକ୍ତି ଅପେକ୍ଷା ଗୋଟିଏ ସଂକୀର୍ଣ୍ଣ ଗୃହପ୍ରାଙ୍ଗଣରେ ଲୌହପଞ୍ଜୁରୀ’’ ଅଧିକ ଲୋଭନୀୟ ।

 

ଟି.ପି.ର ଏ ଅଭିଳାଷ ପୂର୍ଣ୍ଣ ହୋଇପାରିନି । ଅସରନ୍ତି ବ୍ୟର୍ଥତା ମଧ୍ୟରେ ‘ବନ୍ଧନ’ ଓ ‘ବନ୍ଧନମୁକ୍ତି’ର ସମସ୍ୟାକୁଳ ପ୍ରଶ୍ନର ପ୍ରାଣ ତାହାର ଆତୁର । ସୌନ୍ଦର୍ଯ୍ୟ ଓ ତାରୁଣ୍ୟର ଏ ମନୋବୈଜ୍ଞାନିକ ଚିରନ୍ତନତାରେ ଯନ୍ତ୍ରଯୁଗର ତିନୋଟି କ୍ରୀଡ଼ାପୁତ୍ତଳି ଭାବରେ ଦେଖାଦେଇଛନ୍ତି ଟି.ପି. ଜୋଷେଫ, ମିସ୍‌ ଡ୍ରାଇଭର ଆଉ ମିସ୍‌ ଲରା । ଅବ୍ୟକ୍ତ ମନର ବହୁ ଅବୋଧ୍ୟ ରହସ୍ୟ, ସେମାନଙ୍କର ଗତିବିଧି ଓ କ୍ରିୟାକଳାପ ମଧ୍ୟରେ ଉଦ୍‌ଘାଟିତ ହୋଇଚି । ଜୀବନର ଗୋଟିଏ ଗୂଢ଼ ଦିଗର ନିରୀକ୍ଷାରେ ସେମାନଙ୍କର ଚାରିତ୍ରିକ ଉଜ୍ଜ୍ୱଳତା, ସରସ ଓ ବାସ୍ତବତାଗର୍ଭକ ହୋଇପାରିଛି । ସଂକ୍ଷେପରେ ଏହାହିଁ ଗଳ୍ପର ଚିରନ୍ତନ ମୂଲ୍ୟ । ସୁତରାଂ ସବୁଜପତ୍ରରେ ଧୂସର ଗୋଲାପର କଳ୍ପନା, ଅବାନ୍ତର ନୁହେଁ । ବରଂ ସୂକ୍ଷ୍ମ ଜୀବନବାଦର ସ୍ୱାଭାବିକ ଧର୍ମରେ ଏହା ସାର୍ବଜନୀନ । ଅବଗୋପିତର ଦାହ ଅପେକ୍ଷା ପ୍ରକାଶ ମୁଖରତାର ଆଲୋକ, ଏଠି ବିଶେଷ ଭାବରେ ଲକ୍ଷ୍ୟ କରାଯାଇପାରେ ।

 

Unknown

‘ଶାଳଭଞ୍ଜିକା’ର ସୃଷ୍ଟିକଳା, ଏହାର ଠିକ୍‌ ବିପରୀତ । ପ୍ରକାଶମୁଖରତା ଏଠି କୁଣ୍ଠିତ ଓ ସଂଶୟାଚ୍ଛନ୍ନ । ସ୍ଥଳବିଶେଷରେ ଏହା ମନୀଷା ପରି ‘‘ଫ୍ରିଜିଡ଼୍‌’’ ଓ ମନ୍ଦିର ଦେହର ସ୍ଫୁରିତଯୌବନା ଶାଳଭଞ୍ଜିକା ପରି ଚିରମୌନ । ସୁକାନ୍ତିର ଅନ୍ତର୍ଦାହରେ ଅବଶ୍ୟ ଉତ୍ତାପ ଓ ଅଭିବ୍ୟକ୍ତିର ଆତୁରତା ଅଛି; କିନ୍ତୁ ଚିରକୁମାର ପ୍ରଶାନ୍ତ ଓ ଚିରକୁମାରୀ ମନୀଷା ତଥା ତାହାର ଦୂରସଂପର୍କୀୟ ଭାଇ ଶ୍ୟାମଳର ନିର୍ବାକ ଅନ୍ତରର ପ୍ରତି ତରଙ୍ଗରେ ସ୍ନେହ, ସମ୍ବେଦନା ବା ପ୍ରତୀକ୍ଷାର କରୁଣତା ଲକ୍ଷ୍ୟ କରାଯାଇଥାଏ ।

 

ଶ୍ୟାମଳ ଓ ସୁକାନ୍ତିଙ୍କ ବିବାହର ପ୍ରଥମ ବାର୍ଷିକ ବନ୍ଧୁ ମିଳନରୁ ଗଳ୍ପଟି ଆରମ୍ଭ ହୋଇଥିଲେ ମଧ୍ୟ ମନୀଷାକୁ ଗଳ୍ପର କେନ୍ଦ୍ରବିନ୍ଦୁରୂପେ ଗ୍ରହଣ କରାଯାଇଛି । ନିମନ୍ତ୍ରିତ ଅତିଥିମାନଙ୍କଠାରୁ ଅଳ୍ପଦୂରରେ ଆସୀନା ଏ କୁମାରୀଟି ସତେ ଯେପରି ମଳିନ ଜ୍ୟୋତ୍ସ୍ନାର ଏକ ବିଶୀର୍ଣ୍ଣ ଛାୟା । ତାହାର ନିସ୍ପନ୍ଦ ନୀରବତା ଓ ଭାୟୋଲିନ୍‌ର ବେଦନାହତ ମୂର୍ଚ୍ଛନା, ଭାଷାହୀନ ହେଲେବି ନାଟକୀୟ । ତେଣୁ ଗଳ୍ପର ସମାପ୍ତି ପର୍ଯ୍ୟନ୍ତ ଘଟଣାପ୍ରବାହରେ ବା ଚରିତ୍ରଚିତ୍ରଣରେ ଯେଉଁ କୌତୂହଳ, ଭାବପ୍ରବଣତା ଓ ରହସ୍ୟାଚ୍ଛନ୍ନତାର ଆଭାସ ମିଳେ, ତାହା ମୁଖ୍ୟତଃ ଉକ୍ତ ଚରିତ୍ରକୁ ଆଶ୍ରୟ କରି ଗଢ଼ିଉଠିଛି । ବୋଧହୁଏ ‘ଶାଳଭଞ୍ଜିକା’ର ନିର୍ମାଣଶୈଳୀରେ ଲେଖକ, ଡିକେନସଙ୍କ ରୀତିର (Diekens School) ଉପଭୋଗ, ବିସ୍ମୟ ଓ ଉତ୍କଣ୍ଠା ପ୍ରତି ଅଧିକ ଆସ୍ଥାବାନ । ସୁତରାଂ, ଗାଳ୍ପିକ ପରିବେଶର ନିଷ୍ଠୁର ବାସ୍ତବତା ଅନ୍ତରାଳରେ ମଧ୍ୟ ‘ରୋମାନ୍‌ସ’ର ଅନ୍ତଃସଲିଳା ଫଲଗୁ ନିଶ୍ଚିହ୍ନ ନୁହେଁ । ‘‘ମନୀଷା ସୁନ୍ଦରୀ, ସୁଶିକ୍ଷିତା ପୁଣି ସଂଗୀତନିପୁଣା । ତଥାପି ସେ କାହାର ପ୍ରତୀକ୍ଷାରେ ଆଜି ସୁଦ୍ଧା କୁମାରୀ ଅଛନ୍ତି ?’’ ଗଳ୍ପର ଶେଷଯାଏ ଏହାହିଁ ଅନେକଙ୍କ ହୃଦୟର ପ୍ରଶ୍ନ ହୋଇ ରହିଯାଇଛି । ସୁକାନ୍ତି ଓ ତୃପ୍ତି ଚରିତ୍ରର ବିକାଶ ବା ଗଳ୍ପସୁଲଭ ଉତ୍‌ଥାନ-ପତନ ପାଇଁ ଏହାହିଁ ମୌଳିକ ହେତୁ । ଏହା ବ୍ୟତୀତ ଗଳ୍ପଟି ଏକ ସାଧାରଣ ବନ୍ଧୁମିଳନ ଆସରରେ ପରିଣତ ହେବା ବିଚିତ୍ର ନୁହେଁ । ଉକ୍ତ ସାଧାରଣତଃ ଏଡ଼ାଇବା ପାଇଁ କଥାକାର ଗଭୀର ପ୍ରଯତ୍ନର ସହିତ ରବୀନ୍ଦ୍ର, ପ୍ରଶାନ୍ତ ଓ ଶ୍ୟାମଳ ମୁଖରେ ବ୍ୟୋମକେଶ ଚୌଧୁରୀଙ୍କର ବିବାହର ସ୍ୱର୍ଣ୍ଣଜୟନ୍ତୀ ପ୍ରସଙ୍ଗ ଅବତାରଣା କରାଇଛନ୍ତି । ବ୍ୟୋମକେଶଙ୍କର ପତ୍ନୀ ପଞ୍ଚଷଠୀବର୍ଷର ବୁଢ଼ୀ ରୁକ୍ମିଣୀଦେବୀଙ୍କର ଲଜ୍ଜା ଓ ସଙ୍କୋଚ ପ୍ରକାଶରେ ଲେଖକଙ୍କର ଅତୀତାନୁବର୍ତ୍ତିତା, ବେଶ୍‌ ମନୋରମ ଓ ଯୁକ୍ତିଯୁକ୍ତ । ‘ପ୍ରେମବିବାହ’ ଓ ‘ବିବାହ ପରେ ପ୍ରେମ’ ମଧ୍ୟରୁ ଜୀବନର ସରଳ ଆନନ୍ଦ ଲାଗି ସେ ଦ୍ୱିତୀୟଟିକୁ ବିଶେଷ ପସନ୍ଦ କରିଛନ୍ତି । ଆଧୁନିକ ଯୁଗର ପ୍ରେମବିବାହଜନିତ କ୍ଳାନ୍ତି ଓ ପ୍ରତିପରିଣତି (anti-climax) ଦୂର କରିବା ଲାଗି ପ୍ରାଚୀନଯୁଗର କଣ୍ଢେଇ-ବାହାଘର ଏ ଯୁଗରେ ମଧ୍ୟ କାମ୍ୟ । ଏଥିରେ ବିବାହ ପୂର୍ବର ଶୁଭଦୃଷ୍ଟି ବିନିମୟ ନଥିଲେ ମଧ୍ୟ ବିବାହ ପରେ ଦୁଇଟି ଅଜଣା-ଅଚିହ୍ନା ହୃଦୟ, ପରସ୍ପରକୁ ଚିହ୍ନିବାର ରୋମାଞ୍ଚ ମଧ୍ୟରେ ଦାମ୍ପତ୍ୟ ଜୀବନଟା ବେଶ୍‌ ରୂପକଥା ଭଳି ସ୍ୱପ୍ନମୟ ଲାଗେ । ବୈବାହିକ ଜୀବନକୁ ସଫଳ କରିବା ପାଇଁ ଏତେ ଚର୍ଚ୍ଚା, ଭୋଜିଭାତ ଓ ପ୍ରେମାଭିନୟ ଏଥିରେ ଆବଶ୍ୟକ ପଡ଼େ ନାହିଁ ।

 

ପ୍ରଚଳିତ ସାମାଜିକ ଚଳଣି ବିରୁଦ୍ଧରେ ଲେଖକଙ୍କର ସ୍ୱର ଏଠି ଉଗ୍ର ନ ହେଲେ ମଧ୍ୟ ଶାଣିତ ଓ ସମୀକ୍ଷାମୂଳକ । ପ୍ରାଚୀନ ଓ ନୂତନ ସାମାଜିକ ପଦ୍ଧତି ସହିତ ଆତ୍ମୀୟତା ନଥିଲେ ଏପରି ଶୁଦ୍ଧ ସମାଲୋଚନା ଓ ନିର୍ଭୁଲ ଅନୁଶୀଳନ କଦାପି ସମ୍ଭବ ହୋଇନପାରେ । ସଂକ୍ଷେପରେ କହିଲେ ବିଂଶଶତାବ୍ଦୀର ପ୍ରେମବିବାହ ଓ ତାହାର ଉତ୍କଟ ମାନସିକ ଦାରିଦ୍ର୍ୟର ବାସ୍ତବରୂପ ପ୍ରକଟନରେ ଏ ପ୍ରକାର ବିଶ୍ଳେଷଣର ଉପାଦେୟତା, ସର୍ବବାଦୀସମ୍ମତ ।

 

ଗଳ୍ପଧାରାରେ ଏହା ଲେଖକଙ୍କର ନିଜ ମତ ବା ବ୍ୟକ୍ତିକୈନ୍ଦ୍ରିକ ସିଦ୍ଧାନ୍ତ ହୋଇପାରେ । କିନ୍ତୁ ପୂର୍ବପ୍ରଦର୍ଶିତ କେତେକ ଗଳ୍ପର ପ୍ରାବନ୍ଧିକ ଏକକତା ଓ ଆତ୍ମନିଷ୍ଠ ମନ୍ତବ୍ୟର ତ୍ରୁଟି ଏଥିମଧ୍ୟରେ ବିରଳ । ତେଣୁ କଥାକାର ନିଜ କଥା କହିବା ସଙ୍ଗେ ସଙ୍ଗେ କାହାଣୀ ମଧ୍ୟରେ ଚରିତ୍ର ବା ପାଠକପାଠିକାର ଉପସ୍ଥିତିକୁ ସେ ଅସ୍ୱୀକାର କରିନାହାନ୍ତି; ଯେଉଁ ହେତୁରୁ ‘‘ଶାଳଭଞ୍ଜିକା’’ର ବନ୍ଧୁମିଳନ ପୂର୍ବରୁ ସମସ୍ତ ଆଲୋଚନା ପ୍ରତ୍ୟାଲୋଚନା କେବଳ କାଳକ୍ଷେପ ନୀତିରେ ପର୍ଯ୍ୟବସିତ ନ ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ଆଭିମୁଖ୍ୟରେ ଗତିକରିଛି । ସୁକାନ୍ତି, ଶ୍ୟାମଳ ଓ ମନୀଷାର ଅନ୍ତରକୁ ଉଦ୍‌ଭିନ୍ନ କରିବା, ଏ ଆଭିମୁଖ୍ୟର ଚରମ ଲକ୍ଷ୍ୟ ହୋଇଥିବାରୁ ଶ୍ୟାମଳର ପଦିଏ ପଦିଏ କଥା, ଅଦ୍ଭୁତ ନାଟକୀୟ ଚାଞ୍ଚଲ୍ୟ ସୃଷ୍ଟି କରି ସୁକାନ୍ତିର ସଂଶୟଦଗ୍‌ଧ ଅନ୍ତରକୁ ଅଧିକତର ସନ୍ଦେହଜର୍ଜରିତ କରିଦେଇଛି । ଫଳତଃ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘଟିଯାଇଥିବା ତତ୍‌ପରବର୍ତ୍ତୀ ସମସ୍ତ ଘଟଣାରେ ଶ୍ୟାମଳର ସେହି ଆଲୋଚନାକୁ ସଂଶୟୀ ମନରେ ଗ୍ରହଣ କରିବାର ଗ୍ରାସ ଜଡ଼ିତ ରହିଛି । ସୁକାନ୍ତିର ନାରୀମନର କୌତୂହଳ ତଥାପି ମେଣ୍ଟି ନାହିଁ । ପ୍ରୌଢ଼ତ୍ୱର ସୀମାରେଖାରେ ସ୍ୱାମୀଙ୍କଠାରୁ ମନୀଷାର ବ୍ୟର୍ଥଜୀବନର କାହାଣୀ ଶୁଣିବା ପରେ ସେ ହୁଏତ ନିଷ୍ପାପ ଦୃଷ୍ଟିରେ ଶ୍ୟାମଳ ଓ ମନୀଷାର ସମ୍ବନ୍ଧକୁ ସମ୍ମାନ ଦେଇଥିବେ । ନଚେତ୍‌ ଏହା ପୂର୍ବର ସନ୍ଦେହ, ଈର୍ଷା ଓ ଆବେଗ-ଉତ୍ତେଜନା ପାଇଁ ବନ୍ଧୁ ମିଳନ ଆସରରେ ଶ୍ୟାମଳର ବଦ୍ଧମୂଳ ସିଦ୍ଧାନ୍ତହିଁ ପରୋକ୍ଷ ଭାବରେ ଦାୟୀ ।

 

ସ୍ଥୂଳତଃ, ଟିକିନିଖି ପାରିବାରିକ ଘଟଣାର ଘନଘଟା, ଅଯଥା ସନ୍ଦେହ, ହିଂସା ଓ ଗୋଟିଏ ବସ୍ତୁକୁ ନିଜ ଦୁର୍ବଳତାର ରଙ୍ଗଦେଇ ସତ୍ୟବୋଲି ଭାବିବ । ଭିତରୁ ଶାଳଭଞ୍ଜକା ଗଳ୍ପର ସୃଷ୍ଟିସ୍ୱପ୍ନକୁ ସାର୍ଥକ କରିବା ଲାଗି, ଉପାଦାନ ଓ ପରିବେଶ ସଂଗ୍ରହ କରାଯାଇଛି । ମନୀଷା ପ୍ରତି ଲେଖକଙ୍କର ଅସୀମ ଦରଦ, ତା’ ଜୀବନର ମୌନପରୀକ୍ଷା ଓ ସହିଷ୍ଣୁତା ମଧ୍ୟରେ ପ୍ରତିଫଳିତ । ସୀମାହୀନ ଧୈର୍ଯ୍ୟର ମୂକ ସଳିତା ଭାବରେ ସେ ଜଳିଯାଇଥିଲେ ମଧ୍ୟ ସେ କାହାର ଅହେତୁକ ସଂଶୟମୋଚନ ଲାଗି ଆତ୍ମପକ୍ଷ ସମର୍ଥନ କରି କୈଫିୟତ୍‌ ଦେଇ ନାହିଁ । ଏହି ଅବକାଶରେ ଗଳ୍ପର କୁହେଳିକାଚ୍ଛନ୍ନ ବାୟୁମଣ୍ଡଳ ଗଠନ କରିବା ପାଇଁ କଥାକାର ଅପୂର୍ବ ସୁଯୋଗ ପାଇଛନ୍ତି । ନାଟକୀୟ ସଙ୍କେତ, ସୂଚନା ଓ ଗୋଟିଏ ଗୋଟିଏ ପରିସ୍ଥିତିର ଅପ୍ରତ୍ୟାଶିତ ଅପ୍ରୀତିକର ପ୍ରଭାବରେ ଶ୍ୟାମଳ ଓ ମନୀଷାର ଜୀବନକୁ ଅପ୍ରକାଶର ରୁଦ୍ଧତା ଭିତରେ ଯେପରି ମୁହ୍ୟମାନ କରାଯାଇଛି, ତାହା ଲେଖକଙ୍କର ନିପୁଣ ଶିଳ୍ପ-କୌଶଳର ପରିଚୟ ଦିଏ ।

 

ଏ ସମସ୍ତ ସାଫଲ୍ୟର ସ୍ୱାକ୍ଷର ବହନ କରି ଲେଖକଙ୍କର ସ୍ନେହ-ପାଳିତା ଫ୍ରିଜଡ଼୍‌ ମନୀଷା ବାସ୍ତବରେ ଶାଳଭଞ୍ଜିକା ହୋଇ ରହିଯାଇଛି । ପାଠକ ଆଖିରୁ ବେଦନାର ଅଶ୍ରୁ କାଢ଼ି ତାହାର ଚିରଅବସନ୍ନ ଇତିହାସକୁ ଥର ଥର ପଖାଳି ନେବା ପାଇଁ ବୋଧହୁଏ ଏ ବେଦନାମୟୀ ମଧୁରତାର ଜନ୍ମ । ସୁତରାଂ, ‘ଶାଳଭଞ୍ଜିକା’ ସ୍ୱପ୍ନ ନୁହେଁ, ବାସ୍ତବ; ଶରୀର ଥାଇ ମଧ୍ୟ ଦେହ ଓ ମନରେ ସେ ଅଶରୀରୀ ସ୍ଥାଣୁତା ହୋଇପାରେ । କିନ୍ତୁ ଗଳ୍ପର ଗତିଶୀଳତାର ଆରମ୍ଭ ଓ ଶେଷ, ଏହି ନିର୍ବାକ ସ୍ଥାଣୁତ୍ୱର ଭାଷାହୀନ ପିରାମିଡ଼୍‌ ମଧ୍ୟରୁ ସମ୍ଭବ ହୋଇପାରିଛି । ତେଣୁ ସୁରେନ୍ଦ୍ରଙ୍କ ସୃଷ୍ଟିରେ ଏହାର ସିଦ୍ଧି ଅସାମାନ୍ୟ ।

 

‘‘ସେ ଓ ମୁଁ’’, ଦୁଇଟି ଜୀବନର ଆତ୍ମଲିପିମୂଳକ ଏକ ସରଳ ଗଳ୍ପ । କୁମ ଓ ତାହାର ସ୍ୱାମୀଙ୍କର ସ୍ୱଗତୋକ୍ତି ଭିତରେ ଉଭୟଙ୍କର ଅତୀତ ଓ ବର୍ତ୍ତମାନର ଚିତ୍ର ପରିସ୍ଫୁଟ । କୁମ-ଜୀବନର ବିଶ୍ଳେଷଣ ପାଇଁ ତାହାର ସପତ୍ନୀ ଆଧୁନିକା ସରମା ଯେପରି ଅବଲମ୍ବନ, ତାହା ସ୍ୱାମୀଙ୍କର ମାନସିକ ଅଭିବ୍ୟକ୍ତି ପାଇଁ ନମିତାର ଆକର୍ଷଣ ସେହିପରି ଏକ ଉପାୟ ମାତ୍ର । ‘ସବୁଜପତ୍ର ଓ ଧୂସର ଗୋଲାପ’ ପରି ସୌନ୍ଦର୍ଯ୍ୟ ଏଠି ମରଣର କୁତ୍ସିତ ବାସ୍ତବତା ବିରୁଦ୍ଧରେ ଏକ ଅତୃପ୍ତ କ୍ଷୁଧା ଓ ଏକ ଅନନ୍ତ ପିପାସା । ଉକ୍ତ ପିପାସାର ଆକର୍ଷଣ ଓ ବିକର୍ଷଣରେ କୁମକୁ ଆତ୍ମହତ୍ୟା କରିବାକୁ ପଡ଼ିଛି ଓ ତାହାର ସ୍ୱାମୀ ବିଳମ୍ବରେ ହେଲେ ମଧ୍ୟ କୁମର ବିଶ୍ରୀ ଆବରଣତଳେ ଲୁଚିରହିଥିବା ତାହାର ନାରୀତ୍ୱ ଓ ମାତୃତ୍ୱକୁ ଆବିଷ୍କାର କରିପାରିଛନ୍ତି । ନମିତା ଓ ସରମାର ଭର୍ତ୍ସନା ଏଥିଲାଗି ତାଙ୍କର ଆଖି ଖୋଲିଦେଇଛି ।

 

ଉତ୍କଳୀୟ ସାମାଜିକ ଜୀବନରେ ଅସୁନ୍ଦରୀ ନାରୀର ଦାମ୍ପତ୍ୟଜୀବନର ଲାଞ୍ଛନା, ଏହିପରି କେତେ ‘କୁମ’ର ଅପମୃତ୍ୟୁ ଲାଗି କିପରି ଦାୟୀ, ତାହାର ସଜଳ ଚିତ୍ର ଗଳ୍ପଟିର ବିଭିନ୍ନ ପର୍ଯ୍ୟାୟରେ ରୂପାୟିତ । ଅନ୍ୟାନ୍ୟ ଚରିତ୍ରରେ ବିଶେଷ କିଛି ନୂତନତା ନଥିଲେ ମଧ୍ୟ କୁମ ଚରିତ୍ରରେ ଜାୟା ଓ ଜନନୀର ଆଲୋଡ଼ନ, ଏ ଚରିତ୍ରଟିକୁ ଉଚ୍ଚକୋଟୀର କରିପାରିଛି । ତା’ ସ୍ୱାମୀ ଜରିଆରେ ରୂପ ଓ ସୌନ୍ଦର୍ଯ୍ୟର ତାତ୍ତ୍ୱିକ ବ୍ୟାଖ୍ୟା ଦେବାକୁ ଯାଇ ଲେଖକ ତାଙ୍କର ସିଦ୍ଧାନ୍ତକୁ ଚରିତ୍ରସୁଲଭ କରାଇ ପାରିନାହାନ୍ତି । ଚରିତ୍ର ମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ଏହା ଲେଖକଙ୍କର ଗବେଷଣା-ସିଦ୍ଧ ମନ୍ତବ୍ୟ ବୋଲି ପ୍ରତିପନ୍ନ ହୁଏ । ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ ଗଳ୍ପ ବା ଉପନ୍ୟାସରେ ସ୍ରଷ୍ଟାର ନିଜ ବାର୍ତ୍ତା ରହିବହିଁ ରହିବ । କିନ୍ତୁ ଏହା ଚରିତ୍ରର ନିଜକଥା ନ ହୋଇ ଗାଳ୍ପିକ ବା ଔପନ୍ୟାସିକର ଆତ୍ମପ୍ରକାଶ ହେଲେ ଅଜାଗଳ ସ୍ତନ ପରି ଅବାନ୍ତର ବୋଧ ହେବା ସ୍ୱାଭାବିକ । କେବଳ ଚରିତ୍ର ମୁଖରେ ଯୋଡ଼ିଦେଲେ କୌଣସି ଅନୁଭୂତି ଚରିତ୍ରର ଆପଣାର ହୋଇପାରେ ନାହିଁ । ଏହା ଚରିତ୍ରମୁଖୀ ଏବଂ ଚରିତ୍ରର ରକ୍ତମାଂସର ଭାଷା ହେବା ପାଇଁ ଯେଉଁ ସତର୍କତା ଆବଶ୍ୟକ, ତାହାର ବିରାଟ ଅଭାବ ଏ ସ୍ଥଳରେ ପରିଲକ୍ଷିତ ହୁଏ । ତେଣୁ କୁମ ଓ ତାହାର ସ୍ୱାମୀଙ୍କର ଦୀର୍ଘ ଆତ୍ମସମୀକ୍ଷାରେ ଗଳ୍ପଟିର ଗତି ମନ୍ଥର ଓ ଅବସାଦକର । ପରିସ୍ଥିତି ଓ ଚରିତ୍ରଗୁଡ଼ିକର ନିଖୁଣ ବର୍ଣ୍ଣନା ସତ୍ତ୍ୱେ ଏହା ଆଦୌ ପ୍ରଭାବଶାଳୀ ହୋଇପାରି ନାହିଁ । ସର୍ବୋପରି ସୁରେନ୍ଦ୍ର ମାନସର ଆବିଷ୍କାର, ଉଦ୍‌ଭାବନ ବା ଦୃଷ୍ଟିକୋଣଗତ ବୈଶିଷ୍ଟ୍ୟ, ‘ସେ ଓ ମୁଁ’ରେ ନିଷ୍ପ୍ରଭ କହିଲେ ଚଳେ ।

 

‘ନରବଳି’ କ୍ଷମତା-ରାଜନୀତିର ଏକ ବିଦ୍ରୂପାତ୍ମକ ଚିତ୍ର । ପୁଞ୍ଜିବାଦୀ ଅର୍ଥନୀତିରେ ‘ଲକ୍‌ଆଉଟ୍‌’ର ଅଦ୍ଭୁତ ଖିଆଲ ପରି ଶ୍ରମିକମାନଙ୍କର ‘ମୋରେଲ୍‌’ ନାମରେ ନିରୀହ ଜନତାକୁ ଗୁଳିମୁହଁକୁ ଠେଲିଦେଇ ଶ୍ୟାମଳ, ଶ୍ରୀକାନ୍ତ ବା ବିନୋଦ ଭଳି ନେତାମାନେ ଯେଉଁ ଶସ୍ତା ବାହାଦୁରୀ ନିଅନ୍ତି, ତାହା ମଧ୍ୟ ଏକ ଚମତ୍କାର ପ୍ରହସନ । ଗାଳ୍ପିକଙ୍କ ମତରେ ଏହାହିଁ ନରବଳି ଶହୀଦତ୍ୱର ଆବରଣତଳେ ପ୍ରାଗୈତିହାସିକ ଯୁଗର ସେ ବର୍ବର ଆଚାରର ପୁନରାବୃତ୍ତି । ଯନ୍ତ୍ରଶାଳାର ଅଭିଶାପଠାରୁ ଅଧିକ ମାରାତ୍ମକ ଏ ଗଣମୃତ୍ୟୁର ପୈଶାଚିକ ଯୋଜନା । ଏଥିରେ ମିଲ୍‌ର ଶ୍ରମିକ ବା ଖଣିର ମଜ୍‌ଦୁର୍‌ କେବଳ କ୍ଷତିଗ୍ରସ୍ତ ହୁଏ ନାହିଁ, ଅରୁଣ ବିଶ୍ୱଳା ଭଳି ଭିକାରୀକୁ ମଧ୍ୟ ଜୀବନ ଦେବାକୁ ହୁଏ । ରାଜନୀତିକୁ ଦଲାଲ୍‌ମାନଙ୍କର ଏ କାରସାଦିରେ ବିଂଶ ଶତକର ଏ ନିର୍ମମ ନରହତ୍ୟାରେ ଲେଖକ ଅତ୍ୟନ୍ତ ମର୍ମାହତ । ତାଙ୍କର ବ୍ୟଥିତ ପ୍ରାଣର ସ୍ୱର ତେଣୁ ଶ୍ଳେଷୋକ୍ତିଜଡ଼ିତ-

 

‘ଲକ୍‌ଆଉଟ୍‌’ର ସପ୍ତମ ଦିବସ ପରେ ଅନ୍ୟ ଉପାୟ ନ ଦେଖି ଶ୍ୟାମଳ ପ୍ରଭୃତି ନେତାମାନେ କେତେଜଣ ଶ୍ରମିକ ପୁରୁଷ-ସ୍ତ୍ରୀଙ୍କୁ ନେଇ ପଟୁଆର ବାହାର କରିଛନ୍ତି । ନିରୀହ ଜୀବନ କେଇଟିକୁ ଆଗକୁ ଠେଲି ପଛରେ ରହିଛନ୍ତି ସେମାନେ । ବିହାରୀ ମୁସଲମାନ ଗୁଣ୍ଡା ଅନଓାରର ଟେକା ମାଡ଼ରେ ମାଜିଷ୍ଟ୍ରେଟ୍‌ଙ୍କ ମୁଣ୍ଡରୁ ରକ୍ତ ବାହାରିବା ପରେ ପରିସ୍ଥିତିକୁ ସମ୍ଭାଳିବା ଲାଗି ଗୁଳି ଚାଲିଛି । ଏ ପରିସ୍ଥିତି ସୃଷ୍ଟି କରିବା ମୂଳରେ ଯେଉଁମାନଙ୍କର ଚକ୍ରାନ୍ତ ଜଡ଼ିତ ଥିଲା, ସେମାନେ ହେଉଛନ୍ତି ଗଳ୍ପୋକ୍ତ ଶ୍ରମିକସ୍ୱାର୍ଥରକ୍ଷୀ ଶ୍ରୀକାନ୍ତ, ଶ୍ୟାମଳ, ବିନୋଦ । ଜନତାକୁ ମତାଇ ଗୁଳିରେ ଶିକାର କରାଇବା ପରେ ସେମାନେ ତାଙ୍କର ନିର୍ଲଜ୍ଜ ରାଜନୈତିକ ବିଜୟରେ ଆତ୍ମହରା ହୋଇ ପଡ଼ିଛନ୍ତି । ଶ୍ରମିକ ଧର୍ମଘଟ ସହିତ ସମ୍ପର୍କ ନଥିବା ବୁଲା ଭିକାରି ମଧ୍ୟ ଏ ଗୁଳିମାଡ଼ରୁ ବର୍ତ୍ତିନାହିଁ । ଶସ୍ତା ନେତାଗଣ ଫାଙ୍କି ଓ ଧପ୍‌ପାବାଜିର ଆଶ୍ରୟ ନେଇ ଏହି ଅଚିହ୍ନଟ ଭିକାରିକୁ ଶ୍ରମିକ ୟୁନିୟନର ପୁରୁଣାକର୍ମୀ ଅରୁଣ ବିଶ୍ୱାଳ କରି ତାହାର ଶହୀଦତ୍ୱ ପାଇଁ ଆକାଶଫଟା ଚିତ୍କାର କରିବା ପରେ ରକ୍ତଲିପ୍ତ ଶବଟି ସଂସ୍କାର ହୋଇପାରି ନାହିଁ । ତଥାକଥିତ ଅରୁଣ ବିଶ୍ୱାଳର ଶବକୁ ରାସ୍ତା ଉପରେ ଛାଡ଼ି ନେତାମାନେ ଅଣ୍ଡର୍‌ଗ୍ରାଉଣ୍ଡର ନିରାପତ୍ତାତଳେ ଆଶ୍ରୟ ନେଇଛନ୍ତି ।

 

ବିଂଶ ଶତାବ୍ଦୀର ଏ ବୀଭତ୍ସ ରାଜନୀତି ବିରୁଦ୍ଧରେ ଲେଖକଙ୍କର ବ୍ୟଙ୍ଗପୂର୍ଣ୍ଣ ସ୍ୱର, ଅତ୍ୟନ୍ତ ଭାବୋଦ୍ଦୀପକ । ମଣିଷ ଜୀବନକୁ ମଶାମାଛି ପରି ହେୟଜ୍ଞାନ କରି ରାଜନୀତି ଖେଳ ଖେଳିବା, କେବଳ କୁତ୍ସିତ ନୁହେଁ, ଜଘନ୍ୟ ମଧ୍ୟ । ଏ ଜଘନ୍ୟ ବ୍ୟାଧିରୁ ମନୁଷ୍ୟ ସଂସାରକୁ ମୁକ୍ତି ନ ଦେଲେ, ସାମ୍ୟବାଦ ବା ପ୍ରଗତିର ଯେତେ କିଛି ଚିତ୍କାର, ପ୍ରଳାପରେ ପରିଣତ ହେବା ବିଚିତ୍ର ନୁହେଁ-। ସୁସ୍ଥ ମାନବତାର ବିପୁଳ ବିକାଶ ପାଇଁ କଥାକାର ରାଷ୍ଟ୍ରୀୟ ସଂଗଠନର ପ୍ରତ୍ୟେକ ତ୍ରୁଟିକୁ ଅକ୍ଷମଣୀୟ ଅପରାଧ ବୋଲି ଧରି ନେଇଛନ୍ତି । ତାଙ୍କ ଦୃଷ୍ଟିରେ ନିରସ୍ତ୍ର ଜନତା ଉପରେ ସଶସ୍ତ୍ର ସିପାହୀମାନଙ୍କର ରାଉଣ୍ଡ ପରେ ରାଉଣ୍ଡ ଗୁଳି, ରାଷ୍ଟ୍ର ଗଠନର ଅପରାଧ ଲାଗି କାଳ କାଳ ପାଇଁ ଶାସ୍ତି ଭିନ୍ନ ଅନ୍ୟ କିଛି ନୁହେଁ । ଏହିପରିଭାବେ ଶସ୍ତା ଦେଶପ୍ରେମର ଅଭିନୟ କରୁଥିବା ନେତା, ହାକିମ ଓ ପ୍ରଗତିଶୀଳ କବିମାନଙ୍କୁ ସେ ବିଚାରାଧୀନ ଗଳ୍ପରେ ସମାଲୋଚନାର ଅଙ୍କୁଶ ପ୍ରହାର କରି ଠିକ୍‌ ବାଟକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ଦେଶ ଓ ଦଶର ପ୍ରତିଟି ନାଟିକାସ୍ପନ୍ଦନ, ତାଙ୍କର ଅନ୍ତର୍ଦୃଷ୍ଟି ଏଡ଼ାଇ ପାରି ନାହିଁ । ବର୍ବର ରାଜନୀତିକ ସ୍ୱାର୍ଥ ପାଇଁ ନରମେଧକୁ ଆଉ ସଭ୍ୟସମାଜ ସହ୍ୟ କରିପାରିବ ନାହିଁ; ଏହାହିଁ ଲେଖକଙ୍କର ବୈପ୍ଳବିକ ସିଦ୍ଧାନ୍ତର ରୂପରେଖ । କ୍ଷମତାର ବିଷଗ୍ରାସରୁ ସରଳ ମାନବ ସନ୍ତାନକୁ ରକ୍ଷାକରିବା ପାଇଁ ସେ ନିର୍ମମ ଭାବରେ ସେ ଗଳ୍ପାଙ୍କିତ ନେତା ଓ ଶ୍ରମିକ ୟୁନିୟନ ଗୁଡ଼ିକର ଛଦ୍ମବେଶ ଖୋଲି ଦେଇଛନ୍ତି । ସରଳ ଜନତା, ନୀଚତାର ପ୍ରକୃତ ସ୍ୱରୂପ ଦେଖି ଏ ଅନ୍ଧନେତାମାନଙ୍କର ନାଗଫାଶରୁ ନିଜକୁ ମୁକ୍ତ କରିବା ପାଇଁ ଯେଉଁଦିନ ସମ୍ମିଳିତ ବିପ୍ଳବର ଆଶ୍ରୟ ନେବ, ସେଦିନ ବାସ୍ତବ ସାମ୍ୟ ଓ ମାନବିକ ମର୍ଯ୍ୟାଦା ଫେରିଆସିବ ବୋଲି ସେ ପରୋକ୍ଷଭାବେ ଘୋଷଣା କରିଛନ୍ତି ।

 

ସ୍ଥୂଳତଃ, ବର୍ଣ୍ଣନାନୈପୁଣ୍ୟ, ଭାଷାଚାତୁରୀ, ଚରିତ୍ରଗୁଡ଼ିକର ସୁଷମ ବିକାଶ ଓ ହାସ୍ୟବ୍ୟଙ୍ଗ ଆଶ୍ରୟରେ ‘ନରବଳି’ ଗଳ୍ପଟି ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରୀ । ‘ନରବଳି’ର ଐତିହାସିକତା ବିଚାରରେ ଗଳ୍ପକାର କ୍ଷଣକ ପାଇଁ ପାଠକମାନଙ୍କର ଉପସ୍ଥିତି ଭୁଲିଯାଇଥିଲେ ମଧ୍ୟ ଏହା ଗଳ୍ପର ଗତିପଥରେ ବାଧା ସୃଷ୍ଟି କରିପାରି ନାହିଁ । ନବଯୁଗର ପତିତ ରାଜନୀତି ଓ ହୀନ ନେତୃତ୍ୱ ବିପକ୍ଷରେ ‘ନରବଳି’ କେବଳ ସମାଲୋଚନାର ଶାଣିତ ଅସି ନୁହେଁ, ଇତିହାସ ବକ୍ଷର କଳଙ୍କ ଓ କାଳିମା ବିରୁଦ୍ଧରେ ଏହା ଯୁଗଦ୍ରଷ୍ଟାର ଏକ ଭବିଷ୍ୟତବାଣୀ । ଏ ବାଣୀରେ ଶାଳୀନତା ଅଛି, ସଂବେଦନା ଅଛି; ଆଉ ମଧ୍ୟ ଭରି ରହିଛି ପ୍ରତାରିତ ମାନବ ସନ୍ତାନପାଇଁ ଏକ ଚିରନ୍ତନ ମୁକ୍ତିର ସ୍ୱାକ୍ଷର ।

 

‘ସାତଭଉଣୀ’ରେ ଲେଖକଙ୍କର ଦୃଷ୍ଟିକୋଣ, ଏହାଠାରୁ ପୃଥକ୍‌ । ନରବଳିର ସମାଲୋଚନା ଭଙ୍ଗୀ ଏଠି ଟିକିଏ ଶିଥିଳ । ଅଶିକ୍ଷା ଓ ଉତ୍କଳୀୟ ପଲ୍ଲୀଜୀବନର କୁସଂସ୍କାର ମଧ୍ୟରେ ସରଳ ଗ୍ରାମୀଣତାର ସ୍ପର୍ଶ ତାଙ୍କୁ ବିଶେଷ ଆନନ୍ଦ ଦେଇଛି । ଫକୀରମୋହନ ଓ ନନ୍ଦକିଶୋରଙ୍କ ପରେ ସଚ୍ଚି ରାଉତରାୟଙ୍କୁ ବାଦ୍‌ଦେଲେ ଓଡ଼ିଆପଲ୍ଲୀର ଗହନ ରୂପ, ସୁରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କୌଣସି ଲେଖକଙ୍କର ଲେଖନୀରେ ଏତେ ଚିତ୍ତାକର୍ଷକ ହୋଇପାରି ନାହିଁ ।

 

ବଢ଼ି ମରୁଡ଼ି ଓ ବାଡ଼ିବୁଢ଼ୀ ଆମ ଗ୍ରାମ୍ୟଜୀବନର ଚିରସହଚର । ଏକଷ୍ଟ୍ରା ଡିପାର୍ଟମେଣ୍ଟାଲ ଡାକଘର ଟମକପୁରର ଡାକବାବୁ ବା ନିଧିଆ ଭଣ୍ଡାରୀଘରର ବୋହୂ ଓ ଡାକଘରେ ପିଣ୍ଡାରେ ତା’ର ଅନ୍ତହୀନ ପ୍ରତୀକ୍ଷା ପରି ଏ ସବୁର ଇତିହାସ ଆମ ସାମାଜିକତାର ଆତ୍ମକଥା । ଟମକପୁରର ଅବୈତନିକ ସମ୍ବାଦଦାତା ନରେନ୍ଦ୍ର ଭିତରେ ମଫସଲର ବହୁ ନାମମାତ୍ରକ ଶିକ୍ଷିତ ବ୍ୟକ୍ତିଙ୍କର ସନ୍ଧାନ ମିଳେ । ସାଧାରଣ ଦୃଷ୍ଟିରେ ହାସ୍ୟାସ୍ପଦ ହେଲେବି ଗ୍ରାମ୍ୟ ପରିବେଶରେ କୋଚିଲାଖାଇଙ୍କ ପୂଜକ ହରି ଖୁଣ୍ଟିଆ, ଡାକବାବୁ ଶ୍ୟାମବନ୍ଧୁ ଓ ସମ୍ବାଦଦାତା ନରେନ୍ଦ୍ରର ସ୍ଥାନ ଖୁବ୍‌ ଉଚ୍ଚରେ । ଏଣୁ ଟ୍ରମ୍ବେକୁ ‘‘ବିଲାତ ମହାଦେଶ’’ରେ ଥୋଇଲେ ବା ହୀରାକୁଦରୁ ଉତ୍ପାଦିତ ବିଦ୍ୟୁତ୍‌ଶକ୍ତିକୁ ‘କିଲୋଓ୍ୱାଟ୍‌’ ବୋଲି କହିଲେ କେହି ସେମାନଙ୍କର ବିଚିତ୍ର ଜ୍ଞାନର ପ୍ରତିବାଦ କରିବାକୁ ଅକ୍ଷମ । ହରି ଖୁଣ୍ଟିଆଙ୍କ କାଳିଶୀ ଓ ନରି ଶତପଥୀଙ୍କ ପଣାହାଣ୍ଡି ପରି ଲୋକଚିତ୍ତର ଭୟଭକ୍ତି ତଥା କୁସଂସ୍କାରରେ ସ୍ୱାଭାବିକ ଓ ନିର୍ବିବଦ ସ୍ୱୀକୃତିରେ ସବୁ ଏଠି ବାସ୍ତବ ଓ ମଧୁର । ଗାଁଗହଳିର ଘଟଣାବିହୀନତା ମଧ୍ୟରେ ଏ ସବୁର ସ୍ୱତନ୍ତ୍ର ସ୍ୱାଦୁ ଅଛି । ଶ୍ୟାମବନ୍ଧୁ ବା ନରେନ୍ଦ୍ରର ସ୍ୱଳ୍ପଜ୍ଞାନ ସତ୍ତ୍ୱେ ସେମାନଙ୍କ ଚରିତ୍ରରେ ସବ୍‌ଜାନ୍‌ତା ଭାବରେ ଯେଉଁ ଅହଂକାର ଫୁଟିଉଠିଛି, ତାହା ଉକ୍ତ ଚରିତ୍ରଦ୍ୱୟକୁ ହାସ୍ୟାତ୍ମକ କରିବାରେ ସହାୟକ । ପ୍ରଚ୍ଛନ୍ନ ବିଦ୍ରୂପର ଶରବ୍ୟ ହେଲେ ମଧ୍ୟ ଚରିତ୍ର ଦୁଇଟି ନିଖୁଣ ଭାବରେ ଆମ ଗାଁଗଣ୍ଡାରୁ ଅଣାହେଲା ପରି ବୋଧ ହୁଅନ୍ତି । ସେମାନଙ୍କର ଭାବଭଙ୍ଗୀ, କ୍ରିୟାକଳାପ ଓ ଗତିପ୍ରକୃତିରେ ନିଛକ୍‌ ବାସ୍ତବତାର ସ୍ପର୍ଶ ରହିଛି । ବିଶ୍ୱକବି ରବୀନ୍ଦ୍ରଙ୍କ ‘ଡାକବାବୁ’ ପରି ଡାକମାଷ୍ଟର ଶ୍ୟାମବନ୍ଧୁ ଆମ ସମାଜରେ ଏବେବି ମୃତ୍ୟୁହୀନ-। ଏ ଦେଶର କେତେ ହାଟପଦା ମୁଣ୍ଡର ଛୋଟ ଆଟୁଘରେ ସେ ପରିଚିତ ପୁରୁଷକୁ ଆବିଷ୍କାର କରିହୁଏ । ତାହାର ଅଦ୍ଭୁତ ଜ୍ଞାନ ଓ ବିଚିତ୍ର ଖିଆଲ ଭିତରେ ଗୋଟିଏ ବ୍ୟକ୍ତି-ସର୍ବସ୍ୱ ମଣିଷର ସଂକୀର୍ଣ୍ଣ ବେଷ୍ଟନୀ, ଭୟ, ସ୍ୱାର୍ଥପରତା ଓ ଆତ୍ମପ୍ରୌଢ଼ୀ ମିଶ୍ରିତ ଥାଏ । ମଧୁଆକୁ ଟ୍ରମ୍ବେ କେଉଁଠି ବୋଲି ପଚାରି ଉତ୍ତର ନ ପାଇବା ପରେ ଶ୍ୟାମବନ୍ଧୁଙ୍କ ତର୍ଜନଗର୍ଜନ, ସ୍ତ୍ରୀ ସମ୍ମୁଖରେ ଚିତ୍କାର ଓ ବର୍ତ୍ତମାନର ଶିକ୍ଷାରୀତିର ଅସାରତା ପ୍ରତିପାଦନ ଇତ୍ୟାଦିରେ ତା’ ଅନ୍ତରର କ୍ଷୁଦ୍ର ମଣିଷଟି ନିଜକୁ ପ୍ରକାଶ କରିବାକୁ କିପରି ବ୍ୟଗ୍ର, ତାହା ଲକ୍ଷ୍ୟ କରିହୁଏ । ଅନ୍ୟର ପ୍ରତିବାଦରେ ଚିର ଅସହିଷ୍ଣୁ ଏ ମଣିଷଟି ‘ବିଲାତ’କୁ ‘ମହାଦେଶ’ ବୋଲି କହିବା ପରେ ମଧ୍ୟ ନିଜର ଅଜ୍ଞାତରେ ଲଜ୍ଜିତ ନୁହେଁ । ଏଣୁ ମଧୁଆର ଧୀର ପ୍ରତିବାଦ.....‘‘ବିଲାତ କ’ଣ ମହାଦେଶ ?’’ରେ ସେ ଉତ୍‌କ୍ଷିପ୍ତ ହୋଇ ଉଠେ । ତା’ ପିଠିରେ ଦୁଇଟା ବସାଇ ଦେବା ପାଇଁ ସୁଯୋଗ ଉଣ୍ଡିବା ଉଦ୍ଦେଶ୍ୟରେ ଐକିକ ଧାରାର ଅଙ୍କ ପଚାରିବାକୁ ଭାବି ଚାଲେ । ଶ୍ୟାମବନ୍ଧୁ ଚରିତ୍ରର ଏହିଭଳି ମୁହୂର୍ତ୍ତଗୁଡ଼ିକ ଅତ୍ୟନ୍ତ ଉପଭୋଗ୍ୟ । ହରି ଖୁଣ୍ଟିଆର ଗଞ୍ଜେଇରଙ୍ଗା ଆଖିର ନିର୍ବିକାର ଭବିଷ୍ୟତ ବାର୍ତ୍ତା ଓ ଶ୍ୟାମବନ୍ଧୁର ଉକ୍ତ ନିତ୍ୟନୈମିତ୍ତିକ ଆଚରଣ ପ୍ରଦର୍ଶନରେ ଲେଖକଙ୍କର ଆବିଷ୍କାର ଓ ଉଦ୍‌ଭାବନରେ ନୂତନତା ପରିଲକ୍ଷିତ ହୁଏ । ସ୍ଥାନ ଓ ଘଟଣାର ଐକ୍ୟ ପ୍ରତି ସତର୍କତା ଦେଖାଯାଇ ନଥିଲେ ମଧ୍ୟ ଶ୍ୟାମବନ୍ଧୁଙ୍କୁ ଏପରି କେତେକ ଘଟଣା ସୋପନରେ ରଖାଯାଇଛି ଯେ ଯେଉଁଠି କି ତା’ ଜୀବନରେ ସାଧାରଣତଃ ଭିତରେ ମାନବ ମନର ବହୁ ରହସ୍ୟ ଆବିଷ୍କାର କରିବା ସମ୍ଭବ ହୁଏ । ଟମକପୁର ଗାଁରେ ହଇଜାର ଆତଙ୍କ ଓ ସ୍ୱାଭାବିକ ରୀତିରେ ସାତଭଉଣୀଙ୍କର ମାଜଣା ପରେବି ଶ୍ୟାମବନ୍ଧୁ ମନରୁ ‘ଟ୍ରମ୍ବେ’ର ପ୍ରଶ୍ନ ମରି ଉଡ଼ିଯାଇ ନାହିଁ । ଭଣ୍ଡାରୀଘରର ବୋହୂ କୋଚଟ ଶାଢ଼ୀ ଖଣ୍ଡକରେ ଦେହ ଢାଙ୍କି ମନିଅର୍ଡ଼ରକୁ ଅପେକ୍ଷା କରିବା ଭିତରେ ଅସରନ୍ତି ଆଶାର ଯେଉଁ ଆତ୍ମପରିହାସ ଜଡ଼ିତ, ଏକଦା କିଲଟରୀ ଅମଲା ବର୍ତ୍ତମାନର ଟମକପୁର ଡାକବାବୁ ମନରେ ‘ଟ୍ରମ୍ବେ’ର ସ୍ୱପ୍ନ ନେଇ ସେ ଆତ୍ମ-ପରିହାସର କୌତୂହଳରେ ରୂପାନ୍ତରିତ । ଆକୃତି ଓ ପରିଧିରେ ଭିନ୍ନ ହେଲେ ମଧ୍ୟ ଉଭୟ ମନର ଛାଇଆଲୁଅରେ ଗଳ୍ପାଂଶର ପ୍ରକୃତି ଏ ସ୍ଥଳରେ ଅବସାଦଗ୍ରସ୍ତ । ସାତଭଉଣୀଙ୍କର ବିଚିତ୍ର ଆବିର୍ଭାବ ଓ ଚାଚକେଇ ନିମାର କିଳିକିଳା ରଡ଼ି, ପାଠକର ଦୃଷ୍ଟିକୁ ଶ୍ୟାମବନ୍ଧୁ ଆଡ଼ୁ ଗ୍ରାମ୍ୟଜୀବନର ଏ ସରଳ ଆତ୍ମପ୍ରବଞ୍ଚନା ମଧ୍ୟକୁ ଟାଣିନେଉଥିଲେ ମଧ୍ୟ ଗଳ୍ପର ପରିଣତିରେ ଏହା ପୁଣି ଶ୍ୟାମବନ୍ଧୁ ଆଡ଼କୁ ଫେରିଆସେ । ଡାକଘରର ନିତିଦିନିଆ ଦୁନିଆ ଭିତରେ ଡାକବାବୁ ମନର ଏ କ୍ଷୁଦ୍ର ପ୍ରଶ୍ନଟି ବୃହତ୍ତର ସତ୍ୟର ବାର୍ତ୍ତା ପ୍ରକାଶ କରେ । ବର୍ଣ୍ଣନା ଚାତୁର୍ଯ୍ୟରେ ଗଳ୍ପର ପରିସ୍ଥିତି ମୁହୂର୍ତ୍ତକ ପାଇଁ ଚଞ୍ଚଳ, ଉଦ୍‌ବିଗ୍ନ ଓ ଭୟାତୁର ହେଲେ ମଧ୍ୟ ଶେଷରେ ଗ୍ରାମ୍ୟଜୀବନର ଘଟଣାବିହୀନ ଶୀତଳତାହିଁ ସ୍ଥିର ଜଣାପଡ଼େ । ସେ ଆଦିମ ସ୍ଥିରତାରେ ଶ୍ୟାମବନ୍ଧୁ ବା ନରେନ୍ଦ୍ରଙ୍କର କ୍ଷୀଣକଣ୍ଠର ଆବାଜ୍‌ ବ୍ୟତୀତ ଆଉ ସବୁକୁ ଭୁଲିଯିବା ବିଚିତ୍ର ନୁହେଁ । ପଲ୍ଲୀ-ପ୍ରାଣର ଏ ଆକସ୍ମିକ ଚାଞ୍ଚଲ୍ୟ ଓ ଚାଞ୍ଚଲ୍ୟହୀନତାର ଚିତ୍ର ମଧ୍ୟରେ ଗାଳ୍ପିକଙ୍କର ନିବିଡ଼ ପଲ୍ଲୀପ୍ରାଣତାର ପରିଚୟ ମିଳେ ।

 

‘ମେଣ୍ଢାଖାଈ’ ଗଳ୍ପଟି ମେଣ୍ଢାଖାଇ ନଈର ବନ୍ୟାବିତ୍ପାତକୁ ମୂଳକରି ଲିଖିତ । ସେନାପତୀୟ ବର୍ଣ୍ଣନାଶୈଳୀ ଓ ସୂକ୍ଷ୍ମ ପର୍ଯ୍ୟବେକ୍ଷଣରେ ଗଳ୍ପଟି ମନୋରମ । ଗ୍ରାମ୍ୟ ବାତାବରଣ ଭିତରେ ଗ୍ରାମୀଣ ବିଶ୍ୱାସ ଓ ଗ୍ରାମ୍ୟ ଚରିତ୍ରଗୁଡ଼ିକ ସାର୍ଥକ ଭାବରେ ବିଶ୍ଳେଷଣ କରାଯାଇଥିବାରୁ ପ୍ରତ୍ୟେକ ଚରିତ୍ର ଓ ତାହାର ପରିବେଶରେ ପ୍ରାଣର ସନ୍ଧାନ ମିଳେ । ମରିଗଡ଼ିଆଁ ଗାଁର ମହାଜନ ସିନ୍ଧୁ ଖୁଣ୍ଟିଆଙ୍କ ଚରିତ୍ରଚୀତ୍ରଣରେ ଛ’ମାଣ ଆଠଗୁଣ୍ଠର ମଙ୍ଗରାଜ ଚରିତ୍ର ବିକାଶର ସିଦ୍ଧି ନିହିତ ଥିବା ପରି ମନେହୁଏ । ଉକ୍ତ ଚରିତ୍ରର ପାରମାର୍ଥିକ ଜୀବନର ପରିଚୟ ଦେବା ଭିତରେ ଲେଖକ ତାହାର ଛଦ୍ମମୁଖା ଖୋଲିଦେବାକୁ ସମର୍ଥ ହୋଇଛନ୍ତି । ପ୍ରାଥମିକ ପରିଚୟରେ ଚରିତ୍ରଟି ପାଠକପାଠିକାଙ୍କର ଘୃଣାଭାଜନ ହେଲେ ମଧ୍ୟ ଗଳ୍ପ ଶେଷରେ ତାହାର ଧନତୃଷ୍ଣାଜନିତ ଶୋଚନୀୟ ମୃତ୍ୟୁ ଯେ କୌଣସି ବ୍ୟକ୍ତିର ଦୟା ଦାବୀ କରିଥାଏ ।

 

ଗାଳ୍ପିକଙ୍କର ସୂକ୍ଷ୍ମଦୃଷ୍ଟିରେ ଜଗୁତିହାଡ଼ି ଓ ଶୁଳୁଣୀ ଗଉରାମା’ ଭଳି ଚରିତ୍ରରେ ମଧ୍ୟ ପ୍ରାଣସତ୍ତାର ସ୍ପନ୍ଦନ ଦେଖାଯାଇଛି । ଭଙ୍ଗାକାନ୍ଥର କୁଢ଼ ଭିତରେ ଗୋଖୁରଟାକୁ ନ ମାରି ‘‘ସେଟା ଢିଅ ଗୋଖୁର’’ କହି ଛାଡ଼ିଦେବା ଭିତରେ ନରହରି ମନର ପଲ୍ଲୀସୁଲଭ ଅନ୍ଧବିଶ୍ୱାସ ପ୍ରକାଶ ପାଇଛି-। ପୁରୁଷ-ପୁରୁଷର ଏ ଲୋକତୁଣ୍ଡର କଥା ଓ ମାଳିକା ବିଶ୍ୱାସକୁ ଉପଯୁକ୍ତ ପରିସ୍ଥିତିରେ ଥୋଇଦେବାର କୌଶଳରେ, ସୁରେନ୍ଦ୍ର ଫକୀରମୋହନଙ୍କର ଯୋଗ୍ୟତମ ଦାୟାଦ ବୋଲି ବିବେଚିତ ହେବା ଅସମ୍ଭବ ନୁହେଁ ।

 

ପ୍ରସଙ୍ଗ ଓ ଚରିତ୍ର ଉପଯୋଗୀ ଭାଷା, ବିଚାର୍ଯ୍ୟ ଗଳ୍ପର ଅନ୍ୟତମ ଆକର୍ଷଣ । ଖାଣ୍ଟି ଓଡ଼ିଆପ୍ରାଣର ଭାଷା, କଥାବସ୍ତୁ, ଚରିତ୍ର ଓ ଘଟଣା ପ୍ରବାହକୁ ଜୀବନଧର୍ମୀ କରିବାରେ ସହାୟକ । ଲୋକଚରିତ୍ରର ସଂସ୍ପର୍ଶ ତଥା ଗ୍ରାମ୍ୟ ଅନୁଭୂତିର ଗଭୀରତା ବ୍ୟତୀତ ଏପରି ଅକୃତ୍ରିମ ଚିତ୍ର କଦାପି ସମ୍ଭବ ନୁହେଁ । ଅଳ୍ପରେ କହିଲେ ମେଣ୍ଢାଖାଈର ବନ୍ୟାବିପାକ ଓ ଆନୁଷଙ୍ଗିକ ବର୍ଷାବତାସୀ ମଧ୍ୟରେ ଓଡ଼ିଶାର ବନ୍ୟାଞ୍ଚଳର ଅଙ୍ଗେନିଭା କାହାଣୀ ନିର୍ଭୁଲ ଭାବରେ ଅଙ୍କିତ ହୋଇଛି । ତେଣୁ ବର୍ଣ୍ଣନାପ୍ରଧାନ ଏ ଗଳ୍ପଟି, ବିପନ୍ନ ଉତ୍କଳର ଅଭ୍ରାନ୍ତ ପ୍ରାଣକଥା ଭିନ୍ନ ଅନ୍ୟ କିଛି ନୁହେଁ ।

 

ଏକ ତତ୍ତ୍ୱପୂର୍ଣ୍ଣ କାହାଣୀ ଭାବରେ ‘‘ସବୁଜପତ୍ର ଓ ଧୂସର ଗୋଲାପ’’ରେ ‘ଅମୃତ’ର ସ୍ଥାନ ସ୍ୱତନ୍ତ୍ର । ହୃଦୟର ମୁଗ୍‌ଧ ଆବେଗ ଓ ମସ୍ତିଷ୍କର ତତ୍ତ୍ୱାଶ୍ରୟୀ ବୌଦ୍ଧିକତା, ଗଳ୍ପଟିକୁ ଚିରନ୍ତନ ମୂଲ୍ୟର ଅଧିକାରୀ କରିପାରିଛି । ବାବାଜୀ ମହାରାଜ ଓ ଲେଖକଙ୍କ ମଧ୍ୟରେ ଘଟିଥିବା କଥୋପକଥନରେ ନାଟକୀୟତାର ଯେଉଁ ଆଭାସ ମିଳେ, ତାହା ଗଳ୍ପର ଅବତାରଣା ଭଙ୍ଗୀରେ ମୌଳିକତା ପାଇଁ ବିଶେଷରୂପେ ଦାୟୀ । ମଣିନାଗ ପାହାଡ଼ର ପଟ୍ଟଭୂମିରେ ଉକ୍ତ ଚରିତ୍ରଦ୍ୱୟର ବଳିଷ୍ଠ ସଂଳାପ, ଗଳ୍ପଟିକୁ ଗତିମୁଖର କରାଇବା ସଙ୍ଗେ ସଙ୍ଗେ ଗଳ୍ପାଙ୍କିତ ଅନେକ ଚରିତ୍ରର ତାତ୍ପର୍ଯ୍ୟ ପ୍ରଦର୍ଶନରେ ସମର୍ଥ ହୋଇଛି । ପୂର୍ବାଲୋଚିତ ବହୁ ଗଳ୍ପର ସଂସ୍କାରୀ ସୁରେନ୍ଦ୍ର, ଏ ଗଳ୍ପରେ ସ୍ଥୂଳଜଗତର ବାହ୍ୟସଂସ୍କାର ଅପେକ୍ଷା ସୂକ୍ଷ୍ମ ଜଗତର ଅନ୍ତଃସଂସ୍କାର ଉପରେ ଅଧିକ ଗୁରୁତ୍ୱଆରୋପ କରିଛନ୍ତି । ଏଣୁ ତାଙ୍କର ଅନ୍ତର୍ମୁଖିନତା ଏଠି ଗଭୀରରୁ ଗଭୀରତର ଓ ଅନ୍ୱେଷଣପ୍ରଖର । ପ୍ରଜ୍ଞା ଓ ଜୀବନବୋଧର ଶାଶ୍ୱତ ଆକୁଳତା ଭିତରେ ଲେଖକ ଏଠି ଅମୃତସଂଧାନୀ । ଉପନିଷଦର ନଚିକେତା ପରି ମୃତ୍ୟୁରାଜ୍ୟରେ ଅମୃତତ୍ତ୍ୱହିଁ ତାଙ୍କର ଲକ୍ଷ୍ୟ । ସେଥିରୁ ଅଳ୍ପରେ ସେ ସନ୍ତୁଷ୍ଟ ନୁହନ୍ତି ।

 

ରାମନାରାୟଣଙ୍କ ପାଇଁ ବାବାଜୀ ମହାରାଜଙ୍କୁ ଡାକିବାକୁ ଯାଇ ତାଙ୍କ ସହିତ ପ୍ରଥମ ପରିଚୟବେଳେ ସେ କାଞ୍ଚନମୁକ୍ତିର ଯେଉଁ ଇଚ୍ଛାପ୍ରକାଶ କରିଛନ୍ତି, ତାହା ଆଧୁନିକ ଧନକ୍ଳାନ୍ତ ଦୁନିଆର ଚିରନ୍ତନ ପ୍ରଶ୍ନ । ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ବସ୍ତୁବାଦର ବ୍ୟାଧିପୀଡ଼ିତ ପ୍ରତ୍ୟେକ ମନୁଷ୍ୟ, ଏହିପରି ଏକ ନିଦାନ ପାଇଁ ପାଗଳ । ଲେଖକଙ୍କ ଦୃଷ୍ଟିରେ ଐଶ୍ୱର୍ଯ୍ୟ ବା ଶକ୍ତି ଆହରଣରେ ଏ ନିଦାନ ମିଳିବା ଅସମ୍ଭବ । ସବୁ ଶକ୍ତି, ଜ୍ଞାନ ଓ ସମ୍ବଳକୁ ଭୁଲିଯିବା ପରେ ନିକାଞ୍ଚନ ଜୀବନର ନିଃସମ୍ବଳତା ମଧ୍ୟରେ ଏହାହିଁ ସୁଲଭ । ବାବାଜୀ ମହାରାଜଙ୍କ କଥାରେ ମୃତ୍ୟୁ ଭିତରେ ଅମୃତର ଏ ପଥ ଦୁର୍ଗମ ଓ ସାଧନସାପେକ୍ଷ । ସାଂସାରିକ ସ୍ୱାର୍ଥ ହାସଲ ଲାଗି ଏହା କେବେହେଲେ ଉଦ୍ଦିଷ୍ଟ ନୁହେଁ । ସଂସାରୀ ନିଜର ଅପୂର୍ଣ୍ଣ ସ୍ୱାର୍ଥକୁ ପୂର୍ଣ୍ଣ କରିବା ପାଇଁ ମହାପୁରୁଷର ଅସାଧାରଣ ଶକ୍ତିକୁ, ସାଧାରଣରେ ନିୟୋଜିତ କରାଏ । ତାହାପରେ ପାର୍ଥିବ, ଅପାର୍ଥିବକୁ ଗ୍ରାସ କରିବ ସେ । ଅସାଧାରଣ ଉପରେ ସାଧାରଣର ଏ ଐତିହାସିକ ବିଜୟରେ ମଣିନାଗ ତଳର କୁଟୀରସମ୍ବଳ ସିଦ୍ଧପୁରୁଷ ମାତ୍ର ପାଞ୍ଚବର୍ଷ ପରେ କାମିନୀକାଞ୍ଚନର ମାୟାରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ । ଯୁଗେ ଯୁଗେ ମନୁଷ୍ୟର ସ୍ୱାର୍ଥାନ୍ଧତା କିପରି ଶୋଚନୀୟ ଭାବରେ ଅମୃତତ୍ତ୍ୱର ବ୍ୟାପକ ଜଗତକୁ ସଂକୀର୍ଣ୍ଣତାରେ ଆବଦ୍ଧ କରି ଆସିଛି, ତାହାର ଏକ କରୁଣ ଚିତ୍ର, ଆଲୋଚ୍ୟ ଗଳ୍ପର ପରିଣତିରେ ଲକ୍ଷ୍ୟଣୀୟ । ବାବାଜୀ ମହାରାଜଙ୍କର ବାରମ୍ବାର ଅଟ୍ଟହାସ୍ୟ ଓ ଲେଖକଙ୍କର ପରିହାସମିଶା ପ୍ରଶ୍ନ ମଧ୍ୟରେ ଏହା ଅଧିକ ରସୋତ୍ତୀର୍ଣ୍ଣ ଓ ଇଙ୍ଗିତଧର୍ମୀ । ତେଣୁ ତତ୍ତ୍ୱବଦ୍ଧତା, ଗଳ୍ପର ପରିବେଷ୍ଟନୀକୁ ଶୁଷ୍କ ବା ଭାରାକ୍ରାନ୍ତ କରିପାରି ନାହିଁ । କଥାକାରଙ୍କର ସମତାଜ୍ଞାନ ଓ ସଂଯୋଜନ କୌଶଳରେ ସବୁ ଯେପରି ସରସ ଓ ପ୍ରାଣବନ୍ତ ହୋଇ ଉଠିଛି । ଗଳ୍ପର କ୍ଷୁଦ୍ରବୃହତ୍‌ ଘଟଣା ଓ ଚରିତ୍ରଗୁଡ଼ିକର ଗତିରେ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟର ସୂଚନା ମିଳେ । ରାମନାରାୟଣବାବୁଙ୍କର ଅସୁସ୍ଥତା ଓ ଶ୍ୟାମପ୍ରସାଦର ‘ଆତ୍ମାନନ୍ଦ’ ରୂପ, ସେ ଆଭିମୁଖ୍ୟର ଗୋଟିଏ ଗୋଟିଏ ପରିପୂରକ ବିନ୍ଦୁ । ଏହା ସାହାଯ୍ୟରେ ନିର୍ମଳ ଆଧ୍ୟାତ୍ମିକ ଚେତନାକୁ ଜାଗରୂକ କରିବା ପାଇଁ ଲେଖକ, ସମାଜର ସ୍ୱାର୍ଥଲିପ୍‌ସା, ସଂକୀର୍ଣ୍ଣତା ଓ ଛଦ୍ମଭକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଅଛନ୍ତି । ସନ୍ନ୍ୟାସୀଙ୍କର ତାଚ୍ଛଲ୍ୟୋକ୍ତି ମଧ୍ୟରେ ତାଙ୍କର ଏ ନିର୍ଭୀକ ସ୍ୱର ଅତ୍ୟନ୍ତ ସ୍ପଷ୍ଟ । ସ୍ୱାର୍ଥନିଷ୍ଟ ବିଶ୍ୱର ଛଦ୍ମରୂପ ଖୋଲିଦେଇ ତାକୁ ଅମୃତପଥକୁ ଟାଣିନେବାର ପ୍ରୟାସ, ଗାଳ୍ପିକଙ୍କର ଉଗ୍ର ସ୍ପଷ୍ଟବାଦିତାର ପରିଚୟ ଦିଏ । ଏ ଅବସରରେ ସମାଜ ବା ବ୍ୟକ୍ତିଚରିତ୍ରର ଦୁର୍ବଳତାକୁ ସେ ନିର୍ମମ ଭାବରେ ସମାଲୋଚନା କରିଅଛନ୍ତି । ହେଲେହେଁ ପ୍ରତ୍ୟେକ ସ୍ଥଳରେ ତାଙ୍କ ସମାଲୋଚନାର ସ୍ୱରୂପ ସଂଗଠନଧର୍ମୀ । ସାମାଜିକ ଦୁର୍ବଳତା ବା ଆବର୍ଜନାରୁ ସେ ନିଜକୁ ଊର୍ଦ୍ଧ୍ୱରେ ଅବସ୍ଥାପିତ କରିନାହାନ୍ତି । ସୁତରାଂ, ବାବାଜୀ ମହାଶୟଙ୍କର ଅମୃତ ସନ୍ଧାନର ବ୍ୟର୍ଥତା ଭିତରେ ତାଙ୍କ ପରାଜୟର ନିଶ୍ଚିତ କାଳିମା ଫୁଟିଉଠିଛି । ଅମୃତ ଗଳ୍ପର ମୂଲ୍ୟାୟନରେ ଉପରୋକ୍ତ ଦୃଷ୍ଟିଭଙ୍ଗୀଗତ ବୈଚିତ୍ର୍ୟ, ବିଶେଷଭାବେ ଲକ୍ଷଣୀୟ ।

 

‘ଇଜ୍‍ମାଲୀ’ ଗଳ୍ପରେ ଚିତ୍ରିତ ଅପାଣ୍ଡବା ଗାଁ ହରିପୁରର କରଣସାହି ଓ ସେଥିମଧ୍ୟରେ ନିଧି, ନାଥ ଓ ମାଷ୍ଟର ବ୍ରଜବନ୍ଧୁଙ୍କ ସ୍ମୃତି, ଅବିକଳ ଭାବରେ ତାହାର ତିନିବର୍ଷ ପରେ ଲିଖିତ ‘‘ବାସୀମଡ଼ା’’ (୧୯୫୭)ରେ ପ୍ରତିଫଳିତ । ଏଣୁ ବିଷୟବସ୍ତୁ ଦୃଷ୍ଟିରୁ ନ ହେଲେ ମଧ୍ୟ ଚାରିତ୍ରିକ ସାମ୍ୟବିଚାରରେ ବାସୀମଡ଼ା, ଇଜ୍‌ମାଲୀ ଗଳ୍ପର ପରିପୃଷ୍ଠା ପରି ବୋଧହୁଏ । ‘ଇଜ୍‌ମାଲୀ’ର ହୁଙ୍କାପିଟା, ଅଶ୍ଳୀଳ ନିଧି କାନଗୋଇ, ବାସୀମଡ଼ାରେ କେବଳ ସଜଳ ସ୍ମୃତି ହୋଇ ରହିଯାଇଛି । ଜନ୍ମାଷ୍ଟମୀର ଅନ୍ଧାର ରାତିରେ ତାହାର ଦୁର୍ଗନ୍ଧ ଶବଟା, ମେଡ଼ିକାଲ ଓ୍ୱାର୍ଡ଼ ବାରଣ୍ଡାର ସନ୍ତସନ୍ତିଆ କୋଣରେ ଛିଣ୍ଡାକମ୍ବଳରେ ଗୁଡ଼ାଗୁଡ଼ି ହୋଇ ପଡ଼ିଛି । ଆସନ୍ତା କାଲିକି ହରିପୁରିଆ ମଡ଼ାଭାଇ ଆସିଲେ ଶବ ଉଠିବ । ଅଷ୍ଟମୀ ରାତିର ବାଆ ତୋଫାନ ଓ ଲଟାବିଜୁଳି ଭିତରେ ନିରୁପାୟ ବ୍ରଜବନ୍ଧୁ ଅନ୍ତରରେ ଗୋଟିଏ ଭାବନା ପ୍ରବଳ ଭାବରେ ଆଘାତ କରୁଛି । ତାହା ହେଉଛି ନିଧିଭାଇର ମଡ଼ାବାସୀ ହେବାର ଦୁର୍ଭାଗ୍ୟକୁ ସେ ଏତେ ସହଜ ଭାବରେ ଗ୍ରହଣ କରିପାରି ନାହିଁ । ସାମାଜିକ ଚଳଣି ଓ ପରମ୍ପରାର ଅଲଙ୍ଘ୍ୟ ବିଶ୍ୱାସ, ତାହାର କୋମଳତାକୁ ବାରମ୍ବାର ଆଲୋଡ଼ିତ କରିଛି । ଓ୍ୱାର୍ଡ଼ର ଅନାସକ୍ତ ପରିବେଶ ମଧ୍ୟରେ ବର୍ଷାଲଗାଣର କରୁଣ ଯବନିକା, ନିଧି କାନଗୋଇର ମୃତ୍ୟୁକୁ କିପରି ଏକାନ୍ତ ନିର୍ଜନ, ଦୁଃସ୍ଥ ଓ ଶୋଚନୀୟ କରିଦେଇଛି । ପରିସ୍ଥିତିର ଏ ଭାଷାହୀନ କରୁଣତା ଅନ୍ତରାଳରେ ବ୍ରଜବନ୍ଧୁ ହୃଦୟର ଉଠାପକା, ଗଳ୍ପଟିକୁ ଆଗେଇ ନେବାରେ ସହାୟକ । ନଚେତ୍‌ ବୀଭତ୍ସ ମୃତ୍ୟୁର ନୀରବତାରେ ପାଠକ-ଅନ୍ତର ଅବସନ୍ନ ହୋଇଆସିବା ସ୍ୱାଭାବିକ । ଏ ନୀରବତା ଭାଙ୍ଗିବା ପାଇଁ ବ୍ରଜବନ୍ଧୁ ବ୍ୟତୀତ ଆଉ ଦୁଇଟି ଚରିତ୍ରର ସଫଳ ସଂସ୍ଥାନ ଗଳ୍ପ ମଧ୍ୟରେ ଲକ୍ଷ୍ୟ କରାଯାଇପାରେ । ସେ ଦୁଇଟି ହେଉଛନ୍ତି ଓ୍ୱାର୍ଡ଼ ମେହେନ୍ତର ଶଙ୍କର ଗାରଡ଼ ଓ ଜମାଦାର ମଧୁ ଗୋଛେଇତ ।

 

ବ୍ରଜବନ୍ଧୁର ଦାର୍ଶନିକତା ଓ ସ୍ୱଜନମୋହକୁ ଶୂନ୍ୟଦୃଷ୍ଟିରେ ଉଡ଼ାଇ ଦେବାକୁ ସତେ ଯେପରି ଏ ଚରିତ୍ର ଦୁଇଟିର ସୃଷ୍ଟି । ମେଡ଼ିକାଲ ଓ୍ୱାର୍ଡ଼ର ନିଷ୍କରୁଣତା, ସେମାନଙ୍କୁ ବ୍ରଜବନ୍ଧୁ ପରି ଭାବାତୁର କରିଦେଇ ନାହିଁ, ବରଂ ବଞ୍ଚିବା ପାଇଁ ମୋହମାୟାହୀନ ସଂଗ୍ରାମ ଶିଖାଇଛି । ନିଧି କାନଗୋଇର ଶବକୁ ବେଓ୍ୱାର୍‌ସ ମଡ଼ା ଭାବି ସେମାନଙ୍କର ବଞ୍ଚିବାର ଦୁର୍ବାରକାମନା ତେଣୁ ଲୋଳଜିହ୍ୱ ହୋଇଉଠିଛି । ବାହାରୁ ଦୁର୍ଦ୍ଦାନ୍ତ ଓ ନିର୍ବେଦ ଏ ଚରିତ୍ର ଦୁଇଟିରୁ ଏତିକି ହୁଏତ ନିଜସ୍ୱ । ଶଙ୍କର ଓ ମଧୁ ଚରିତ୍ରକୁ ବାସ୍ତବ କରିବା ଦିଗରେ ସେମାନଙ୍କର ଅଦ୍ଭୁତ ମନସ୍ତତ୍ତ୍ୱର ନିଖୁଣ ଚିତ୍ରଟି, ଗାଳ୍ପିକଙ୍କର ଅପୂର୍ବ ନିଷ୍ଠାର ପରିଚୟ ଦେଇଥାଏ ।

 

ନିଧି କାନଗୋଇର ପଚା ଶବ ଲୋଭରେ ବୁଲାକୁକୁରଗୁଡ଼ାକ ଅପେକ୍ଷା ଅଧିକ ଉନ୍ମତ୍ତ ଏ ଶଙ୍କର ଗାରଡ଼ । କୌଣସିମତେ ଲାସଟାକୁ ବ୍ରଜବନ୍ଧୁ ଓ କୁକୁରଗୁଡ଼ାକ ମେଳରୁ କାଢ଼ିନେଇ ପାରିଲେ ସେ ହାଡ଼ ବିକି ଦୁଇଶହ ଟଙ୍କା ପାଇପାରନ୍ତା–ଏ ଆସନ୍ନ ଲାଭର ସ୍ୱପ୍ନ, ତାକୁ ଇତରପ୍ରାଣୀଠାରୁ ମଧ୍ୟ ହୀନ କରିଦେଇଛି ମଡ଼ାକୁ ଜଗିବାର ବାହାନା, ‘ମର୍ଗ’କୁ ପଠାଇଦେବାର କାରସାଦି ଓ ଶେଷରେ ପଚା ଲାସକୁ ନଈରେ ଫିଙ୍ଗିଦେବା ପାଇଁ ପାରିଶ୍ରମିକ ନେଇ ଅଦ୍ଭୁତ କୌଶଳ ସହକାରେ ଶବଟାକୁ ମେହେନ୍ତରସାହିକୁ ନେଇଯିବା ମଧ୍ୟରେ ତୁଚ୍ଛ ଜୀବନଯୁଦ୍ଧର ସଙ୍କେତ ବାଜିଉଠିଛି । ବଞ୍ଚିବାର ନଗ୍ନ ଆଶା ନେଇ ଜୀଇଁରହିଥିବା ମଣିଷଟା କେଡ଼େ ଆଦିମ, ତାହାର ସାର୍ଥକ ସ୍ୱର, ଶଙ୍କରର ହରିପୁରିଆଙ୍କୁ ଧମକ୍‌ ଦେବା ମଧ୍ୟରେ ଲୁକ୍‌କାୟିତ । ସଂସାର ସଂଗ୍ରାମର ରକ୍ତମାଂସର ବୁଭୁକ୍ଷା ଭିତରେ ଶଙ୍କର ଏକ ଜ୍ୱଳନ୍ତ ପ୍ରତୀକ, ଅଥବା ବାସ୍ତବଧର୍ମୀ ଏକ ରୂପକଳ୍ପ ।

 

ଅପର ପକ୍ଷରେ ଲେଖକ ବ୍ରଜବନ୍ଧୁଙ୍କୁ ଏକ ଉଦାରମାନବବାଦୀ କରି ଗଳ୍ପ ମଧ୍ୟରେ ଠିଆକରାଇଛନ୍ତି । ଜୀବନ କ’ଣ ବୁଝିଥିଲେ ମଧ୍ୟ ବଞ୍ଚି ରହିବାର ଉତ୍ତାପ ସେ ବୁଝି ନାହିଁ । ତାହାର ରୁଚିପୂର୍ଣ୍ଣ ଦୁନିଆରେ ସେ ମୃତ୍ୟୁକୁ ଅମୃତର ସୋପାନ ବୋଲି ଭାବିନେଇଛି । ନିଧିଭାଇର ବିଶ୍ରୀ ଓ କଦାକାର ବ୍ୟକ୍ତି ସତ୍ତାତଳେ ଯାହା କିଛି ଆପଣାର ଥିଲା, ତାହା ସତେ ଯେପରି ମୃତ୍ୟୁଶଯ୍ୟାରେ ଆଜି ସୁନ୍ଦର ହୋଇଗଲା ପରି ସେ ଅନୁଭବ କରିଛି । ସିନ୍ଧୁ କାନଗୋଇ ଓ ଅନ୍ୟ ମଡ଼ାଭାଇମାନଙ୍କର ସଂକୀର୍ଣ୍ଣ ମନର ଆବର୍ଜନା ଡୁବାଇ ଦୁଇବିନ୍ଦୁ ଥପ୍‌ଥପ୍‌ ଲୁହରେ ନିଧି କାନଗୋଇଙ୍କର ଅଶ୍ଳୀଳ ରୂପଟା ନିମିଷକ ମଧ୍ୟରେ ସୁନ୍ଦର ପାଲଟି ଯାଇଛି । ମୃତ୍ୟୁବକ୍ଷରେ ସୌନ୍ଦର୍ଯ୍ୟର ଏ ମୁଗ୍‌ଧ ଅନୁଭବ, ଦାର୍ଶନିକ-ସୁଲଭ ହେଲେ ମଧ୍ୟ ସୁରେନ୍ଦ୍ର-ମାନସର ଏଥିପ୍ରତି ଥିବା ବ୍ୟକ୍ତିଗତ ଅନୁରାଗ ହେତୁ ଏହାକୁ ସାଧାରଣ ଚରିତ୍ରର ଶୋଭାବର୍ଦ୍ଧନରେ ପ୍ରୟୋଗ କରାଯାଇଅଛି ଏଣୁ ‘ବାସୀ ମଡ଼ା’ ବା ‘‘ମରାଳର ମୃତ୍ୟୁ’’ ପୁସ୍ତକର ‘ଜୀଅନ୍ତା ଭୂତ’ ଗଳ୍ପରେ ଲେଖକ ଏ ଦିବ୍ୟଦର୍ଶନକୁ ପ୍ରକାଶ କରିବାର ଲୋଭ ସମ୍ବରଣ କରିପାରି ନାହାନ୍ତି । ବ୍ରଜବନ୍ଧୁ ଚରିତ୍ରକୁ ସାଧାରଣ ଭିତରେ ଅସାଧାରଣ କରିବା ଲାଗି, ଏ ସୂକ୍ଷ୍ମଦର୍ଶନର ଆବଶ୍ୟକତା ଅପରିହାର୍ଯ୍ୟ ହୋଇ ପଡ଼ିଛି । ସୁତରାଂ ବ୍ରଜବନ୍ଧୁ କଳ୍ପନାଶ୍ରୟୀ ହେଲେ ମଧ୍ୟ ବାସ୍ତବ । ରୁଚିହୀନ ଜୀବନ ସଂଘର୍ଷରେ ଭାବପ୍ରବଣ ହେଲେ ମଧ୍ୟ ରୁଚିରହିତ । ତାହାର ବୋଧଶକ୍ତିରେ ଅତୀତଟା ସେତେ କୁତ୍ସିତ ଓ କଦର୍ଯ୍ୟ ହେଲେ କି ସୁନ୍ଦର । କାରଣ ମୃତ୍ୟୁର ପୂର୍ବପାହାଚରେ ସ୍ଥିତିର ଏ ରୁଦ୍ରଛଟାକୁ ଉପହାସ କରି ହୁଏନି । ସବୁ ରୁଦ୍ରତା, ସବୁ ବୀଭତ୍ସତା ସତ୍ତ୍ୱେ ସ୍ଥିତିହିଁ ମୃତ୍ୟୁବକ୍ଷରେ ସୁନ୍ଦର ଓ ମଧୁର । ନିଧି କାନଗୋଇର ଅଭିଶପ୍ତ ଜୀବନ ମଧ୍ୟରେ ସ୍ଥିତିର ଯେଉଁ ସଂକଳ୍ପ ଥିଲା, ତାହାହିଁ ବ୍ରଜବନ୍ଧୁର ମାନସିକ ଆଲୋଡ଼ନରେ ସୁନ୍ଦର ବା ସାର୍ଥକ ବୋଲି ଅଭିହିତ ହୋଇଛି ।

 

ଉଦ୍‌ବର୍ତ୍ତନ ଓ ଜୀବନବୋଧର ଏହିପରି ବିଚିତ୍ର କଳ୍ପନାରେ ‘ବାସୀମଡ଼ା’ ଗଳ୍ପଟି ସମୃଦ୍ଧ-। ନିଧି କାନଗୋଇର ପଚାସଢ଼ା ଶବକୁ ଆଶ୍ରୟ କରି ଏପରି ଅନୁଭୂତି-ବହୁଳ ଗଳ୍ପବିନ୍ୟାସ ସୁରେନ୍ଦ୍ର ପ୍ରତିଭାର ଏକ ଅତୁଳନୀୟ ଦାନ । ନିତ୍ୟପରିଚିତ ଘଟଣାଗୁଡ଼ିକର ନିର୍ବାଚନ ଓ ସଜ୍ଜୀକରଣରେ ସତର୍କତା ଅବଲମ୍ବନ କରାଯାଇଥିବାରୁ ସେଗୁଡ଼ିକ ନୂତନ ଓ ମୌଳିକ ପରି ବୋଧହୁଅନ୍ତି । ମୁଖ୍ୟ ବିଷୟବସ୍ତୁ ପରି ପାର୍ଶ୍ୱଚରିତ୍ରର ଶୃଙ୍ଖଳ ସଂଯୋଜନା ମଧ୍ୟ ଉପଭୋଗ୍ୟ । ଡିଉଟି ରୁମ୍‌ରେ ନର୍ସର ଖିଲିଖିଲ ହସ ବା ଜଜ୍‌ସାହେବ ରାମେଶ୍ୱରବାବୁଙ୍କ ପତ୍ନୀର ଶବକୁ ବାସୀମଡ଼ା ନ କରାଇଦେବା ପାଇଁ ବ୍ରଜବନ୍ଧୁ ଓ ଅନ୍ୟମାନଙ୍କର ଅସମ୍ଭବ ଦରଦ, ଅଥବା ଭାଇଆଳି ସମ୍ପତ୍ତି ଉପରେ ଥିବା ପ୍ରଚ୍ଛନ୍ନ ଲାଳସାକୁ ଅନ୍ୟ ଆଖିରୁ ଲୁକ୍‌କାୟିତ କରିବାକୁ ଯାଇ ସିନ୍ଧୁ କାନଗୋଇର ଗର୍ଜନ ତର୍ଜନ ପ୍ରଭୃତିରେ ଆମ ସେବା ଓ ସାମାଜିକତାର ଅସଲ ରୂପ ଉଦ୍‌ଘାଟିତ ହୋଇଛି । ଗଳ୍ପାଙ୍କିତ କଥାବସ୍ତୁ ଓ ଚରିତ୍ରର ମର୍ମାଙ୍କନ ବ୍ୟତୀତ ଏଗୁଡ଼ିକର ସ୍ୱତନ୍ତ୍ର ଏକ ସାମାଜିକ ମୂଲ୍ୟବୋଧ ରହିଛି-। ଏହିପରି ଗୌଣ ଦୃଶ୍ୟରେ ଲେଖକଙ୍କର ସଂସ୍କାରପ୍ରୟାସ ଦୃଢ଼ ଓ ବଳବତ୍ତର-

 

ସାମନ୍ତବାଦ ଓ ବୌଦ୍ଧଯୁଗର ସ୍ମୃତି ଉପରେ ଆଧାରିତ କେତୋଟି ଗଳ୍ପ :–

 

ପ୍ରଥମ ପର୍ଯ୍ୟାୟଭୁକ୍ତ ଗଳ୍ପଗୁଡ଼ିକର ଆଲୋଚନାରୁ ବିରତ ହେବା ପୂର୍ବରୁ ସାମନ୍ତବାଦର ଶ୍ମଶାନ ଓ ବୌଦ୍ଧଯୁଗର ସ୍ମୃତି ଉପରେ ଲିଖିତ କେତୋଟି ଗଳ୍ପ ଏ ସ୍ଥଳରେ ବିଚାର୍ଯ୍ୟ । ‘‘ମହାନଗରୀର ରାତ୍ରି’’ ପୁସ୍ତକରେ ସନ୍ନିବେଶିତ ‘ଧ୍ୱଂସାବିଶେଷ’ ଗଳ୍ପଟି ପୂର୍ବେ ଆଲୋଚନା କରାଯାଇଛି । ସାମନ୍ତବାଦର ଖିଆଲକୁ ନେଇ ଲେଖାଯାଇଥିବା ‘ନିତ୍ୟ ବର୍ତ୍ତମାନ କାଳ’ ଓ ‘ଡୀନୋସାର୍‌ର ଆତ୍ମା’ ଗଳ୍ପ ଦୁଇଟି ବର୍ତ୍ତମାନ ବିଚାର୍ଯ୍ୟ । ‘ରୁଟି ଓ ଚନ୍ଦ୍ର’ର ଏ ଗଳ୍ପ ଦୁଇଟିରେ ‘‘ଧ୍ୱଂସାବିଶେଷ’’ର ନିର୍ମାଣଶୈଳୀ ଅଧିକ ସୂକ୍ଷ୍ମ, ମୌଳିକ ଓ ଜଟିଳ ମାନସିକତାରେ ତୀବ୍ର ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ବିଶ୍ଳେଷଣର ପରିସରକୁ ଅଣାଯାଇଛି । ସେହିପରି ବୌଦ୍ଧଯୁଗର ଶେଷ ସ୍ମୃତିକୁ ଯୁଗାଲୋକରେ ଦେଖିବାର ନୂତନ ଆଦର୍ଶ ଦୃଷ୍ଟିରୁ ‘କୃଷ୍ଣଚୂଡ଼ା’ର ‘ସାରୀପୃତ୍ତ’ ବା ‘ଅମ୍ବାପଲୀ’ ପ୍ରତିନିଧି ସ୍ଥାନୀୟ । ଆବେଦନ ନିବେଦନ ଓ ପୃଷ୍ଠଭୂମି ବିଚାରରେ ଏ ଦୁଇଟିକୁ ମଧ୍ୟ ପୃଥକ୍‌ ସମୀକ୍ଷାଧୀନ କରାଯାଇଅଛି ।

 

ବିଂଶ ଶତାବ୍ଦୀର ମନୋବୈଜ୍ଞାନିକ ଦୈନ୍ୟ, କେବଳ ବ୍ୟକ୍ତିସର୍ବସ୍ୱତାରେ ସୀମାବଦ୍ଧ ନୁହେଁ । ମାନସିକ ନିର୍ଜନତା ଓ ସାଲିସହୀନ ବ୍ୟକ୍ତିଜୀବନ, ଏ ଶତାବ୍ଦୀର ଏକ ନୂତନ ପରୀକ୍ଷା । ପରିବର୍ତ୍ତିତ ଅବସ୍ଥା ସହିତ ନିଜକୁ ମିଳାଇ ନେବାର ପ୍ରୟାସ ଅଭାବରୁ ଯେଉଁ ଅବନମିତ ପୁରୁଷକାର ତାହାର ଅଦ୍ଭୁତ ଖିଆଲରେ ସମାଜ, ଗୋଷ୍ଠୀ ବା ଆତ୍ମୀୟଙ୍କ ଠାରୁ ମଧ୍ୟ ଦୂରେଇଯାଏ, ସେହି ଅତୁଟ ବ୍ୟକ୍ତିତ୍ୱର ରୁଦ୍ଧସତ୍ତା, ଚନ୍ଦ୍ରଚୂଡ଼ ରାୟଚୂଡ଼ାମଣି ଓ ମହାରାଜ ବ୍ରଜେଶ୍ୱର ରାୟ ଚରିତ୍ରର ବିଶେଷତ୍ୱ । ‘ନିତ୍ୟବର୍ତ୍ତମାନ କାଳ’ର ଚନ୍ଦ୍ରଚୂଡ଼ ଓ ‘ଡିନୋସାର୍‌ର ଆତ୍ମା’ର ବ୍ରଜେଶ୍ୱର ଅତୀତର ଦୁଇଟି ଅତୃପ୍ତ କ୍ଷୁଧା । ଆଭିଜାତ୍ୟର ଅହଂକାର ମଧ୍ୟରେ ସମୟର ପରିବର୍ତ୍ତନକୁ ଉଭୟେ ଅସ୍ୱୀକାର କରନ୍ତି । ଶକ୍ତି ସାହାଯ୍ୟରେ ନିଜର ଦାବୀ ସାବ୍ୟସ୍ତ କରିବା ଏ ଚରିତ୍ରଦ୍ୱୟର ‘ସ୍ୱାଭାବିକ ଧର୍ମ । ତେବେ ଶକ୍ତିର ସ୍ୱପ୍ନରେ ଉଭୟେ କ୍ଳାନ୍ତଶ୍ରାନ୍ତ ହୋଇଥିଲେ ମଧ୍ୟ ବ୍ରଜେଶ୍ୱର, ଚନ୍ଦ୍ରଚୂଡ଼ଙ୍କ ପରି ଘଡ଼ିକ ପାଇଁ ମଧ୍ୟ ନିସ୍ପନ୍ଦ ହୋଇନାହାନ୍ତି । ନିର୍ବାସିତ ଅତୀତର ହିଂସ୍ର ଚେତନା ଭାବରେ ସେ ଶ୍ରଦ୍ଧା ଓ ଶତ୍ରୁତ୍ୱକୁ ପାଦରେ ଦଳିଦେଇ ଆଗେଇଯିବାକୁ ପସନ୍ଦ କରିଛନ୍ତି । ‘‘ବୁନିଆଦିର ଭଙ୍ଗା କୁଢ଼ ଉପରେ’’ ନୂଆ ଦୁନିଆର ଇମାରତ୍‌କୁ ଚନ୍ଦ୍ରଚୂଡ଼ଙ୍କର ନିର୍ବାକ ଦୃଷ୍ଟିରୁ ଦେଖିବା ତାଙ୍କର ଅଭ୍ୟାସ ବିରୁଦ୍ଧ । ସୁତରାଂ ରାଜକୀୟ ରକ୍ତର ସାଧାରଣ କେତେକ ସାମ୍ୟ ସତ୍ତ୍ୱେ ଚନ୍ଦ୍ରଚୂଡ଼ ଓ ବ୍ରଜେଶ୍ୱର ପରିବର୍ତ୍ତିତ କାଳସ୍ରୋତରେ ଦୁଇଟି ଭିନ୍ନ ଶିଖା । ଗୋଟିକରେ ନିର୍ବାଣ ପୂର୍ବର ଜ୍ୱଳନ ଅଛି, ଅନ୍ୟଟିରେ ଜ୍ୱଳନର ଆଶା କ୍ଷୁବ୍‌ଧ ଓ ମ୍ରିୟମାଣ । ‘ନିତ୍ୟ ବର୍ତ୍ତମାନ କାଳ’ର ଚନ୍ଦ୍ରଚୂଡ଼ଙ୍କ ଚରିତ୍ର ସଂଘଟନାରେ କ୍ଷୁବ୍‌ଧତାର ଏ ସ୍ୱର, ଏକାଧିକ ସ୍ଥଳରେ ସ୍ପଷ୍ଟ । ତଥାପି ନିଜ କାର୍ଯ୍ୟରେ ମୁହୂର୍ତ୍ତକର ବିଚ୍ୟୁତି ବା ନିଜ କର୍ମରେ ସାମାନ୍ୟ ବ୍ୟତିକ୍ରମକୁ ସେ ଏବେସୁଦ୍ଧା ସହ୍ୟ କରିପାରନ୍ତି ନାହିଁ । ନିଜ ସିଦ୍ଧାନ୍ତରେ ତାଙ୍କର ଏହି ଅଟଳତା ଯୋଗୁଁ ଗଳ୍ପର ବିକାଶପଥରେ ବହୁ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜଜେମା ରୂପକୁମାରୀଙ୍କର ଅସ୍ୱାଭାବିକ ନୀରବତା ଓ ବିରକ୍ତି ତଥା ରାଜକୁମାରୀଙ୍କର ଅସନ୍ତୋଷର ଶେଷ ଉଦ୍‌ଗୀରଣରେ ଏ ଅନ୍ତର୍ଦ୍ୱନ୍ଦ୍ୱର ଚରମତା ପରିସ୍ଫୁଟ । ତେଣୁ ‘ନିତ୍ୟବର୍ତ୍ତମାନ କାଳ’ର ସଂକଟ ମାନସିକ । ଉକ୍ତ ସଂକଟର ତିକ୍ତ ପର୍ଯ୍ୟାୟରେ ପ୍ରତ୍ୟେକ ନିଜ ନିଜର ରାହା ବାଛି ନେଇଛନ୍ତି । ଅନୂଢ଼ା ରାଜଜେମାଙ୍କର ମିତ୍ରଭାନୁ ସଙ୍ଗେ ପଳାୟନ ଭିତରେ ଚନ୍ଦ୍ରଚୂଡ଼ଙ୍କର କର୍ତ୍ତୃତ୍ୱ, ଅଭିମାନ ଓ ନିତ୍ୟବର୍ତ୍ତମାନ କାଳର ମୋହ ଦଳି ହୋଇଯାଇଛି । ପରିବର୍ତ୍ତିତ କାଳ ସହ ସାଲିସ କରି ନ ପାରିଲେ, ଅପରିବର୍ତ୍ତିତ ପରମ୍ପରା ତା’ ପଥରେ ସେ ଗଡ଼ି ଚାଲିବ–ଗଳ୍ପର ପରିଣତିରେ ଏହି ସତ୍ୟହିଁ ସୁପ୍ରତିଷ୍ଠିତ । ଏହାକୁ ରୋକିବାକୁ କାହାରି ଶକ୍ତି ନାହିଁ ।

 

ଭାଗଚାଷୀମାନଙ୍କର ନେତୃତ୍ୱ ନେଇ ରାଜକୁମାର, ବର୍ତ୍ତମାନର ଆହ୍ୱାନ ସହିତ ନିଜକୁ ମିଶାଇ ଦେଇଛନ୍ତି । ପରମ୍ପରାକୁ ଅସ୍ୱୀକାର ନ କରି ମନୋମତ ବାଛି ନେବାରେ ଜେମାଙ୍କର ଦୃଢ଼ ପଦକ୍ଷେପର ପରିଚୟ ମିଳିଛି । ତଥାପି ଏସବୁ ମଧ୍ୟରେ ଚନ୍ଦ୍ରଚୂଡ଼ଙ୍କର ନିର୍ବିକାର ପୌରୁଷ, ଯଥାର୍ଥରେ ଆଦର୍ଶସ୍ଥାନୀୟ । ବୌଦ୍ଧିକ ବିଚକ୍ଷଣତାରେ ଅନୁରଞ୍ଜିତ ଏ ଚରିତ୍ରଟିର ଅନ୍ତର୍ଦୃଷ୍ଟିରେ ମୌଳିକତା ଅଛି । ସମୟର ଦାବୀରେ ରାଜକୁମାର ନରେନ୍ଦ୍ରଙ୍କର ରୂପାନ୍ତରକୁ ସେ ଗଭୀରଭାବେ ବିଚାର କରିଅଛନ୍ତି । ଏ ଧରଣର ଶକ୍ତିହୀନ ନେତୃତ୍ୱ ପଛରେ କ୍ଷମତାର ମୋହ ଯେ ପ୍ରବଳ, ତାହା ସେ ମୁକ୍ତକଣ୍ଠରେ କୁମାରଙ୍କୁ ଜଣାଇ ଦେଇଛନ୍ତି । କ୍ଷମତାର ଏ ଦାନଭିକ୍ଷାକୁ ଘୃଣା କରିବା ମଧ୍ୟରେ ଚନ୍ଦ୍ରଚୂଡ଼ଙ୍କର ଚାରିତ୍ରିକ ଉତ୍କର୍ଷ ଅଭିନନ୍ଦନୀୟ । ଅନ୍ୟ ଦୃଷ୍ଟିରେ ଅଦ୍ଭୁତ ହେଲେ ମଧ୍ୟ ଅଖଣ୍ଡ ଆତ୍ମପ୍ରତ୍ୟୟରେ ସ୍ଥିର ଚନ୍ଦ୍ରଚୂଡ଼ ନିଜେ ନିଜକୁ ଚିହ୍ନନ୍ତି । ନିଜତ୍ୱ ଉପରେ ଦୃଢ଼ବିଶ୍ୱାସ ଯୋଗୁଁ କାଳ ଓ ସ୍ଥିତି ବକ୍ଷରେ ସେ ଅବିଚଳିତଭାବେ ବଞ୍ଚି ପାରିଛନ୍ତି । ସ୍ଥିତିବାଦୀ ଚନ୍ଦ୍ରଚୂଡ଼ ଚରିତ୍ରଟି ଲେଖକଙ୍କର ଗଭୀର ପରୀକ୍ଷାନିରୀକ୍ଷାର ଫଳ । ଦୈନନ୍ଦିନ ଜୀବନର ନିଷ୍ଠୁର ବାସ୍ତବ ସଂଗ୍ରାମ ଓ ଆତ୍ମଶକ୍ତିର ବିପୁଳ ପରିଚୟ ବ୍ୟତୀତ ଏପରି ଦୃଢ଼ ଚରିତ୍ରର କଳ୍ପନା ସମ୍ଭବ ନୁହେଁ । ସଭ୍ୟତାର ଇତିହାସ ବିଶ୍ଳେଷଣରେ କଥାକାରଙ୍କର ନିରପେକ୍ଷତା, ଆଲୋଚ୍ୟ ଗଳ୍ପର ଅନ୍ୟ ଏକ ବୈଶିଷ୍ଟ୍ୟ । ସଂଳାପ ମାଧ୍ୟମରେ ଗଳ୍ପ ଓ ଚରିତ୍ରମାନଙ୍କୁ ଗତିଶୀଳ କରାଯାଇଥିବାରୁ ବହୁ ନାଟକୀୟ ଭାବରେ ଗଳ୍ପଟି ଋଦ୍ଧିମନ୍ତ । ଚନ୍ଦ୍ରଚୂଡ଼ଙ୍କର ବାରମ୍ବାର ପ୍ରଶ୍ନ ସତ୍ତ୍ୱେ ରାଜକୁମାରୀଙ୍କ ନୀରବତା ନାଟକୋଚିତ ସଙ୍କେତ ଓ ସାଫଲ୍ୟ ବହନ କରି ପରିସ୍ଥିତି ସୁଲଭ ହୋଇପାରିଛି । ସର୍ବୋପରି ଚନ୍ଦ୍ରଚୂଡ଼ ଚରିତ୍ରର କ୍ରିୟାତ୍ମକ ଦିଗଟି ଗଳ୍ପର ସର୍ବାଙ୍ଗୀନ ସୌନ୍ଦର୍ଯ୍ୟ ପାଇଁ ଦାୟୀ, ଅବସନ୍ନ ସାମନ୍ତବାଦର ଶେଷଶିଖା ହୋଇଥିଲେ ମଧ୍ୟ ଏ ଶତାବ୍ଦୀର ଉଦ୍‌ବର୍ତ୍ତନ ସଂଘର୍ଷରେ ବେଶ୍‌ ନିର୍ଭୀକ ଏ ଚରିତ୍ରଟି । ଯୁଗ ସଙ୍କଟର ପ୍ରତ୍ୟେକ ପରିସ୍ଥିତିକୁ ଅଟଳ ଚିତ୍ତରେ ସମ୍ମୁଖୀନ ହେବାର ସାହସ ନେଇ ଏହା ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।

 

କିନ୍ତୁ ‘ଡିନୋସାର୍‌ର ଆତ୍ମା’ରେ ଏ ମାନସିକ ଝଡ଼ର ବେଗ ଟିକିଏ ଭିନ୍ନ । ରୁଦ୍ର ବୈଶାଖୀର ପ୍ରଚଣ୍ଡ ପିପାସା ନେଇ ରାଜପୁରୀର ଶ୍ମଶାନ ଭିତରେ ଘୂରି ବୁଲୁଛନ୍ତି ବ୍ରଜେଶ୍ୱର । ଯୁଗର ପରିବର୍ତ୍ତନ ସହିତ ତାଳ ନ ଦେବାକୁ ସେ ସଂକଳ୍ପବଦ୍ଧ । ତେଣୁ ତାଙ୍କର ଜାନ୍ତବ ଶକ୍ତିର ଆସ୍ଫାଳନରେ ଗଳ୍ପର ଗତିପଥରେ ଆଦିମତାର ଦାହ ପ୍ରବଳ ହୋଇଉଠୁଛି । ବିଚକ୍ଷଣ ଚାତୁରୀରେ ସେ ଅତ୍ୟାଚାରକୁ ମଣିଷର ଧର୍ମ ବୋଲି ସାବ୍ୟସ୍ତ କରିଥିଲେ ମଧ୍ୟ ଏଥିରେ ଅଶାନ୍ତ ହୃଦୟର ରକ୍ତଲିପ୍‌ସା ବ୍ୟତୀତ ପ୍ରକୃତିସ୍ଥ ମନୁଷ୍ୟର କୌଣସି ପ୍ରତିଧ୍ୱନି ଫୁଟିନାହିଁ । ତେଣୁ ବ୍ରଜେଶ୍ୱରଙ୍କର ଚରିତ୍ରର କ୍ଷିପ୍ତତାରେ ଗଳ୍ପର ବାୟୁମଣ୍ଡଳ ସଂତ୍ରସ୍ତ ଓ ବିଭୀଷିକାମୟ । ଐଶ୍ୱର୍ଯ୍ୟର ପ୍ରାଣହୀନ ଶୀତଳତା ମଧ୍ୟରେ ସାଲିସ୍‌ର ହୀନ ବ୍ୟକ୍ତିସତ୍ତାକୁ ସେ ଅପରିସୀମ ପାଶବ ଶକ୍ତିର ଖୋରାକ୍‌ ଯୋଗାଇ ଅଛନ୍ତି । କେତେକ ଅକ୍ଷତଯୌବନାଙ୍କର ମାନ ଇଜ୍ଜତ୍‌ ଲୁଣ୍ଠନ ବା ନରରକ୍ତ ନିଶାରେ ଯେଉଁ ପୈଶାଚିକ ପ୍ରବୃତ୍ତି ଉଗ୍ରରୁ ଉଗ୍ରତର ହୋଇ ଉଠିଥିଲା, ତାହା ବର୍ତ୍ତମାନ କେତୋଟି ଝିଲ୍‌ପକ୍ଷୀ ହତ୍ୟାରେ ବିଷଣ୍ଣ ହୋଇ ଆସିବା ବାସ୍ତବିକ୍‌ ବିଚିତ୍ର । ବ୍ରଜେଶ୍ୱରଙ୍କ ଚରିତ୍ରର ଏହିପରି କେତେକ ବୈଚିତ୍ର୍ୟରେ ଚରିତ୍ରଟି ଚନ୍ଦ୍ରଚୂଡ଼ ଚରିତ୍ର ଅପେକ୍ଷା ଅଧିକ ଗତିଶୀଳ ଓ ରହସ୍ୟମୟ । ପକ୍ଷାନ୍ତରେ ‘ନିତ୍ୟ ବର୍ତ୍ତମାନ କାଳ’ ବା ‘ଡିନୋସାର୍‌ର ଆତ୍ମା’ ଭଳି ଚରିତ୍ରପ୍ରଧାନ ଗଳ୍ପଗୁଡ଼ିକରେ ଉକ୍ତ ଚାରିତ୍ରିକ ବୈଶିଷ୍ଟ୍ୟ, ଘଟଣାରାଜିକୁ ନିତ୍ୟ ନୂତନ କରି ଥୋଇବାରେ ସମର୍ଥ । ବ୍ରଜେଶ୍ୱର ଚରିତ୍ରର ଏହି ସାମର୍ଥ୍ୟ ହେତୁ ଅନ୍ୟ ଚରିତ୍ରଗୁଡ଼ିକ ଗଳ୍ପ ମଧ୍ୟରେ ନିଷ୍ପ୍ରଭ ହୋଇ ଆସିଛନ୍ତି । ବ୍ରଜେଶ୍ୱରଙ୍କର ପ୍ରଶ୍ନିଳ ବ୍ୟକ୍ତିତ୍ୱ ସମ୍ମୁଖରେ ସେମାନେ ଯେପରି ତୁଚ୍ଛ ଓ ନଗଣ୍ୟ ।

 

ଅଭିଜାତ ଗୋଷ୍ଠୀର ହେଲେ ମଧ୍ୟ ବ୍ରଜେଶ୍ୱର ସ୍ୱପ୍ନସଞ୍ଚାରୀ ନୁହନ୍ତି । ତାଙ୍କର ଲୁହାର ମୁଖ ଉପରେ ସଂଶୟ ବା ସନ୍ତୋଷର ଯେଉଁ ରେଖା ଫୁଟେ, ତହିଁରୁ ପ୍ରତ୍ୟେକର ଏକ ଏକ ସ୍ୱତନ୍ତ୍ର ଅର୍ଥ ଅଛି । ଗଳ୍ପର ପ୍ରଗତି ଓ ବୈଶିଷ୍ଟ୍ୟ ପଥରେ ଏସବୁର ଅବଦାନ ଉଲ୍ଲେଖନୀୟ । ସୃଷ୍ଟି ଓ ସଦାଚାର ଛଳନାପ୍ରତି ଏ ଚରିତ୍ରର ବିଦ୍ରୂପୋକ୍ତି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଉଦାହରଣ ସ୍ୱରୂପ ରାୟଗୁରୁଙ୍କ ପ୍ରଶ୍ନର ଉତ୍ତରରେ ସେ ଆଧୁନିକ ଗଣତନ୍ତ୍ର ପ୍ରତି ଯେଉଁ ଆକ୍ଷେପୋକ୍ତି କରିଛନ୍ତି ବା ନୀଳାମ୍ବରକୁ ତାହାର କନ୍ୟା ‘ସୁନ୍ଦରୀ’ ପାଇଁ ଅନୁରୋଧ କରିବା ଅବକାଶରେ ତାହାର ଛଦ୍ମ ପିତୃତ୍ୱ ଓ ଦାସ ମନୋବୃତ୍ତିକୁ ପ୍ରଥମେ ଲାଞ୍ଛନା ଓ ପରେ ହୀରାନୀଳାର ଝଲକରେ ଯେପରି କୁତ୍ସିତ ଉପହାସ କରିଛନ୍ତି, ତାହା ଏ ଚରିତ୍ରର ବାସ୍ତବବାଦିତାକୁ ଦିବାଲୋକପରି ସ୍ପଷ୍ଟ କରିଥାଏ । ସୁନ୍ଦରୀକୁ ନିର୍ଜନରେ ପାଇ ତାହାର ତାରୁଣ୍ୟ ଓ ସୌନ୍ଦର୍ଯ୍ୟକୁ ଅକ୍ଷତ ଅବସ୍ଥାରେ ଛାଡ଼ିଦେବା ଏ ଚରିତ୍ର ପକ୍ଷରେ କମ୍‌ ମାର୍ମିକ ନୁହେଁ ।

 

ସୁତରାଂ ବ୍ରଜେଶ୍ୱର ଚରିତ୍ରର ନାଟକୀୟ ଚଞ୍ଚଳତାରେ ସମଗ୍ର ଗଳ୍ପଟି ଚଞ୍ଚଳ ଓ ମାନସିକ ପ୍ରଖରତାରେ ପରିପୂର୍ଣ୍ଣ । ବୌଦ୍ଧିକ ସୂକ୍ଷ୍ମତା ଓ ଲୋକଚରିତ୍ରକୁ ଅନ୍ତର୍ଦୃଷ୍ଟି, ଏହାର ଅନ୍ୟ ଦୁଇଟି ଶ୍ରେଷ୍ଠ ବିଭାବ ଭାବରେ ଗ୍ରହଣ କରାଯାଇପାରେ ।

 

ବୌଦ୍ଧଯୁଗର ସ୍ମୃତି ଉପରେ ଅଙ୍କିତ ‘ସାରିପୁତ୍ତ’ ଓ ‘ଅମ୍ବାପଲ୍ଲୀ’ ଓଡ଼ିଆ ସାହିତ୍ୟରେ ଅପଟାନ୍ତର । ସୁରେନ୍ଦ୍ରଙ୍କ ନିଜସ୍ୱରେ ଗଳ୍ପ ଦୁଇଟି କେବଳ ଜୀବନ୍ତ ନୁହନ୍ତି, ସେ ଯୁଗର ଛାୟାକୁ ଏ ଯୁଗର ମୁକୁରରେ ଦେଖଇବାର ଆଗ୍ରହ ନେଇ ସରଳ ଓ ପ୍ରେରଣାଦାୟକ । ସାରୀପୁତ୍ତର ମା’ରୂପଶ୍ରୀର ଆକୁଳତା ଯଥାର୍ଥରେ ହୃଦ୍ୟ । ଆବେଗମୟ ଭାଷା ଓ ପରିବେଶରେ, ନିଷ୍କପଟ ମାତୃହୃଦୟକୁ ସହଜରେ ଅନୁଭବ କରିହୁଏ । ତାହାର ସରଳ ମନରେ ପୁତ୍ର ସାରୀପୁତ୍ତ ବ୍ୟତୀତ ଅନ୍ୟ କାହାର ପ୍ରତ୍ୟାବର୍ତ୍ତନ ପାଇଁ ଉତ୍କଣ୍ଠା ନାହିଁ । ସେ ବୁଝେନା ଧର୍ମ, ସଂଘ ବା ନିର୍ବାଣର କୌଣସି ନିବୃତ୍ତିଗତ ଜଟିଳତା । ପୂର୍ବଜନ୍ମର ନିରୀହ ବିଶ୍ୱାସ ତାକୁ ପ୍ରବଞ୍ଚିତ କରେ । ଅର୍ଥଲୁବ୍‌ଧ ବ୍ରାହ୍ମଣ ‘ଶୁଭଶ୍ରୀ’କୁ ସ୍ୱର୍ଣ୍ଣମୁଦ୍ରା ଦେଇ ଆଶାରେ ଆଶାରେ କେତେ ନିଦ୍ରାହୀନ ରାତ୍ରି କଟାଇଦିଏ । ତାତ୍କାଳିକ ସମାଜର ପ୍ରତାରଣା ଓ ଶୋଷଣଲୀଳାର ସଂକ୍ଷିପ୍ତ ରୂପଟି ଏ ସ୍ଥଳରେ ଅତ୍ୟନ୍ତ ବାସ୍ତବ । ଅର୍ଥଲୋଭରେ ଶୂଦ୍ରାଶୂଦ୍ରଭେଦ ଦୂରେଇ ଶୁଭଶ୍ରୀ, ରୂପଶ୍ରୀଙ୍କ ପାଇଁ ଯେଉଁ ଆଶୀର୍ବାଦ ଧାରା ଛୁଟାଇ ଦେଇଛନ୍ତି, ତାହା ସେ ସମୟରେ ସମାଜର ନଗ୍ନରୂପ ପ୍ରକାଶ କରୁଅଛି ।

 

‘ରୂପଶ୍ରୀ’ର ସ୍ୱଚ୍ଛ ମନରେ ଏ ଶଠତା ଓ ପ୍ରତାରଣା ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଯାଇ ନାହିଁ; ବରଂ ତାହାର ସ୍ନେହଦୁର୍ବଳ ହୃଦୟକୁ ଆଶ୍ୱସ୍ତ କରିବା ପାଇଁ ସେ ଦେଖିଛି ଏହିପରି ମଧୁର ମିଥ୍ୟାର ବହୁ ସମ୍ମୋହନ । ସାଧାରଣ ମା’ ପରି ତାହାର ସହଜ ସ୍ୱପ୍ନରେ ପୁଅବୋହୂ ଓ ସଂସାରର ମୁଗ୍‌ଧ ଆଶା ଜଡ଼ିତ ରହିଛି । ସୁତରାଂ, ତାହାର ଆଶାନୈରାଶ୍ୟର କରୁଣତାରେ ଗଳ୍ପଟି ବେଦନାମୟ ଓ ଉତ୍କଣ୍ଠା ପରିପୂର୍ଣ୍ଣ । ବିଧୁରା ‘ମାର୍ଗାରେଟ୍‌’ ବା ‘ଲାଓଡ଼ାମିଆ’ର ଦୁଃଖଠାରୁ କୌଣସି ଗୁଣରେ କମ୍‌ ଦୁଃଖଦାୟକ ନୁହେଁ ତାହାର ଏ ଅନ୍ତହୀନ ପ୍ରତୀକ୍ଷା । ମାତୃହୃଦୟକୁ ଉଦ୍‌ଭିନ୍ନ କରିବାର ନିଷ୍ଠୁରତାରେ ଏ ପ୍ରତୀକ୍ଷାର ସ୍ୱରୂପ ଯେତିକି ନାଟକୀୟ, ସେତିକି ବାସ୍ତବ ।

 

ଏ ନାଟକୀୟ ବାସ୍ତବତାରେ ଇତି ଘଟାଇବା ପାଇଁ ଲଣ୍ଡିତମସ୍ତକ ଭିକ୍ଷୁ ସାରୀପୁତ୍ତକୁ ତାହାର ମା’ ସମ୍ମୁଖକୁ ଅଣାଯାଇଛି । କିନ୍ତୁ, ମାତୃହୃଦୟର ପ୍ରତୀକ୍ଷା ଭିତରେ ପରୀକ୍ଷାର ଏ ଅଶୁଭ ରୂପକୁ ସେ ସ୍ୱାଗତ କରିପାରି ନାହିଁ । ତାହାର ରୂଢ଼କଣ୍ଠର ଅଭିଶାପ, ‘‘ଫେରିଯାଅ ଭିକ୍ଷୁ, କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ’’–ମଧ୍ୟରେ ନିଛକ୍‌ ମାତୃତ୍ୱର ସରଳ ସ୍ୱପ୍ନ କିପରି ଆଘାତପ୍ରାପ୍ତ ତାହାହିଁ ପ୍ରତିବିମ୍ବିତ । ସ୍ନେହର ଅନାବିଳ ଧାରା ଏଠି ତତ୍ତ୍ୱର ପ୍ରତାରଣାରେ କ୍ଷୁବ୍‌ଧ ଓ ଆଗ୍ନେୟ । ଏଣୁ ରୂପଶ୍ରୀ ଚରିତ୍ରର ଏହି ମୁହୂର୍ତ୍ତଟି, ଗଳ୍ପାଙ୍କିତ ଉଦ୍‌ବେଗକୁ ଚରମ ପର୍ଯ୍ୟାୟକୁ ନେଇଯାଇଛି । ସୁତରାଂ, ଗଳ୍ପଟି ବେଶ୍‌ ମନସ୍ତାତ୍ତ୍ୱିକ ଓ ନାଟକୀୟ ହୋଇପାରିଛି । ରୂପଶ୍ରୀ ଚରିତ୍ର ଅନ୍ତରାଳରେ ଲେଖକଙ୍କର ଜୀବନବାଦୀ ସ୍ୱଚ୍ଛନ୍ଦତା, ସ୍ୱାଭାବିକ ରୂପ ନେଇ ଦଣ୍ଡାୟମାନ । ବୌଦ୍ଧ ‘ସଂଘ’ର ମୃତ୍ୟୁ ପାଇଁ ‘ରୂପଶ୍ରୀ’ର ଅଭିଶାପ, ଗାଳ୍ପିକଙ୍କର କପୋଳକଳ୍ପନା ହେଲେ ମଧ୍ୟ ମାନସିକ ଭିତ୍ତିଭୂମି ସହିତ ଧର୍ମର ସ୍ୱାଭାବିକ ସମ୍ପର୍କ ଦୃଷ୍ଟିରୁ ଏହା ନିଷ୍ଫଳ ନୁହେଁ ।

 

ବୌଦ୍ଧଯୁଗର ସମାଜ, ପରିସ୍ଥିତି ଓ ବ୍ୟକ୍ତିତୁଣ୍ଡର ଭାଷାକୁ ନିଖୁଣ ଭାବରେ ଅଙ୍କନ କରାଯାଇଥିବାରୁ ଗଳ୍ପଟି ସଫଳତାମଣ୍ଡିତ ହୋଇପାରିଛି । ପାଠକ ଗଳ୍ପସ୍ରୋତରେ ଭାସି ଚାଲିଥିଲାବେଳେ ତାହାର ବର୍ତ୍ତମାନକୁ ସେ ଅତୀତର ଆଦର୍ଶରେ ଦେଖି ଆତ୍ମହରା ହୋଇଥାଏ ।

 

‘‘ଅମ୍ବାପଲ୍ଲୀ’’ ରୂପଶ୍ରୀ ପରି ଲେଖକ ମାତା ନୁହେଁ, ସେ ତରୁଣୀ, ରୂପଜୀବୀ, ମାତା ଓ ଭିକ୍ଷୁଣୀ । ତାହାର ଜନ୍ମ ଓ ଜୀବିକାରେ ନିଃସହାୟତାର ଅଭିଶାପ ଅଛି, ଗଣତନ୍ତ୍ର ନାମରେ ଜନତାର ବର୍ବର ସିଦ୍ଧାନ୍ତର ଦୃଷ୍ଟାନ୍ତ ରହିଛି । ଏସବୁ ଭିତରେ ବ୍ୟର୍ଥତା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଏକ ସୀମାହୀନ ଇତିହାସ ଏ ଗଣଭୋଗ୍ୟା ଅମ୍ବାପଲ୍ଲୀ । ରାଜନିର୍ଦ୍ଦେଶରେ ବାରନାରୀ ହେବାପରେ ତାହାର ସୂକ୍ଷ୍ମମନର ଯବନିକା ଉଦ୍‌ଘାଟିତ ହୋଇଛି । ପରିତ୍ୟକ୍ତ ଯୌବନର ଉପେକ୍ଷିତ ଶିଶୁକୁ ଭିକ୍ଷୁ ‘ଜୀବକ’ ରୂପରେ ଦେଖି ତାହାର ମାତୃତ୍ୱ ବିଳାପ କରିଉଠିଛି । ଅତୀତର ଉପେକ୍ଷା ଲାଗି ଯେତେ ନୁହେଁ, ତା’ଠାରୁ ଅଧିକ ନିଜର ସନ୍ତାନକୁ କୋଳରେ ଜାକି ତାହାର କୁତ୍ସିତ ଅତୀତଟାକୁ ସାର୍ଥକ କରିବା ପାଇଁ । ଗଣଭୋଗ୍ୟା ଅମ୍ବାପଲ୍ଲୀର ଏ ବାସନା, ବଞ୍ଚିତମାତୃତ୍ୱର ରିକ୍ତତାରୁ ଜନ୍ମ ନେଇଥିଲେ ମଧ୍ୟ ଏଥିରେ ତାହାର ନାରୀସୁଲଭ ସୌନ୍ଦର୍ଯ୍ୟକୁ ଅସ୍ୱୀକାର କରିହୁଏ ନାହିଁ । ସେହିପରି ବୁଦ୍ଧ ଓ ବିମ୍ବସାରଙ୍କ ଆଗମନ କାଳରେ ତାହାର କାମିନୀ ଓ ପୂଜାରିଣୀ ମନର ବ୍ୟାକୁଳତା ଅତ୍ୟନ୍ତ ଚମତ୍କାର ।

 

ସ୍ଥୂଳତଃ ‘ଅମ୍ବାପଲ୍ଲୀ’ର ଘଟଣାପ୍ରବାହ ଓ ଚାରିତ୍ରିକ ଅନ୍ତଃସ୍ରୋତରେ ଅପୂର୍ବତା ଲକ୍ଷ୍ୟ କରାଯାଇଥାଏ । ବୌଦ୍ଧଯୁଗର ଇତିହାସ ଓ ଚିରନ୍ତନୀ ନାରୀଚରିତ୍ରର ବିପୁଳତାକୁ ପ୍ରାଣେ ପ୍ରାଣେ ଅନୁଭବ କରିଥିବା ହେତୁ ସୁରେନ୍ଦ୍ରଙ୍କର ଲେଖନୀର; ଏ ନିପୁଣ ଗଳ୍ପକଳା ସମ୍ଭବ ହୋଇପାରିଛି ।

 

ବହୁ କାମନା ଓ ବାସନାରେ ଜର୍ଜରିତା ଅମ୍ବାପଲ୍ଲୀ ବୁଦ୍ଧଙ୍କ ଚରଣରେ ଲୋଟିପଡ଼ିବାର ଦୃଶ୍ୟଟି ସବୁଠାରୁ ବଳି ଅପରୂପ । କାରଣ ନିବୃତ୍ତି ସହିତ ପ୍ରବୃତ୍ତିର, ମହାକାଳ ସହିତ ମୁହୂର୍ତ୍ତର ଓ ଜୀବନ ସହିତ ନିର୍ବାଣର ଏ ମହାମିଳନରେ ଆତ୍ମାରାଜ୍ୟର ଶାଶ୍ୱତ ବାର୍ତ୍ତା ପୁଣିଥରେ ଚିରନ୍ତନ ହୋଇଉଠେ । ଏହାପରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ବା ‘ସଂଘଂ ଶରଣଂ ଗଚ୍ଛାମି’ ଭିତରେ ଜୀବନ ଯୌବନର ସବୁ ତରଙ୍ଗ ଶାନ୍ତ ଓ ଶୀତଳ ହୋଇଆସେ । ମହାମିଳନର ଉକ୍ତ ଦିବ୍ୟ ଆଦର୍ଶ ଅମ୍ବାପଲ୍ଲୀ ଚରିତ୍ରର ପରିଣତିରେ ଜୀବନ୍ତ । ବାସ୍ତବ ସଂସାରର ଚିରନ୍ତନ ଉତ୍କଣ୍ଠା, ଏହିପରି ଭାଷାହୀନ ଶାନ୍ତିକୋଳରେ ଦିନେ ଆତ୍ମସମର୍ପଣ କରେ, ଏହା ଏ ଗଳ୍ପର ପ୍ରଚ୍ଛନ୍ନ ସଙ୍କେତ ହୋଇଥାଇପାରେ । ସଂକ୍ଷେପରେ କହିଲେ, ଭାବଧର୍ମୀ ଗଳ୍ପଭାବରେ ଅମ୍ବାପଲ୍ଲୀର ସ୍ଥାନ ଓଡ଼ିଆ ସାହିତ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ।

 

ଦ୍ୱିତୀୟ ପର୍ଯ୍ୟାୟ : ମରାଳର ମୃତ୍ୟୁ :

 

ପୂର୍ବେ ସୂଚିତ ହୋଇଛି ଯେ, ୧୯୫୮ ଠାରୁ ଅଦ୍ୟାବଧି ଲିଖିତ ଗଳ୍ପଗୁଡ଼ିକୁ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଓଡ଼ିଶାର ସମସାମୟିକ ପତ୍ରିକାରେ ପ୍ରକାଶିତ ହୋଇ ପାଠକପାଠିକାମାନଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲା । ଶୈଳୀ ଓ ରୀତି ଦୃଷ୍ଟିରୁ ଅଭିନ୍ନ ନ ହେଲେ ମଧ୍ୟ ସେ ସମସ୍ତର ଦୃଷ୍ଟିକୋଣ ଓ ମୂଲ୍ୟବୋଧରେ ଏକ ନିର୍ଦ୍ଦିଷ୍ଟତା ଲକ୍ଷ୍ୟ କରାଯାଇଥାଏ । ଏଣୁ ସେଥିମଧ୍ୟରୁ ଯେ କୌଣସି ଗଳ୍ପର ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟର ସାଧାରଣ ବିକାଶଧାରା ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ସୂଚନା ଦେବାକୁ ଯଥେଷ୍ଟ । ଏହି ବିଚାରରେ ବିଭିନ୍ନ ମାନସିକ ଅବସ୍ଥାରେ ଲିଖିତ ‘‘ମରାଳର ମୃତ୍ୟୁ’’ର ପନ୍ଦରଟି ଗଳ୍ପକୁ ଏ କ୍ଷେତ୍ରରେ ଆଲୋଚନା କରାଯାଇଛି ।

 

‘ସବୁଜପତ୍ର ଓ ଧୂସର ଗୋଲାପ’ର ରଚନାକାଳରେ ସୁରେନ୍ଦ୍ର ମାନସର ଯେଉଁ ଆତ୍ମସଚେତନତା ଲକ୍ଷିତ, ତାହା ୧୯୫୮ ବେଳକୁ ଅଧିକ ନିବିଡ଼ ଓ ବୁଦ୍ଧିଦୀପ୍ତ ଯୋଜନାଯୁଗର ଭାରତ ଓ ଉତ୍କଳକୁ ସେ ଗଭୀର ଅନ୍ତର୍ଦୃଷ୍ଟି ସହିତ ବିଚାର କରିଅଛନ୍ତି । ଯନ୍ତ୍ରସଭ୍ୟତାର ଭାରତ, ନିର୍ବାଚନ ସମ୍ବଳ ରାଜନୀତି, ଯୋଜନାଯୁଗର ଅର୍ଥନୈତିକ ବୈଷମ୍ୟ ଓ ଦୁଃସ୍ଥ ବ୍ୟକ୍ତିଜୀବନ; ତାଙ୍କୁ ବହୁସ୍ଥଳରେ ସ୍ରଷ୍ଟାର ଆସନରୁ ସମାଲୋଚକର ଆସନକୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଛି । ଆନ୍ତର୍ଜାତିକ ଜୀବନର ଅସ୍ଥିରତା ମଧ୍ୟରେ ସମଷ୍ଟିଗତ ଚେତନାରେ କିପରି ଧ୍ୱଂସର ଚିତ୍ର ଖେଳି ବୁଲୁଛି, ତାହା ସେ ପ୍ରାଣେ ପ୍ରାଣେ ଉପଲବ୍‌ଧି କରିଛନ୍ତି; ତେଣୁ ନୂତନ ମୂଲ୍ୟାୟନ ନାମରେ ଆଧୁନିକ ପୃଥିବୀର କକ୍ଷଚ୍ୟୁତିକୁ ସେ ପ୍ରଗତି ବୋଲି ବିଶ୍ୱାସ କରିବାକୁ ଅନିଚ୍ଛୁକ । ସ୍ୱସଂସ୍କୃତିର ଆତ୍ମୀୟତା ଓ ନିର୍ମଳ ମାନବବ ଦର ଅଭାବରୁ ଆଜିର ମନୁଷ୍ୟ ମନୋବିଜ୍ଞାନାଗାରର ବିଚିତ୍ର ଗବେଷଣାବସ୍ତୁରେ ପରିଣତ ହୋଇସାରିଲାଣି । ତାହାର ସଂସ୍କାର ପାଇଁ ଚେତାବନୀ ଆବଶ୍ୟକ, ତାକୁ ଠିକ୍‌ ଦିଗରେ ଚଳାଇବାକୁ କର୍ଣ୍ଣଧାର ଲୋଡ଼ା–ଏହି ପ୍ରୟୋଜନବୋଧର ଅନୁରୋଧରେ ‘କୃଷ୍ଣଚୂଡ଼ା’ର ତନ୍ମୟଶିଳ୍ପୀ, ‘ମରାଳର ମୃତ୍ୟୁ’ରେ ସଚେତନ ଶିଳ୍ପୀରେ ପରିଣତ ହୋଇଥିବା ଅସମ୍ଭବ ନୁହେଁ । ସୁତରାଂ ପାଶ୍ଚାତ୍ୟ ସାହିତ୍ୟର ଚେତନାଧର୍ମୀ * ଲେଖକମାନଙ୍କର ମନୋବୈଜ୍ଞାନିକ ବାସ୍ତବତା, ପ୍ରଜ୍ଞାବାଦ ଓ ଗୁଣାତ୍ମକତା (abstraction)ର ପ୍ରତିଛବି, ‘‘ମରାଳର ମୃତ୍ୟୁ’’ ଅନ୍ତର୍ଭୁକ୍ତ ବହୁ ଗଳ୍ପରେ ଦର୍ଶନୀୟ । ଏହି ପରିବର୍ତ୍ତନକୁ କେତେକ ଲେଖକଙ୍କର ଗାଳ୍ପିକ ଚେତନାର ମୃତ୍ୟୁ ବୋଲି ଧରି ନେଇଥାଆନ୍ତି ପ୍ରକୃତପକ୍ଷରେ ଏହା ସତ୍ୟ ନୁହେଁ । ବରଂ ଏ ନୂତନ ପରିପ୍ରେକ୍ଷୀରେ ତାଙ୍କର ଗାଳ୍ପିକତା ଅଧିକ ସତର୍କ ଓ ଅଧିକ ଚେତନାଶୀଳ ।

 

* Stream of consciousness ଗୋଷ୍ଠୀର ଲେଖକ ।

 

ଉଲ୍ଲିଖିତ ପୁସ୍ତକର ଯେ କୌଣସି ଗଳ୍ପ ଆଶ୍ରୟରେ ଏ ମତର ସତ୍ୟତା ପରୀକ୍ଷା କରାଯାଇପାରେ । ଉଦାହରଣସ୍ୱରୂପ, ସୂଚିତ ପୁସ୍ତକର ପ୍ରଥମ ଗଳ୍ପ ‘ମରାଳର ମୃତ୍ୟୁ’ ବିଶ୍ଳେଷଣ କଲେ ଦେଖାଯାଏ ଯେ, ଗଭୀର ମନସ୍ତାତ୍ତ୍ୱିକ ରହସ୍ୟ ଉପରେ ଲିପିବଦ୍ଧ ଏ ଗଳ୍ପଟି, ଯୁଗ-ମାନସର ଏକ ନିର୍ଭୁଲ ପ୍ରତିକୃତି । ଯୁଗ ପରିବର୍ତ୍ତନ ସଙ୍ଗେ ରୁଚି ପରିବର୍ତ୍ତନ ଘଟୁଥିଲେ ମଧ୍ୟ ସାଧାରଣ ଚିତ୍ତକୁ ଏହା ଛୁଇଁପାରି ନାହିଁ । ପ୍ରାଚୀନ ବିଶ୍ୱାସର ସରଳତା ମଧ୍ୟରେ ଯୁଗଯୁଗର ‘ମରାଳ’ ଖେଳି ବୁଲୁଛି । ନିରୀହ ଆତ୍ମବିଶ୍ୱାସର ଏ ହଂସ ଭିତରେ ଦ୍ୱନ୍ଦ୍ୱ ନାହିଁ, ସଂଘର୍ଷ ନାହିଁ । କେବଳ ଆତ୍ମବିସ୍ମୃତି–ସବୁ ସଂସ୍କାର ଓ ଅସଂସ୍କାର ଭୁଲି ଜୀବନ ଭିତରେ ଡୁବିଯିବାର ଏକ ଅହେତୁକ ମାଦକତା । ନୀଳ କଳ୍ପବଟ ତଳୁ ସିଦ୍ଧ ନିରଞ୍ଜନଙ୍କ ଖଞ୍ଜଣି ବାହାରିବା ପରେ ପ୍ରାଚୀ ଓ କୋଇଲୀ ଧାରର ପଲ୍ଲୀ-ଜୀବନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅନାହତ ମୂର୍ଚ୍ଛନାରେ ବହୁବର୍ଷ ପରେ ପୁଣିଥରେ ନୀଳ କଳ୍ପବଟ ମୂଳର ଆସ୍ଥାନ ଥରିଉଠିଛି । ଜି.ବି.ଆର୍‌.ଡିଭିଜନର ରେଳପଥ ନିର୍ମାଣ ବା ନୀଳ କଳ୍ପବଟକୁ ଭାଙ୍ଗି ଉପାଡ଼ି ମାଟିରେ ମିଶାଇ ଦେବାକୁ ବୁଲ୍‌ଡ଼ୋଜରର ପ୍ରଚଣ୍ଡ ଆଘାତ, ସେ ଅଖଣ୍ଡ ଦାନକୁ ଖଣ୍ଡନ କରିପାରି ନାହିଁ । ବରଂ ବାସ୍ତବବାଦୀ ଇଞ୍ଜିନିୟର ଓ ଓଭର୍‌ସିଅର୍‌ମାନଙ୍କ ମଧ୍ୟରୁ ଜଣେ ଅଧେ ପ୍ରାଚୀନ ବିଶ୍ୱାସର ପୋଷକତା କରିଛନ୍ତି । କଳ୍ପନା ଓ ବାସ୍ତବତା ମଧ୍ୟରେ ଏଇଠୁ ସଂଘର୍ଷ ଆରମ୍ଭ ହୋଇଛି । ସଂଶୟାଚ୍ଛନ୍ନ ବାସ୍ତବତା, ଲୋକଚିତ୍ତର ଏ ଉଦ୍‌ବେଳନର ଉତ୍ତର ଦେଇପାରି ନାହିଁ ବା ନିଜକୁ ନିଜେ ଦୃଢ଼ କରିପାରି ନାହିଁ । ତେଣୁ ତରୁଣ ଇଞ୍ଜିନିୟର ବିକାଶର ଉକ୍ତି ମଧ୍ୟରେ ତାହାର କଳ୍ପନାଶ୍ରୟୀ ମାନସର ବାସ୍ତବ ରୂପ ପ୍ରକାଶ ପାଇଛି । ‘ବାର ବିଚୁରେଟ୍‌’ ମିଳି ନିଦଯାଇଥିବା ସୁବୋଧର ଅବଚେତନ ଜରିଆରେ ବାସ୍ତବତାର ରୁଦ୍ଧ ଯନ୍ତ୍ରଣା, ସାର୍ଥକଭାବେ ରୂପାୟିତ ହୋଇଅଛି । ଫ୍ରଏଡ଼ଙ୍କର ଯୌନତଥ୍ୟର ‘ଲିବିଡ଼ୋ’ ବା କାମବୃତ୍ତିକୁ ଲେଖକ ଜୀବନ ଭୂମିକାରେ ଗୁରୁତ୍ୱଆରୋପ କରିଛନ୍ତି । କଳା ଓ କଳ୍ପନା ଭିତରେ ଦିନେ ଏହାର ମାର୍ଜିତ ରୂପ ଅଶରୀରୀ ମରାଳର ଶୂନ୍ୟ ସତ୍ତାକୁ ଅବଲମ୍ବନ କରି ପବିତ୍ର ସ ନିଷ୍ପାପ ହୋଇ ଉଠିଥିଲା । କିନ୍ତୁ ମାନବୀୟ ବେଦନାରେ ଆତୁର ହୋଇ ‘ଅନର୍ଗଳ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ଶୁଦ୍ଧାଭକ୍ତିର ସାଧକମାନେ ଗଢ଼ି ବସିଲେ ରାଧାକୃଷ୍ଣ ଲୀଳାର ସ୍ୱଚ୍ଛନ୍ଦ ପ୍ରେମମାର୍ଗ । ସୁତରାଂ ଯୁଗେ ଯୁଗେ ଓ ସାମାଜିକତା ନାମରେ ଧର୍ମକର୍ମର ଦ୍ୱାହି ଦେଇ ମଣିଷ ତାହାର ଅଶାନ୍ତ କାମପିପାସା ଲାଗି ଖାଦ୍ୟ ଖୋଜି ବୁଲୁଛି । କଳ୍ପନାବିହୀନ ବାସ୍ତବତାର ଅଭିଯାନରେ ମନୁଷ୍ୟର ପଶୁ ପ୍ରବୃତ୍ତି, ତାହାର ପ୍ରାଚୀନ ରୂପରସ ବା ରଙ୍ଗର ଦୁନିଆକୁ ହରାଇ ନଗ୍ନ ଓ ଆରଣ୍ୟ ହୋଇ ଉଠିଛି । ସଜ୍ଞାନ ଚେଷ୍ଟା ଓ ଚେତନ ମନର ନିୟନ୍ତ୍ରଣ ଫଳରେ ଆମେ ସମସ୍ତେ ଅସାଧାରଣ ସ୍ପର୍ଶକାତରତା ପୀଡ଼ିତ ସ୍ନାୟବିକ ରୋଗୀ (Neurotic patient)ର ପରିଣତ ହୋଇଛି । ବାହାରକୁ ଯେତେ ଦୃଢ଼ ଓ ବାସ୍ତବତାଅଭିମାନୀ ବୋଲି ପରିଚୟ ଦେଉଥିଲେ ମଧ୍ୟ ଆମ ମନରେ ଅତୃପ୍ତି, ଅବଶୋଷ ଓ ଅସ୍ୱସ୍ତର ଗୋଟାଏ ଚିରନ୍ତନ ଜ୍ୱାଳା କ୍ରମେ କ୍ରମେ ବୃଦ୍ଧିଲାଭ କରୁଛି । ବାସ୍ତବତାର ଢାଙ୍କୁଣୀ ଦେଲେ ମଧ୍ୟ ଅବଚେତନର ଜାଲଛନ୍ଦା ଭିତରେ, ଆମର ବାସ୍ତବ ରୂପ ପ୍ରକଟିତ ହେଉଛି । ମନଗହନର ବିଚିତ୍ର ପରୀକ୍ଷାରେ ଆମେ ସମସ୍ତେ ଅପରାଧୀ । ପ୍ରାଚୀନତାକୁ ହତ୍ୟା କରି ଆମେ ସମସ୍ତେ ସୁବୋଧ ପରି ସଂଶୟାକୁଳ ଚିତ୍ତରେ ନଗ୍ନ ଅଚରିତାର୍ଥର ଶିକାର ହୋଇ ପଡ଼ିଛୁ । ସୁନ୍ଦର ଦୁନିଆକୁ ସରଳଭାବେ ଗ୍ରହଣ ନ କରିବାର ପ୍ରାୟଶ୍ଚିତ୍ତ କି ଭୟଙ୍କର, ତାହା ସୁବୋଧର ମାନସିକ ଯନ୍ତ୍ରଣା ମଧ୍ୟରେ ଅଭିବ୍ୟକ୍ତ । ଗଳ୍ପର ଅନ୍ତର୍ଚେତନାରେ ଲେଖକଙ୍କର ଏ ସୂକ୍ଷ୍ମ ଦର୍ଶନ, ମୁଖ୍ୟ ପ୍ରତିପାଦ୍ୟରୂପେ ଗୃହୀତ-। ଗଳ୍ପର ଅନ୍ତର୍ଦୃଶ୍ୟ ଭାବରେ ସଂପୃକ୍ତ ସିଦ୍ଧ ନିରଞ୍ଜନଙ୍କର ଜୀବନ ବା ଯୋଗଭକ୍ତି ଓ ପ୍ରେମଭକ୍ତିର ଦୀର୍ଘ ବର୍ଣ୍ଣନା, ଆପାତତଃ ଅନାବଶ୍ୟକ ବୋଧ ହେଉଥିଲେହେଁ ଅବଚେତନର ଐତିହାସିକ ପରମ୍ପରା ଉଦ୍‌ଘାଟନ କରିବାକୁ ଏହା ସମର୍ଥ । ଗଣଭକ୍ତିର ରାଧାକୃଷ୍ଣ ପରିକଳ୍ପନା ଆଢ଼ୁଆଳରେ ଥିବା ଜନଚିତ୍ତର ଦୈବିକ ପ୍ରୟୋଜନବୋଧକୁ ବୌଦ୍ଧିକ ବିଶ୍ଳେଷଣରେ ହୃଦ୍ୟ କରିପାରିଥିଲେ ମଧ୍ୟ ଏ ସ୍ଥଳରେ ଲେଖକ, ପାଠକମାନଙ୍କର ଉପସ୍ଥିତିକୁ ସଂପୂର୍ଣ୍ଣଭାବେ ଭୁଲି ଯାଇଛନ୍ତି । ଉକ୍ତ ପାଠକ ସଚେତନତ ଅଭାବରୁ ଗଳ୍ପ ତାହାର ସ୍ୱାଭାବିକ ଗତି ଓ ସାବଲୀଳତା ହରାଇ କ୍ଳାନ୍ତିକର ହୋଇ ଉଠିଛି ।

 

ଏ ତ୍ରୁଟୀଟିକୁ ବାଦ୍‌ ଦେଲେ ଗଳ୍ପସଂପୃକ୍ତ ଚରିତ୍ର ଓ ସେମାନଙ୍କର ନାଟକୀୟ ଉକ୍ତି ପ୍ରତ୍ୟୁକ୍ତିରେ ମୌଳିକତାର ସ୍ୱାକ୍ଷର ପରିଲକ୍ଷିତ ହୁଏ । ଉତ୍କଳୀୟ ପଲ୍ଲୀଜୀବନର ପୁରାତନ ବିଶ୍ୱାସ ଓ ଚଳଣି ମଧ୍ୟରେ ବଞ୍ଚିବାର ସ୍ୱଚ୍ଛନ୍ଦତା, ଗାଳ୍ପିକଙ୍କୁ ବିମୋହିତ କରିଥିବା ଅସମ୍ଭବ ନୁହେଁ । ତେଣୁ ଅତୀତକୁ ସେ ପ୍ରାଣଭରି ଉପଭୋଗ କରିଛନ୍ତି ଓ ସମ୍ମାନ ଦେଇଛନ୍ତି । ଯୁଗାଦର୍ଶର ଅସାରତା ପ୍ରତି ସେ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରାଚୀନତାର ସମସ୍ତ ଅବଦାନକୁ କୁସଂସ୍କାର ଓ ଅନ୍ଧବିଶ୍ୱାସ କହି ଉପେକ୍ଷା କରିବାଦ୍ୱାରା ଏ ଶତାବ୍ଦୀର ଚିନ୍ତାହୀନତା ବଢ଼ିଚାଲିଛି; ଅଥଚ ବାସ୍ତବତାର ଖିଅଧରି ଜୀବନ ପାଇଁ ସମାଧାନ ଖୋଜିବା ଆମ ପକ୍ଷରେ ସମ୍ଭବ ହୋଇ ନାହିଁ । ତେଣୁ ସ୍ୱସଂସ୍କୃତିର ଆତ୍ମପରିଚୟରେ ଆମ ପରିଚୟ ସ୍ପଷ୍ଟ ହେବ ବୋଲି ଲେଖକଙ୍କର ବିଶ୍ୱାସ ।

 

‘ପାଗଳାଗାରଦର କାହାଣୀ’ରେ ଏ ଶତାବ୍ଦୀର ମାନସିକ ଉତ୍ପୀଡ଼ନ ସାର୍ଥକଭାବେ ରୂପାୟିତ । ସନାତନଙ୍କ ପରି ଆଜିର ପ୍ରତ୍ୟେକ ମନୁଷ୍ୟ ଅତିଶୟ ବୁଭୁକ୍ଷ । ଅନ୍ନବସ୍ତ୍ରର ସମସ୍ୟା ଭିତରେ ତାହାର ଅନୁଭୂତି ଶୀତଳ ଓ ବାର୍ଦ୍ଧକ୍ୟଗ୍ରସ୍ତ । ପାଗଳ ଜନତାର ବାହାରେ ଯେ ଏକ ପୃଥିବୀ ପଡ଼ି ରହିଛି, ତାହା ଆବିଷ୍କାର କରିବାକୁ ଇଚ୍ଛା ଥିଲେ ମଧ୍ୟ ଅବକାଶ ନାହିଁ । ମାପଚୁପା ଜୀବନର ନିଃଶ୍ୱାସରୁନ୍ଧା ପରିବେଶ ମଧ୍ୟରେ ସେ ଇଚ୍ଛା, ଅବଚେତନର ଦାହରେ ପରିଣତ ହୋଇ ବହୁ ମାନସିକ ବୈଷମ୍ୟକୁ ଜନ୍ମ ଦେଉଛି । ସାଧାରଣ ଓ ଅସାଧାରଣ ମାନସିକତାର ଉକ୍ତ ବୈଷମ୍ୟର ହେତୁ ନିର୍ଣ୍ଣୟ କରିବା ଲାଗି Joyce, Woolf କିମ୍ବା Dorothy Richardsonଙ୍କ ଭଳି ‘ଚେତନା ପ୍ରବାହ’ର ଲେଖକଲେଖିକାଙ୍କ ମନରେ ଯେଉଁ ଆଗ୍ରହ ଦେଖାଦେଇଛି, ଗାଳ୍ପିକ ସୁରେନ୍ଦ୍ର ସେଥିରୁ ସଂପୂର୍ଣ୍ଣଭାବେ ମୁକ୍ତ ନୁହନ୍ତି । ତେଣୁ ତାଙ୍କର ଆତ୍ମନିଷ୍ଠ ବିଶ୍ଳେଷଣଦ୍ୱାରା ପାଗଳବାବୁ ସନାତନଙ୍କର ଚେତନାର ବିଭିନ୍ନ ସ୍ତର ଉପରେ ଆଲୋକପାତ କରାଯାଇଛି । ଏକଦା ଅତି ସଂଯତ, ଚାକିରୀ ଜୀବନରେ କର୍ତ୍ତବ୍ୟନିଷ୍ଠ ଖତ ଓ ସାର ବିଭାଗର ଡିରେକ୍‌ଟର ସନାତନଙ୍କର ସଂସ୍କାରଭୀରୁ ମନରେ ଦିନେ ପାଗଳାମି ଆସିପାରେ, ଏ କଳ୍ପନା ତାଙ୍କର ନିହାତି ଶତ୍ରୁମାନେ ମଧ୍ୟ କରିପାରି ନଥିଲେ । ତଥାପି ସନାତନ ବଦ୍ଧପାଗଳ ବୋଲି ଘୋଷିତ ହୋଇ ଗୋଟିଏ ଘରେ ବନ୍ଦୀ ହୋଇ ପଡ଼ିବାଦ୍ୱାରା ତାଙ୍କ ଚରିତ୍ରର ବୈଚିତ୍ର୍ୟ ଅପେକ୍ଷା ଯୁଗସଙ୍କଟର ଭୟଙ୍କାରିତା ବିଶେଷଭାବେ, ସ୍ପଷ୍ଟ ହୋଇ ଉଠିଛି ।

 

ବାହାରୁ ସୁସ୍ଥ ଓ ସନ୍ତୁଷ୍ଟ ବୋଧ ହେଉଥିଲେ ମଧ୍ୟ ରୁଟିନବନ୍ଧା ଜୀବନର ଯାନ୍ତ୍ରିକତା ଭିତରେ ସନାତନ କିପରି ମର୍ମାନ୍ତିକ ପୀଡ଼ା ପାଇଛନ୍ତି, ତାହା ତାଙ୍କର ଆତ୍ମନିରୀକ୍ଷାରୁ ସହଜରେ ଅନୁମେୟ । ଅତୀତରେ ଏକାଧିକ ଥର ସେ ଚେଷ୍ଟା କରିଛନ୍ତି ମୃଗଶିଶୁର ଅଶାନ୍ତ ଖୁରାରେ ନାଚିକୁଦି ଜୀବନଟାକୁ ଜୀବନ ପରି ଉପଭୋଗ କରିବେ । ରୌଦ୍ରଦଗ୍‌ଧ ମଧ୍ୟାହ୍ନରେ ପ୍ରଜାପତିର ରଙ୍ଗିନ ଡେଣା ହଲାଇ କେଉଁ ସ୍ୱୈରିଣୀର ବ୍ୟଗ୍ର ବାହୁରେ ଟିକେ ଆଶ୍ରୟ ନେବେ । ବୟସର ଭୟ ଓ ନୈତିକତାର କୃତ୍ରିମ ବେଷ୍ଟନୀ ମଧ୍ୟରେ ଜୀବନର ଏ ଡାକ, ଅତୃପ୍ତିର ଦୀର୍ଘଶ୍ୱାସରେ ପର୍ଯ୍ୟବସିତ ହୋଇଛି । ମନର ଚେତନସ୍ତରରେ ମୃତ ଓ କ୍ରିୟାହୀନ ପରି ବୋଧ ହେଉଥିଲେବି ଅବଚେତନ ସ୍ତରରେ ଏହା ଅତ୍ୟନ୍ତ ଜୀବନ୍ତ ଓ ଅତ୍ୟନ୍ତ ସକ୍ରିୟ ହୋଇ ରହିଯାଇଛି । ଅପର ପକ୍ଷରେ ଏହାହିଁ ତାଙ୍କର ବ୍ୟକ୍ତିତ୍ୱର ମାନଦଣ୍ଡ ବା ‘ଲିବିଡ଼ୋ’ର ସ୍ୱାଭାବିକ ତାଡ଼ନା । ଏହାକୁ ଜ୍ଞାତସାରରେ ରୋଧ କରିବାକୁ ଯାଇ ସେ ଶୋଚନୀୟ ଭାବରେ ପଙ୍ଗୁ ପାଲଟି ଯାଇଛନ୍ତି । ଅବସରପ୍ରାପ୍ତ ଜୀବନରେ ସାମାଜିକ ନିୟନ୍ତ୍ରଣ ତଳୁ ଅନାସ୍ୱାଦିତ ଅବଚେତନର ଯେଉଁ ଆଦିମ ମଣିଷଟି ମୁକ୍ତି ପାଇଁ ଲୌକିକତାକୁ ପଦାଘାତ କରିଛି, ସେ ଯେତେ ବାସ୍ତବ ହେଲେ ମଧ୍ୟ ସମାଜ ଦୃଷ୍ଟିରେ ସେ ଅବାସ୍ତବ ବୋଧ ହେବା ସ୍ୱାଭାବିକ । କାରଣ ସମାଜ ତାଙ୍କୁ ଏପର୍ଯ୍ୟନ୍ତ ଯେଉଁ ରୂପରେ ଦେଖି ଆସିଥିଲା, ଏ ରୂପ ଠିକ୍‌ ତାହାର ବିପରୀତ । ଏ ମାନସିକ ଘଟାନ୍ତରକୁ ରକ୍ଷଣଶୀଳତାର ଏ ଧରଣୀ ପାଗଳାମି ବୋଲି ଧରିନେବା ବିଚିତ୍ର ନୁହେଁ । ମୁହଁରେ ମୁଖାଦେଇ ନାତି ମଣ୍ଟୁ ସହିତ ଯୁଦ୍ଧ କରିବା ପରେ ମଧ୍ୟ ସନାତନ ଯଥାସମ୍ଭବ ପ୍ରକୃତିସ୍ଥ । ରାସ୍ତାକଡ଼ର ଦେବଦାରୁ ଗଛ ଦେହରେ ଆଉଜି ସୃଷ୍ଟିର ବିଚିତ୍ର ପ୍ରକାଶକୁ ସେ ମୁଗ୍‌ଧଭାବେ ଅନୁଭବ କରିଛନ୍ତି । କିନ୍ତୁ ତାଙ୍କର ଚତୁର୍ଦ୍ଦିଗର କୌତୁହଳୀ ଜନତାର ବିକୃତ କୋଳାହଳ, ତାଙ୍କୁ ଅପ୍ରକୃତିସ୍ଥ ହେବା ଲାଗି ବାଧ୍ୟ କରିଛି । ଆତ୍ମରକ୍ଷା ପାଇଁ ଭଙ୍ଗାଇଟାର ଟୁକୁରା ଫିଙ୍ଗିବା ମଧ୍ୟରେ ସେ ଆହୁରି ଏକ ନୂତନ ରୋମାଞ୍ଚକର ଅନୁଭୂତିର ସନ୍ଧାନ ପାଇଛନ୍ତି ।

 

ସନାତନଙ୍କ ଚରିତ୍ରରେ ଯାହା କିଛି ଦୃଷ୍ଟ ଏବଂ ଯାହା କିଛି ଅଦୃଷ୍ଟ, ସେ ସମସ୍ତର ଯଥାର୍ଥ ଆଭାସ ଦେଇ ତା’ ମଧ୍ୟରେ ଲୁକ୍‌କାୟିତ ମାନସିକ ଅନୈକ୍ୟର ଅର୍ଥ ନିରୂପଣ କରିବାରେ ସୁରେନ୍ଦ୍ର ପ୍ରତିଭାର ଅବଦାନ ବାସ୍ତବରେ ବିସ୍ମୟଜନକ । ମାନସିକ ପରିଧି ଉପରେ ଏ ଚରିତ୍ରଟିର ସୂକ୍ଷ୍ମାନୁସୂକ୍ଷ୍ମ ବିଶ୍ଳେଷଣ, ସୁରେନ୍ଦ୍ରଙ୍କର ସୃଷ୍ଟିନୈପୁଣ୍ୟର ଏକ ବିଚିତ୍ର ପରିଚୟ ଏବଂ ଗଳ୍ପଟିକୁ ଯୁଗରୁଚିର ଅନୁକୂଳ କରାଇବାରେ ଏହା ସହାୟକ । ଗଳ୍ପର ମାନସିକ ଭିତ୍ତିରେ Freud ବା C.G. jungଙ୍କର ମନୋବୈଜ୍ଞାନିକ ତଥ୍ୟ ଆତ୍ମପ୍ରକାଶ କରିଥାଇପାରେ; କିନ୍ତୁ ସେହି ଶୁଷ୍କ ତଥ୍ୟକୁ ସରସ ଓ ଜୀବନ ମଧ୍ୟରେ ପ୍ରତିଭାତ କରାଇବାର ସାର୍ଥକତାହିଁ ସୁରେନ୍ଦ୍ରଙ୍କର ନିଜସ୍ୱ । ଉକ୍ତ ମୌଳିକତା ବା ନିଜସ୍ୱ ଯୋଗୁଁ ବିଚାର୍ଯ୍ୟଗଳ୍ପ, ‘‘ସନାତନଙ୍କ ପାଗଳାମିର ଅପାଠ୍ୟ କାହାଣୀ’’ ହୋଇ ରହିପାରି ନାହିଁ । ‘ଜଲିଅଟ୍‌’ ଓ ‘ଏଚ୍‌.ଜି.ଓ୍ୱେଲ୍‌ସ’ ପ୍ରଭୃତି କବି ଓ ଔପନ୍ୟାସିକମାନଙ୍କର ବିକ୍ଷତ ଦୁନିଆର ଦେହ ଓ ମନର ବାର୍ତ୍ତାରେ ଏହା ଭରପୂର ହୋଇ ଉଠିଛି । ସୁତରାଂ ଗଳ୍ପ ମଧ୍ୟରେ ଦଣ୍ଡାୟମାନ ସନାତନ ଓ ମଣ୍ଟୁର ଅନ୍ତରାତ୍ମାରେ ଦଗ୍‌ଧ ଶତାବ୍ଦୀର ସମଷ୍ଟିଗତ ଜଳାପୋଡ଼ା ରହିଛି । ଜୀବନବୋଧକୁ ଅସ୍ୱୀକାର କରି ମନୁଷ୍ୟତ୍ୱକୁ ବିକୃତ ଓ ବିକଳାଙ୍ଗ କରି ଦେଉଥିବା ଏ ଶତାବ୍ଦୀର ପାଗଳାମି ବିରୁଦ୍ଧରେ ଲେଖକଙ୍କର ଏହା ଦୃପ୍ତ ଆହ୍ୱାନ । ଶତାବ୍ଦୀର ଏ ନୀଚ ଅନ୍ନପୁଷ୍ଟତା ବା ଜୀବିକାର ଗୋଲାମିକୁ ସେ ଆବଶ୍ୟକ ସ୍ଥଳେ ଧିକ୍‌କାର ଓ ବିଦ୍ରୂପ କରିବାକୁ ପଶ୍ଚାତ୍‌ପଦ ହୋଇନାହାନ୍ତି । ତାଙ୍କର ବିଦ୍ରୂପ ଓ ଲାଞ୍ଛନାର ଭଙ୍ଗିରେ ବସ୍ତୁତନ୍ତ୍ରତାର ମାୟାପଟଳ ଘଡ଼ିକ ମଧ୍ୟରେ ଅପସରି ଯାଏ । ମଣିଷ ଆଖିଖୋଲି ଦେଖେ, ତା’ ଭିତର ଓ ବାହାରର ଜଗତ୍‌ କିପରି ବାସ୍ତବିକ୍‌ ସୁନ୍ଦର । ଏ ସମ୍ଭାବନାମୟ ଜଗତକୁ ସେ ଜୀବନ ତମାମ୍‌ କିପରି ଅବହେଳା କରି ଆସିଥିଲା, ତାହା ତାକୁ ସବୁଠାରୁ ବଳି ଅଧିକ ବିସ୍ମିତ କରେ । ସନାତନଙ୍କର ନୂତନ ଜୀବନର ଆସ୍ୱାଦନ ଭିତରେ ଠିକ୍‌ ଏହି ବିସ୍ମୟ, ତାଙ୍କୁ ବାହାର ଜଗତ ସମ୍ବନ୍ଧରେ ଅଧିକ କୌତୁହଳ କରିଛି । ଅଥର୍ବ ଜନତାର ଅର୍ଥହୀନ ଚିତ୍କାରକୁ ଖାତିର ନ କରି ସେ ସେହି ଦୁନିଆକୁ ହୃଦୟଭରି ଆପଣାର କରିବା ପାଇଁ ନିର୍ଭୀକ ପଦକ୍ଷେପ ନେଇଛନ୍ତି । ଉକ୍ତ ନିର୍ଭୀକତାହିଁ ଲେଖକଙ୍କ ସଦୟ ଅଭିଯାନର ପରିଚୟ । ଜୀବନ ଓ ଜୀବିକା ମଧ୍ୟରେ ଯେ ବ୍ୟବଧାନ ଅଛି, ଲେଖକ ତାହା ପ୍ରଦର୍ଶନପୂର୍ବକ କ୍ରୀତଦାସର ଧାରଣାକୁ ପ୍ରାକୃତିକ ହେବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ନିଗୃହିତ ଅବଚେତନର ଶାନ୍ତିଲାଗି ‘କୃଷ୍ଣଚୂଡ଼ାର ଜୀବନସ୍ୱପ୍ନ, ‘ପାଗଳ ଗାରଦର କାହାଣୀ’ରେ ଆହୁରି ପ୍ରଶ୍ନିଳ ଓ ସମସ୍ୟାମୁଖର । ଏ ସମସ୍ୟା ସନାତନଙ୍କ ମାଧ୍ୟମରେ ଚିତ୍ରିତ ହୋଇଥିଲେ ମଧ୍ୟ ଏହା ବ୍ୟକ୍ତିଜୀବନର ଦୁଃସ୍ଥତାର ଏକ କାହାଣୀ ନୁହେଁ । ଏ ଯୁଗର କଳା, ସାହିତ୍ୟ ଓ ସମଷ୍ଟିର ଅନ୍ତର୍ଜଗତରେ ଲାଗିରହିଥିବା ଦ୍ୱନ୍ଦ୍ୱର ଏହା ଏକ ଚିରନ୍ତନ ପ୍ରଶ୍ନ । ବିଷୟବୁଦ୍ଧିର ଶୃଙ୍ଖଳାରେ ଏ ଅନିର୍ବାଣ ଶିଖାକୁ ଲିଭାଇବାର ପ୍ରୟାସ କିପରି ହାସ୍ୟାସ୍ପଦ, ତାହା ସନାତନଙ୍କ ଜୀବନ ପରି ଅନ୍ୟ ଜୀବନରେ ମଧ୍ୟ ସତ୍ୟ । ଏଣୁ ବିଷୟ-ଜଗତର ଊର୍ଦ୍ଧ୍ୱରେ ମେଘ ଓ ରୌଦ୍ରର, ଆଲୋକ ଓ ଛାୟାର ଯେଉଁ ମହାନାଟକ ଚାଲିଛି, ତାହାକୁ ହୃଦୟଭରି ଉପଭୋଗ କରିବାକୁ ହେବ । ଜୀବନର ପ୍ରାକୃତିକତା ଓ ପ୍ରକୃତି ଜଗତ ସହିତ ସମ୍ପର୍କ ସ୍ଥାପନରେ ଜୀବନର ବଳିଷ୍ଠତା ପ୍ରଭୃତି ସୂଚାଇବାରେ ଲେଖକ ଅଣାୟତ୍ତ ଭାବରେ ରୋମାଣ୍ଟିକ୍‌ ଶିଳ୍ପୀମାନଙ୍କର ପ୍ରତିଧ୍ୱନି ଦେଇଥିବା ପରି ମନେହୁଏ । ପକ୍ଷାନ୍ତରେ ବେଦବେଦାନ୍ତକାଳରୁ ଭାରତୀୟ ଚିନ୍ତାର ଏହାହିଁ ମୂର୍ତ୍ତି ପରମ୍ପରା । ବିଂଶ ଶତାବ୍ଦୀର ମାନସିକ ସଙ୍କଟ ଭିତରେ ଗାଳ୍ପିକ ସେହି ବୈଦିକ ପରମ୍ପରାର ପୁନରାବର୍ତ୍ତନ ଲାଗି ଏକ ଯୁଗୋପଯୋଗୀ ମାର୍ଗ ନିର୍ଣ୍ଣୟ କରିଛନ୍ତି, ଯେଉଁଠି ଆଧୁନିକ ମନୋବିଜ୍ଞାନର ‘ଲିବିଡ଼ୋ’ ଓ ଆଦିମାନବର ସରଳ ମୁକ୍ତିର ସୁସ୍ଥ ଜୀବନ, ପ୍ରାୟ ଏକ ରେଖାରେ ମିଳିଯିବା ଖୁବ୍‌ ସମ୍ଭବ । ତେଣୁ ବଞ୍ଚି ରହିବାର ପାଗଳାଗାରଦରୁ ମୁକ୍ତି ପାଇବା ଲାଗି ଆଲୋଚ୍ୟ କାହାଣୀ କେବଳ ଏକ ଅସୀମାଂସିତ ପ୍ରଶ୍ନ ନୁହେଁ; ବରଂ ଏହି ପ୍ରଶ୍ନ ଭିତରେ ଏହାର ଯଥାଯଥ ଉତ୍ତରହିଁ ନିହିତ । ସ୍ଥୂଳତଃ, ଚାରିତ୍ରିକ ନୈପୁଣ୍ୟ, ମନସ୍ତାତ୍ତ୍ୱିକ ବିଚାର ଓ ଘଟଣାସୃଷ୍ଟିରେ ନୂତନତା ଯୋଗୁଁ ଗଳ୍ପଟି ମନୋରମ ହୋଇପାରିଛି ।

 

‘ଗୃହଦାହ’ର ସମସ୍ୟାମୁଖରତା, ଏ ଗଳ୍ପକୁ ପୂର୍ବୋକ୍ତ ଦୁଇଟି ଗଳ୍ପଠାରୁ ଭିନ୍ନ କରିପାରିଛି-। ୧୯୬୨ରେ ଲିଖିତ ଏ ଗଳ୍ପରେ ଭାରତୀୟ ରାଜନୀତିର କୁତ୍ସିତ ରୂପ ଯଥାର୍ଥ ଭାବରେ ପ୍ରକାଶ ପାଇଛି । ‘‘ଆଶ୍ରମଯୁଗ’’ର ସାଧନା ଓ ‘‘ପ୍ରସାଦଯୁଗ’’ର କ୍ଷମତାମୋହ, ଦୁଇଟି ପରସ୍ପର ବିରୋଧୀ ପ୍ରବୃତ୍ତିରୂପେ ଗଳ୍ପ ମଧ୍ୟରେ ଦଣ୍ଡାୟମାନ । ଗାନ୍ଧିବାଦର ତୀର୍ଥଭୂମି ରଥିପୁର ଆଶ୍ରମ, ନିର୍ବାଚନ ରାଜନୀତିରେ ‘‘ଆନନ୍ଦାଶ୍ରମ’’ରେ ପରିଣତ ହୋଇଛି ସତ, କିନ୍ତୁ ଆନନ୍ଦ ବ୍ରହ୍ମଚାରୀଙ୍କର ନିଃସ୍ୱାର୍ଥ ସେବାର ଆଦର୍ଶ ପରିବର୍ତ୍ତେ ଆଗାମୀ ନିର୍ବାଚନ-ପ୍ରସ୍ତୁତିର ନିର୍ଲଜ ଅଭିନୟରେ ଏହା, ଏହାର ପୂର୍ବ ଗୌରବ ହରାଇ ବସିଛି । ‘‘ଅସନ୍ତୁଷ୍ଟ ଗୋଷ୍ଠୀ’’ର ମୁଖ୍ୟ ନାରାୟଣ ମହାପାତ୍ର ଓ ସଦ୍ୟ ନିର୍ବାଚନ-ପରାସ୍ତ ହରି ଶତପଥୀ ଉକ୍ତ ଆଶ୍ରମକୁ କେନ୍ଦ୍ର କରି ନିଜ ନିଜର ଶକ୍ତିପରୀକ୍ଷା ଆରମ୍ଭ କରି ଦେଇଛନ୍ତି । ରାଜନୈତିକ ପ୍ରତିଷ୍ଠା ଓ ବ୍ୟକ୍ତିସ୍ୱାର୍ଥ ପାଇଁ ଆନନ୍ଦାଶ୍ରମ ଶୀତଳଯୁଦ୍ଧର ଶରବ୍ୟ ହୋଇ ପଡ଼ିଛି । ପରିଶେଷରେ ନାରାୟଣ ଓ ଅଗାଧୁଙ୍କର ଷଡ଼ଯନ୍ତ୍ରରେ ଏହା ଭସ୍ମସ୍ତୂପରେ ପରିଣତ ହୋଇଛି ।

 

ଗଳ୍ପର ପ୍ରତିପାଦ୍ୟ ବିଷୟବସ୍ତୁରେ ଗାଳ୍ପିକଙ୍କର ନିର୍ବାଚନ ଯୁଦ୍ଧର ପ୍ରତ୍ୟକ୍ଷ ଅନୁଭୂତି ଓ ତୀବ୍ର ପ୍ରତିକ୍ରିୟା, ବିଶେଷଭାବେ ଲକ୍ଷଣୀୟ । ଯୁଗେ ଯୁଗେ ମଣିଷ, କ୍ଷମତାପାଇଁ ନୀଚ କଳହରେ ପ୍ରବୃତ୍ତ ହୋଇ ଆସିଅଛି । ତେଣୁ କ୍ଷମତା ଲାଗି ସଂଗ୍ରାମ, ପୃଥିବୀର ଇତିହାସରେ ନୂଆ କଥା ନୁହେଁ-। ତେବେ ନିର୍ବାଚନ ଯୁଗର ପଟ୍ଟଭୂମିରେ ଏହା କିପରି ଭୟାନକ ଓ କିପରି ପୈଶାଚିକ, ତାହାର ସ୍ୱରୂପ ଗଳ୍ପ ମଧ୍ୟରେ ଉଦ୍‌ଘାଟିତ । ବୃହତ୍ତର ସ୍ୱାର୍ଥମୂଳ ସଂଘର୍ଷରେ କିଛି ନା କିଛି ମହତ୍ତ୍ୱ ଥାଇପାରେ; କିନ୍ତୁ ଶୃଗାଳସୁଲଭ ଚତୁରତାରେ ‘‘ବଟେଶ୍ୱର ଚଡ଼ା’’ ଓ ‘‘କାଳମୁଖୀ ଗଣ୍ଡ’’ ଲାଗି ଯେଉଁଠି ମଣିଷ ପଶୁଠାରୁ ଆହୁରି ହୀନ ହୋଇ ଉଠେ, ସେଠି ନ୍ୟସ୍ତସ୍ୱାର୍ଥରେ ରୂପ କି ବିଷମ, ତାହା ନାରାୟଣ ମହାପାତ୍ରଙ୍କ କାର୍ଯ୍ୟକଳାପରେ ସୁସ୍ପଷ୍ଟ ।

 

ସ୍ୱାଧୀନ ଭାରତ ତଥା ଉତ୍କଳର ନ୍ୟସ୍ତସ୍ୱାର୍ଥର ଏ ନାରକୀୟ ଲୀଳା, ଗଳ୍ପାଙ୍କିତ ଚରିତ୍ରବିଶେଷରେ ସୀମାବଦ୍ଧ ନୁହେଁ । ଆମର ସାଧାରଣ ଜୀବନ, ଆମ ସାମାଜିକତା ଓ କଂଗ୍ରେସ ପରି ଏକ ପୁରାତନ ଅନୁଷ୍ଠାନକୁ ମଧ୍ୟ ଏହା ବ୍ୟାପି ଯାଇଛି । ତେଣୁ ଅତୀତର କଂଗ୍ରେସୀ-ଆଦର୍ଶ, ଆଜି ତାହାର ଉନ୍ନତ ବିଚାରଧାରା ହରାଇ ଏକ ନିର୍ଜୀବ କଙ୍କାଳରେ ପରିଣତ ହୋଇଛି । ତଥାପି ସେ କଙ୍କାଳକୁ ଟଣାଓଟରା କରି ଗୁଡ଼ାଏ ଅପଦାର୍ଥ, କିପରି ଶ୍ୱାନ ରଡ଼ିରେ ସାଧାରଣ ଜନତାକୁ ସ୍ତମ୍ଭିତ କରି ଚାଲିଛନ୍ତି, ତାହାର ତିକ୍ତ ଅଧ୍ୟାୟ ଲେଖକଙ୍କର ନିଜ କଥା ଓ ଗଳ୍ପ ସନ୍ନିବେଶିତ ଚରିତ୍ରଗୁଡ଼ିକରେ ପ୍ରକଟିତ । ରାଜନୀତିର ଘଟାଟୋପତଳେ ଛଦ୍ମ ସନ୍ନ୍ୟାସୀତ୍ୱକୁ ଲେଖକ ଆଦୌ ସହ୍ୟ କରିପାରି ନାହାନ୍ତି । ତେଣୁ ସମାଜକୁ ଦୁଃସ୍ଥ ଓ ଅଧୋଗାମୀ କରୁଥିବା ଛଳନେତାମାନଙ୍କୁ ସେ ନିର୍ମମଭାବେ ସମାଲୋଚନା କରିବାକୁ ପଶ୍ଚାତ୍‌ପଦ ହୋଇନାହାନ୍ତି । ଅପଦାର୍ଥ ନେତୃତ୍ୱର ଗୋଡ଼ାଣିଆମାନଙ୍କୁ ସେ ଅଗାଧୁ ରଥ ଚରିତ୍ରରେ ଜୀବନ୍ତ କରି ସେମାନଙ୍କର ବ୍ୟବସାୟ ବୁଦ୍ଧି ଓ ଟାଉଟରୀକୁ ଦାମ ସାହୁର ବିରକ୍ତିକର ମନ୍ତବ୍ୟରେ ଲାଞ୍ଛିତ କରାଇଛନ୍ତି । ସୁତରାଂ ଉତ୍କଳୀୟ ପୁରପଲ୍ଲୀର ଶସ୍ତା ନେତା ଓ ନିର୍ମୂଳୀଲତା ପରି ମାଡ଼ି ଚାଲିଥିବା ଟାଉଟରମାନଙ୍କ ମଧ୍ୟରୁ କେହି, କଥାକାରଙ୍କର ଅଙ୍କୁଶ ପ୍ରହାରରୁ ତ୍ରାହି ପାଇନାହାନ୍ତି । ଏଥି ସଙ୍ଗେ ସଙ୍ଗେ ଉତ୍କଳୀୟ ସାମାଜିକ ଜୀବନର ପଙ୍କିଳ ଛବି ନିର୍ଭୁଲ ଭାବରେ ଗଳ୍ପର ପ୍ରତି ପରିସ୍ଥିତିରେ ଅନୁଭବଯୋଗ୍ୟ ହୋଇପାରିଛି ।

 

ସାଧୁତା ଓ ସଚ୍ଚୋଟତା ଉପରେ ପ୍ରତିଷ୍ଠିତ ରାଜନୈତିକ ଆଦର୍ଶହିଁ ତାଙ୍କର କାମ୍ୟ । ଏଣୁ ଆଦର୍ଶହୀନ ନେତାଗିରିକୁ ବ୍ୟକ୍ତିଗତ ଫାଇଦାର ସୁଲଭ କାରସାଦି ଭାବି ସେ ତାହାର ଉତ୍ପାଟନ ଲାଗି ଶୁଦ୍ଧ ସମାଲୋଚନାର ଆଶ୍ରୟ ନେଇଛନ୍ତି । ସାମ୍ବାଦିକସୁଲଭ ନିରପେକ୍ଷତା ଓ ଶିଷ୍ଟତାରେ ଉକ୍ତ ସମାଲୋଚନାର ସ୍ୱରୂପ ଗଠନଧର୍ମୀ । କେତେକ ସ୍ଥଳରେ ସଂସ୍କାର ପାଇଁ ତୀବ୍ର ଆକୁଳତା ହେତୁ ଏହା ଟିକିଏ ଅଧିକ ଭାବାବେଗ ରଞ୍ଜିତ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ବିଦ୍ୱେଷ ବା ଚରିତ୍ରସଂହାର ଏହାର ଲକ୍ଷ୍ୟ ନୁହେଁ; ବରଂ ସ୍ପଷ୍ଟ ସମାଲୋଚନା ଅଥବା ବ୍ୟଙ୍ଗୋକ୍ତିଆଶ୍ରିତ ବର୍ଣ୍ଣନାରେ କଥାକାରଙ୍କ ସମାଜହୃଦୟତା ଅତ୍ୟନ୍ତ ସ୍ଥାନୀୟ ।

 

ପ୍ରବନ୍ଧଶୈଳୀର ଭାଷାରେ ଗଳ୍ପର ଉଦ୍‌ଘାଟନ, ଚରିତ୍ରଚିତ୍ରଣ ଓ ପରିଣତି ବର୍ଣ୍ଣିତ ହୋଇଥିଲେହେଁ ଗାଳ୍ପିକ-ସୌନ୍ଦର୍ଯ୍ୟରେ ଏହା ବିଶେଷ ପ୍ରତିବନ୍ଧକ ଆଣିପାରି ନାହିଁ । ବୌଦ୍ଧିକ ବିଚକ୍ଷଣତାରେ ଏହା ଭାବଗର୍ଭକ ଓ ସୂଚନାଶ୍ରୟୀ ହୋଇପାରିଛି । କଂଗ୍ରେସ ଅନୁଷ୍ଠାନର ଅତୀତ ବର୍ତ୍ତମାନ ବିଶ୍ଳେଷଣ, ନାରାୟଣ ମହାପାତ୍ର ଓ ହରି ଶତପଥିଙ୍କ ଚରିତ୍ର ଉଦ୍‌ଘାଟନର ଭୂମିକାରୂପେ ଉଦ୍ଦିଷ୍ଟ ହୋଇଥିବା ସତ୍ତ୍ୱେ, ଏହା କ୍ଳାନ୍ତିକର ତଥା ଅନାବଶ୍ୟକ । ‘ଗୃହଦାହ’ର ପ୍ରତି ସୋପାନରେ ଲେଖକଙ୍କର ଆଦର୍ଶ ଓ ଅନୁଭୂତିକୁ ଚରିତ୍ର ଜରିଆରେ ଅନୁଭବ କରିବାର ମୁକ୍ତ ପରିବେଶ ସୃଷ୍ଟି କରାଯାଇଥିବାରୁ ତନ୍ମଧ୍ୟରେ ଲେଖକଙ୍କ ବ୍ୟକ୍ତିଗତ ଉପସ୍ଥିତି ଆଦୌ ସ୍ପୃହଣୀୟ ନୁହେଁ । ଆନନ୍ଦ ବ୍ରହ୍ମଚାରୀଙ୍କୁ ଅତୀତର ଏକ ଶରୀରୀ ସାଧନା ଭାବରେ ଗଳ୍ପରେ ସ୍ଥାନ ଦେଇଥିଲେ ମଧ୍ୟ ତାଙ୍କ କର୍ମଜୀବନର ଅବସାନ ଭିତରେ ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ନିର୍ଣ୍ଣୟ କରିବାର ଭାର ଲେଖକ ନିଜ ହାତକୁ ନେଇଅଛନ୍ତି । ଅନ୍ୟାନ୍ୟ ଗତିଶୀଳ ଚରିତ୍ରଗୁଡ଼ିକରେ ଏହି ରୀତି ଅନୁସୃତ ହୋଇଥିବାରୁ ଚରିତ୍ର ସମ୍ବନ୍ଧରେ କୌଣସି ମୁକ୍ତଧାରଣା କରିବାର ସ୍ୱାଧୀନତା ପାଠକ ଏଠି ହରାଇ ବସିଛି । ଉକ୍ତ ବ୍ୟତିକ୍ରମ ହେତୁ ପୂର୍ବ ଗଳ୍ପର ସାଫଲ୍ୟ, ଆଲୋଚ୍ୟ ଗଳ୍ପରେ ନ୍ୟୂନ ଓ ମଳିନ ହୋଇ ଆସିଛି ।

 

‘‘ନୀଳଜ୍ୟୋତ୍ସ୍ନା’’ ଆଧୁନିକ ମୂଲ୍ୟବୋଧର ଏକ ନିଷ୍କପଟ ଅଭିବ୍ୟକ୍ତି । ଆନ୍ତର୍ଜାତିକ ଜଟିଳତା ଓ ସମୟର ବିଚିତ୍ର ଗତିରେ କାଳର ଅଖଣ୍ଡତା ଉପରୁ ମନୁଷ୍ୟର ବିଶ୍ୱାସ କିପରି ତୁଟି ଆସୁଛି, ତାହା ପୂର୍ବ ଅଧ୍ୟାୟରେ ଆଲୋଚିତ ହୋଇଛି । ଅନନ୍ତ ବକ୍ଷରେ ମୁହୂର୍ତ୍ତଟିର ସନ୍ଧାନ ଲାଗି, ଅଖଣ୍ଡ ଜୀବନରେ ଖଣ୍ଡତାର ଆସ୍ୱାଦନ ଲାଗି ଆଧୁନିକ ମନୁଷ୍ୟର ଅଧୀରତା କିପରି ବଢ଼ିଚାଲିଛି, ତାହା ଯଥାଯଥ ଭାବରେ ଆଲୋଚ୍ୟ ‘‘ନୀଳଜ୍ୟୋତ୍ସ୍ନା’’ ଓ ସମସାମୟିକ ଅବସ୍ଥାରେ ଲିଖିତ ‘ମୁହୂର୍ତ୍ତ’ ଗଳ୍ପରେ ଆଲୋଡ଼ନ କରାଯାଇଛି ‘‘ସେ’’ ଓ ‘‘ମୁଁ’’ ସେହି ମାନସିକ ବିଚାରର ଦୁଇଟି ଅବଲମ୍ବନ ବା ଗଳ୍ପର ଚରିତ୍ର ସ୍ଥାନରେ ଅଧିଷ୍ଠିତ ଦୁଇଟି ପ୍ରେମମୋହିତ ଜୀବନ । ଜଣେ ଅବିବାହିତ ପୁରୁଷ ଅନ୍ୟଟି ପରିଣୀତା ସ୍ତ୍ରୀ । ମହାନଗରୀର କଫି ହାଉସ୍‌ରେ ପୁରୁଷର ଆକୁଳ ପ୍ରତୀକ୍ଷା ଓ ସହରମଝି ନିର୍ଜନ ପାର୍କରେ ପରିଣୀତା ସ୍ତ୍ରୀଟି ସହିତ ତାହାର କେଇଘଡ଼ି ମିଳନ ମଧ୍ୟରେ ଜିଜ୍ଞାସା ଅପେକ୍ଷା ଉପଲବ୍‌ଧିର ନିବିଡ଼ତା ମହତ୍ତ୍ୱପୂର୍ଣ୍ଣ । ନିଅନ୍‌ ଆଲୋକ ଓ ଜ୍ୟୋତ୍ସ୍ନାମୟୀ ରାତ୍ରିର ସାଇପ୍ରେସ ଓ ବୁଗେନ୍‌ଭିଲାରେ ଏ ଅଭିସାର ରୋମାଞ୍ଚର ସ୍ୱପ୍ନ ବୁଣିଦେବା ସ୍ୱାଭାବିକ । କିନ୍ତୁ କଥାକାରଙ୍କର ଦୃଷ୍ଟିଭଙ୍ଗୀରେ ସ୍ୱାତନ୍ତ୍ର୍ୟ ହେତୁ ଏ ରୋମାଞ୍ଚରେ ଆଧୁନିକ ଜୀବନଝଡ଼ର ଅସହାୟତା, ଅତୃପ୍ତ ମାନସର ପ୍ରତୀକ୍ଷା ଓ ନିମିଷକର ଭାବବିନିମୟକୁହିଁ ମୁଖ୍ୟସ୍ଥାନ ଦିଆଯାଇଛି । ଯୁଗଦର୍ଶନରେ ପ୍ରଭାବିତ ଲେଖକ ବର୍ତ୍ତମାନ ପୃଥିବୀରେ ବଞ୍ଚିରହିବାର ମୋହକୁ ମରୁପ୍ରାନ୍ତରର ଏକ ତୃଷ୍ଣା ବୋଲି ଅଭିହିତ କରିଛନ୍ତି । ଦେହ ଓ ମନର ଯେତେ ସଂଯମ ଭିତରେ ଏ ଜୀବନ ଶାନ୍ତି ପାଇପାରୁନି । କଫି ହାଉସର ଛାଇ-ଆଲୁଅ-ମିଶା କୋଣରୁ ମଣିଷ ଆଖିର ପ୍ରଚଣ୍ଡ ଆକ୍ରମଣ ପରି ଆଜି ସହସ୍ର ବିଷାକ୍ତ ଆଖିର ଅହେତୁକ ଆକ୍ରମଣରେ ଜୀବନର ଭୂମିକା ଜର୍ଜରିତ । ଜନଗହଳ ରେସ୍ତୋରାଁ ବା ଜନବିରଳ ରାତିର ଆକାଶତଳେ ମଧ୍ୟ ମନୁଷ୍ୟର ନିସ୍ତାର ନାହିଁ । ଚତୁର୍ଦ୍ଦିଗରେ ନିଷ୍ଠୁର ପରିହାସ ଓ ବନ୍ୟ ଅଶ୍ଳୀଳତା, ଜୀବନକୁ ପଳ ପଳ କରି ଶୋଷିନେଉଛି । ବାସ୍ତବତାର ଏ ଅନୁଦାର ଧରଣୀରେ ଲେଖକ ବଞ୍ଚିବା ପାଇଁ କେତୋଟି ମାତ୍ର ମୁହୂର୍ତ୍ତ ଲୋଡ଼ିଛନ୍ତି । ତାଙ୍କ ମତରେ ଗୋଟିଏ ଅତିପ୍ରିୟ ବା ପରିଚିତ ମୁଖର ସମ୍ବର୍ଦ୍ଧନା ବା ସ୍ମିତହସରେ ଜୀବନର ସେହି ଆକାଙ୍‍କ୍ଷିତ ମୁହୂର୍ତ୍ତଗୁଡ଼ିକ ଯଦି ଆବେଗମୁଖର ହୋଇପଡ଼େ, ସେଥିରେ ପାପପୁଣ୍ୟ ବା ଦେହ ଓ ଆତ୍ମାର ପ୍ରଶ୍ନ ଉଠାଇବା ଅବାନ୍ତର । କାରଣ ପ୍ରଶ୍ନ ବା ଅନୁଶାସନଦ୍ୱାରା ଜୀବନକୁ ଶାସନ କରି ହୁଏ ନାହିଁ । ଏହା ସ୍ୱୟଂଶାସିତ ଓ ଆତ୍ମପ୍ରକାଶଶୀଳ । ଜୀବନର ଶାଶ୍ୱତଧାରା ପବିତ୍ର ଓ ଅନାବିଳ ହେତୁ ନର୍ଦ୍ଦମାରେ ସୁଦ୍ଧା ଏହା ରମଣୀୟ । ଉଦ୍‌ବର୍ତ୍ତନର ସମସ୍ୟା ଭିତରେ ବାସ୍ତବତାକୁ ଭୁଲି ମୁହୂର୍ତ୍ତେମାତ୍ର ବଞ୍ଚିପାରିବା, ମୃତ୍ୟୁଠାରୁ ଅଧିକ ନିଷ୍ପାପ ଓ ଅଧିକ କାମ୍ୟ ।

 

ସାମାଜିକ ଶୃଙ୍ଖଳା ଓ ବୈଧତା ନାମରେ ବ୍ୟକ୍ତିଜୀବନ ତଥା ଆନ୍ତର୍ଜାତିକ ଜୀବନରେ ଯେଉଁ ଛଦ୍ମ ଅଭିନୟ ବଢ଼ିଚାଲିଛି, ତାହାର ସ୍ୱରୂପ ପ୍ରଦର୍ଶନ ପାଇଁ କଥାକାର ଅତ୍ୟନ୍ତ କୌତୁହଳୀ ହୋଇ ଉଠିଛନ୍ତି । ତେଣୁ ଆଣବିକ ଅସ୍ତ୍ରସଜ୍ଜା ଓ ଆନ୍ତର୍ଜାତିକ ନରହତ୍ୟାକୁ ପ୍ରଶ୍ରୟ ଦେଇଆସୁଥିବା ଜନତାର ଉଗ୍ରରୂପ, ତାଙ୍କର ଦୃଷ୍ଟି ଏଡ଼ାଇ ପାରି ନାହିଁ । ଏପରି ଜନତା ପକ୍ଷରେ ଜଣେ ବିବାହିତ । ନାରୀ ସହିତ ଏକ ଅବିବାହିତ ଯୁବକର ଶ୍ରଦ୍ଧାନ୍ୱିତ ସମ୍ପର୍କ ଘୃଣ୍ୟ ବିବେଚିତ ହେବା ବିଚିତ୍ର ନୁହେଁ । କାରଣ ‘‘ତଣ୍ଟିକଟା ଡକାୟତ ଉଦରଜ୍ୱାଳାଗ୍ରସ୍ତ ଭାତଚୋରକୁ’’ କାଳେ କାଳେ ଘୃଣା କରିଆସିଛି । ନିଜର ଦୁର୍ବଳତାକୁ ଛଦ୍ମଭେକତଳେ ମହୀୟାନ କରିବାର ଏ ଅପପ୍ରୟାସହିଁ ଆଧୁନିକ ବ୍ୟକ୍ତିଚରିତ୍ରର ଏକ ବୈଚିତ୍ର୍ୟ ।

 

ପରମ୍ପରାର ଅନ୍ଧବିଶ୍ୱାସ ଓ ରକ୍ଷଣଶୀଳତାତଳେ ଜୀବନକୁ ଜାଳିପୋଡ଼ି ଦେବା କେବେ ସାମାଜିକ ଗୌରବ ହୋଇ ନ ପାରେ । ‘ନୀଳଜ୍ୟୋତ୍ସ୍ନା’ର ପ୍ରେମିକ ଓ ପ୍ରେମିକା ଚରିତ୍ରର ଅନ୍ତର୍ଦ୍ୱନ୍ଦ୍ୱରେ ଉକ୍ତ ସିଦ୍ଧାନ୍ତ ବହୁରୂପରେ ଆତ୍ମପ୍ରକାଶ କରିଛି । ବୈବାହିକ ପଦ୍ଧତିରେ ଦିନେ ହୁଏତ ଦୈହିକ ବିଶ୍ୱସ୍ତତା ସହିତ ମାନସିକ ବିଶ୍ୱସ୍ତତା, ସମାଜ ପରମ୍ପରାର ଭିତ୍ତି ଥିଲା; କିନ୍ତୁ ଜନ୍ମନିରୋଧ ଯୁଗରେ ଆତ୍ମରକ୍ଷା ବୃହତ୍ତର ପ୍ରଶ୍ନ ହୋଇଥିବାରୁ ଦେହର କ୍ଷୁଧା ସଙ୍ଗେ ମନର କ୍ଷୁଧାକୁ ଏକତ୍ର ବିଚାର କରିବା ଯୁଗରୁଚିର ଅନୁକୂଳ ନୁହେଁ । ପରିବର୍ତ୍ତିତ ଯୁଗାଦର୍ଶରେ ସମାଜର ପରିବର୍ତ୍ତନ ସମ୍ଭବ ନ ହୋଇଥିବାରୁ ଏ ଦେଶର ବହୁ ନରନାରୀଙ୍କ ଭଳି ବିବାହିତା ନାରୀଟି ମାନସିକ କ୍ଷେତ୍ରରେ ବ୍ୟର୍ଥତାର ଏକ ପ୍ରତିଧ୍ୱନି; କାରଣ, କ୍ଳବଫେରନ୍ତା ସ୍ୱାମୀଙ୍କର ଗାଲରୁ ଲିପ୍‌ଷ୍ଟିକ୍‌ର ଚିହ୍ନ ଲିଭି ନଥିଲେ ମଧ୍ୟ ସେ ତାଙ୍କୁ ପ୍ରଶ୍ନ ପଚାରିବାର ଅଧିକାରରୁ ବଞ୍ଚିତ, ଅଥଚ କବରୀର ବନ୍ଧନ ଟିକିଏ ଶିଥିଳ ହୋଇଥିଲେ ତାଙ୍କୁ ପୁରୁଷ ପାଖରେ ବହୁ ଅପ୍ରୀତିକର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଏ ପକ୍ଷପାତୀ ସାମାଜିକ ଆଚରଣରେ ସେ ବିକ୍ଷୁବ୍‌ଧ । ଏଣୁ ତାହାର ସଂତ୍ରସ୍ତ ଅଭିସାର ମଧ୍ୟରେ ଏ ଯୁଗର ନିର୍ଯ୍ୟାତିତ ଅନ୍ତରର ପରୋକ୍ଷ ବିଦ୍ରୋହର ଧ୍ୱନି ପ୍ରକାଶ ପାଇଛି । ଦେହ ଓ ମନକୁ ଯଥାସମ୍ଭବ କଳୁଷିତ ନ କରି ‘ସେ’ ଓ ତାହାର ପ୍ରେମିକ ସମାଜର ଅଥର୍ବ ବନ୍ଧନକୁ ପାଦରେ ଠେଲିଦେବାକୁ ଚେଷ୍ଟା କରୁଛନ୍ତି । ଘଡ଼ିକ ପାଇଁ ହେଲେ ମଧ୍ୟ ସେ ଦୁହିଁଙ୍କର ପରିଚୟରେ ପ୍ରେମର ଏକ ବିଚିତ୍ରରୂପ ଫୁଟିଛି । ଏ ପ୍ରେମ ଦେହର କି ଆତ୍ମାର, ସେ ବିଷୟରେ ଗାଳ୍ପିକ ସଂଶୟାକୁଳ । ତେବେ ପ୍ରେମର ଧାରାବାହିକ ପ୍ରବଞ୍ଚନା ବିରୁଦ୍ଧରେ ଏହା ଯେ ଏକ ଶକ୍ତିଶାଳୀ ବିସ୍ଫୋରଣ, ଏହା ନିଶ୍ଚିତ ।

 

ଗଳ୍ପର ପରିସମାପ୍ତିରେ ନାରୀଜୀବନର କଳଙ୍କ ଓ ନିନ୍ଦାକୁ ଭୟ କରି ପ୍ରେମିକାଟି ଶେଷ ବିଦାୟ ନେଇଛି । ସମାଜ ପାଖରେ ତାହାର ଏ ଅସହାୟ ଆତ୍ମସମର୍ପଣରେ ଚାରିତ୍ରିକ ପରାଜୟର ସୂଚନା ମିଳିଲେ ମଧ୍ୟ ସୂଚିତ ପ୍ରେମକୁ ଦେହହୀନ କରିବା ପାଇଁ ତାହାର ଭବିଷ୍ୟତ୍‌ ପରୀକ୍ଷାର ସଂକଳ୍ପ ମଧ୍ୟରେ ଆତ୍ମନିଷ୍ଠା ଓ କରୁଣତାର ଆଭାସ ରହିଛି । ଏ ସଂକଳ୍ପରେ ପ୍ରେମିକ ଚରିତ୍ରର ସ୍ଥାଣୁତ୍ୱ, ଅସମାହିତ ଦ୍ୱନ୍ଦ୍ୱରେ ଉତ୍କଣ୍ଠାପୂର୍ଣ୍ଣ ହୋଇ ପଡ଼ିଛି ।

 

ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ ‘ନୀଳଜ୍ୟୋତ୍ସ୍ନା’ର ରୋମାଣ୍ଟିକ ପରିବେଶ ମଧ୍ୟରେ ଲେଖକଙ୍କର ଅନୁଭୂତିଗତ ମୌଳିକତା ଏକ ଅସାଧାରଣ ପରିବେଶ ସୃଷ୍ଟି କରିପାରିଛି । ବର୍ଣ୍ଣନା ଚାତୁରୀରେ ଗୋଟିଏ ଘଟଣାର ଆବର୍ତ୍ତନକୁ ଭିନ୍ନ ଭିନ୍ନ ଦେଖାଯାଇଥିବାରୁ ସେଥିରେ ନୂତନତାର ଆସ୍ୱାଦନ ମିଳେ । ସର୍ବୋପରି ଲେଖକଙ୍କର ଷଷ୍ମ ବିଶ୍ଳେଷଣରେ, ପରିଚିତ ଅନୁଭୂତିର ଏକ ବୌଦ୍ଧିକ ବିକାଶ ଦେଖାଇ ‘‘ସେ’’ ଓ ‘‘ମୁଁ’’ ଚରିତ୍ର ଦୁଇଟି ବିଂଶ ଶତାବ୍ଦୀର ମାନସିକ ସଂଘର୍ଷ ଓ ଦେହମନର ସନ୍ତାପକୁ ଜୀବନ୍ତଭାବେ ପ୍ରକାଶ କରିବାକୁ ସମର୍ଥ ହୋଇଛନ୍ତି । ସୁତରାଂ ସ୍ଥାଣୁ ପରି ବୋଧ ହେଲେବି ସେମାନେ ଗତିଶୀଳ । ସେମାନଙ୍କ ମାନସିକ ସୌନ୍ଦର୍ଯ୍ୟରେ ବ୍ୟଥା ଓ ବିଦ୍ରୋହ, ମୁକ୍ତି ଓ ସଂସ୍କାର ପାଇଁ ବ୍ୟାକୁଳତା, ବିଶେଷରୂପେ ହୃଦୟଗ୍ରାହୀ ।

Unknown

 

‘‘ଆଦିମ ଓ ଶତରୂପା’’ର ଆବେଦନ ସ୍ୱତନ୍ତ୍ର । ଏହାକୁ ଏକ ପୌରାଣିକ ଗଳ୍ପ ବୋଲି ଆଖ୍ୟାୟିତ କରାଯାଇପାରେ । ପୁରାଣଗର୍ଭର ‘ଆଦାମ’ ଓ ‘ଇଭ’ ବା ‘ଆଦିପୁରୁଷ’ ଓ ‘ଆଦିନାରୀ’ ନିଷିଦ୍ଧ ବୃକ୍ଷର ଫଳ’ ଖାଇ ସ୍ୱର୍ଗୋଦ୍ୟାନରୁ ନିର୍ବାସିତ ହେବାର ରୂପକଥାକୁ ଆଲୋଚ୍ୟ ଗଳ୍ପରେ ଆାଂଶିକ ଭାବରେ ଗ୍ରହଣ କରାଯାଇଛି । ସୃଷ୍ଟିର ପ୍ରଥମ ପର୍ଯ୍ୟାୟରେ ଏହି ଆଦ୍ୟସତ୍ତା ଦୁଇଟିକୁ ଲେଖକ ‘ଆଦିମ’ ଓ ‘ଶତରୂପା’ ନାମରେ ନାମିତ କରିଛନ୍ତି । ସେ ଦୁହିଁଙ୍କର ଅବାଧ ବନ୍ୟଜୀବନ ମଧ୍ୟରେ ନିର୍ବାସନର ତିକ୍ତ ସ୍ମୃତି ନାହିଁ, କିମ୍ବା ନିଷିଦ୍ଧ ଫଳ ଭୋଜନର ଅଭିଶାପ ନାହିଁ; ବରଂ ବିଚିତ୍ର ବୃକ୍ଷର ଏକ ଲୋଭନୀୟ ଫଳ ଆସ୍ୱାଦନରେ ‘ସଂହାର’ ସହିତ ‘ସୃଷ୍ଟି’ର ମିଳନ ଘଟିଛି । ଯୁଗାଲୋକରେ ଉଜ୍ଜ୍ୱଳ ଆଦିମ ଓ ଶତରୂପା ମଧ୍ୟରେ କଥାକାର, ଯଥାକ୍ରମେ ଶକ୍ତି ଓ ସୌନ୍ଦର୍ଯ୍ୟର କ୍ରମପରିଣାମ ଲକ୍ଷ୍ୟ କରିଛନ୍ତି । ମନୁଷ୍ୟର କ୍ଷୁଧା, ସଂଗ୍ରାମ ଓ ପ୍ରଜନନର ବିକାଶଧାରାରେ ଉକ୍ତ କ୍ରମପରିଣତିର ଇତିହାସ ବିଶେଷ ଅର୍ଥପୂର୍ଣ୍ଣ । କାରଣ ପ୍ରାଗୈତିହାସିକ କାଳରୁ ଆଜିଯାଏ ନାରୀ ଓ ପୁରୁଷ ମଧ୍ୟରେ ଥିବା ଆକୃତିଗତ ସ୍ୱାତନ୍ତ୍ର୍ୟ ହେତୁ ଗୋଟିକୁ ଛାଡ଼ି ଅନ୍ୟଟିର କଳ୍ପନା, ଏପରି କି ସୃଷ୍ଟି କଳ୍ପନା ମଧ୍ୟ ଅସମ୍ଭବ, ତାହା ହେଉଛି ପୁରୁଷର ଅଶାନ୍ତ ଶକ୍ତି, ତୃପ୍ତିହୀନ କ୍ଷୁଧା ଓ ନାରୀର ସୌନ୍ଦର୍ଯ୍ୟମୋହ ତଥା ସୃଷ୍ଟିପିପାସା । ଶକ୍ତି ଓ ସୌନ୍ଦର୍ଯ୍ୟର ସମନ୍ୱୟ ବ୍ୟତୀତ ଯୁଗଯୁଗାନ୍ତର ପୃଥିବୀ କିପରି ବନ୍ଧ୍ୟା, ତାହା ଆଦିମ ଓ ଶତରୂପାର ପ୍ରାଥମିକ ଜୀବନରେ ପରିସ୍ଫୁଟ । ସୁତରାଂ ଶକ୍ତିଲାଗି ସୌନ୍ଦର୍ଯ୍ୟର ବା ସୌନ୍ଦର୍ଯ୍ୟ ପାଇଁ ଶକ୍ତିର ବ୍ୟାକୁଳତା ଅତ୍ୟନ୍ତ ବାସ୍ତବ ଓ ପ୍ରାକୃତିକ । ଏ ବ୍ୟାକୁଳତାର ଅନ୍ତର୍ଧ୍ୱନି ପୂର୍ବରୁ ଆଦିମହିଁ ଆଦିମ, ଶତରୂପାହିଁ ଶତରୂପା । ଦୁହିଁଙ୍କର ଶକ୍ତି ବା ରୂପରେ କୌଣସି ବୈଚତ୍ର୍ୟ ନଥିଲା । ତାହା ଯେପରି କାଳର ବିସ୍ତୃତ ବକ୍ଷରେ ଦୁଇଟି ସଲଜ୍ଜ ସମାନ୍ତରାଳ ରେଖା । ଅରଣ୍ୟରୁ ଅରଣ୍ୟ ବୁଲି ଆଦିମ ଖାଦ୍ୟ ଅନ୍ୱେଷଣ କରି ଚାଲିଛି । ‘‘ପଥରରେ ପଥର ଘଷି ନିଆଁର ଫୁଲ୍‌କୀ’’ କାଢ଼ିଛି । ସେଇଥିରେ ତା’ର ପରିତୃପ୍ତି । ଆଉ ଶତରୂପା, ଗିରିନିର୍ଝରିଣୀ ତଟରେ ବସି ରୂପ ଓ ଶୃଙ୍ଗାରର ମାୟାଜାଲ ବୁଣିଛି । ସେଇଥିରେ ତା’ର ଆନନ୍ଦ ।

 

ଉକ୍ତ ଆଦିମ ତୃପ୍ତି ଓ ଆନନ୍ଦ ଭିତରେ ସୃଷ୍ଟି ସ୍ୱପ୍ନକୁ ଜାଗ୍ରତ କରିବା ପାଇଁ ଗାଳ୍ପିକ ଶତରୂପାର କବରୀଭୂଷିତ ନବ କିଶଳୟରେ ବନମୃଗର ଲୋଳଜିହ୍ୱା ସଂଚାରଣକୁ ସ୍ୱାଭାବିକ ପରିସର ମଧ୍ୟରେ କଳ୍ପନା କରିଛନ୍ତି । ତାଙ୍କର ସାର୍ଥକ ଉଦ୍‌ଭାବନାରେ ମୃଗର ଆତୁରଜିହ୍ୱା ବେଳେ ବେଳେ ଶତରୂପାର ଗ୍ରୀବା ସ୍ପର୍ଶକରି ତାହାର ବିଚିତ୍ର ଅନୁଭୂତିରେ ସୃଷ୍ଟିର ପ୍ରଥମ ରୋମାଞ୍ଚ ଖେଳାଇ ଦେଇଛି । ତାହାପରେ ତା’ ପ୍ରାଣରେ ଦେଖାଦେଇଛି ଏକ ଅନାଗତର ସ୍ପର୍ଶଲାଗି ଉତ୍କଣ୍ଠିତ ପ୍ରତୀକ୍ଷା । ନାରୀ ହୃଦୟରେ ନିଷ୍ଫଳା ପୃଥିବୀକୁ କଲ୍ୟାଣମୟ କରିବାର ଏ ଉନ୍ମାଦନା ଯେତିକି ଆକସ୍ମିକ, ସେତିକି ବାସ୍ତବ । ଘଟଣା ତରଙ୍ଗରେ ସାମାନ୍ୟ ଟିକେ କମ୍ପନ ତୋଳି ଲେଖକ ଏ ଅପୂର୍ବ ସିଦ୍ଧିର ଅଧିକାରୀ ହୋଇପାରିଛନ୍ତି । ଶତରୂପାର ଅନ୍ତରରେ ଆଦିମ ପାଇଁ ଏ ବିହ୍ୱଳତା, କଥାକାରଙ୍କର ସୃଷ୍ଟିସ୍ୱପ୍ନର ଗୋଟିଏ ମାତ୍ର ବେଦନାତୁର ସ୍ପର୍ଶ ସାହାଯ୍ୟରେ ଜୀବନ୍ତ ହୋଇପାରିଛି ।

 

ଆଦିନାରୀର ଏ ଆକର୍ଷଣରେ ଆଦିମର ହୃଦୟ ସ୍ପନ୍ଦିତ ହୋଇ ନାହିଁ । କାରଣ ସେ (ଆଦିମ) ଅନ୍ୟକୁ ଜଳାଇଛି ସିନା, କିନ୍ତୁ ନିଜେ କେବେ ଅନ୍ୟ ପାଇଁ ଜଳିନାହିଁ । ଆକର୍ଷଣ ସଙ୍ଗେ ସ୍ପନ୍ଦନହୀନ ଏ ପାଷାଣତାର ଅଦ୍ଭୁତ ପରିକଳ୍ପନା, ଶତରୂପାକୁ ଅଭିମାନିନୀ କରି ତାହାର ମାନସିକ କ୍ଷୁଧାକୁ ତୀବ୍ର କରିଦେଇଛି । ହେଲେହେଁ ତାହାର ଉଦ୍ଦାମ ସୃଷ୍ଟି ସଂକଳ୍ପକୁ ଜାଳିପୋଡ଼ି ନିଶ୍ଚିହ୍ନ କରି ଦେଇପାରି ନାହିଁ । ବାରମ୍ୱାର ବିଫଳ ହୋଇଥିଲେ ମଧ୍ୟ ତାହାର ସୃଷ୍ଟିସ୍ୱପ୍ନକୁ ସାର୍ଥକ କରିବା ପାଇଁ ସେ ନିଷ୍ଠୁର ପରୀକ୍ଷାର ସମ୍ମୁଖୀନ ହୋଇଛି । କେତେବେଳେ କବରୀର ରକ୍ତପଲାଣ କାଢ଼ି ତଳେ ଫିଙ୍ଗିଦେବାରେ ବା କେତେବେଳେ ଆଦିମର ଶକ୍ତ ମାଂସପେଶୀଗୁଡ଼ିକୁ କରସଂଚାଳନ କରି ଉତ୍ତେଜନାରେ ଅଧୀର କରିବାର କାମନାରେ ତାହାର ନାରୀତ୍ୱର ସୂକ୍ଷ୍ମରୂପ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସୃଷ୍ଟିର ଘାତପ୍ରତିଘାତ ମଧ୍ୟରେ ସ୍ରଷ୍ଟାର ସଂକଳ୍ପ କିଭଳି ଦୃଢ଼ ଓ ଅବିଚଳତ, ତାହା ଶତରୂପା ଚରିତ୍ରର ଗତିଶୀଳତାରେ ପ୍ରତ୍ୟକ୍ଷୀଭୂତ ।

 

ଆଦିମ ଯେତେ ଅନୁଭୂତିହୀନ ହେଲେହେଁ ପରିଶେଷରେ ସୌନ୍ଦର୍ଯ୍ୟର ବିଶ୍ୱବ୍ୟାପୀ ପ୍ରକାଶକୁ ସେ ଉପେକ୍ଷା କରିପାରି ନାହିଁ । ଶତରୂପାର ସୌନ୍ଦର୍ଯ୍ୟରେ ନ ହେଲେ ମଧ୍ୟ ବିଚିତ୍ର ବୃକ୍ଷର ଅପରୂପ ଫଳ ଦର୍ଶନରେ ଶକ୍ତି ଭିତରେ ସୌନ୍ଦର୍ଯ୍ୟର ଲାଳସା ପ୍ରବଳ ହୋଇଉଠିଛି । ବିଚିତ୍ର ବୃକ୍ଷର ତୀବ୍ର ମଧୁରଫଳ ଆସ୍ୱାଦନ ପରେ ପଶୁ ପରି ନିଷ୍ଠୁର ଆଦିମ, ଶତରୂପା ନିକଟରେ ବାଧ୍ୟ ଶିଶୁଟି ପରି ଧରାଦେଇଛି । ‘‘ପର୍ଣ୍ଣପୁଟର ସୁପକ୍ୱ ଫଳ’’, ‘‘ମୃଗଚର୍ମର କୋମଳ ଅଙ୍ଗାଭରଣ’’ ବା ସମୁଦ୍ରଗର୍ଭର ମଣିମୁକ୍ତା ଧରି ସେ ସମୟକୁ ସମୟ ସୌନ୍ଦର୍ଯ୍ୟର ପାଦତଳେ ଶରଣଭିକ୍ଷା କରିଛି । ଆଦିମର ମାନସିକ ବୃତ୍ତିରେ ଶକ୍ତିର ସେ ପୂର୍ବ ରୁକ୍ଷତା ନାହିଁ, ସଂହାର ପାଇଁ ଅନମିତ ସଂକଳ୍ପ ନାହିଁ, କେବଳ ଆତ୍ମସମର୍ପଣର କୋମଳତା–ଶକ୍ତି ସହିତ ନିଜେ ମିଶିଯିବା ପାଇଁ କାତର ଅଶ୍ରୁର ଉଦ୍‌ବେଳନ । ଆଦିମ ସହିତ ଶତରୂପାର ଏ ନାଟକୀୟ ମିଳନରେ ଶକ୍ତି ଓ ସୌନ୍ଦର୍ଯ୍ୟତତ୍ତ୍ୱର ଯାବତୀୟ ରହସ୍ୟ, ଯେପରି ଦୁଇଟି ରୂପକଳ୍ପ ମାଧ୍ୟମରେ ପ୍ରକାଶଲାଭ କରିଛି । ଏ ମିଳନକୁ ଦୈହିକ କାମନାର ପୂର୍ତ୍ତି ବା ପ୍ରେମ, ଯେଉଁ ନାମରେ ଡାକିଲେ ମଧ୍ୟ ତାହାର ଉତ୍ପତ୍ତିର ମାନସିକ ଧାରା ନିର୍ଣ୍ଣୟରେ ଲେଖକଙ୍କର ଅନୁସନ୍ଧିତ୍ସାକୁ ସ୍ୱାଗତ ନ କରି ରହିହୁଏ ନାହିଁ । କାରଣ ଦୁଇଟି ବନ୍ୟଚରିତ୍ରର ସ୍ଥୂଳତା ମଧ୍ୟରେ ସୃଷ୍ଟିଚକ୍ରର ପ୍ରେମ ଓ ପ୍ରୟୋଜନର ସୂକ୍ଷ୍ମ ଚେତନାକୁ ଗଭୀରରୁ ଗଭୀରତର କରି ସ୍ଥାୟୀ ମୂଲ୍ୟଦେବା ବାସ୍ତବରେ କଷ୍ଟକର । ସେହିପରି ବିଦ୍ୟଦୃଷ୍ଟି ଓ ସୂକ୍ଷ୍ମବୋଧର ଅଧିକାର ନ ହୋଇଥିଲେ ସ୍ରଷ୍ଟା ପକ୍ଷରେ ଏପରି ସୃଷ୍ଟିରେ ହାତଦେବା ଯଥାର୍ଥରେ ପରୀକ୍ଷାର ବିଷୟ । ‘‘ଆଦିମ ଓ ଶତରୂପା’ର ଛବିଳ ଚାରିତ୍ରିକ ବିକାଶ, ଗଳ୍ପର ସାବଲୀଳ ଗତି ଓ ପ୍ରଖର ମାନସିକ ଆଲୋଡ଼ନ ଭିତରେ ଲେଖକ ସେ ପରୀକ୍ଷାରେ ହାତଦେଇ ଅପୂର୍ବ ସାଫଲ୍ୟମଣ୍ଡିତ ହୋଇଛନ୍ତି । ତେଣୁ ପୌରାଣିକ ପରିବେଶରୁ ଆହୁତ ଆଦିମ ଓ ଶତରୂପାରେ ସୁରେନ୍ଦ୍ରଙ୍କର ସିଦ୍ଧି ଅସାମାନ୍ୟ । ଭବ୍ୟ ସୃଷ୍ଟି ପାଇଁ ତାଙ୍କର ଆଗ୍ରହ, ଶତରୂପା ଓ ଆଦିମର ରାରିତ୍ରିକ ଆବେଗ ମଧ୍ୟରେ ବେଶ୍‌ ସ୍ୱଭାବସୁନ୍ଦର ଓ ଶକ୍ତିଶାଳୀ । ମାନବସଭ୍ୟତାର ଇତିହାସରେ ରହସ୍ୟମୟ ଏ ସତ୍ୟଟିକୁ ସର୍ବଗ୍ରାହୀ କରାଇବାରେ କଥାକାରଙ୍କର ପ୍ରୟାସ, ଓଡ଼ିଆ ସାହିତ୍ୟରେ ଆଦର୍ଶ ସ୍ଥାନୀୟ । କାହ୍ନୁଚରଣଙ୍କର ‘ଶର୍ବରୀ’ ର ଔପନ୍ୟାସିକ ସ୍ୱପ୍ନ, ଏ ଦିଗରେ ଗତି କରିଥିଲେ ମଧ୍ୟ ଆଲୋଚ୍ୟ ଗଳ୍ପର ଏକମୁଖୀତା ଓ ଚେତନଶୀଳତା ଅଭାବରୁ ତାହା ଇତିହାସ ବକ୍ଷର ଅନ୍ଧକାର ଭିତରୁ ମାନବ ସଭ୍ୟତାର ପ୍ରଥମ ଆଲୋକ ଅନ୍ୱେଷଣରେ ବ୍ୟସ୍ତ । ଜୀବନବୋଧର ରମ୍ୟତା ଓ ଆବେଗସୁଲଭ ସୌନ୍ଦର୍ଯ୍ୟର ବିଚିତ୍ର ଅନୁଭୂତି, ସେଠି ସମ୍ଭବ ହୋଇପାରି ନାହିଁ ।

 

‘‘ବରଜୁଷେଣ୍ଢ ଘାଇ’’ରେ ଓଡ଼ିଶାର ବନ୍ୟାପୀଡ଼ିତ ଅଞ୍ଚଳର ପ୍ରତ୍ୟକ୍ଷ ଅନୁଭୂତି ପ୍ରକାଶ ପାଇଅଛି । କରାଳୀର ଭୟଙ୍କର ବନ୍ୟାରେ ତ୍ରିକୋଣଭୂମିଦେଶର ମଣିଷ, ପ୍ରାଣରକ୍ଷା ପାଇଁ କିପରି ସଂଗ୍ରାମରତ, ତାହାର ନିଖୁଣ ଛବି ଧରି ଗଳ୍ପଟି ଚିରସମୃଦ୍ଧ । ଏହି ପରିସ୍ଥିତିରେ ଏକପକ୍ଷରେ ରାଜନୀତିକ ଦଳର ବଳ କଷାକଷି ଯେପରି ହୃଦୟହୀନତାର ପରିଚୟ, ଅନ୍ୟ ପକ୍ଷରେ ଇତିହାସ-ବିହୀନ ହରି ମାଷ୍ଟରଙ୍କ ସେବା ସେହିପରି ସହୃଦୟତାର ନିଦର୍ଶନ । କରାଳୀର ବନ୍ୟାର୍ତ୍ତ ଜନତାର ଚିତ୍କାର ଭିତରେ ଦଳ ଓ ବ୍ୟକ୍ତି ଚରିତ୍ରର ଏ ବୈଷମ୍ୟ ଲେଖକଙ୍କର ଗଭୀର ଅନୁଧ୍ୟାନର ବିଷୟ ହୋଇ ପଡ଼ିଛି । ବରଜୁଷେଣ୍ଢ ଘାଇ ଭାଙ୍ଗିବାରେ ମୂଷା କି ମନ୍ତ୍ରୀମାନେ ଦାୟୀ, ଏ ନେଇ ସରକାରୀ ବିରୋଧିଦଳର ବିବୃତିରେ ଯେତେ ବୌଦ୍ଧିକ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ଏହା ହୀନ ରାଜନୈତିକ ପଶାଖେଳ ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ସେ ପରୋକ୍ଷଭାବରେ ଘୋଷଣା କରିଛନ୍ତି-। କରାଳୀର ବହୁମୁଖୀ ଆନିକଟରେ ଆମ ଯୋଜନାର ବ୍ୟର୍ଥତା ଓ ଅଦୂରଦର୍ଶିତା ତାଙ୍କର ଦୃଷ୍ଟି ଏଡ଼ାଇ ପାରି ନାହିଁ । ଜନମଙ୍ଗଳକୁ ବୃତ୍ତିରୂପେ ଗ୍ରହଣ କରିଥିବା ଦେଶସେବୀ ସଂପ୍ରଦାୟକୁ ସେ ଜୀବନମରଣର ଘଡ଼ିସନ୍ଧିବେଳେ ସେମାନଙ୍କର ରାଜନୈତିକ ବାଚାଳତା ପାଇଁ କ୍ଷମା ଦେଇପାରିନାହାନ୍ତି । ନୂତନ ବନ୍ଧ ରକ୍ଷାଲାଗି ମରହଟ୍ଟା କାଳର ଅନାମଧେୟ ଓଡ଼ଚଷା ବରଜୁଷେଣ୍ଢର ଆତ୍ମବଳିକୁ ସେ ସମୂହସେବାର ଜ୍ୱଳନ୍ତ ଆଦର୍ଶରୂପେ ବାଛି ନେଇଛନ୍ତି । ତେଣୁ ଦଳଗତ ପ୍ରତାରଣାର ସେବାଅଭିନୟ ବିରୁଦ୍ଧରେ ତ୍ୟକ୍ତିଗତ ଆତ୍ମୋତ୍ସର୍ଗର ଏ ସଜଳ କାହାଣୀ, ଗଳ୍ପର ଘଟଣାସ୍ରୋତକୁ ପ୍ରଚ୍ଚ୍ଥନ୍ନ ବିଦ୍ରୂପରେ ରଂଜିତ କରିବା ଅସ୍ୱାଭାବିକ ନୁହେଁ ।

 

ବାସ୍ତବ ଜଗତର ସବୁ ନୀଚତା ଓ ଶଠତାର ଊର୍ଦ୍ଧ୍ୱରେ ରହି ଜୀବନର ଜୟଗାନ କରିବା, ମାନବର ଧର୍ମ ବୋଲି ସେ ବିଶ୍ୱାସ କରିଛନ୍ତି । ତାଙ୍କର ଏହି ବିଶ୍ୱାସର ପ୍ରତୀକ ହେଉଛନ୍ତି ହୀରାଧରପୁର ନି: ପ୍ରା: ସ୍କୁଲ୍‌ର ଶିକ୍ଷକ ହରିମାଷ୍ଟର । ‘‘ ଏ ଅଞ୍ଚଳରେ ସେ କେବଳ ଜଣେ ବ୍ୟକ୍ତି ନୁହନ୍ତି-ଗୋଟିଏ ଅନୁଷ୍ଠାନ ।’’ ଘରପୋଡ଼ି, ବନ୍ୟା, ମହାମାରୀଠାରୁ ଆରମ୍ଭ କରି ଯେ କୌଣସି ଦୁର୍ଘଟଣା ଓ ସୁଘଟଣାର ପୁରୋଭାଗରେ ଏ ଚରିତ୍ରଟିର ଅବସ୍ଥାନ ବାସ୍ତବରେ ବୈଚିତ୍ର୍ୟପୂର୍ଣ୍ଣ । ଗାଳ୍ପିକଙ୍କ ଭାଷାରେ, ‘‘ହରିମାଷ୍ଟର କେବଳ ଶିକ୍ଷକ ନୁହନ୍ତି, ସେ ମଧ୍ୟ ଜଣେ ଛୋଟିଆ ହୋମିଓପାଥିକ ଡାକ୍ତର ।’’

 

X            X            X

 

‘‘ସ୍କୁଲରେ ଥିବା ସମୟତକ ଖଣ୍ଡେ ଆଣ୍ଠୁ ନ ଲୁଚା ଲୁଗା ଓ ଫତେଇ ପିନ୍ଧିଲେହେଁ, ଅନ୍ୟ ସମୟରେ ପ୍ୟାଣ୍ଟ, କୋଟ ପିନ୍ଧି ବେକରେ ଷ୍ଟେଥୋସ୍କୋପ୍‌ ଝୁଲାଇ, ପରମ ଉତ୍ସାହରେ ସେ ବ୍ୟାଧିର ନିଦାନଠାରୁ ଆରମ୍ଭ କରି ରୁଷିଆ ଓ ଆମେରିକା ମଧ୍ୟରେ ବିବାଦର ସଦ୍ୟ କାରଣ ଓ ଚନ୍ଦ୍ରମଣ୍ଡଳକୁ ମଣିଷର ଅଭିଯାନ ସମ୍ୱନ୍ଧରେ ନାନା ତଥ୍ୟ ଶୁଣାଇ, ନିଜ ଶ୍ରୋତାମାନଙ୍କୁ ଅଭିଭୂତ କରିଦିଅନ୍ତି ।’’–(ପୃ. ୭୬-୭୭) ଏଥିପାଇଁ ତାଙ୍କ ପଛରେ ତାଙ୍କୁ ‘‘କ୍ୱାକ୍‌’’, ପାଗଳ ଓ ବାହାପିଆ କହି ଲୋକମାନେ ତାଙ୍କୁ ଥଟ୍ଟାପରିହାସ କରିଥାଆନ୍ତି । ତଥାପି ବହୁ ଲୋକଙ୍କର ହାସପରିହାସର ପାତ୍ର ହାଡ଼ଗିଳା ଚେହେରାବିଶିଷ୍ଟ ଏ ମଣିଷଟି ଭିତରେ ଏପରି କିଛି ନିଜସ୍ୱ ଥିଲା, ଯାହା ତାଙ୍କୁ ‘‘ବରଜୁଷେଣ୍ଢ ଘାଇ’’ରେ ଦୁର୍ଲଭ ଚରିତ୍ର କରି ଥୋଇ ଦେଇଛି । ନିର୍ବୋଦଗ୍ରସ୍ତ ଏ ଜୀବନଟା ସାମୂହିକ ସଙ୍କଟବେଳେ ଏକ ନୂତନ ଉନ୍ମାଦନା ଓ ପ୍ରାଣଶକ୍ତିରେ ସଞ୍ଜୀବିତ ହୋଇ ଉଠେ । ଅତୀତ ଓ ଭବିଷ୍ୟତହୀନ ଏ ମଣିଷଟି ପାଇଁ ସାମାଜିକ ବିପତ୍ତି, ଆତ୍ମପ୍ରକାଶର ଏକ ସୁଯୋଗ ହୋଇପାରେ ସତ, ମାତ୍ର ଏ ନିରୀହ ଆତ୍ମପ୍ରକାଶତଳେ କ୍ଷମତାମୋହର ସଂକୀର୍ଣ୍ଣତା ବା ଜନନେତାର କୁମ୍ଭୀରକାନ୍ଦଣା ନାହିଁ । ଅଲୋଡ଼ା ଜୀବନର ନିବୁଜ୍‌ ଅନ୍ଧକାର ଭିତରେ ନିଜକୁ ଆବିଷ୍କାର କରିବାର ସରଳ ମାଦକତାରେ ଏହା ପରିପୂର୍ଣ୍ଣ । ଘରର ଛାତ ଉପରେ ବସିଥିବା ବନ୍ୟାବିପନ୍ନ ଲୋକଙ୍କ ପାଇଁ ‘‘ମା’ ଭୈଃ’’ର ଏ ଧ୍ୱନି, ଯେ କୌଣସି ଦେଶସେବକର ଧ୍ୱନି ଅପେକ୍ଷା ଅଧିକ ସତ୍ୟ ଓ ଅଧିକ ନିର୍ଭରଶୀଳ । ତେଣୁ ଏ ଚରିତ୍ରର ଗତିବିଧି ବହୁସ୍ଥଳରେ ହାସ୍ୟଜନକ ହୋଇଥିଲେ ମଧ୍ୟ ଏହା ନିର୍ଦ୍ଦୋଷ ଓ ଆମୋଦଦାୟକ । ସ୍ୱଭାବତଃ ସହନଶୀଳ ହେଲେବି ପ୍ରତି ରାଜନୈତିକଦଳ ଏ ବ୍ୟକ୍ତିଟିକୁ ନିଜ ଦଳଭୁକ୍ତ କରିବା ଲାଗି ଆୟାସ କରୁଥିବାବେଳେ, ଏହାର ଦେହ ଓ ମନରେ ଅସହିଷ୍ଣୁତା ଭରିଦେଇ କଥାକାର ଏ ଚରିତ୍ରଟିର ବୈଶିଷ୍ଟ୍ୟ ଦର୍ଶାଇବା ସଙ୍ଗେ ସଙ୍ଗେ, ଭଣ୍ଡ ଦେଶସେବକମାନଙ୍କ ପ୍ରତି ନିଜର ଘୃଣା ପ୍ରକାଶ କରିବାକୁ ସୁଯୋଗ ପାଇଛନ୍ତି ।

 

ଏ ଚରିତ୍ରଟିକୁ ସେ ଅଧିକାଂଶ କ୍ଷେତ୍ରରେ ହାସ୍ୟରସସିକ୍ତ କରିଥିଲେ ମଧ୍ୟ ଏହାର ଅହଂକାର ହୀନ ନିଜତ୍ୱକୁ ସେ ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇ ଆସିଛନ୍ତି । ତେଣୁ ମାଳୀପୁର ଶାସନର ଅଗ୍ନିକାଣ୍ଡ ମଧ୍ୟରେ ଲୋକଙ୍କ ମନରେ ବିସ୍ମୟର ଯେଉଁ ପ୍ରଶ୍ନବାଚୀ ‘‘ଏହି ଚିରରୁଗ୍‌ଣ ଲହଲହକା, ଧଇଁଆ ଲୋକଦେହରେ ସେତେବେଳେ କୁଆଡ଼ୁ ଏତେ ଶକ୍ତି ଆସିଲା’’....ଇତ୍ୟାଦିରେ ଫୁଟିଉଠିଛି, ତାହା Goldsmithଙ୍କର Deserted villageରେ ପ୍ରକାଶ ପାଇଥିବା ତାଙ୍କ ଗାଁ ଅବଧାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଓ ସମ୍ୱେଦନାର କୌତୁକାବହ ଚିତ୍ର ସ୍ମରଣ କରାଇ ଦେଇଥାଏ । ଓଡ଼ିଶାର ଗ୍ରାମ୍ୟଜୀବନରେ ଏ ଚରିତ୍ରଟିର ମୃତ୍ୟୁ ନାହିଁ । ଶତ ଶତ ବାଧାବିଘ୍ନ ସମ୍ମୁଖରେ ମଣିଷର ଯେଉଁ ପ୍ରାଣଶକ୍ତି, ଯୁଗେ ଯୁଗେ ନିଜକୁ ପ୍ରତିଷ୍ଠିତ କରି ଆସିଛି, ହରିମାଷ୍ଟର ତାହାରି ପ୍ରତିରୂପ । ପରୋକ୍ଷରେ ଗାଳ୍ପିକଙ୍କର ତିକ୍ତ ଜୀବନସଂଗ୍ରାମର ପଟ୍ଟଭୂମି ଉପରେ ହରିମାଷ୍ଟର ହୁଏତ ତାଙ୍କର ନିଜ ସାଧନା ଓ ଆଶାନୈରାଶ୍ୟର ଏକ ଆତ୍ମପ୍ରତିକୃତି ତେଣୁ ନିଜ ଅନ୍ତରର ସବୁ ସହାନୁଭୂତି ଓ କରୁଣତା ଦେଇ ସେ ଚରିତ୍ରଟିକୁ ଗଢ଼ି ଥୋଇଛନ୍ତି ।

 

ହୀରାଧରପୁର ନିଃ: ପ୍ରାଃ: ସ୍କୁଲର ଭଙ୍ଗା ଛାତତଳେ କନ୍ଥା ବିଛାଇ ଶୋଇଥିବା ହରିମାଷ୍ଟରଙ୍କୁ ତାଙ୍କର ପ୍ରାଣ ସହଚରମାନେ ମଧ୍ୟ ଶେଷଜୀବନରେ ଏକାକୀ କରି ତ୍ରିରଙ୍ଗୀ ପତାକାଦଳର ସଭାକୁ ପଳାଇ ଯାଇଛନ୍ତି । କିନ୍ତୁ ଯେଉଁ ସମ୍ୱେଦନଶୀଳ ଆତ୍ମାଟି ହରିମାଷ୍ଟରଙ୍କ ଶେଷ ଶଯ୍ୟାରେ ବସି ତାଙ୍କର ଅର୍ଥହୀନ ଜୀବନକୁ ଅଦୃଶ୍ୟ ଅଶ୍ରୁବିନ୍ଦୁରେ ସାର୍ଥକ କରିପାରିଛି, ସେ ଲେଖକ ଭିନ୍ନ ଅନ୍ୟ କେହି ନୁହନ୍ତି । ପଶ୍ଚିମ ଦିଗନ୍ତର ସୂର୍ଯ୍ୟାସ୍ତ ଭିତରେ ହରିମାଷ୍ଟରଙ୍କ ଜୀବନର ଜୟଗୀତିକା ଏବଂ ସବୁ ସଂଗ୍ରାମ ଓ ଶାନ୍ତିର ସଙ୍କେତ ଦେବା ମଧ୍ୟରେ ଉକ୍ତ ଚରିତ୍ରଟି ପାଇଁ ଲେଖକଙ୍କର ଅସୀମ ସହାନୁଭୂତିହିଁ ବିଶେଷ ଭାବରେ ଲକ୍ଷଣୀୟ ।

 

ଆମ ସମାଜର କୁସଂସ୍କାର, ଆମ ଯୋଜନାର ବ୍ୟର୍ଥତା ଓ ଆମ ନିର୍ବାଚନ ରାଜନୀତିର ଅମାନବତା, ବରଜୁଷେଣ୍ଢ ଘାଇର ଏକ ଏକ ପ୍ରତିପାଦ୍ୟ ବିଷୟ ହୋଇଥିଲେ ମଧ୍ୟ ଏସବୁ ମଧ୍ୟରେ ସମୂହକଲ୍ୟାଣ ଲାଗି ପ୍ରାଣ ଦେଇଥିବା ଦୁଇଟି ନାମହୀନ ବ୍ୟକ୍ତିର ନୀରବ ତ୍ୟାଗ ମୁଖ୍ୟସ୍ଥାନ ଅଧିକାର କରିଛି । ବରଜୁଷେଣ୍ଢ ଘାଇ ମୁହଁର ପଣ୍ଡୁଅ ବରଜୁ ଓ କରାଳୀର ବନ୍ୟାଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଯାଇ ଶେଷନିଃଶ୍ୱାସ ତ୍ୟାଗ କରିଥିବା ହରିମାଷ୍ଟ୍ରେ, ସେହି ଅନାହତ ସାଧନାର ଦୁଇଟି ନୀରବ ଫଳକ । ତ୍ରିକୋଣଭୂମିର ଦୁର୍ଗତ ବ୍ୟକ୍ତିଙ୍କ ଜୀବନରେ ମୃତ୍ୟୁବକ୍ଷରେ ବଞ୍ଚିବାର ଜୟନାଦ ପରି ଏ ଦୁଇଟି ବ୍ୟକ୍ତି, ଧ୍ୱଂସ ଅନ୍ତରାଳରେ ଶୁଭ ସର୍ଜନାର ଦୁଇଟି ସ୍ପନ୍ଦନ । ସମାଜର ଚିତ୍ତବୃତ୍ତିରେ ଏମାନଙ୍କର ସ୍ଥିତି ଅସ୍ୱୀକାର୍ଯ୍ୟ–ଏହା ଉଦ୍‌ଘୋଷଣ କରିବାକୁ ‘ବରଜୁଷେଣ୍ଢ ଘାଇ’ର କଳ୍ପନା ବିଚିତ୍ର ଓ ସୁସଂଗତ । ଫକୀରମୋହନ ଯୁଗ ବା ବାରୁଣୀଯୁଗର (କାନ୍ତକବି ଯୁଗ) ବର୍ଣ୍ଣନାରୀତି ଅନୁସୃତ ହୋଇଥିଲେ ମଧ୍ୟ ଗଳ୍ପଟି ଆଧୁନିକ ରୁଚିସମ୍ପନ୍ନ ହୋଇପାରିଛି । ବିଷୟବସ୍ତୁ ସହିତ ଏକାତ୍ମକତା ଓ ଚରିତ୍ର ସଂଗଠନରେ ସୂକ୍ଷ୍ମତା ତଥା ସଂଯମ ଯୋଗୁଁ ଏହା ଚିରନ୍ତନ ମୂଲ୍ୟର ଅଧିକାରୀ ।

 

ଶୁଷ୍କ ବିଷୟବାଦୀ ଜୀବନର ପରିଣତି କି ଭୟଙ୍କର, ତାହା ‘‘କୁବେରର କବିତା’’ରେ ପ୍ରତିଫଳିତ । ସୋମନାଥଙ୍କର ଐଶ୍ୱର୍ଯ୍ୟମୟ ବର୍ତ୍ତମାନରେ, ପୌରୁଷର ଦୀପ୍ତି ଓ ଝଲକ ଅଛି । ଗତ ତିରିଶ ବର୍ଷ ମଧ୍ୟରେ ଅଦ୍ଭୁତ କର୍ମଶକ୍ତିର ପରାକାଷ୍ଠା ଦେଖାଇ ସେ ସାମାନ୍ୟ କିରାନୀ ଚାକିରୀରୁ ଉଠି ଉଠି ଡେପୁଟି ମାଜିଷ୍ଟ୍ରେଟ ହୋଇଛନ୍ତି । ଅବସରପ୍ରାପ୍ତ ଜୀବନରେ ଉଦ୍‌ଯୋଗୀ ପୁରୁଷର ସମସ୍ତ ସାର୍ଥକତା, ତାଙ୍କର ବୈଷୟିକ ସିଦ୍ଧିରେ ଫୁଟିଉଠିଛି । ତଥାପି ଲକ୍ଷ୍ମୀଛଡ଼ା ନୀଳମଣିର ବଂଶୀତାନରେ ସେ ଅଧୀର ହୋଇ ଉଠିଛନ୍ତି । ବଂଶୀର ଏହି ଏକଟଣା ମୂର୍ଚ୍ଚ୍ଥନା ଓ ଚୈତ୍ରରାତ୍ରିର ଜ୍ୟୋତ୍ସ୍ନା, ତାଙ୍କର ରକ୍ତଚାପପୀଡ଼ିତ ଦେହ ଓ ମନକୁ ହିଂସ୍ର ଉତ୍ତେଜନାରେ ଅଥୟ କରିଦେଇଛି । ପାଟପୁର ଗାଁରେ ଭାତଖିଆ ପହର ଗଡ଼ିଯିବା ପରେ ସମସ୍ତ ଗାଁଟା ଯେତେବେଳେ ନିଦରେ ଝିମେଇ ଆସୁଛି, ସେତେବେଳେ ଧନକୁବେର ସୋମନାଥଙ୍କର ଏ ମାନସିକ ନିର୍ଯ୍ୟାତନା, ବାସ୍ତବରେ ଦୁଃଖଦାୟକ । ବୋହୂ କନକଠାରୁ ଆରମ୍ଭ କରି ଖଳାବାଡ଼ିର ଧାନ ଛଣକୁ ଆଶ୍ରୟ କରି ନୀଳମଣି ସମ୍ୱନ୍ଧରେ ତାଙ୍କ ହୃଦୟରେ ବିଚିତ୍ର ସନ୍ଦେହର ଯେଉଁ କଳାଭୂତ ଦେଖାଦେଇଛି, ତାହା ଯାନ୍ତ୍ରିକ ସଭ୍ୟତାର ଆଧୁନିକ ପୃଥିବୀରେ ଏକ ଅଭିଶାପ ସ୍ୱଚ୍ଚ୍ଥନ୍ଦ ଜୀବନପ୍ରବାହକୁ ଜାଣି ଜାଣି ଅସମ୍ଭବ ଭାବରେ ରୁଦ୍ଧ କରିଦେଇଥିବା ଧନପତିମାନଙ୍କ ପୀଡ଼ିତ ସ୍ନାୟୁଶିରାରେ ଏ ଚମକ, ଆଧୁନିକତାର ଏକ ନିଷ୍ଠୁର ନିର୍ଯ୍ୟାତନା । ନୀଳମଣିର ବାପଠାରୁ ତାହାର ଏକାନ୍ତ ଆପଣାର ଭିଟାମାଟି ଖଣ୍ଡକ କଣ୍ଟବନ୍ଧକ ନେଇଯିବା ପରେ ମଧ୍ୟ ନୀଳମଣିକୁ ସେ ସର୍ବହରା କରିପାରିନାହାନ୍ତି-। ଉଦ୍‌ବାସ୍ତୁକ ନୀଳମଣିର ପ୍ରାଣପ୍ରାଚୁର୍ଯ୍ୟହିଁ ତାହାର ଶ୍ରେଷ୍ଠ ସମ୍ପଦ । ତେଣୁ କିଛି ନଥିବା ଭିତରେ, ସବୁଥିବାର ଯେଉଁ ଜୀବନସ୍ପନ୍ଦନ ସେ ପାଇଛି, ତାହାର ଅଭାବରୁ ଯୋଜନାଯୁଗର ବିଶ୍ୱ କିପରି ରିକ୍ତ, ତାହା ସୋମନାଥ ଚରିତ୍ରର ଅସରନ୍ତି ଦ୍ୱନ୍ଦ୍ୱ ମଧ୍ୟରେ ପ୍ରକାଶିତ । ତେଣୁ ଏକ ଦିଗରେ ସୋମନାଥଙ୍କର ଧନ ଓ ପ୍ରତିପତ୍ତିର ଜୀବନ ଯେପରି ହାସ୍ୟାସ୍ପଦ, ଅନ୍ୟ ଦିଗରେ ସବୁ ସଫଳତା ମଧ୍ୟରେ ବିଫଳତାର ଏ ହାହାକାର ସେହିପରି ବେଦନାମୟ । ଐଶ୍ୱର୍ଯ୍ୟଲୁବ୍‌ଧ ଜୀବନର ପାଗଳାମୀକୁ ଲେଖକ ଏ ଗଳ୍ପ ଜରିଆରେ ଉପହାସ କରିବା ଭିତରେ ତଥାକଥିତ ସମୃଦ୍ଧିର ଏ ଶୋଚନୀୟତା ପାଇଁ ସହାନୁଭୂତି ପ୍ରକାଶ କରିଛନ୍ତି ।

 

କଥାକାରଙ୍କର ଭାବପ୍ରବଣତା ସତ୍ତ୍ୱେ ସୋମନାଥଙ୍କର ମାନସିକ ଉତ୍ପୀଡ଼ନର ଚିତ୍ର ଅତ୍ୟନ୍ତ ବାସ୍ତବ ହୋଇପାରିଛି । ଗଳ୍ପର ପରିସ୍ଥିତିକୁ ଉଦ୍‌ଗ୍ରୀବ ଓ ଘଟଣାମୁଖର କରିବାରେ ଏହା ସହାୟକ । ଏ ଶତାବ୍ଦୀର ଗଭୀର ମର୍ମାନୁଭୂତି ଧରି ସୋମନାଥ ଚରିତ୍ରଟି ଚୀର ଉଜ୍ଜ୍ୱଳ । ଉତ୍କଟ ବସ୍ତୁବାଦୀ ସଭ୍ୟତାର ଭୟ, ଆଶଙ୍କା ଓ ମର୍ମଦହନ ଏ ଚରିତ୍ରଟି ମଧ୍ୟରେ ପୁଞ୍ଜୀଭୂତ ହୋଇ ରହିଛି-। ସ୍ୱତରାଂ ଏ ଯୁଗର ପୀଡ଼ିତ ଚେତନା ପାଇଁ ନୀଳମଣିର ବଂଶୀଧ୍ୱନି, ନିଷ୍କରୁଣ ବିଦ୍ରୂପ ପରି ବୋଧ ହେଉଥିଲେ ମଧ୍ୟ ଏଥିରେ ଆଗାମୀ ଜୀବନର ଶୁଭସଙ୍କେତ ଭରି ରହିଛି । ଆଧୁନିକ ସଭ୍ୟତାର ଜୀବନ୍ମୃତ୍ୟୁ ମଧ୍ୟରେ ଏହାହିଁ ଲେଖକଙ୍କର ଜାଗ୍ରତ ଚେତନାର ଅଭିବ୍ୟକ୍ତି । ‘‘କୃଷ୍ଣଚୂଡ଼ା’’ ଏବଂ ‘‘ତୃଷ୍ଣା ଓ ବିତୃଷ୍ଣା’’ ଭଳି ବହୁ ଗଳ୍ପରେ ସୁସ୍ଥ ଜୀବନାଦର୍ଶର ଏ ବାଣୀ ସାର୍ଥକ ଆବେଗ ମଧ୍ୟରେ ଦୃଢ଼ୀଭୂତ ।

 

ପୂର୍ବପ୍ରଦର୍ଶିତ ‘‘ଶେଷକବିତା’’ର ସ୍ୱର ‘‘ଜୀଅନ୍ତାଭୂତ’’ରେ ଅଧିକ ତୀବ୍ର ଓ ଅଧିକ ତୀକ୍ଷଣ-। ଏଥିରେ ଲେଖକଙ୍କର ଅନୁଭୂତିର କ୍ରମବିକାଶ ଓ ଉପଲବ୍‍ଧର ଗଭୀରତା ଲକ୍ଷ୍ୟ କରାଯାଇପାରେ । ଜୀବନସାରା ଅବହେଳିତ ମଧୁବନର ସାହିତ୍ୟକ ଗୋବର୍ଦ୍ଧନ, ମୃତ୍ୟୁଗର୍ଭରେ ହଠାତ୍‌ କିପରି ବିଖ୍ୟାତ ହୋଇ ଉଠିଛନ୍ତି, ତାହା ବର୍ଣ୍ଣନା କରିବା ମଧ୍ୟରେ କଥାକାର, ଏ ଦେଶର ସାହିତ୍ୟସଭା, ସମାଲୋଚନା ଓ ସ୍ମୃତିପୂଜାର ଅଦ୍ଭୁତ ରୂପ ଉଦ୍‌ଘାଟନ କରିଛନ୍ତି । ତାଙ୍କର ତୀର୍ଯକ ଭଙ୍ଗୀରେ ଆମ ସାହିତ୍ୟ ଓ ସାହିତ୍ୟିକମାଙ୍କର ବାସ୍ତବ ସମସ୍ୟା ସ୍ପଷ୍ଟ ହୋଇ ଉଠିଛି । ସାହିତ୍ୟ ଗ୍ରାହକ ଓ ପ୍ରକାଶକମାନଙ୍କର ଗତାନୁଗତିକ ସ୍ମୃତିପୂଜାର ଅଭିନୟକୁ ସେ ଛଲୋକ୍ତି ମାଧ୍ୟମରେ କଟୁ ସାମଲୋଚନା କରିଥିଲେ ମଧ୍ୟ ଏହା ହାସ୍ୟରସଶ୍ରିତ ଓ ଉପଭୋଗ୍ୟ । ଫକୀରମୋହନଙ୍କର ରୀତିରେ ହାସ୍ୟ ଓ ବ୍ୟଙ୍ଗର ଅବତାରଣା କରାଯାଇଥିବାରୁ ଏହା ସ୍ୱଭାବତଃ ରଚନାତ୍ମକ । ଏହାର ଅନ୍ତଃସ୍ଥଳରେ, ଲେଖକଙ୍କର ମର୍ମପୀଡ଼ା, ଗଭୀର ଅନୁଭୂତିସାପେକ୍ଷ । ‘‘ପ୍ରାୟ ଏକବର୍ଷତଳେ’’ ଗୋବର୍ଦ୍ଧନଙ୍କର ଶୋଚନୀୟ ମୃତ୍ୟୁ ସମ୍ବାଦ, ସହରର ଖବରକାଗଜମାନଙ୍କରେ କେଉଁ ଅନାମଧେୟ କୋଣରେ ପ୍ରକାଶ ପାଇଥିଲା । ଏ ଖବର ପ୍ରକାଶ ପାଇବାମାତ୍ରେ ଓଡ଼ିଶା ଅର୍ଥାତ୍‌ କଟକ ସହରର ସାହିତ୍ୟସେବୀମାନଙ୍କ ହୃଦୟରୁ ଯେଉଁ ଦୀର୍ଘଶ୍ୱାସ ଛୁଟିଥିଲା, ତାହାର ସତ୍ୟତା ସମ୍ୱନ୍ଧରେ ଲେଖକ ସନ୍ଦିହାନ । କାରଣ ଯେଉଁ ଦେଶରେ ଅନାହାର ଓ ଅନାଦର ମଧ୍ୟରେ ପ୍ରତିଭା ଓ ସାଧନାକୁ ଅକାଳରେ ମୃତ୍ୟୁମୁଖକୁ ଠେଲି ଦିଆଯାଏ, ସେଠି କବି, ଶିଳ୍ପୀ ବା ସାହିତ୍ୟିକମାନଙ୍କ ପାଇଁ ଶ୍ରାଦ୍ଧସଭା ବା ସ୍ମୃତିପୂଜାର ଆୟୋଜନ, କେବଳ ପ୍ରହସନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ଏଥିରେ ଶ୍ରୋତା, ବକ୍ତା ଓ ଆୟୋଜକଙ୍କର ଆତ୍ମପ୍ରକାଶର ସୁବର୍ଣ୍ଣସୁଯୋଗ ଘଟୁଥିବାରୁ ସେମାନଙ୍କ ମଧ୍ୟରେ ପ୍ରେତାନ୍ନଭୋଜୀମାନଙ୍କର ବଡ଼ ସାନ ବିଚାରର କଳହ ଆରମ୍ଭ ହୋଇଥାଏ । ଗୋବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ପ୍ରଥମ ଓ ଦ୍ୱିତୀୟ ଶ୍ରାଦ୍ଧସଭାର ଆତ୍ମ ବିଜ୍ଞପ୍ତି ଓ ସ୍ମରଣିକା ପ୍ରକାଶନର ବିଚିତ୍ରତାରୁ ଏହା ଦିବାଲୋକ ପରି ସ୍ପଷ୍ଟ । ଓଡ଼ିଶାକୁ ସାମ୍ୟବାଦର ଭୂମି କହି, ଏଠି ବ୍ୟକ୍ତିତ୍ୱର ମୂଲ୍ୟ ନିର୍ଣ୍ଣୟ ଲାଗି ପରଲୋକପ୍ରାପ୍ତିର ଆବଶ୍ୟକତା ସୂଚାଇବା ଭିତରେ ଲେଖକଙ୍କର ଶ୍ଳୋଷୋକ୍ତି ଅତ୍ୟନ୍ତ ନିର୍ଭୀକ ଓ ସଂବେଦନାପୂର୍ଣ୍ଣ । ସ୍ୱଦେଶ ସାହିତ୍ୟର ଦୁର୍ଗତି ଓ ସମସ୍ୟା ମୋଚନ କରିବା ଲାଗି ସଂସ୍କାରକର ଦିବ୍ୟଦୃଷ୍ଟିରେ ସେ ସାହିତ୍ୟିକ, ପ୍ରକାଶକ ଓ ଶ୍ରୋତା-ବକ୍ତା ପ୍ରଭୃତି ସମସ୍ତ ବ୍ୟକ୍ତିଙ୍କୁ ବୌଦ୍ଧିକ ତାଡ଼ନାରେ ଅସ୍ତବ୍ୟସ୍ତ କରିଦେଇଛନ୍ତି । ତାଙ୍କର ଅସାଧାରଣ କଳ୍ପନାର ‘ଜୀଅନ୍ତାଭୂତ’ କେବଳ ଦୁର୍ଦ୍ଦଶାଗ୍ରସ୍ତ ଗୋବର୍ଦ୍ଧନଙ୍କ ପାଇଁ ନୁହେଁ, ଆମ ଦେଶର ଶତ ଶତ ବଞ୍ଚିତ ଓ ଲାଞ୍ଛିତ ସାଧକମାନଙ୍କର ଦାବୀ ହାସଲ କରିବାକୁ ସଭାମଣ୍ଡପରେ ଛଦ୍ମ ସାହିତ୍ୟପ୍ରେମୀଗଣଙ୍କୁ ଯେଉଁ ଭର୍ତ୍ସନା କରିଛି, ତାହା ଲେଖକଙ୍କର ବିଦ୍ରୋହୀ ଆତ୍ମାର ଅଗ୍ନୀଉଦ୍‌ଗୀରଣ କହିଲେ ଚଳେ । ଏ ବିଚିତ୍ର ପ୍ରେତ ଦର୍ଶନରେ ଗଳ୍ପର ପରିସ୍ଥିତିରେ ଭୟ, ବ୍ୟାକୁଳତା ଓ ଚାଞ୍ଚଲ୍ୟ ଖେଳିଯାଇଥିଲେ ମଧ୍ୟ ଲେଖକ ସଭାମଣ୍ଡପରେ ତାହାର ଅନ୍ତର୍ଦ୍ଧାନ ଘଟାଇ ନାହାନ୍ତି । ସୃଷ୍ଟିଶୀଳ ଆତ୍ମାର ଏ ଚମଢ଼ଙ୍କା କଙ୍କାଳକୁ ସଭ୍ୟତାର ଗଳିକନ୍ଦିରେ ଛାଡ଼ି ସେ ଆମ ପ୍ରତିଭାର ନଗ୍ନରୂପ ଦେଖାଇବା ସଙ୍ଗେ ସଙ୍ଗେ ଆମ ଗ୍ରାହକତାର ନୀଚରୁଚିକୁ ଶତ ଧିକ୍‌କାର ଶୁଣାଇଛନ୍ତି । ଏ ଧିକ୍‌କାରର ଆଗ୍ନେୟସଙ୍କେତ ମଧ୍ୟରେ ସ୍ରଷ୍ଟାର ମାନସିକ ବିପ୍ଳବର ଉତ୍ତେଜନା ଅତ୍ୟନ୍ତ ଉଗ୍ର ଓ ବିଭୀଷିକାମୟ-। ‘‘କୋଟରଗତ ଆଖିରେ ନିଆଁ’’ ଧରି ଇଗଲର ପଞ୍ଝା ମେଲାଇ ବହୁକାଳର ଏ ଲାଞ୍ଛିତ କଙ୍କାଳ, ସମାଜର ମଳିନତାକୁ ଗ୍ରାସ କରିଦେବା ପାଇଁ ସତେ ଯେପରି ବ୍ୟଗ୍ର ଗତିରେ ଧାଇଁ ଚାଲିଛି ! ଏହିପରି ବହୁ ସରସ ଦୃଶ୍ୟରେ ଗଳ୍ପଟି ରୁଚିଯୋଗ୍ୟ ହୋଇପାରିଛି ।

 

ଓଡ଼ିଶାର ବ୍ୟଙ୍ଗସାହିତ୍ୟରେ ଏପରି ଦୁର୍ଲଭ ବ୍ୟଙ୍ଗବିଦ୍ରୂପର ଚିତ୍ର ଏକାନ୍ତଭାବେ ବିରଳ । ଏହା ଯୁଗୋପଯୋଗୀ ଓ ଯୁଗମାନସର ଏକ ନିର୍ଭୁଲ ପ୍ରତିଚ୍ଚ୍ଥବି । ସୁଦୀର୍ଘ ବର୍ଣ୍ଣନାଶୈଳୀ ସତ୍ତ୍ୱେ ଶୁଦ୍ଧହାସ୍ୟ ଓ ବ୍ୟଙ୍ଗବିଦ୍ରୂପର ବିଚକ୍ଷଣତା ଯୋଗୁଁ ଗଳ୍ପଟି ଅନୁପଭୋଗ୍ୟ ହୋଇ ନାହିଁ । ସ୍ଥଳବିଶେଷରେ ସୁରେନ୍ଦ୍ରଙ୍କର ପରୋକ୍ଷୋକ୍ତି ଓ ହାସ୍ୟରସପ୍ରିୟତା, ଫକୀରମୋହନଙ୍କର ଦକ୍ଷତାକୁ ବଳି ପଡ଼ିଥିବା ପରି ମନେହୁଏ । ଚଟୁଳତାରେ ନ ହେଲେ ମଧ୍ୟ ସଂସ୍କାରନିଷ୍ଠାରେ ଏହା ସେନାପତିଙ୍କ ବିଦ୍ରୂପ ଅପେକ୍ଷା ଅଧିକ କ୍ରିୟାଧର୍ମୀ ଓ ଅଗ୍ନିଗର୍ଭକ ।

 

‘‘ଅପରିଚିତର ପରିଚୟ’’ରେ ‘‘ମରୁଡ଼ି’’ ବା ‘‘ବରଜୁଷେଣ୍ଢ ଘାଇ’’ର ଦୃଷ୍ଟିଭଙ୍ଗୀ ଅକ୍ଷତ ଥିଲା ପରି ମନେହୁଏ । ପ୍ରାକୃତିକ ଜୀବନର ଶୁଭ୍ରସୁନ୍ଦର ଦିଗଗୁଡ଼ିକୁ ଗାଳ୍ପିକ ଯଥାରୀତିରେ ଏ ଗଳ୍ପରେ ଉପସ୍ଥାପିତ କରିଛନ୍ତି । ସେ ସୁନ୍ଦର ଗାଁରୁ କାଳିଘାଇ ମୁହାଣ ପର୍ଯ୍ୟନ୍ତ ହୁଲି ଖଣ୍ଡକରେ ଯାତ୍ରା କରିବା ମଧ୍ୟରେ ମାଳିପାଟଣାର ଯେଉଁ ବ୍ୟକ୍ତିଟି ବିଚିତ୍ର ରୀତିରେ ତାଙ୍କର ସାଥୀ ହୋଇଛି, ସେହି ଅନାମଧେୟ ଗ୍ରାମବାସୀଟି ଆଲୋଚ୍ୟ ଗଳ୍ପର ନାମହୀନ ନାୟକ । ତାହାର ସ୍ୱାଭାବିକ ଆଚରଣ ଓ ଗ୍ରାମୀଣତା ଭିତରେ ଯେଉଁ ରହସ୍ୟାଚ୍ଚ୍ଥନ୍ନ ବୈଶିଷ୍ଟ୍ୟଟି ତାକୁ ବହୁ ଚରିତ୍ରର ଊର୍ଦ୍ଧ୍ୱରେ ରଖିପାରିଛି, ତାହା ହେଉଛି ତାହାର ନିର୍ଲିପ୍ତ ଉଦାରତା ଓ ମହତ୍ତ୍ୱବୋଧ । ଅନ୍ୟମାନଙ୍କ ପରି ରିଲିଫ୍‌ କେନ୍ଦ୍ରରୁ ଭିକ୍ଷାଗ୍ରହଣ କରିବାକୁ ସେ ଆଗେଇ ଆସି ନାହିଁ ବା ଭଦ୍ରବେଶୀ ମାମଲତ୍‌କାରମାନଙ୍କର ଶଠବୃତ୍ତିକୁ ସେ ପସନ୍ଦ କରିପାରି ନାହିଁ । ତାହାର ଅମାର୍ଜିତ ସ୍ୱଭାବ ଓ ଚାଲିଚଳଣ, ସହରରୁ ଆସିଥିବା ଦେଶସେବୀ ଓ ରିଲିଫ୍‌ଦାତାମାନଙ୍କର ସନ୍ଦେହର ବିଷୟବସ୍ତୁ ହୋଇଥିଲେ ମଧ୍ୟ କାହାର ଅଭିସନ୍ଧିରେ ବିଚଳିତ ନ ହେବାର ବିକାରଶୂନ୍ୟ ମନୋଭାବ, ଏ ଚରିତ୍ରଟିକୁ ମହୀୟାନ କରି ଥୋଇଛି । କିମ୍ଭୂତକିମାକାର ଦେହ ଓ ଅଦ୍ଭୁତ ଆଚରଣତଳେ ଏ ବ୍ୟକ୍ତିଟିର ଜୀବନସତ୍ତା ଅତ୍ୟନ୍ତ ବଳିଷ୍ଠ । ତାହାର ସୁସ୍ଥ ଜୀବନବୋଧ, ଦୁଃଖଦୁର୍ଦ୍ଦଶା ଓ ମୃତ୍ୟୁକୁ ମଧ୍ୟ ଉପହାସ କରିବାକୁ ସମର୍ଥ । ନଦୀମାତୃକ ଦେଶଇ ମଣିଷ ଭାବରେ ନଦୀର କ୍ଷୀର ପିଇ, ନଦୀର ଦୟା ଓ ନିର୍ଦ୍ଦୟା ଭିତରେ ସେ କେବଳ ବିଶାଳତାର ଆତ୍ମପ୍ରତ୍ୟୟ ଦେଖିଛି । ତେଣୁ କରାଳୀ ବା କାଲିର ବନ୍ୟାରେ ଧ୍ୱଂସ ଅପେକ୍ଷା ସୃଷ୍ଟିର ସ୍ୱପ୍ନକୁ ସେ ଅଧିକ ସତ୍ୟ ବୋଲି ଜ୍ଞାନ କରିବା ସ୍ୱାଭାବିକ । ସୃଷ୍ଟି ପରେ ଧ୍ୱଂସ, ଧ୍ୱଂସ ପରେ ସୃଷ୍ଟି, ଦର୍ଶନରାଜ୍ୟର ଏ ସୂକ୍ଷ୍ମ ବ୍ୟାଖ୍ୟାକୁ ଉପକୂଳଭୂମିର ସନ୍ତାନ ବର୍ଷ ବର୍ଷ ଧରି ନଦୀର ଉତ୍ସର୍ଗରେ ପ୍ରତ୍ୟକ୍ଷ କରିଛି । ତେଣୁ ମାଳିପଡ଼ାର ଦରିଦ୍ର ପଲ୍ଲୀବାସିଟି ମନରେ ସାହସ ଓ ନିର୍ଭୀକତାର ଯେଉଁ ପରିଚୟ ଫୁଟିଉଠିଛି, ତାହା ଉକ୍ତ ପ୍ରତ୍ୟକ୍ଷ ଅନୁଭୂତିର ଫଳ । ଓଡ଼ିଶାର ନଦୀମାତୃଳ ଅଞ୍ଚଳରେ ଏ ପ୍ରାଣକଥାଟି, ସୁରେନ୍ଦ୍ରଙ୍କର ଜୀବନ ଅନୁଭୂତିର ଏକ ମୌଳିକ ଉଲ୍ଲେଖଯୋଗ୍ୟ ବାର୍ତ୍ତା । ତାହା ସେ ବିଭିନ୍ନ ଗଳ୍ପରେ ବହୁ ପରିସ୍ଥିତିର ଆଶ୍ରୟ ନେଇ ପ୍ରକାଶ କରିଅଛନ୍ତି । ବନ୍ୟାଞ୍ଚଳର ବୁଭୁକ୍ଷ ଜନତାର ଏ ନିଜତ୍ୱଟି ଓଡ଼ିଆ ସାହିତ୍ୟରେ ଅନ୍ୟ କେଉଁଠି ଏପରି ଗଭୀର ରେଖାପାତ କରିଥିବାର ଦୃଷ୍ଟାନ୍ତ ମୋ ଗୋଚରକୁ ଆସି ନାହିଁ ।

 

ମାଟି ମା’ର ସନ୍ତାନମାନଙ୍କର ଏ ଶାଶ୍ୱତ ସଂଗ୍ରାମ ମଧ୍ୟରେ ଦେଶପ୍ରେମର ବ୍ୟବସାୟୀମାନଙ୍କୁ ଲେଖକ ତୀବ୍ର ଆକ୍ଷେପୋକ୍ତି ସାହାଯ୍ୟରେ ଜର୍ଜରିତ କରିଛନ୍ତି । ସେମାନଙ୍କର କୃତ୍ରିମ ବ୍ୟକ୍ତିତ୍ୱ, ମାଳିପଡ଼ାର ଏ କୁଟୀରବାସୀର ତ୍ୟାଗ ଓ ମର୍ଯ୍ୟାଦା ନିକଟରେ ନଇଁପଡ଼ିଛି । ସଭ୍ୟମଣିଷର ସଂଶୟରେ ବିଦ୍ଧ ହୋଇ ମଧ୍ୟ ବୁଢ଼ୀଟି ପାଇଁ ସୋଲାଭଜା ଗଣ୍ଡେ ଆଣିବା ଭିତରେ, ନିଜ ଜୀବନକୁ ବିପନ୍ନ କରି ଗଳ୍ପର ନାମହୀନ ନାୟକଟି କଥାକାରଙ୍କର ସ୍ମୃତିରେ ଅମର ହୋଇପାରିଛି । ‘ଅପରିଚିତର ପରିଚୟ’ ଭିତରେ ସେ ବିପୁଳ ମାନବତାର ବାର୍ତ୍ତାରେ ଲେଖକଙ୍କର ହୃଦୟକୁ ଭରି ଦେଇଛି ।

 

ଗଳ୍ପର ଏ ସମସ୍ତ ସାର୍ଥକତା ସତ୍ତ୍ୱେ ଅନାମଧେୟ ନାୟକଟିର ପରିଚୟରେ ଉତ୍କଣ୍ଠା ସୃଷ୍ଟି କରିବା ପାଇଁ ଲେଖକ ଯେଉଁ ଦୀର୍ଘ ଉପକ୍ରମଣିକାର ଆଶ୍ରୟ ନେଇଛନ୍ତି, ତାହା ଅତ୍ୟନ୍ତ ଅନାବଶ୍ୟକ ବୋଧହୁଏ ।

 

ଗଳ୍ପର ପ୍ରାଗସୂଚନାରେ ଏ ବର୍ଣ୍ଣନାବାହୁଲ୍ୟ ଯୋଗୁଁ ଶୈଳ୍ପିକ ସଂଯମ ଓ ଗାମ୍ଭୀର୍ଯ୍ୟର ଅଭାବ ପରିଲକ୍ଷିତ ହୋଇଛି । ଲେଖକଙ୍କର କଥାବସ୍ତୁ ବା ଉଦ୍ଦେଶ୍ୟକୁ ପ୍ରକାଶ କରିବାର ଆଗ୍ରହ, ଗଳ୍ପାରମ୍ଭରୁ ପ୍ରବଳ ହୋଇ ପଡ଼ିଥିବାରୁ ଏହା ଗଳ୍ପର ପଟ୍ଟଭୂମିକାରେ ସୂତ୍ରଧରର ନିଜକଥା ପରି ପ୍ରତୀୟମାନ ହୁଏ । ସୁତରାଂ ଗଳ୍ପର ପୂର୍ବାଭାସରେ ନଗ୍ନ ପ୍ରଚାରଧର୍ମିତା, ଗଳ୍ପର ସୌନ୍ଦର୍ଯ୍ୟକୁ କେତେକ ପରିମାଣରେ ହାନି କରିଥିବାର ଆଶଙ୍କା ପ୍ରକାଶ ପାଇବା ଅମୂଳକ ନୁହେଁ ।

 

ପରବର୍ତ୍ତୀ ଗଳ୍ପ ‘‘ଆନନ୍ଦଭୈରବୀ’’ରେ ଲଛମନ୍‌ଝୁଲାର ଏକ ବିଚିତ୍ର ଅନୁଭୂତି ଅଙ୍କିତ । ଲଛମନ୍‌ଝୁଲାର ଟିକିନିଖି ବର୍ଣ୍ଣନା ଭିତରେ ସ୍ୱଜନପରିତ୍ୟକ୍ତ ବୃଦ୍ଧ ଭିକାରି, ସାଧୁ ଚିନ୍ମୟାନନ୍ଦ ଓ ମାତା ଭୈରବୀ ଚରିତ୍ରକୁ ଲେଖକ ଗଭୀର ଅନ୍ତର୍ଦୃଷ୍ଟି ସହ ପରୀକ୍ଷା କରିଅଛନ୍ତି । ଗଙ୍ଗାକୂଳର ପ୍ରଶାନ୍ତି ତାଙ୍କୁ ଭାବାବେଶରେ ମୁଗ୍‌ଧ କରିଛି ସତ, ହେଲେହେଁ ସଂଗ୍ରାମର ବହୁ କ୍ଷତବିକ୍ଷତ ଜୀବନରେ ତାଙ୍କୁ ପଳାତକ ସଜାଇବାରେ ସହାୟକ ହୋଇ ନାହିଁ । ଗମ୍ଭୀର ଦାର୍ଶନିକତା ମଧ୍ୟରେ ସଂସାର ଓ ବୈରାଗ୍ୟର ଅସଲ ରୂପକୁ ସେ ସଠିକ ଭାବରେ ନିରୂପଣ କରିପାରିଛନ୍ତି । ଚିନ୍ମୟାନନ୍ଦଙ୍କର ତନ୍ତ୍ରସାଧନ ଓ ଭୈରବୀଙ୍କର ମହାନନ୍ଦର ଅନ୍ତରାଳରେ ସଂସାର କାମନାର ଯେଉଁ ଅପୂର୍ଣ୍ଣତା, ବିଦ୍ୟମାନ, ଲେଖକ ତାହାକୁ ବିଭିନ୍ନ ପରିସ୍ଥିତି ଆଶ୍ରୟରେ ଫୁଟାଇବାକୁ ଚେଷ୍ଟା କରିଛନ୍ତି-। ଛଦ୍ମସନ୍ନ୍ୟାସର ଘଟାଟୋପ, ତାଙ୍କ ଆଖିରେ ମାୟାଞ୍ଜନ ଲଗାଇ ପାରି ନାହିଁ । ତେଣୁ ସଂସାର ପଛରେ ସନ୍ନ୍ୟାସ ଧାଇଁଚାଲିଛି କି ସନ୍ନ୍ୟାସ ପଛରେ ସଂସାର ଧାଇଁଚାଲିଛି, ଏ ନେଇ ଲେଖକଙ୍କ ମନରେ ସନ୍ଦେହ ଜାତ ହୋଇଥିବା ସତ୍ତ୍ୱେ, ଗଳ୍ପର ସାମଗ୍ରିକ ପରିଣତିରେ ସଂସାରର ଦୈହିକ ତୃଷ୍ଣାକୁ ସେ ଜୀବନଭୂମିକାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛନ୍ତି । ଚିନ୍ମୟାନନ୍ଦଙ୍କର ରହସ୍ୟାଚ୍ଚ୍ଥନ୍ନ ତନ୍ତ୍ରସାଧନାର ଅତୀତ ଓ ମେଦବହୁଳା ଆନନ୍ଦ-ଭୈରବୀଙ୍କର ପ୍ରତି ରାତିର କାନ୍ଦଣା ତଥା ଅଶ୍ଳୀଳ ଚିତ୍କାର ଭିତରେ ଏହା ଖୁବ୍‌ ଉଜ୍ଜ୍ୱଳ ଭାବରେ ପରିସ୍ଫୁଟ । ଚିନ୍ମୟାନନ୍ଦଙ୍କ ପରି ଗଞ୍ଜେଇଧୂଆଁରେ ବିଶୀର୍ଣ୍ଣ, କ୍ଳୀବ ଓ ନିଃଶେଷପ୍ରାୟ ପ୍ରୌଢ଼ ସାଧୁମାନଙ୍କର ସାଧନାର ଛଳନା ଅନ୍ତରାଳରେ ଛପିରହିଥିବା ମୂଢ଼ତାର ଲଜ୍ଜାହୀନ ପ୍ରତିଛବିକୁ ସେ ଗଭୀର ପ୍ରଯତ୍ନର ସହିତ ଦିବାଲୋକକୁ ଟାଣିଆଣିଛନ୍ତି । ଚିନ୍ମୟାନନ୍ଦଙ୍କ ନିକଟରୁ ପଳାଇଯାଇ ଆଉ ଜଣେ ସବଳକାୟ ତରୁଣ ସନ୍ନ୍ୟାସୀଙ୍କ ସହିତ ଲତାକୁଞ୍ଜରେ ନିଭୃତ ଆଳାପ କରିବାଦ୍ୱାରା ଭୈରବୀଙ୍କର କାମାତୁରତା ଯେ କେହି ପାଠକର ଦୃଷ୍ଟି ଆକର୍ଷଣ କରିଥାଏ । ସନ୍ନ୍ୟାସର ଶୀତଳତାପରେ ସଂସାରର ତିକ୍ତମଧୁର ଆସ୍ୱାଦନ ପାଇଁ, ତାଙ୍କ ମନରେ ଉତ୍‌କଣ୍ଠା ସୃଷ୍ଟି କରାଇ ରକ୍ତମାଂସର ପ୍ରାକୃତିକ ଆହ୍ୱାନକୁ, ଗାଳ୍ପିକ ଆଲୋଚ୍ୟ ଗଳ୍ପରେ ଅଧିକ ପ୍ରତିଷ୍ଠା ଦେଇଅଛନ୍ତି ।

 

ଯାତ୍ରୀଭବନର କୋଠରୀଟିରେ ରହୁଥିବା ଭିକାରିଟିକୁ ସଂସାରକ୍ଳାନ୍ତ ଜୀବନର ଏକ ବିକଟ ପ୍ରତିନିଧି ଭାବରେ ଗ୍ରହଣ କରାଯାଇଛି । ଚିନ୍ମୟାନନ୍ଦ ଓ ଭେରବୀଙ୍କର ସଂସାର ମୋହ ବିରୁଦ୍ଧରେ ଏହା ଯେପରି ଏକ ନୀରବ ଉପହାସ । ଲଛମନ୍‌ଝୁଲାର ଶାନ୍ତ ପରିବେଶରେ ଏହାର ପ୍ରେତଛାୟା ଲେଖକଙ୍କୁ ଚମକିତ କରିଛି । ଗଳ୍ପର ପରିବେଷଣ ଭଙ୍ଗୀରେ ନୂତନତା ଓ ଚାଞ୍ଚଲ୍ୟ ସୃଷ୍ଟି କରିବାରେ ଏହାର ଅବଦାନ ଉଲ୍ଲେଖଯୋଗ୍ୟ । ଏହାର ଖୁଁ ଖୁଁ କାଶ ଓ ଗଁ ଗଁ ଶବ୍ଦ ତଥା ପୈଶାଚିକ ବ୍ୟକ୍ତିତ୍ୱ ସତ୍ତ୍ୱେ, ଲେଖକ ବିପୁଳ ଧୈର୍ଯ୍ୟ ଓ ସହାନୁଭୂତି ସହ ଏ ଚରିତ୍ରଟିକୁ ବିଚାର କରିଅଛନ୍ତି । ତାଙ୍କର ବିଶ୍ଳେଷଣୀ ଦୃଷ୍ଟିରେ, କେବଳ ନିଜ ଲାଗି ବ୍ୟାଧି ଓ ଯାତନା ସହିତ ଲଢ଼ି ଚାଲିଥିବା ଏ ଚରିତ୍ରଟିର ଏକ ବିଶେଷତ୍ୱ ଅଛି । ମଣିଷର ସାମାଜିକ କଳ୍ପନା ଓ ଆତ୍ମୀୟସ୍ୱଜନର ବନ୍ଧନ ଆଢ଼ୁଆଳରେ ଜଣେ ଅନ୍ୟ ଜଣକୁ ଲୋଡ଼ିବାର ଯେଉଁ ପ୍ରବୃତ୍ତିଟି ବିଦ୍ୟମାନ, ସେଥିପାଇଁ ହୁଏତ ମଣିଷ, ସମାଜକୁ ‘‘ମୋର, ମୋର’’ କହି କଣ୍ଟାଝଟା ନ ମାନି ଆଗେଇ ଚାଲେ, କିନ୍ତୁ ଦୁର୍ଦ୍ଦିନର ଯାତନାରେ ବା ଜୀବନମରଣର ସନ୍ଧିସ୍ଥଳରେ ମଣିଷ ଯେତେବେଳେ ତାହାର ବିନାଦୋଷରେ ବନ୍ଧୁ କୁଟୁମ୍ୱର ଅଲୋଡ଼ା ହୋଇଯାଏ, ସେତେବେଳେ ବୁଢ଼ା ଭିକାରିଟି ପରି ସେ ଆତ୍ମସର୍ବସ୍ୱ ହୋଇଉଠିବା ବିଚିତ୍ର ନୁହେଁ । ବହୁବର୍ଷତଳେ କୁମ୍ଭମେଳାକୁ ଆସିଥିବା ଯେଉଁ ଦକ୍ଷିଣୀଯାତ୍ରୀଟିକୁ ବିସୂଚିକା ମୂହଁରେ ଛାଡ଼ିଦେଇ ତାହାର ଆତ୍ମୀୟସ୍ୱଜନ ଆକାତର ହୃଦୟରେ ଘରକୁ ଫେରିଯାଇଥିଲେ, ବର୍ତ୍ତମାନର ବୃଦ୍ଧଭିକାରିଟି ଅତୀତର ଦୁର୍ଦ୍ଦଶାଗ୍ରସ୍ତ ସେହି ଯାତ୍ରୀ ମଧ୍ୟରୁ ଜନ୍ମନେଇଛି । ତାହାର ପାଗଳାମି ବା ସଂସାରତିକ୍ତ ହୃଦୟରେ ସଂସାରର ଜ୍ୱାଳା ଓ ଦହନର ଚିତ୍ର ଅତ୍ୟନ୍ତ ବାସ୍ତବ । ସଂସାର ଅନୁଭବ ନ କରିଥିବା ଭୈରବୀ ଚରିତ୍ରରେ ସଂସାର ପାଇଁ ଯେପରି ବ୍ୟାକୁଳତା ପରିଲକ୍ଷିତ, ସଂସାରର ସ୍ୱାର୍ଥପରତାକୁ ଅଙ୍ଗେ ନିଭାଇଥିବା ଭିକାରିଟି ସେହିପରି ସଂସାରଠାରୁ ଆତ୍ମରକ୍ଷା କରିବା ନିମନ୍ତେ ବ୍ୟଗ୍ର । ସଂସାରୀ ଓ ଅସଂସାରୀମନର ଏ ଚିରନ୍ତନ ଦ୍ୱନ୍ଦ୍ୱବୋଧ, ଆଲୋଚ୍ୟ ଚରିତ୍ରମାନଙ୍କର ମାନସିକ ପଟ୍ଟଭୂମିରେ ବିଶେଷ ହୃଦୟଗ୍ରାହୀ ।

 

କଥାକାରଙ୍କର ଗୋଟିଏ ସପ୍ତାହର ଅନୁଭୂତି ମଧ୍ୟରେ ଲଛମନ୍‌ଝୁଲାଇ ସୂକ୍ଷ୍ମାନୁସୂକ୍ଷ୍ମ ଦୃଶ୍ୟ ପରି ଗଳ୍ପସଂପୃକ୍ତ ପ୍ରତ୍ୟେକ ଚରିତ୍ରର ସ୍ଥୂଳ ଓ ସୂକ୍ଷ୍ମସତ୍ତା ସାର୍ଥକ ଭାବରେ ଗଳ୍ପ ମଧ୍ୟରେ ଆଲୋଡ଼ିତ । ଲେଖକଙ୍କର କ୍ରମବର୍ଦ୍ଧିଷ୍ଣୁ ଜୀବନ ଅନୁଭୂତି ମଧ୍ୟରେ ଜୀବନକୁ ଏକ ଅସରନ୍ତି କଳାର ଭଣ୍ଡାର ବିଚାରି ସେ ତାହାର ଅଦ୍ଭୁତ ଓ ବିସ୍ମୟକର ଦିଗର ଏକ ବିଚିତ୍ର ଆଲେଖ୍ୟ ଏ ଗଳ୍ପ ମଧ୍ୟରେ ଫୁଟାଇଛନ୍ତି । ତେଣୁ ବିଷୟବସ୍ତୁ ଓ ଚରିତ୍ର ନିର୍ବାଚନରେ ମୌଳିକତାର ବିଚାର୍ଯ୍ୟ କାହାଣୀର ସଫଳତା ନିମନ୍ତେ ଦାୟୀ ।

 

‘‘ମୁହୂର୍ତ୍ତ–ଗୋଟିଏ ସଂକ୍ଷିପ୍ତ ମୁହୂର୍ତ୍ତହିଁ, ଆଜି ଭବିଷ୍ୟତର ପ୍ରଲମ୍ୱିତ ପ୍ରହରଠାରୁ ଅଧିକ ନିର୍ଭରଯୋଗ୍ୟ ।’’ –‘‘ମୁହୂର୍ତ୍ତ’’ ଗଳ୍ପର ଏ ବାର୍ତ୍ତା, ‘‘ନୀଳଜ୍ୟୋତ୍ସ୍ନା’’ର ମର୍ମବିନ୍ଦୁରେ କିପରି ପ୍ରତିଫଳିତ, ତାହା ପୂର୍ବେ ଆଲୋଚନା କରାଯାଇଛି । ଏ ଯୁଗର ପ୍ରଗତି, ଧାଇଁବାରେହିଁ ପର୍ଯ୍ୟବସିତ । ବସ୍‌, ଟ୍ରେନ୍‌ ବା ଏରୋପ୍ଳନ୍‌, ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଆଉ ବେଗଗାମୀ ଯାନ ହୋଇ ରହିପାରି ନାହିଁ । ‘‘ଘଣ୍ଟାକୁ ପଚିଶ ହଜାର ମାଇଲ୍‌ ବେଗରେ ରକେଟ୍‌ ଧାଇଁଛି ମହାଶୂନ୍ୟ ପଥରେ ।’’ ତା’ ପଛରେ ଅଣନିଃଶ୍ୱାସୀ ହୋଇ ଏ ଯୁଗର ମଣିଷ ଧାଇଁ ଚାଲିଛି । ତେଣୁ, ଦିଲ୍ଲୀମେଲ୍‌ର ସାଧାରଣ ଗତିରେ ଏ ଯୁଗର ଯାତ୍ରା, ବିରକ୍ତିକର ବୋଧହେବା ସ୍ୱାଭାବିକ । ଏହି ଅସ୍ୱସ୍ତିକର ଯାତ୍ରାର ନବବିବାହିତ ଦମ୍ପତି ଶ୍ରୀ ଓ ଶ୍ରୀମତୀ ସୋମ୍‌ଙ୍କୁ ଆଶ୍ରୟ କରି ଗାଳ୍ପିକ, ଏ ଶତାବ୍ଦୀର ଅସ୍ଥିରତା ଓ ଉଦ୍‌ବେଗର ପରିଚୟ ଦେଇଛନ୍ତି ।

 

‘‘ଶ୍ରୀମାନ୍‌’’ଙ୍କର ହିଂସ୍ର ବିଷାକ୍ତ ଆଖି ଓ ଶ୍ରୀମତୀଙ୍କର ଆତ୍ମରକ୍ଷା ପାଇଁ ପ୍ରୟାସ ମଧ୍ୟରେ ଗୋଟିଏ ସାମାନ୍ୟ ମୁହୂର୍ତ୍ତ ବା ତାହାର ଭଗ୍ନାଂଶର ଉତ୍ତେଜନାକୁ ବିଶେଷ ଭାବରେ ଲକ୍ଷ୍ୟ କରାଯାଇଛି । ଉଭୟ ପ୍ରାଣର ଲଜ୍ଜା, ଭୟ ଓ ଅଧୀରତା ଅନ୍ତରାଳରେ ପ୍ରଚ୍ଚ୍ଥନ୍ନ ଉତ୍ତପ୍ତ କାମନାକୁ ଲେଖକ ବହୁ ସଙ୍କେତ ଜରିଆରେ ହୃଦ୍ୟ କରାଇପାରିଛନ୍ତି । ନବପରିଣୀତ ଶ୍ରୀମାନ୍‌ ଓ ଶ୍ରୀମତୀ, ଆଧୁନିକ ମାନସିକତାର ଦୁଇଟି ଜ୍ୱଳନ୍ତ ଶିଖା । ଟ୍ରେନ୍‌ କମ୍ପାର୍ଟମେଣ୍ଟ୍‌ ଭିତରେ ଜୀବନର ଲଘୁ ମୁହୂର୍ତ୍ତଟିକୁ ଉତ୍ତେଜନାମୟ କରିବା ପାଇଁ ସେମାନଙ୍କର ଅଶାଳୀନ ବ୍ୟବହାର ଯେତେ ରୁଚିବିରୁଦ୍ଧ ହେଲେ ମଧ୍ୟ ଏହାହିଁ ପାଗଳ ଶତାବ୍ଦୀର ଇସ୍ତାହାର । ଆଗାମୀ ଉପରେ ଅବିଶ୍ୱାସ ହେତୁ ଏ ଅଧୀରତାର ଜନ୍ମ । ଧାବମାନ ପୃଥିବୀରେ ସମୟ ତଥା ଜୀବନ ପ୍ରତି ସାଧାରଣ ମାନସରେ ଅନସ୍ଥା ପ୍ରକାଶ ପାଇଥିବାରୁ ‘‘ଦେଉଳିଆ ବ୍ୟାଙ୍କ୍‍ରୁ ଚେକ୍‌ ଭଙ୍ଗାଇବା’’ ପାଇଁ ସମସ୍ତେ ଅଣନିଃଶ୍ୱାସୀ ହୋଇ ଦଉଡ଼ିଛନ୍ତି । ମୁହୂର୍ତ୍ତର ଭଗ୍ନାଂଶଟିକୁ ବାଦ ଦେବା କାହା ପକ୍ଷେ ସମ୍ଭବ ହେଉନାହିଁ । ସୁତରାଂ, ସହଯାତ୍ରୀର ଉପସ୍ଥିତିରେ ସଂଯମ ଓ ଶାଳୀନତା ଇତ୍ୟାଦିର ପ୍ରଶ୍ନ, ଏ ଯୁଗରେ ଅବାନ୍ତର ହୋଇ ଆସୁଛି । ‘ଏ ପୃଥିବୀ ମୋର’ ବୋଲି ବିଶ୍ୱାସ କରି ନ ପାରୁଥିବା ଆଧୁନିକ ମନୁଷ୍ୟର ବ୍ୟକ୍ତିସର୍ବସ୍ୱତା ମଧ୍ୟରେ ଏହା ତୁଚ୍ଚ୍ଥ ଓ ମୂଲ୍ୟହୀନ । ଚତୁର୍ଦ୍ଦିଗର ଭିଡ଼ ଭିତରେ ଅନ୍ତରର ନିଃସ୍ୱ ଏକାକୀତ୍ୱ ଦୂର କରିବା ଲାଗି ଆଧୁନିକ ବ୍ୟକ୍ତିବୋଧ, ସମାଜର ବେଷ୍ଟନୀକୁ ଅସ୍ୱୀକାର କରିବା ଆଦୌ ଅସମ୍ଭବ ନୁହେଁ । ସୁତରାଂ ଚଳନ୍ତି ଟ୍ରେନର କେତୋଟି ସଂକ୍ଷିପ୍ତ ମୁହୂର୍ତ୍ତକୁ ଆଧାର କରି ଲେଖାଯାଇଥିବା ଏ ଗଳ୍ପରେ ରୁଗ୍‌ଣଶତାବ୍ଦୀର ନିଖୁଣ ଚିତ୍ର ଫୁଟାଇବାରେ ଲେଖକଙ୍କର ସମୟ ସଚେତନତା ଓ ଆଧୁନିକତାର ଅନ୍ତଦର୍ଶନ, ସହଜରେ ନିର୍ଦ୍ଧାରଣ କରାଯାଇପାରେ । ଫଳତଃ, ‘‘ନୀଳଜ୍ୟୋତ୍ସ୍ନା’’ରେ ମୁହୂର୍ତ୍ତ ସମ୍ୱଳ ଜୀବନର ଯେଉଁ ଅନୁଭୂତି ପ୍ରତୀକ୍ଷାରତ, ଏ ଗଳ୍ପରେ ତାହା ମୁହୂର୍ତ୍ତର ଭଗ୍ନାଂଶକୁ ଉପଭୋଗ କରିବା ଲାଗି ଅଧୀର ଓ ଉତ୍ତେଜନାମୟ । ତେଣୁ ପ୍ରତୀକ୍ଷାବିହୀନ ଆଗ୍ରହର ଉତ୍କଟତାର ମୁହୂର୍ତ୍ତର ଅସ୍ତିତ୍ୱ ଏଠି ସ୍ପଷ୍ଟ ଓ ଜନମାନସର ଚାଞ୍ଚଲ୍ୟକୁ ପରିସ୍ଫୁଟ କରିବାରେ ଏହା ପୂର୍ବ ଗଳ୍ପ ଅପେକ୍ଷା ଅଧିକ ବାସ୍ତବ ଓ ଅଧିକ କ୍ରିୟାଶୀଳ । ଶ୍ରୀମାନ ଓ ଶ୍ରୀମତୀ ଚରିତ୍ରରେ ବିଶେଷ କିଛି ନୂତନତା ନଥିଲେ ମଧ୍ୟ ଯେଉଁ ଘଟଣାଚକ୍ରରେ ଲେଖକ ସେ ଦୁହିଁଙ୍କୁ ଉପସ୍ଥାପିତ କରି ତାଙ୍କ ଜରିଆରେ ଦୁଃସ୍ଥ ମାନବତାର ପ୍ରତିମୂର୍ତ୍ତି ଅଙ୍କନ କରିଛନ୍ତି, ତାହାହିଁ ସେମାନଙ୍କର ଚରିତ୍ରର ବିଶେଷ ଆକର୍ଷଣ । ଉକ୍ତ ଆକର୍ଷଣ ସେମାନଙ୍କର ଟିକିନିଖି ମାନସିକ ତରଙ୍ଗକୁ ଖେଳାଇବାଦ୍ୱାରା ଚରିତ୍ର ଦୁଇଟି, ଦିଲ୍ଲୀ ମେଲ୍‌ର ଗତିଠାରୁ ଆହୁରି ଅଧିକ ଗତିଶୀଳ ହୋଇ ଉଠିଛନ୍ତି ।

 

କିରାଣୀ ରାମହରି ବାବୁଙ୍କ ଜୀବନର ଏକ କୌତୁକାବହ ଘଟଣା ‘‘ବ୍ୟର୍ଥ ଆଗମନୀ’’ରେ ପ୍ରାଧାନ୍ୟଲାଭ କରିଛି । ପୂଜା ଛୁଟିରେ ଗ୍ରାମାଭିମୁଖୀ ରାମହରି ଓ ତାଙ୍କ ପରିବାର ଦୁଇଟି ରିକ୍‌ସାରେ ସହରର ବସାରୁ ବାହାର ରେଳଷ୍ଟେସନରେ ପହଞ୍ଚି ବ୍ୟର୍ଥ ହୋଇ ଫେରିବାର ବୃତ୍ତାନ୍ତକୁ ଗଳ୍ପ ମଧ୍ୟରେ ହାସ୍ୟମୁଖର କରାଯାଇଛି । ରାମହରିବାବୁଙ୍କ ଧର୍ମପତ୍ନୀ କୋକିଳା ଦେବୀଙ୍କର ନାନା ପ୍ରହରଣବେଷ୍ଟିତ ପୃଥୁଳ ଶରୀର ଏବଂ ହସ୍ତରେ ଲୁହା କଡ଼େଇ ଏବଂ ସଉପ ଧରି ରିକ୍‌ସାରେ ଆସ୍ଥାନ ଜମାଇ ବସିବାର ବିଚିତ୍ର ଭଙ୍ଗୀ, ହାସ୍ୟ ଓ କୌତୁକ ପାଇଁ ମୁଖ୍ୟ ଉପାଦାନ ଯୋଗାଉଥିଲେ ମଧ୍ୟ ତାଙ୍କ ପାଖରେ ଅତି ଦୟନୀୟ ଭାବରେ ନିଜକୁ ସମ୍ଭାଳି ବସିଥିବା ରାମହରିବାବୁ, ତାଙ୍କର ସ୍ୱଭାବସୁଲଭ ଦାର୍ଶନିକତାରେ ଗଳ୍ପକୁ କମ୍‌ ହାସ୍ୟରସାଶ୍ରିତ କରିନାହାନ୍ତି । ପତ୍ନୀ ପାର୍ଶ୍ୱରେ ସେ ଏପରି ବସିଥିବା ଅବସ୍ଥାରେ ‘‘ଦୂରରୁ କେତେକାଂଶରେ ଦୁର୍ଗାଙ୍କ ପାଦତଳେ ମର୍ଦ୍ଦିତ ମହିଷାସୁର ପରି ଦିଶୁଅଛନ୍ତି’’–କହିବା ଭିତରେ, ଲେଖକଙ୍କର ଏ ଉପମା ଚାତୁରୀ ବେଶ୍‌ କୌତୁକପୂର୍ଣ୍ଣ ।

 

ଏହା ଭିନ୍ନ କୋକିଳା ଦେବୀଙ୍କର ରିକ୍‌ସାଚାଳକକୁ ଗ୍ରାମ୍ୟ ଭାଷାରେ ଗାଡ଼ି ଓ ରିକ୍‌ସା ଭାବରେ ବ୍ୟତିବ୍ୟସ୍ତ ରିକ୍‌ସା ବାହକର ଦୁର୍ବୋଧ୍ୟ ସ୍ୱଗତୋକ୍ତି ଆଶ୍ରୟରେ ଗଳ୍ପରେ ଘଟଣା ପରିବର୍ତ୍ତନର ଚଞ୍ଚଳତା ସୃଷ୍ଟି କରାଯାଇଛି । ଦେବୀଙ୍କର ପାନପିକପକା ଓ ବାରମ୍ୱାର ଗର୍ଜନତର୍ଜନ ମଧ୍ୟରେ ରାମହରିବାବୁଙ୍କର ଦାର୍ଶନିକ ଅନାସକ୍ତି ବା ବେଳେ ବେଳେ ତାଙ୍କର ପଦିଏ ପଦିଏ ମନ୍ତବ୍ୟରେ ବାରୁଦରେ ଅଗ୍ନିସଂଯୋଗ ପରି କୋକିଳା ଦେବୀଙ୍କର ପ୍ରଚଣ୍ଡ ବିସ୍ଫୋରଣ, କାହାଣୀର ଆପାତତଃ ଘଟଣାବିହୀନତାକୁ ଘଟଣାମୟ ଓ ସରସ କରିବାରେ ସହାୟକ । ବର୍ଣ୍ଣନାବିନ୍ୟାସ ଅପେକ୍ଷା ଉଭୟର ରୀତିନୀତି ଓ କ୍ରିୟାକଳାପ ମାଧ୍ୟମରେ ଚାରିତ୍ରିକ ବିକାଶ ସାଧିତ ହୋଇଥିବାରୁ ଏ ଚରିତ୍ର ଦୁଇଟିର ଅବତାରଣାରେ ଆଧୁନିକତାର ସ୍ପର୍ଶ ପରିଲକ୍ଷିତ ହୁଏ । ତେଣୁ ଚରିତ୍ର ଦୁଇଟି ମନୋରମ ଓ ସ୍ୱାଭାବିକ । କୋକିଳା ଦେବୀ ତାଙ୍କର ଅମାର୍ଜିତ ନାରୀତ୍ୱ ଭିତରେ ଯେପରି ସ୍ୱଭାବ ସୁନ୍ଦର, ରାମହରିବାବୁ ତାଙ୍କର ଦାର୍ଶନିକ ଅନାସ୍ଥା ଓ ନିମ୍ନମଧ୍ୟବିତ୍ତର ସଲ୍ଲଜ ପୌରୁଷ ଓ ସଂକୋଚବୋଧରେ ସେହିପରି ବାସ୍ତବ ଓ ମଧୁର । ତାଙ୍କର ଏହି ଗ୍ରାମ ପଳାୟ ଯୋଜନା, କୋକିଳା ଦେବୀଙ୍କ ଦୃଷ୍ଟିରେ ଗ୍ରାମ୍ୟତା ଓ ବିରୁଚିକର ହେଲେ ମଧ୍ୟ ଏଥିମଧ୍ୟରେ ନିମ୍ନମଧ୍ୟବିତ୍ତର ଆଚାରଗତ କୁଣ୍ଠା ଓ ଅର୍ଥନୈତିକ ଭୀରୁତାର ଯେଉଁ ନିରୀହ ଆତ୍ମକାହାଣୀ ପ୍ରଚ୍ଚ୍ଥନ୍ନ, ତାହା ଗଳ୍ପର ଅନ୍ତଃସ୍ଥଳକୁ ବେଦନାବିଦ୍ଧ କରିଦେଇଛି । ସାହିବାଲାଙ୍କର ଚାନ୍ଦାମାଗଣର ଅତ୍ୟାଚାର ଭିତରେ ସ୍ୱଳ୍ପବେତନଭୋଗୀ କିରାଣୀ ଜୀବନ କିପରି ପୀଡ଼ିତ, ତାହା ତାଙ୍କର ଗାଡ଼ି ଫେଲ୍‌ ହେବା ପରର ଚିନ୍ତା ଓ କିଂକର୍ତ୍ତବ୍ୟବିମୂଢ଼ତାରେ ସହଜରେ ଅନୁମେୟ । ଚାନ୍ଦା ଓ ପୂଜାବକ୍‌ସିସର ଚାପାରେ ଅଥୟ ରାମହରି ତାଙ୍କର ଉପରିସ୍ଥ ହାକିମମାନଙ୍କଠାରୁ ଅନୁରୂପ ବକ୍‌ସିସ୍‌ ଆଦାୟ କରିବାକୁ ଯେ କଳ୍ପନାଜଳ୍ପନା କରିନାହାନ୍ତି, ତାହା ନୁହେଁ । କିନ୍ତୁ ନିମ୍ନ ମଧ୍ୟବିତ୍ତର ଚଳଣି ଭିତରେ ଅନ୍ୟର ଭିକ୍ଷା ପୂରଣ କରିବାକୁ ସେ ଯେମିତି ଅକ୍ଷମ, ଅନ୍ୟଠାରୁ ଭିକ୍ଷା ଗ୍ରହଣ କରିବାର ସାହସ ସେମିତି ତାଙ୍କର ଖୁବ୍‌ କମ୍‌ । ରୁଚିଗତ ଏ ସଙ୍କୋଚ ମଧ୍ୟରେ ରାମହରିବାବୁଙ୍କ ପରି ବହୁ ନିମ୍ନବିତ୍ତର ମାନସିକ ସଂକଟ, ଗଭୀର ଅନୁଧ୍ୟାନର ବିଷୟ । ଲେଖକଙ୍କର ନିବିଡ଼ ଅନୁଭୂତି ଫଳରେ ଦ୍ୱିଧାଗ୍ରସ୍ତ ମନର ଏ ସଜଳ ଚିତ୍ରଟି ମାତ୍ର ଗୋଟିଏ ପଂକ୍ତିର ବର୍ଣ୍ଣନା ମଧ୍ୟରେ ସମ୍ଭବ ହୋଇପାରିଛି । ସୁତରାଂ ‘‘ବ୍ୟର୍ଥ ଆଗମନୀ’’ର ବାହ୍ୟ ଦୃଶ୍ୟ, ରାମହରିଙ୍କର ଗ୍ରାମଯାତ୍ରାକୁ ଆଶ୍ରୟ କରି ହାସ୍ୟ, ରୋଷ ଓ କୌତୁକ ରସାଣିତ ହୋଇଥିଲେହେଁ ଏହାର ଅନ୍ତର୍ଦୁଶ୍ୟରେ ସହରୀ ସଭ୍ୟତାର ତୁଚ୍ଚ୍ଥତା ଓ ଧର୍ମ ନାମରେ ଗୁଡ଼ାଏ ଅପଦାର୍ଥଙ୍କର ଅଜବ୍‌ ଲୁଣ୍ଠନରେ ନିମ୍ନମଧ୍ୟବିତ୍ତର ଅସହାୟତା କିପରି ଚିନ୍ତାଦଗ୍‌ଧ, ତାହାର ବିଷଣ୍ଣ ସ୍ୱର ବାଜି ଉଠିଛି

 

ସୁତରାଂ ‘‘ବ୍ୟର୍ଥ ଆଗମନୀ’’ ଆଧୁନିକ ଜୀବନବ୍ୟର୍ଥତାର ଏକ ଅବିକଳ ଅଭିବ୍ୟକ୍ତି । ଅବାସ୍ତବତାର ପ୍ରଚଣ୍ଡ ଯୁଦ୍ଧରେ ଧର୍ମକର୍ମର ସାର୍ବଜନୀନ ମଣ୍ଡପ କିପରି ଉନ୍ମତ୍ତ ଭଣ୍ଡାମିର ଆଖଡ଼ାରେ ପରିଣତ ହୋଇଛି, ରାସ୍ତା କଡ଼ର ଦୁର୍ଗାମେଢ଼ ପାଖରେ ପୁରୁଣା ରେକର୍ଡ଼ର ‘‘ତେରି ତେରଛ ନଜରିଆ’’...ଚିତ୍କାର ମଧ୍ୟରେ ତାହାର ପ୍ରକୃଷ୍ଟ ନିଦର୍ଶନ ସୁଲଭ । ଏ ଅବସ୍ଥାରେ ରାମହରିବାବୁଙ୍କର ଦାର୍ଶନିକତା, ତାଙ୍କର ବୌଦ୍ଧିକ ବିଳାସିତାର ଏକ ସୌଖୀନ୍‌ ନିଶା ନୁହେଁ; ବରଂ ବଞ୍ଚିବାର ଘୋର ତାଡ଼ନାରେ ଏହା ତାଙ୍କ ପାଇଁ ଏକ ଆବଶ୍ୟକତା । ସଂସାର ପୀଡ଼ିତ ଗୃହସ୍ଥର ଏ ଚାରିତ୍ରିକ ସ୍ୱାତନ୍ତ୍ର୍ୟକୁ ରାମହରିଙ୍କ ମଧ୍ୟରେ ସାର୍ବଜନୀନ କରି ଥୋଇବାରେ ଗାଳ୍ପିକଙ୍କର ବିଚକ୍ଷଣତା, ସ୍ୱାଗତଯୋଗ୍ୟ ।

 

‘‘ତୃଷ୍ଣା ଓ ବିତୃଷ୍ଣା’’ର ଶରଶଯ୍ୟାରେ ଦର୍ପନାରାୟଣଙ୍କର ବହୁ ଅମୀମାଂସିତ ପ୍ରଶ୍ନ ପରି ଜୀବନଭୂମି ଚିର ଜଟିଳ । ଯନ୍ତ୍ରଯୁଗରେ ପ୍ରତିଦ୍ୱନ୍ଦ୍ୱିତାର ଶେଷ ନାହିଁ । ‘‘କୈଶୋରରେ ସ୍ନେହ-ଶ୍ରଦ୍ଧା ପାଇଁ, ଯୌବନରେ ନାରୀ ଓ ସଫଳତା ପାଇଁ, ପ୍ରୌଢ଼ାବସ୍ଥାରେ କ୍ଷମତା ଓ ଶକ୍ତି ଆହରଣ ପାଇଁ’’ । ଏହିପରି ବହୁ ପ୍ରତିଯୋଗିତାର ତିକ୍ତତାରେ ଜୀବନପ୍ରାଚୁର୍ଯ୍ୟ, ତିଳେ ତିଳେ ବିଡ଼ମ୍ୱିତ । ତେଣୁ ରାସ୍ତାକଡ଼ର ଧୂଳିଶଯ୍ୟାରେ ବା ଦେବଦାରୁତଳେ ବିକ୍ଷିପ୍ତ ହୋଇ ପଡ଼ିଥିବା ନାମହୀନମାନଙ୍କର ବଞ୍ଚିବାରେ ତୃଷ୍ଣା କି ବିତୃଷ୍ଣାର ଇଙ୍ଗିତ ଲୁକ୍‌କାୟିତ, ତାହାହିଁ ଦର୍ପନାରାୟଣଙ୍କ ଭଳି ବହୁ ବ୍ୟକ୍ତିଙ୍କର ଆଜି ପ୍ରଶ୍ନର ବିଷୟ ହୋଇ ଉଠିଛି । ଦର୍ପନାରାୟଣଙ୍କର ନିଜ ଜୀବନ ଓ ଗଛତଳର ଏହି ଆଶ୍ରୟହୀନମାନଙ୍କର ଜୀବନ ଭିତରେ ବଞ୍ଚିରହିବାର କଳାରେ ଯାହା ପାର୍ଥକ୍ୟ ଲକ୍ଷିତ, ତାହାହିଁ ଏ ଶତାବ୍ଦୀର ଅମୀମାଂସା ଭିତରେ ଲେଖକଙ୍କର ସାର୍ଥକ ଉତ୍ତର । ବାପ ମା’ଙ୍କର ସମସ୍ତ ଶ୍ରଦ୍ଧା ପାଇବା ପାଇଁ ଦର୍ପନାରାୟଣ, ଅନୁଜ ଶୁଭନାରାୟଣଙ୍କର ମୃତ୍ୟୁକାମନା କରିଛନ୍ତି । ଏମ୍‌. ଏ. ପରୀକ୍ଷାରେ ସମରେନ୍ଦ୍ରକୁ ଟପିଯିବା ପାଇଁ ସେ ଦର୍ଶନ ଅଧ୍ୟାପକ ରାମଗୋପାଳ ବାବୁଙ୍କର ଜୀବନଦୀକ୍ଷାକୁ ଗ୍ରହଣ କରିପାରିନାହାନ୍ତି । ମୈତ୍ରେୟୀକୁ ନିଜର କରିବାକୁ ଯାଇ ଶୁଭେନ୍ଦ୍ର ସହିତ ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି । ରାଜନୈତିକ ଶକ୍ତିର ପ୍ରତିଦ୍ୱନ୍ଦ୍ୱୀତା, ଆଜିଯାଏ ତାଙ୍କ ଜୀବନରେ ଲାଗି ରହିଛି । ପୌରୁଷର ଦମ୍ଭ ଧରି ସେ ପ୍ରତିଯୋଗିତା ପରେ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ସବୁ ପ୍ରତିଯୋଗିତାର କଥାକଥିତ ପ୍ରାଚୁର୍ଯ୍ୟ, ତାଙ୍କ ପ୍ରାଣରେ ଅସଫଳତାର ଯେଉଁ ଦାହ ଛାଡ଼ିଯାଇଛି, ତାହା ଯୋଗୁଁ ନିଶାର୍ଦ୍ଧର ପ୍ରଶାନ୍ତି ଭିତରେ ମଧ୍ୟ ସେ ଘଡ଼ିକ ପାଇଁ ନିଦ୍ରା ଯାଇପାରୁନାହାନ୍ତି । ‘‘ଇକ୍ୱାନିଲ୍‌’’ ଓ ‘ବ୍ରୋମାଇଡ଼୍‌’’ର ନିଶା ମଧ୍ୟ ଉତ୍ତେଜିତ ସ୍ନାୟୁକ୍ତ ନିମିଷକ ପାଇଁ ଶାନ୍ତ କରିପାରୁ ନାହିଁ । ତୃଷ୍ଣାଜର୍ଜର ମାନସିକତାର ଏ ରୁଦ୍ର ଅଭିଶାପରେ ଦର୍ପନାରାୟଣଙ୍କର ବୟସଭାରାରେ ଆନତ ଦେହଟି, ଗଳ୍ପ ମଧ୍ୟରେ ଶୋଚନୀୟ ଭାବରେ ଦଣ୍ଡାୟମାନ । ଅମୀମାଂସା, ଅନୁତାପ ଓ ଅନ୍ତର୍ଦାହରେ ଅସ୍ଥିର ଏ ଚରିତ୍ରଟି, ସବୁଥିବା ମଧ୍ୟରେ ନଥିବାର ଏକ ବିକଳ ମୁଦ୍ରା ଧରି ପାଠକପାଠିକାର ସହାନୁଭୂତି ଦାବୀ କରେ । ଜୀବନକୁ ଏକ ପ୍ରଶସ୍ତ ଦର୍ଶନ ଓ ବଞ୍ଚିବାକୁ ତାହାର ପରୀକ୍ଷା ବୋଲି ମତ ଦେଇ ଲେଖକ ଦର୍ପନାରାୟଣଙ୍କର ଜୀବନ ପରୀକ୍ଷାରେ ବହୁ ବିଡ଼ମ୍ୱନା ଭରି ଦେଇଛନ୍ତି । ଉକ୍ତ ବିଡ଼ମ୍ୱନାର ଅନ୍ତର୍ନିହିତ ସମସ୍ୟାଗୁଡ଼ିକୁ ଆଲୋଚନା କରିବା ଅବକାଶରେ, ସେ ଭାରତୀୟ ଦର୍ଶନର ସମାହିତ ଆତ୍ମା ଓ ଭାରତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷାର ବିଚିତ୍ର ପରିହାସକୁ ବୌଦ୍ଧିକ ସଙ୍ଗତି ରକ୍ଷା କରି ମୁଖ୍ୟ ଚରିତ୍ରର ଜୀବନ ସମସ୍ୟା ସହିତ ସଂଯୁକ୍ତ କରି ଦେଇଛନ୍ତି ।

 

ଗଭୀର ମନସ୍ତାତ୍ତ୍ୱିକତାଦୀପ୍ତ ଏ ଗଳ୍ପଟିରେ ଦର୍ପନାରାୟଣଙ୍କର ଚରିତ୍ର ଏକ ଅମୂଲ୍ୟସୃଷ୍ଟି-। ମୈତ୍ରେୟୀ, ମାଧବୀ ତଥା ଦର୍ପନାରାୟଣଙ୍କର ନିଜ ଉକ୍ତିରେ ନାଟକୀୟତାର ଯେଉଁ ବ୍ୟଞ୍ଜନା ଫୁଟିଉଠିଛି, ତାହା ତାଙ୍କ ଚରିତ୍ରକୁ ତୀବ୍ର ସଂଘର୍ଷ ମଧ୍ୟକୁ ଟାଣି ନେବାରେ ସକ୍ଷମ ହୋଇଛି-। ଏ ଚରିତ୍ରଟିର ମାନସିକ ପରାଜୟରେ ତୃଷ୍ଣାର ପରାଜୟକୁ, ଗାଳ୍ପିକ ପରୋକ୍ଷ ଭାବରେ ଆଙ୍ଗୁଳି ନିର୍ଦ୍ଦେଶ କରିଅଛନ୍ତି । ରାସ୍ତାଘାଟର ଅସହାୟ ଜୀବନରେ ତୃଷ୍ଣା ବା ବିତୃଷ୍ଣାର ରେଖାପାତ ନ ହୋଇଥିବାରୁ ସେ ଜୀବନ, ଦର୍ପନାରାୟଣଙ୍କର ଜୀବନଠାରୁ ଅଧିକ କାମ୍ୟ, ଏହାହିଁ ଗଳ୍ପ ଶେଷରେ କଥାକାରଙ୍କର ସିଦ୍ଧାନ୍ତ ଭଳି ବୋଧହୁଏ । ତାଙ୍କ ମତରେ ତୃଷ୍ଣାର ତୀବ୍ର ଆସକ୍ତିରେ ଜୀବନପଥକୁ ନୀରନ୍ଧ୍ର କରି ଦର୍ପନାରାୟଣଙ୍କ ପରି ଆଲୋକ ଅନ୍ୱେଷଣରେ ପାଗଳ ପରି ଘୁରି ବୁଲିବା, ଆଧୁନିକ ଜୀବନର ସାଧାରଣ ନୀତି ହୋଇ ପଡ଼ିଥିଲେବି ଏଥିରେ ବାସ୍ତବ ଜୀବନର ଆଶା ଅତ୍ୟନ୍ତ ନିଷ୍ପ୍ରଭ । କଳା ପରି ଜୀବନକୁ ସ୍ୱଚ୍ଚ୍ଥନ୍ଦ ଓ ସ୍ୱୟଂପ୍ରକାଶ କରିବାକୁ ହେବ । ଏହି ସ୍ୱଚ୍ଚ୍ଥନ୍ଦତାରେ ନର୍ଦ୍ଦମାଧାରର ଅସ୍ୱସ୍ତିବିହୀନ ପ୍ରାଣରେ ଜୀବନଛନ୍ଦର ସୁସ୍ଥ ବିକାଶ ଘଟିପାରେ । କିନ୍ତୁ ଅପର ପକ୍ଷରେ ବହୁ ଯତ୍ନ ଓ ବହୁ ଆକାଂକ୍ଷା ସତ୍ତ୍ୱେ, ସ୍ୱାଭାବିକତା ଅଭାବରୁ ଦର୍ପନାରାୟଣଙ୍କ ଜୀବନ ପରି ସବୁ ପ୍ରାଚୁର୍ଯ୍ୟ ମଧ୍ୟରେ ମାନସିକ ଦୈନ୍ୟର ତୀବ୍ରତା, ବ୍ୟକ୍ତିଚରିତ୍ରକୁ ଅସଫଳ କରିଦେଇପାରେ ।

 

ପୁଷ୍ୟାଭିଷେକ–ଇତିହାସର ଭଙ୍ଗାକୁଢ଼ ଭିତରେ ଗ୍ରୀକ୍‌ ବା ରୋମର କବି, ସାଶ୍ରୁ ନୟନରେ ଅତୀତକୁ ଅନ୍ୱେଷଣ କଲା ପରି ‘‘ପୁଷ୍ୟାଭିଷେକ’’ ଇତିହାସଦର୍ଶୀ ସୁରେନ୍ଦ୍ରଙ୍କର ଅଶ୍ରୁଳ ଅନୁସନ୍ଧାନର ଏକ ଅକ୍ଷୟ ସ୍ମାରକୀ । ହଳଦୀ ଗାଁର ମେଦିନୀ ରାୟଙ୍କ ଉଆସ ପରି ଖଣ୍ଡାୟତମାନଙ୍କର ଖାନ୍‌ଦାନିର ବହୁ ଗୌରବୋଜ୍ଜ୍ୱଳ ଅଧ୍ୟାୟ, ପରାଧୀନତାର ଅନ୍ଧକାର ମଧ୍ୟରେ ମିଳାଇ ଯାଇଛି । ବଣିଜତନ୍ତ୍ର ଓ ହାକିମୀତନ୍ତ୍ରର ନବ୍ୟ ସାମ୍ୟବାଦରେ ସେ ସବୁର ସ୍ମୃତି ଖୋଜିବୁଲିବା, ନୀଳାମ୍ୱରଙ୍କ ଦୃଷ୍ଟିରେ ବଦ୍ଧପାଗଳାମି । କାରଣ ଦେବୋତ୍ତର ସମ୍ପତ୍ତି ଉପରେ ବଞ୍ଚି ରହୁଥିବା ଫମ୍ପା ବୁନିୟାଦିର ଭିତ୍ତି, ଏ ଯୁଗରେ ବଡ଼ ଶୋଚନୀୟ । ପିତା ଜଗବନ୍ଧୁ ମେଦିନୀରାୟଙ୍କର ପୁଷ୍ୟାଭିଷେକ ପାଇଁ ଅବାଞ୍ଛିତ ମୋହ ବିରୁଦ୍ଧରେ ନୀଳାମ୍ଭରଙ୍କର ଏ ବାସ୍ତବୋକ୍ତି, ବଜ୍ର ପରି କଠିନ ଓ ଯଥାର୍ଥ ହେଲେ ମଧ୍ୟ ସାମନ୍ତବାଦର ସ୍ୱାଭାବିକ ସ୍ୱପ୍ନକୁ ଏ ଭାଷାରେ ବୁଝାଇବା ସମ୍ଭବ ନୁହେଁ । ସମୟର ପରିବର୍ତ୍ତନ ସତ୍ତ୍ୱେ ବଞ୍ଚିବାର ଗୋଟିଏ କାଳକାଳର ସୌଖୀନ୍‌ ନିଶାକୁ, ଏତେ ସହଜରେ ଛାଡ଼ି ହୁଏ ନାହିଁ । ଅଭ୍ୟାସ ଫଳରେ ଏହାବି ଜୀବନର ଏକ ଅପରିହାର୍ଯ୍ୟ ଭଙ୍ଗୀ ବା କଳାରେ ପରିଣତ ହୋଇଯାଇଥାଏ । ତେଣୁ ସ୍ୱପ୍ନ ଭିତରେ ବାସ୍ତବତାର ଯେତେ ହାତୁଡ଼ି ପ୍ରହାର ବାଜିଲେ ମଧ୍ୟ ସ୍ୱପ୍ନଟାକୁ ଛାଡ଼ି ବଞ୍ଚିବା, କିମିତି ମୃତ୍ୟୁ ଭଳି ନିଦାରୁଣ ଓ ଅସହ୍ୟ ବୋଧହୁଏ । ଉଆସର ଦୈନ୍ୟ, ଜଗବନ୍ଧୁଙ୍କୁ ଯେ ଅଜଣା, ତା’ ନୁହେଁ । ବରଂ ସେଥିପାଇଁ ସେ ଦୁଶ୍ଚିନ୍ତାଗ୍ରସ୍ତ । ସମସ୍ତେ ଜାଣିବାରେ ରତ୍ନମାଳୀକୁ କୋଡ଼ିଏବର୍ଷ ହୋଇଥିଲେ ମଧ୍ୟ ସେ ଜାଣନ୍ତି, ସାନଜେମା ପଚିଶ ଡେଇଁଗଲାଣି । ବଡ଼ଜେମା ହେମାମାଳୀର ମଙ୍ଗଳକୃତ୍ୟ ବଢ଼ିଥିଲା ତିରିଶ ବର୍ଷରେ । ସୁତରାଂ ପଥରର ପ୍ରତିମୂର୍ତ୍ତି ପରେ ନୀରବରେ ବସି ସେ ନିଜ ଅତୀତକୁ ନିଷ୍ପ୍ରଭ ଦୃଷ୍ଟିରେ ଦେଖି ଯାଇଛନ୍ତି । କଟକରୁ ପୀତୁ ପଠାଇଥିବା ଅଫିମଖିଆ ଟଙ୍କା ପଚିଶିଟି ପୁଷ୍ୟାଭିଷେକ ଖର୍ଚ୍ଚପାଇଁ ଜେମାଦେଈଙ୍କ ହାତକୁ ବଢ଼ାଇଦେବା ଭିତରେ ତାଙ୍କ କଣ୍ଠରେ ଲେଖକ ଯେଉଁ ସନ୍ତର୍ପଣ ଓ ଉଦାସତା ଭରି ଦେଇଛନ୍ତି, ତାହା କମ୍‌ କଳାନୈପୁଣ୍ୟର ପରିଚୟ ନୁହେଁ । ସାନ ଜେନାମଣିଙ୍କର ଯୁଗୋପଯୋଗୀ ବିଦ୍ରୂପ, ବଡ଼ ଜେନାମଣି ଓ ସାନ ଜେମାଦେଈଙ୍କର ଅକୁଣ୍ଠ ସହାନୁଭୂତି, ଚରିତ୍ରଟିର ଅସହୟତାକୁ ଅନେକ ପରିସ୍ଥିତିରେ ସ୍ପଷ୍ଟ କରିଦେଇଛି । ତଥାପି ରବୀନ୍ଦ୍ରନାଥଙ୍କର ‘‘ନୟନଜୋରିର ବାବୁମାନଙ୍କ’’ ପରି ଓଡ଼ିଶା ଇତିହାସର ଏ ଦରବାରୀ ଆଭିଜାତ୍ୟ, ‘ମୁଣ୍ଡରେ ଛିଣ୍ଡା ମଫୁଲର ଗୁଡ଼େଇ, ଦେହରେ ଫିକା ହଳଦିଆ ରଙ୍ଗର ଧଡ଼ିଛିଣ୍ଡା ଶାଲ ଢାଙ୍କି x x x ପାଣିଚିଆ ଓ ଅସହାୟ ଆଖିରେ ଏଣେତେଣେ ଚାହିଁ ବସିଛି ।’’ ସତେ ଯେପରି ଏହାର ଶେଷନାହିଁ-। ବିସ୍ମୃତିର ବାଲିଚରତଳେ ଅତୀତର ଚେତନା, ହାଇମାରି ଅନାହତ ଭାବରେ ବହିଚାଲିଛି ।

 

ଅତୀତର ଏହି ଅନାହତ ମୋହରେ ମେଦିନୀ ରାୟଙ୍କ ଉଆସ ପରି ମେଦିନୀ ରାୟ ମଧ୍ୟ ଏକ ମରୀଚିକା । ଉଆସ ପଟୁଆରୀ ନିତୁ ମହାନ୍ତି, ବାଦିଆ ଭଣ୍ଡାରି ଓ ଗ୍ରହବିପ୍ର କେଳୁ ନାୟକ ଭଳି ଯୁଗଦୃଷ୍ଟିରେ ସେମାନେ ସମସ୍ତେ ହେୟ ଓ ଅଳୀକ । ଏହି ଅଳୀକତା ଭିତରେ ଜୀବନର ଶାଶ୍ୱତ ମୋହକୁ ତତ୍‌ପରତା ସହିତ ଖଞ୍ଜି ଦେଇଥିବାରୁ କଥାକାରଙ୍କର କୁହୁକକାଠିରେ ସାମନ୍ତବାଦର ଶେଷରଶ୍ମି ଭିତରେ ମାନବ ଚରିତ୍ରର ବୈଚିତ୍ର୍ୟକୁ ପ୍ରାଣଭରି ଉପଭୋଗ କରିହୁଏ । ଏ ଉପଭୋଗରେ ‘‘ଡିନୋସାର୍‌ର ଆତ୍ମା’’ର ରୁଦ୍ରତା ବା ଉତ୍ତେଜନା ନାହିଁ । ‘‘ନିତ୍ୟବର୍ତ୍ତମାନକାଳ’’ର ଆତ୍ମସ୍ଥିତି ଜାହିର୍ କରୁଥିବା ଅପରିବର୍ତ୍ତିତ ପୌରୁଷର ଅଭିମାନ ବା ‘‘ଧ୍ୱଂସାବଶେଷ’’ର କଳ୍ପନାଶ୍ରୟୀ ରସିକତା ନାହିଁ । ଅସହାୟ ପୌରୁଷର ଏକ ଅଶ୍ରୁବିକଳ ମୂର୍ତ୍ତିକୁ ଅଣାୟତ୍ତ ମୋହ ଲାଗି ସମବେଦନା ଜଣାଇବା ମଧ୍ୟରେ, ହୃଦୟରେ ଯେଉଁ କରୁଣତାର ମୂର୍ଚ୍ଚ୍ଥନା ଖେଳିଯାଏ, ତାହାହିଁ ଏ ଉପଭୋଗର ବାସ୍ତବ ସ୍ୱରୂପ । ଗାଳ୍ପିକ ତାଙ୍କର ଏହି ସମପ୍ରାଣତାକୁ ବଡ଼ଜେନାମଣି ପୀତାମ୍ୱର, ‘‘ଜେମା ରତ୍ନମାଳୀ’’ ‘‘ପଟୁଆରୀ’’ ନିତୁ ମହାନ୍ତି ଓ ଚା’ ପର୍ବର ଆୟୋଜନ କାଳରେ ବାଦିଆ ଭଣ୍ଡାରିର ସନ୍ତର୍ପଣ ମଧ୍ୟରେ ବେଶ୍‌ ସୁଚାରୁଭାବେ ପ୍ରକାଶ କରିଅଛନ୍ତି । ତେଣୁ ଜଗବନ୍ଧୁ ମହାପାତ୍ରଙ୍କର ଟିକିଟିକି ଖୁଁ ଖୁଇଁଆ କାଶ ଭିତରେ ଇତିହାସର ଅଟ୍ଟହାସ ଯେମିତି ଜୀବନ୍ତ, ରତ୍ନମାଳୀଙ୍କର ‘‘ଦୁଇଟୋପା ଲୁହ’’ରେ ସେ ଅଟ୍ଟହାସର ବାସ୍ତବ ପରିଣତ ସେମିତି କରୁଣ । ଗାଳ୍ପିକଙ୍କର ବିପୁଳ ଅନୁଭୂତି, ସାମନ୍ତବାଦର ଭସ୍ମସ୍ତୂପ ଉପରେ ଅତୀତର ଆଭିଜାତ୍ୟକୁ ଚୌପାଢ଼ୀ ବା ଦରବାରୀ ଆସରରେ ଯେପରି ନିଖୁଣ ଓ ବାସ୍ତବ କରିପାରିଛି, ତାହା ଫକୀରମୋହନଙ୍କ ପରେ ସୁରେନ୍ଦ୍ରଙ୍କୁ ତାଙ୍କର ଉତ୍ତରସାଧକର ଗୌରବ ଦେଇଥାଏ । ବିଷୟବସ୍ତୁ ପ୍ରତି ଗଭୀର ନିଷ୍ଠାହେତୁ ‘‘ପୁଷ୍ୟାଭିଷେକ’’ରେ ଲେଖକଙ୍କର ମୌଳିକତା, ବହୁ ପଥରେ ଆତ୍ମପ୍ରକାଶ କରିପାରିଛି । ସୁତରାଂ ଆଲୋଚ୍ୟ ଗଳ୍ପର କଥାବସ୍ତୁ, ଚରିତ୍ର ବିକାଶ ଓ ଘଟଣାସମନ୍ୱୟରେ ତାଙ୍କର ଦକ୍ଷତାକୁ ଅସ୍ୱୀକାର କରିହୁଏ ନାହିଁ । ବାତାବରଣରେ ଘଟଣାଗତ ଉତ୍କଣ୍ଠା ସୃଷ୍ଟି କରିବାକୁ ସେ ପ୍ରୟାସ କରି ନଥିଲେ ମଧ୍ୟ ଚରିତ୍ର ବିକାଶର ସ୍ୱାଭାବିକତାରେ ଗଳ୍ପର ପରିସ୍ଥିତି, ଅନେକ କ୍ଷେତ୍ରରେ ମାନସିକ ଆଲୋଡ଼ନ ଓ ଉତ୍କଣ୍ଠା ପାଇଁ ଭୂମିକା ପ୍ରସ୍ତୁତ କରିଛି ।

 

‘‘ସାମ୍ୟବାଦର ଶେଷ ଇସ୍ତାହାର’’, ‘‘ମରାଳର ମୃତ୍ୟୁ’’ ପୁସ୍ତକର ଶେଷଗଳ୍ପ । ୧୯୬୦ରେ ଲିଖିତ ଏ ଗଳ୍ପଟିରେ ଆଧୁନିକ ସାମ୍ୟବାଦର ଉଦ୍ଭଟତା, ଲେଖକଙ୍କର ପ୍ରଚ୍ଚ୍ଥନ୍ନ ଆକ୍ଷେପ ମାଧ୍ୟମରେ ପ୍ରକାଶିତ । ତାଙ୍କ ମତରେ ନିମ୍ନମଧ୍ୟବିତ୍ତର ବିଡ଼ମ୍ୱିତ ଜୀବନକୁ ସହ୍ୟକରି ନ ପାରି ବହୁ ପଳାତକ, ଏ ଯୁଗରେ ସର୍ବହରାର ଛାଉଣିତଳେ ଆଶ୍ରୟ ନେବାକୁ ଏକ ସୁବିଧାଜନକ ପନ୍ଥା ବୋଲି ବାଛି ନେଇଛନ୍ତି । ନିମ୍ନମଧ୍ୟବିତ୍ତ ସୁଲଭ ବିଚାର ଓ ଦୃଷ୍ଟିକୋଣ, ସମୟେ ସମୟେ ଏମାନଙ୍କର ଆହୁତ ବ୍ୟକ୍ତିତ୍ୱର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ ନିହାତି ଅସ୍ୱାଭାବିକ ରୀତିରେ ଏମାନେ ସର୍ବହରା ହେବାକୁ ପ୍ରୟାସ କରି ଚାଲିଛନ୍ତି । ସମ୍ଭ୍ରାନ୍ତବାଦର ସମ୍ମାନବୋଧ ଓ ମର୍ଯ୍ୟାଦାଜ୍ଞାମ, ଏମାନଙ୍କ ଦୃଷ୍ଟିରେ ବାହାରୁ ତୁଚ୍ଚ୍ଥ ପ୍ରତିପନ୍ନ ହେଉଥିଲେହେଁ, ବ୍ୟକ୍ତିଗତ ଭାବରେ ଏମାନେ ଏକ ନୂତନ ନାମ ଓ ନୂତନ ସମ୍ମାନର ଅଧିକାରୀ ହେବାପାଇଁ କାଙ୍ଗାଳ । ‘‘ସର୍ବହରା’’ ପାଇଁ ସହାନୁଭୂତିରେ ଯେତେ ନୁହେଁ; କେବଳ ଏହି ନୂତନ ନାମରେ ଏକ ସ୍ୱତନ୍ତ୍ର ଆଭିଜାତ୍ୟ ଓ ସ୍ୱତନ୍ତ୍ର ଉନ୍ମାଦନା ଯୋଗୁଁ ବହୁ ସଂଘର୍ଷଭୀରୁ ଜୀବନ ଉଦ୍‌ବାସ୍ତୁକର ଅଭିନୟ କରିବା ଲାଗି ବ୍ୟଗ୍ର । ଆଲୋଚ୍ୟ ଗଳ୍ପରେ ଚରିତ୍ରୀଭୂତ ଲେଖକ, ଉକ୍ତ ଅଭିନୟକୁ ସଂଶୟଦୃଷ୍ଟିରେ ଦେଖୁଥିବାରୁ ତାଙ୍କର ଆମ ବିବୃତିରେ ଗଳ୍ପଟି ସମାକୀର୍ଣ୍ଣ । ଲେଖକଙ୍କର ଗଳ୍ପନିଃସ୍ପୃହତା, କାହାଣୀଟିକୁ ବାସ୍ତବରେ ବ୍ୟକ୍ତିଚିତ୍ତର ପ୍ରତିକ୍ରିୟା ବା ଏକ ବଳିଷ୍ଠ ମତବାଦର ଯୁକ୍ତିଯୁକ୍ତ ଇସ୍ତାହାରରେ ପରିଣତ କରିଛି । ଏଣୁ ଗଳ୍ପର ସ୍ଥିତି ଯେତେ ବୌଦ୍ଧିକ ହେଲେ ମଧ୍ୟ ଏହା ଗତିଶୀଳ ହୋଇପାରେ ନାହିଁ ।

 

ଭାରତୀୟ ଉପନିଷଦ୍‌ର ବିଶାଳ ଜୀବନବୋଧ, କଥାକାରଙ୍କର ବ୍ୟକ୍ତିଚେତନାର ଲକ୍ଷ୍ୟ ହୋଇଥିବାରୁ କାର୍ଲ ମାର୍କସ୍‌ଙ୍କର ଦର୍ଶନକୁ ସେ ଏ ଗଳ୍ପ ଭଳି ପୂର୍ବାଲୋଚିତ କେତେକ ଗଳ୍ପରେ ଜାନ୍ତବ କ୍ଷୁଧାର ଅସାର ଦର୍ଶନ ବୋଲି ସ୍ୱୀକାର କରିବାକୁ କୁଣ୍ଠାବୋଧ କରିନାହାନ୍ତି । ବିଚାରାଧୀନ କାହାଣୀରେ ଆଧୁନିକ ସାମ୍ୟବାଦୀ ମଣିଷକୁ ‘‘ସଂଗଠିତ ସ୍ୱାର୍ଥପରତାର ଏକ ଉତ୍ତୋଳିତ ଅସ୍ତ୍ର’’ ବୋଲି ଇଙ୍ଗିତ କରିବାରେ ଲେଖକଙ୍କର ଉକ୍ତି ଶକ୍ତିଶାଳୀ । ସୁତରାଂ ଏପରି କ୍ଷେତ୍ରରେ ଚରିତ୍ର ମାଧ୍ୟମରେ ତାଙ୍କର ଆତ୍ମକଥନ ବିଶେଷ ଲକ୍ଷଣୀୟ । ଅବଶ୍ୟ, ଗଳ୍ପର ବିକାଶଧାରାରେ ଅନ୍ୟ କେତୋଟି ଗତିହୀନ ଚରିତ୍ରକୁ, ଲେଖକ ତାଙ୍କର ପ୍ରଚାରଧର୍ମିତାର ଅସ୍ତ୍ରରୂପେ ବ୍ୟବହାର କରିଛନ୍ତି । ସେମାନଙ୍କର ନିଷ୍ଠୁର ଦୈନନ୍ଦିନତା ଭିତରେ କ୍ଷୁଧାର ତାଡ଼ନା ବ୍ୟତୀତ ଅନ୍ୟ କିଛି ନାହିଁ । ତେଣୁ କ୍ଷୁଧାର୍ତ୍ତ ମଣିଷର ଏ ତୁଚ୍ଚ୍ଥ ସଂଗ୍ରାମ ଓ ଶ୍ରମିକ ୟୁନିୟନର ସୋଡ଼ାବୋତଲ ଫିଙ୍ଗି ଭିତରେ, ଆଜିର ସାମ୍ୟବାଦ କେତେଦୂର ଗ୍ଳାନିପୂର୍ଣ୍ଣ, ଏହା ପ୍ରତିପାଦିତ କରିବା ପାଇଁ ଲେଖକଙ୍କ ଭିନ୍ନ, ଗଳ୍ପୋକ୍ତ ଅନ୍ୟ ଚରିତ୍ରଗୁଡ଼ିକ ପ୍ରାୟ ଦୁର୍ବଳ ଓ ହୀନପ୍ରଭ । ସ୍ଥୂଳତଃ, ସୃଷ୍ଟିର ସାବଲୀଳତା, ଏଠି ଉଦ୍ଦେଶ୍ୟଧର୍ମିତା ଯୋଗୁଁ ସଂକୀର୍ଣ୍ଣ ଓ ସୀମାବଦ୍ଧ ।

Image

 

ଶୈଳୀ ଓ ଶିଳ୍ପୀମାନସର ଆଭିମୁଖ୍ୟ

 

ଶୈଳୀ :–ସ୍ରଷ୍ଟାର ସ୍ୱାଧୀନତା ଓ ମମତ୍ୱ, କଥାବସ୍ତୁ ବା ଚରିତ୍ର ଅପେକ୍ଷା ଶୈଳୀରେ ଅଧିକ ଆକର୍ଷଣୀୟ । କାରଣ ଶୈଳୀ ବା ଫୁଟାଇବାର କୌଶଳରେ ସ୍ରଷ୍ଟାର ଆତ୍ମସଞ୍ଚାର ଅଧିକ ସ୍ପଷ୍ଟ ହୋଇଥିବାରୁ, ଯେ କୌଣସି ରଚନାର ବାହ୍ୟରୂପ ଦେଖି ତାହାର କବି ବା ଲେଖକଙ୍କୁ ନିର୍ଣ୍ଣୟ କରିବା ସହଜସାଧ୍ୟ ହୋଇଥାଏ । ତେଣୁ ପରିବେଷଣର ଭଙ୍ଗୀ ବା ଢାଞ୍ଚାରେ ଲେଖକ, ସ୍ୱପ୍ରତିଭାର ପରିଚୟ ଦେବା ସଙ୍ଗେ ସଙ୍ଗେ, ତାଙ୍କ ସୃଷ୍ଟିରେ ବ୍ୟବହୃତ ଭାଷାକୁ ନୂତନ ରୂପ, ନୂତନ ଅର୍ଥ ଓ ନୂତନ ପ୍ରାଣଶକ୍ତିରେ ସମୃଦ୍ଧି କରିଦେଇଥାଆନ୍ତି । ଭାଷାର ଅକଳନ୍ତି ପ୍ରକାଶ-ଶକ୍ତି, ସୌନ୍ଦର୍ଯ୍ୟ ଓ ସାବଲୀଳତା, ଯାହାକୁ ନେଇ ଏକ ଭାଷା, ଅନ୍ୟ ଭାଷାଠାରୁ ଅଧିକ ଗୌରବର ପାତ୍ର ହୋଇଥାଏ, ତାହା ସାଧକ ଓ ଲେଖକମାନଙ୍କର ନିଜତ୍ୱର ଅକ୍ଷୟମୁଦ୍ରା ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଏହି ବିଚାରରେ କଥାକାର ସୁରେନ୍ଦ୍ରଙ୍କର ଶୈଳୀ, ଓଡ଼ିଆ ସାହିତ୍ୟରେ ବିପୁଳ ସମ୍ଭାବନାମୟ । ସଂକ୍ଷେପରେ ଏହା ‘ସମ୍ଭ୍ରାନ୍ତ ଓ ଶକ୍ତିଶାଳୀ’ ଶୈଳୀର ଅନ୍ତର୍ଗତ । କାଳିନ୍ଦୀ, ଗୋପୀନାଥ ଓ ରାଜକିଶୋର (ପଟ୍ଟନାୟକ) ପ୍ରଭୃତିଙ୍କର ରଚନା-ପରିପାଟୀରୁ ଏହା ଭିନ୍ନ । ସେମାନଙ୍କର କୃତିର ସରଳ-ଶକ୍ତିଶାଳିତା, ଏଠି ଅଭିଜାତ ରୀତିର ଆଶ୍ରୟ ନେଇଥିଲେ ମଧ୍ୟ ଏହା ଶକ୍ତିହୀନତାର ପରିଚୟ ଦେଇନାହିଁ । ବିଷୟବସ୍ତୁ ଭେଦରେ ଉକ୍ତ ଆଭିଜାତ୍ୟର ପୁଣି ସ୍ତରଭେଦ ରହିଛି । ପୌରାଣିକ, ଐତିହାସିକ, ବୌଦ୍ଧଯୁଗୀୟ ବା ସାମନ୍ତବାଦର ଶେଷରଶ୍ମିକୁ ଆଶ୍ରୟ କରି ଲେଖାଯାଇଥିବା ଗଳ୍ପଗୁଡ଼ିକର ଅଭିଜାତ ଶୈଳୀ; କୃଷ୍ଣଚୂଡ଼ା, ବାସୀମଡ଼ା, ନର୍ତ୍ତକୀ ଅଥବା ମୁହୂର୍ତ୍ତ ପ୍ରଭୃତିର ଶୈଳୀଠାରୁ ଭିନ୍ନ । କାରଣ, ଦ୍ୱିତୀୟୋକ୍ତ ଗଳ୍ପଗୁଡ଼ିକରେ ସମ୍ଭ୍ରାନ୍ତ ରୁଚିର ସ୍ପର୍ଶ ଥିଲେ ମଧ୍ୟ ଭାଷା ମୁଖତଃ ସରଳ ଓ ସ୍ଥଳବିଶେଷରେ ଗ୍ରାମୀଣ । ଲେଖକଙ୍କର ଉଚ୍ଚ୍ଥ୍ୱାସ ଅନୁକ୍ରମେ ଏହା କେତେକ କ୍ଷେତ୍ରରେ ଯେ ଆଳଙ୍କାରିକ ଓ ମଣ୍ଡନପ୍ରିୟ ହୋଇ ନ ପଡ଼ିଛି, ତାହା ନୁହେଁ । କେବେ ପ୍ରଥମୋକ୍ତ ଗଳ୍ପଗୁଡ଼ିକର ଆଡ଼ମ୍ୱରପ୍ରିୟତା ଓ ଅଳଙ୍କାର ବିନ୍ୟାସରୁ ଏହା ବହୁପରିମାଣରେ ମୁକ୍ତ । ଏ ସମସ୍ତ ସତ୍ତ୍ୱେ ସୁରେନ୍ଦ୍ରଙ୍କର ଭାଷାବିନ୍ୟାସରେ କୃତ୍ରିମତା ଲକ୍ଷ୍ୟ କରିହୁଏ ନାହିଁ । ଓଡ଼ିଆ ପ୍ରାଣର ବିଶୁଦ୍ଧ ଓଡ଼ିଆ ଓ ତତ୍ସମ ଶବ୍ଦବହୁଳ ଓଡ଼ିଆ, ଉଭୟରେ ପ୍ରାଣପ୍ରଚୁରତା ଭରି ଦେଇଥିବାର ଲେଖକଙ୍କର ଉଦ୍ଦେଶ୍ୟ ସିଦ୍ଧିରେ ଏହା ପ୍ରତିବନ୍ଧକ ହୋଇପାରି ନାହିଁ ।

 

ସଂଗୀତର ପରିଭାଷାରେ କଥାକାର, କ୍ଷୁଦ୍ରଗଳ୍ପକୁ ‘‘ନାଦ’’ ବୋଲି ସ୍ୱୀକାର କରିଥିବାରୁ ତାଙ୍କ ଗଳ୍ପର ଭାଷା, ବୋଧହୁଏ ସେହି ନାଦର ବିଚିତ୍ର ଲୟରେ ଗୀତିମୁଖର । ଏହା ଆବେଗ ଓ ଉଚ୍ଚ୍ଥ୍ୱାସରେ ମୁଖରିତ । ଗଦ୍ୟରେ କବିପ୍ରାଣତାର ବିହ୍ୱଳ ସ୍ପର୍ଶ ହେତୁ କବିତ୍ୱର ଅନ୍ତର୍ଧ୍ୱନିରେ ଏହା ଉଲ୍ଲାସମୟ । ଆଧୁନିକ ଉପମାବହୁଳତାରେ ଏହା ପରିପୂର୍ଣ୍ଣ ଥିଲେ ମଧ୍ୟ କ୍ଳାନ୍ତିକର ନୁହେଁ । ଦୀର୍ଘବାକ୍ୟ ଯୋଜନା, ଅତି ଦାର୍ଶନିକତା ଓ ‘‘ପ୍ରାଗୈତିହାସିକ’’ ତଥା ‘‘ନାଁ-ନ ଜଣା’’ ପରି କେତେଗୋଟି ଶବ୍ଦ ପ୍ରତି ଲେଖକଙ୍କର ଅପରିହାର୍ଯ୍ୟ ମୋହ ଯୋଗୁଁ, ଗଳ୍ପଶୈଳୀରେ ସାମାନ୍ୟ ନିଷ୍କ୍ରିୟତା ଲକ୍ଷ୍ୟ କରାଯାଉଥିଲେହେଁ, ଏହା ସାମଗ୍ରିକ ପରିଣତିର ଅପୂର୍ବ ପ୍ରାଣପ୍ରବାହରେ ପ୍ରାୟ ନିମଜ୍ଜିତ ହୋଇଯାଏ । ଶୈଳୀଗତ ସ୍ୱଚ୍ଚ୍ଥଳତାରେ ଭାବପ୍ରବଣତାର ଏ ଦୁର୍ବଳ ଦିଗଗୁଡ଼ିକ, ଆପେ ଆପେ ନିଶ୍ଚିହ୍ନ ହୋଇ ଆସେ ।

 

ବିଷୟବସ୍ତୁ ସହିତ ଏକାତ୍ମକତା, ସୁରେନ୍ଦ୍ରଙ୍କର ଗଳ୍ପଗୁଡ଼ିକର ସାଧାରଣ ଲକ୍ଷଣ ହୋଇଥିବାରୁ କବି କୀଟ୍‌ସଙ୍କ ପରି ସେ ଅନେକ ସମୟରେ ନିଜକୁ ଘଟଣା ବା ବସ୍ତୁଠାରୁ ପୃଥକ୍‌ ମନେ କରିପାରିନାହାନ୍ତି । ଉକ୍ତ ତନ୍ମୟତା ପ୍ରଭାବରେ ତାଙ୍କ ଶୈଳୀରେ ଯାନ୍ତ୍ରିକ ନିର୍ଲିପ୍ତତା ପରିବର୍ତ୍ତେ ମୁଗ୍‌ଧାନୁଭବର ଭାଷାହିଁ ପରିସ୍ଫୁଟ ହୋଇଛି । ତାହା ବୋଲି ମୁଗ୍‍ଧ ଦୃଷ୍ଟିରେ ସୃଷ୍ଟିସୁଲଭ ସୌନ୍ଦର୍ଯ୍ୟ ବା ଶୃଙ୍ଖଳାଠାରୁ ସେ ଦୂରକୁ ଚାଲିଯାଇ ନାହାନ୍ତି । ଭାବାବେଗ ସହିତ ବିଚାରବୁଦ୍ଧିର ଓ ହୃଦୟ ସହିତ ମସ୍ତିଷ୍କର ସମନ୍ୱୟଜନିତ ସଂଯମ ଫଳରେ, ତାଙ୍କର ରଚନାଶୈଳୀ ଭାବର ପ୍ରତିଛବି ଧରି ଚିର ଉଜ୍ଜ୍ୱଳ । ସ୍ୱତରାଂ କବିତାର ଭାଷା ପରି ତାଙ୍କର ପ୍ରକାଶଭଙ୍ଗୀରେ, ପ୍ରତ୍ୟେକ ଶବ୍ଦର ଧ୍ୱନି, ସଙ୍ଗତି, ଚାତୁର୍ଯ୍ୟ ଓ ବ୍ୟଞ୍ଜନା ଭିତରେ ଶିଳ୍ପୀଅନ୍ତରର ବୌଦ୍ଧିକ ବିଚକ୍ଷଣତା ପ୍ରକାଶ ପାଇଛି । ଏ ଦୃଷ୍ଟିରୁ ସାଧାରଣ ପାଠକ ପାଇଁ ତାଙ୍କର ଶୈଳୀ ପୂର୍ଣ୍ଣ ଉପଭୋଗ୍ୟ ନ ହେଉଥିଲେ ମଧ୍ୟ, ଯେ କୌଣସି ବୁଦ୍ଧିଜୀବୀ ନିମନ୍ତେ ଏ ଶୈଳୀର ଉପାଦେୟତା, ଅନସ୍ୱୀକାର୍ଯ୍ୟ । କାରଣ ନୂତନ ପୃଥିବୀର ଭାଷାରେ କେଉଁ ଖାଦାନ୍‌, ଇସ୍ପାତନଗରୀ ବା ଟ୍ରେଡ଼ ଇଉନିୟନର ଭାଷା ପ୍ରବେଶ କରୁଥିବାବେଳେ, ଆମ ଅତୀତକୁ ବର୍ତ୍ତମାନର ଆଲୋକରେ ଦେଖିବାର ପ୍ରୟାସ, କଥାକାରଙ୍କୁ ଏକ ନୂତନ ଶୈଳୀର ସନ୍ଧାନ ଦେଇଛି । ଏ ଶୈଳୀରେ ଅତୀତର ସରସ ମୁକ୍ତଜୀବନ ଓ ବର୍ତ୍ତମାନର ନିଃଶ୍ୱାସରୁନ୍ଧା କୃତ୍ରିମତାକୁ ବେଶ୍‌ ଅନୁଭବ କରିହୁଏ । ଏଣୁ ସୁରେନ୍ଦ୍ରଙ୍କର ଗଳ୍ପର ପ୍ରକାଶ ଠାଣି ପରି ତାଙ୍କ ଭାଷା ମଧ୍ୟ ଅନନ୍ୟ ସାଧାରଣ । ଏହା ସ୍ୱଭାବତଃ ନମନୀୟ (Plastic) । ଲେଖକ ତାଙ୍କର ଦକ୍ଷତା ବଳରେ ଭାଷାର ଏହି ଯୋଗ୍ୟତା ବୃଦ୍ଧି ନିମନ୍ତେ ଅଧିକ ଯତ୍ନବାନ ହୋଇଥିବାରୁ ଓଡ଼ିଆଭାଷା, ତାଙ୍କ ହାତରେ ନରମ ମାଟିପିଣ୍ଡୁଳାରେ ପରିଣତ ହୋଇଛି । ସେ ଏହାକୁ ମନମୁତାବକ ପିତୁଳା ତିଆରି କରିବାକୁ ବିଶେଷ କିଛି ଆୟାସ ବା ଛେଚାକରର ଆଶ୍ରୟ ନ ନେଇ ମଧ୍ୟ ଉଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚି ପାରିଛନ୍ତି । ସ୍ୱର୍ଗତ ରାମଶଙ୍କରଙ୍କ ସମୟରେ ଯେଉଁ ଭାଷାରେ ନାଟକ ବା ଉପନ୍ୟାସ ଲେଖିବା ସମ୍ଭବ ନୁହେଁ ବୋଲି ଆମର କେତେକ ପ୍ରତିବେଶୀ ମତ ଦେଇଥିଲେ, ଆଜି ସେମାନେ ବଞ୍ଚିଥିଲେ ସୁରେନ୍ଦ୍ରଙ୍କର ଲେଖନୀରେ ସେହି ଭାଷାର ବିଚିତ୍ର ଭାବବହନ ଶକ୍ତି ଓ ଚମତ୍କାରିତା ଦେଖି ନିଶ୍ଚୟ ଈର୍ଷାନ୍ୱିତ ହୋଇଥାଆନ୍ତେ ।

 

ଓଡ଼ିଆଭାଷାର ଏ ଶକ୍ତିପରୀକ୍ଷା, କବିତାରେ ୧୩ଶ-୧୪ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଊନବିଂଶରୁ ବିଂଶ ଶତାବ୍ଦୀ ମଧ୍ୟରେ ଗଦ୍ୟରେ ପୁଣି ଏ ପରୀକ୍ଷା, ଫକୀରମୋହନଙ୍କ ହାତରେ ସଫଳ ହେଲା । ସେନାପତିଙ୍କର ଢାଞ୍ଚାକୁ ‘‘ଟିସ୍‌କୋ’’ର ନୀରବ ଭାଷାରେ ମିଳାଇ ଦେବାର ସାର୍ଥକତାହିଁ, ସୁରେନ୍ଦ୍ରଙ୍କର ନିଜସ୍ୱ । ଏହି ନିଜସ୍ୱ ବା ମୌଳିକତା ଆଶ୍ରୟରେ ତାଙ୍କର ଶୈଳୀ ସାହିତ୍ୟିକ ଦୃଷ୍ଟିରୁ ଯେତିକି ସାବଲୀଳ, ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ତାହା ସେତିକି ଗଭୀର ଓ ଅନ୍ତଃ-ସଲିଳ । ପୂର୍ବ ଅଧ୍ୟାୟରେ ମୁହୂର୍ତ୍ତ, ନୀଳଜୋତ୍ସ୍ନା ବା ପାଗଳାଗାରଦର କାହାଣୀ ପ୍ରଭୃତି ଗଳ୍ପର ଆଲୋଚନା ପ୍ରସଙ୍ଗରେ ଏ ଉକ୍ତିର ସମୀଚୀନତା ଦର୍ଶାଯାଇଥିବାରୁ, ପୁନରାୟ ସେ ସବୁର ଆଲୋଡ଼ନ ଏ କ୍ଷେତ୍ରରେ ଅନାବଶ୍ୟକ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ ଆଲୋଚ୍ୟ ଶୈଳୀ ଆଧୁନିକ ଯୁଗର ମର୍ମାଙ୍କନରେ ସମର୍ଥ । ଏଥିରେ ସୂକ୍ଷ୍ମାନୁସୂକ୍ଷ୍ମ ଆଲୋଡ଼ନ, ଅନୁଶୀଳନ ଓ ଭାବବିନ୍ଦୁର ପ୍ରତିଟି କମ୍ପନର ଅଭିବ୍ୟକ୍ତି ଲାଗି ଅବକାଶ ସୃଷ୍ଟି କରାଯାଇଛି । ରୁଗ୍‌ଣ ଶତାବ୍ଦୀର ଜ୍ୱଳାରେ ଏହା ଜର୍ଜରିତ । ପୀଡ଼ିତ ଚେତନାର ଶୀତଳତାରେ ଏହା ମୂହ୍ୟମାନ । ଏହିପରି ବହୁ ଭାବ, ଅନୁଭବ ଓ କ୍ରିୟାପ୍ରତିକ୍ରିୟାର ଅଦୃଶ୍ୟ ସଂଘର୍ଷକୁ, କ୍ଷୁଦ୍ରଗଳ୍ପର ଏକତ୍ୱବୋଧରେ ରସାଣିତ କରିବା ନିମନ୍ତେ ଲେଖକ ଯେଉଁ ବୌଦ୍ଧିକ ରଚନା-କୌଶଳର ଆଶ୍ରୟ ନେଇଛନ୍ତି, ତାହାର ଅନୁରୋଧରେ ତାଙ୍କର ଶୈଳୀରେ ତୀର୍ଯ୍ୟକତାର ଆଭାସ ଦେଖାଦେଇଛି । ଉକ୍ତ ତୀର୍ଯ୍ୟକତା ଏଡ଼ାଇବା ସକାଶେ ସେ ବର୍ଣ୍ଣନାରୀତିର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ଓ ବର୍ଣ୍ଣନାକୁ ସଂକ୍ଷିପ୍ତ ଓ ଚାତୁର୍ଯ୍ୟୋକ୍ତିଦୀପ୍ତ କରିବା ଲାଗି ଶୈଳୀରେ ଆଳଙ୍କାରିକତା ଓ ଅଭିଜାତ ରୁଚିର ଭାଷାକୁ ସ୍ଥାନ ଦେଇଛନ୍ତି । ଏହା ସତ୍ତ୍ୱେ ତାଙ୍କର ଶୈଳୀ, ପ୍ରଶଂସାନୁସାରେ ଓ ପ୍ରୟୋଜନମୂଳକ ହୋଇପାରିଛି । ଏଥିରେ ଆୟାସଲବ୍‌ଧ କୃତ୍ରିମତା ଅପେକ୍ଷା ସ୍ୱଚ୍ଚ୍ଥନ୍ଦଜୀବନର ଭଙ୍ଗିମା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । ତାଙ୍କ ଗଳ୍ପର ନାଟକୀୟତା ଓ ବାସ୍ତବତା ପାଇଁ ଏହା ଅପରିହାର୍ଯ୍ୟ ।

 

ଶିଳ୍ପୀମାନସର ଆଭିମୁଖ୍ୟ:

 

ସମ୍ଭ୍ରାନ୍ତ ଶୈଳୀରେ ଲିଖିତ ହୋଇଥିଲେ ମଧ୍ୟ କଥାକାରଙ୍କର ରଚନାପଦ୍ଧତିରେ, ଭିକ୍ଟର୍‌ହ୍ୟୁଗୋ ବା ଡିକେନ୍‌ସ୍‌ଙ୍କର ମାତ୍ରାଧିକ ଆତ୍ମସଚେତନତା, ଭାବପ୍ରବଣତା ଓ ଆଳଙ୍କାରିକ ବିନ୍ୟାସ ନଥିବାରୁ ଏହା ପାଠକକୁ ଚରିତ୍ର ବା ବିଷୟବସ୍ତୁଠାରୁ କ୍ୱଚିତ୍‌ କ୍ଷେତ୍ରରେ ଲେଖକଙ୍କ ଆଡ଼କୁ ଟାଣି ନେଇଥାଏ । ଏ ହେତୁ ତାଙ୍କର ଗାଳ୍ପିକ ଚେତନାର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ସାଧାରଣ ପାଠକପାଠିକା ମଧ୍ୟ କେତେକାଂଶରେ ସମର୍ଥ ହୋଇଥାଆନ୍ତି । ଆମେରିକାର ଲେଖକ Theodore Dreiser ଙ୍କ ପରି, ଗାଳ୍ପିକ ଆଧୁନିକ ସଭ୍ୟତାର ବିଚିତ୍ର ଅରଣ୍ୟ ମଧ୍ୟରେ ଜନ୍ମ ନେଇଛନ୍ତି । ତାଙ୍କ ଚାରିପଟେ ଦରିଦ୍ର, ବାସ୍ତୁହରା ଓ ମାନସିକ କ୍ଷେତ୍ରରେ ବଞ୍ଚିତ ବ୍ୟକ୍ତିମାନଙ୍କର କୋଳାହଳ ଲାଗିରହିଛି । କିନ୍ତୁ Dreiserଙ୍କର ‘ଅତିବାସ୍ତବତାର ଆନ୍ଦୋଳନ’ (Movement of extreme realism) ନାମରେ ସେ କେବଳ ସେହିମାନଙ୍କର ସ୍ଥିତି ବା ଉଦ୍‌ବର୍ତ୍ତନ-ସଂକଳ୍ପକୁ ଗଳ୍ପ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇନାହାନ୍ତି । ବରଂ ତାହା ସହିତ ହେମିଂଓ୍ୱେ ଇତ୍ୟାଦିଙ୍କର ଅତ୍ୟାଧୁନିକ ପୃଥିବୀର ଏକାକ୍ତ ମଣିଷ (Solitary man)ର ସ୍ୱରକୁ, ସେ ତାଙ୍କର ‘ତୃଷ୍ଣା ଓ ବିତୃଷ୍ଣା’ ପାଗଳାଗାରଦର କାହାଣୀ, ତଥା ‘ଖାଦାନ’ ଭଳି ବହୁ ଗଳ୍ପରେ ରୂପାୟତ କରିଅଛନ୍ତି । ଉକ୍ତ ଗଳ୍ପର ପ୍ରଧାନ ଚରିତ୍ରଗୁଡ଼ିକରେ, ନୂତନ ପୃଥିବୀରେ ସେମାନଙ୍କର ସ୍ଥିତି ନେଇ ସନ୍ଦେହ ଓ ସବୁ ବିଷୟରେ କିପରି ଏକ ‘ସିନିକ୍‌’ ସୁଲଭ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଛି ।

 

ବିଖ୍ୟାତ ଇଂରାଜୀ ଔପନ୍ୟାସିକ Anthony Powellଙ୍କ ସଦୃଶ, ଲେଖକ ଅତିମାତ୍ରାରେ ବିନ୍ୟାସବାଦୀ (stylist) । ତାଙ୍କର ଅଭିବ୍ୟକ୍ତିର ସୂକ୍ଷ୍ମତା ମଧ୍ୟରେ ‘ପାଓ୍ୱେଲ୍‌’ଙ୍କର ସାମାଜିକ ବ୍ୟଙ୍ଗର ଛାୟା ପରିଲକ୍ଷିତ ହୋଇଥାଏ । ଉକ୍ତ ଛାୟାରେ ପରିବର୍ତ୍ତିତ ଭାରତ ଓ ଓଡ଼ିଶାର ଜଟିଳ ସାମାଜିକ ପରିସ୍ଥିତି ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ, ଶିଳ୍ପୀ-ମାନସର ଦିଗ୍‌ବଳୟକୁ ଆବିଷ୍କାର କରିବା ପାଇଁ ସୁଯୋଗ ମିଳେ । କଥାକାର, ତାଙ୍କର ଗଳ୍ପଗୁଡ଼ିକରେ ବାସ୍ତବତା ସହିତ ସ୍ୱଚ୍ଚ୍ଥନ୍ଦ ଜୀବନ-କଳାକୁ ଏକତ୍ର ବିଚାର କରିଥିଲେ ମଧ୍ୟ, ବସ୍ତୁବାଦ ଅପେକ୍ଷା ସ୍ୱଭାବବାଦକୁ ସେ ପ୍ରାଧାନ୍ୟ ଦେଇଅଛନ୍ତି । ଜାତି ଓ ଜୀବନର ଚିରନ୍ତନ ସତ୍ୟ ଓ ଦିବ୍ୟଚେତନାକୁ ପ୍ରକାଶ କରିବା ନିମିତ୍ତ, କଳା ତଥା ସାହିତ୍ୟକୁ ସେ ଶ୍ରେଷ୍ଠ ମାଧ୍ୟମ ଭାବରେ ବାଛି ନେଇଥିବାରୁ, ତାଙ୍କର ଦୃଷ୍ଟିଭଙ୍ଗୀରେ ‘‘ରୁଷୀୟ ସ୍ୱାଧୀନ ଚିନ୍ତାର ଜନକ’’ ବେଲିନ୍‌ସ୍କି (Belinsky)ଙ୍କର ମୁକ୍ତଭାବନାର ସାର୍ଥକତା ଫୁଟିଉଠିଛି । ତେଣୁ ଆଧୁନିକ ଜୀବନର ଖଣ୍ଡତା ଓ କ୍ଷିପ୍ତତା ସତ୍ତ୍ୱେ ସେ ‘କୃଷ୍ଣଚୂଡ଼ା’ର ସମ୍ପାଦକ ଓ ‘ବରଜୁଷେଣ୍ଢ ଘାଇ’ର ବରଜୁ ଭଳି ଚରିତ୍ର ସାହାଯ୍ୟରେ, ସୁସ୍ଥ ଜୀବନବୋଧ ଓ ମାନବବାଦର ସ୍ଥାୟିତ୍ୱ ପ୍ରତିଷ୍ଠା କରିବାକୁ ଆଗ୍ରହୀ । ସମୟ ସ୍ରୋତରେ ସେ ବର୍ତ୍ତମାନକୁ, ଅତୀତର ଘଟାନ୍ତର ବୋଲି ଭାବିଛନ୍ତି । ହେଲେହେଁ ଅତୀତ ତାଙ୍କ ନିକଟରେ ସ୍ୱପ୍ନ ନୁହେଁ । ବର୍ତ୍ତମାନ ପରି ଏହା ପ୍ରତ୍ୟୟବହୁଳ ଓ ବାସ୍ତବ । ଅତୀତ ଓ ବର୍ତ୍ତମାନର ସମନ୍ୱୟ ଫଳରେ ତାଙ୍କ ଗଳ୍ପର ବାସ୍ତବତା, ସମ୍ୱାଦପତ୍ର ବା ଟେଲିଫୋନ୍‌ ବିଲ୍‌ର ବିଷୟବାଦୀ ବାସ୍ତବତା ନୁହେଁ । ସଂସାରର ବହୁ ଅନାବିଷ୍କୃତ ଦିଗ ଓ ବହୁ ଅନାଲୋକିତ ହୃଦୟର ବୈଶିଷ୍ଟ୍ୟରେ ଏହା ରମ୍ୟ ଓ ବିଚିତ୍ର । ଅଭିଜ୍ଞତାର ବ୍ୟକ୍ତିମୁଖୀନତା (Subjective aspect of experience)ରେ ଏହା ପ୍ରଚାରଧର୍ମୀ ହୋଇଥିଲେହେଁ, ଔପନ୍ୟାସିକ ସୀମା ବିସ୍ତୃତିରେ ଅନ୍ତରାୟ ନୁହେଁ । ତେଣୁ ଧର୍ମ, ରାଜନୀତି, ସମାଜ ଓ ବ୍ୟକ୍ତିଜଗତର ପ୍ରଶ୍ନକୁ ସେ ଜ୍ଞାତସାରରେ ତାଙ୍କ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର ସୀମା ମଧ୍ୟକୁ ଟାଣି ଆଣିଛନ୍ତି । ବିଭିନ୍ନ ପ୍ରଶ୍ନର ଆଲୋଡ଼ନ ଓ ସମାଧାନ ବ୍ୟତୀତ ସେ ତାଙ୍କର ଚରିତ୍ରମାନଙ୍କର କ୍ରିୟାକଳାପରେ, ମାନବ ପାଇଁ ନୂତନ ଚରିତ୍ର ଓ ନୂତନ କ୍ରିୟାପ୍ରକ୍ରିୟାର ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିପାରିଛନ୍ତି; ଅଥଚ ଏସବୁ ନିମନ୍ତେ ତାଙ୍କୁ ଶିକ୍ଷକ ଆସନକୁ ଆସିବାକୁ ପଡ଼ିନାହିଁ । ଆଲୋଚନା, ଅବତାରଣା ବା ସୂଚନା ସାହାଯ୍ୟରେ ଏହା ସମ୍ଭବ ହୋଇପାରିଛି । ସୁତରାଂ ଏକପକ୍ଷରେ ତାଙ୍କର କୃତିଗୁଡ଼ିକ ଆଧୁନିକତାର ନିର୍ଭୁଲ ଇତିହାସ ଓ ଅପର ପକ୍ଷରେ ଏହା ଅତୀତର ଗୀତା ବା ଭାଗବତର ବାଣୀ ପରି ଚିର ଅଭ୍ରାନ୍ତ ।

 

ଜୀବନ ପରି କଳାର ଅଯତ୍ନ ସମ୍ପାଦିତ ସୌନ୍ଦର୍ଯ୍ୟକୁ ସେ ଆଦର ସହକାରେ ଗ୍ରହଣ କରିଛନ୍ତି । ତାଙ୍କ ମତରେ ଜୀବନର ସ୍ୱୟଂପ୍ରକାଶ ଭଳି କଳାର ସ୍ୱତଃସ୍ଫୂର୍ତ୍ତି, ଅତୀବ ଆକର୍ଷଣୀୟ । ରୀତିନୀତିର ବନ୍ଧନ, ଜୀବନ ଓ କଳା ଉଭୟ ପାଇଁ ଅନାବଶ୍ୟକ । ଶୃଙ୍ଖଳା ଓ ଧାରାବାହିକତାରେ ସନାତନ ବା ଦର୍ପନାରାୟଣଙ୍କ ବ୍ୟକ୍ତିତ୍ୱ, ତାଙ୍କ ଅଜ୍ଞାତରେ ମଉଳି ଆସିଲା ପରି ଏ ଶତାବ୍ଦୀର କୃତ୍ରିମତା ଓ ଯାନ୍ତ୍ରିକ ଶୃଙ୍ଖଳା ମଧ୍ୟରେ ମନୁଷ୍ୟ କ୍ରମେ କ୍ରମେ ମରି ଆସୁଛି । ସମାଜ ଓ ସଭ୍ୟତା ନାମରେ ତାହାର ଚୌଦିଗରେ ଯେଉଁ ଶୋଷଣ ଓ ପ୍ରବଞ୍ଚନାର ଜାଲ ସୃଷ୍ଟି କରାଯାଉଛି, ମାନବାତ୍ମାକୁ ତହିଁରୁ ମୁକ୍ତ କରିବା ନିମନ୍ତେ ଲେଖକ, ଦୃଢ଼ସ୍ୱର ଉତ୍ତୋଳନ କରିଅଛନ୍ତି । ତାଙ୍କ ସୃଷ୍ଟି କେତେକ ଗ୍ରାମ୍ୟ ଓ ସହରୀଚରିତ୍ରର ମାନସିକ ସଂଘର୍ଷରେ ଏହା ଖୁବ୍‌ ସ୍ପଷ୍ଟ ।

 

କଳାର ସ୍ୱଭାବ ସୁନ୍ଦରତାରେ ବିଶ୍ୱାସୀ ଥିବା ସତ୍ତ୍ୱେ, କଳାକ୍ଷେତ୍ରରେ ଶିଳ୍ପୀର ଉଦ୍ଦେଶ୍ୟ ନିଷ୍ଠାକୁ ସେ ଅସ୍ୱୀକାର କରିପାରିନାହାନ୍ତି । ପ୍ରତ୍ୟେକ ନିଷ୍ଠାବାନ ଗାଳ୍ପିକ, କେବଳ କାହାଣୀ କହିବା ପାଇଁ ଆଗେଇ ଆସି ନଥାନ୍ତି ବୋଲି ତାଙ୍କର ଧାରଣା । ଏଣୁ ଉପନ୍ୟାସ ବା ଗଳ୍ପକୁ ଚରିତ୍ର ଓ ଘଟଣାରାଶିର ଯାନବାହନ ଭାବରେ ବ୍ୟବହାର କରିବାର ପରମ୍ପରାକୁ ସେ ଏଚ୍‌. ଜି. ଓ୍ୱେଲ୍‌ସଙ୍କ ପରି ଅନେକ କ୍ଷେତ୍ରରେ ଘୃଣା ପ୍ରଦର୍ଶନ କରିଆସିଛନ୍ତି । ପ୍ରୟୋଜନ ସ୍ଥଳରେ ସେ ସମାଜକୁ ଆହ୍ୱାନ ଦେଇଛନ୍ତି, ପରମ୍ପରାର ବିରୁଦ୍ଧାଚରଣ କରିବାକୁ ଆଗେଇ ଆସିଛନ୍ତି । ଏହାକୁ ସଂସ୍କାରବାଦ ବା ବିପ୍ଳବ ଯେଉଁ ନାଁରେ ଡାକିଲେ ମଧ୍ୟ, କଳାର ଉପଯୋଗ ଦୃଷ୍ଟିରୁ ଏ ସ୍ଥଳରେ ଏହା ସଜ୍ଞାନ ଓ ପ୍ରୟାସ-ସୁଲଭ । ବିଷୟବସ୍ତୁ ଭିତରେ ମଗ୍ନ ହୋଇଯିବା, ସୁରେନ୍ଦ୍ରଙ୍କ କ୍ଷେତ୍ରରେ ସାଧାରଣ ହୋଇଥିବାରୁ ତାଙ୍କ କୃତୀର ଆୟାସଲବ୍‌ଧ ଦିଗଟି ମଧ୍ୟ, ସ୍ୱାଭାବିକ ପରି ବୋଧହୁଏ । କି କୃତ୍ରିମ, କି ପ୍ରାଣହୀନ, ପ୍ରତ୍ୟେକ ବିଷୟକୁ ବିପୁଳ ଜୀବନ-ଶକ୍ତିରେ ଭରିଦେବା; ତାଙ୍କ ଶିଳ୍ପ-ଚେତନାର ଅନ୍ୟତମ ଲକ୍ଷ୍ୟ । ଉକ୍ତ ଲକ୍ଷ୍ୟ ସାଧନରେ ସଫଳ ହେବା ପାଇଁ ସେ ମୁଗ୍‌ଧ ଦୃଷ୍ଟିରେ ଜଗତକୁ ବିଶ୍ଳେଷଣ କରିଅଛନ୍ତି । ତେଣୁ ଯାନ୍ତ୍ରିକ ବ୍ୟବଚ୍ଚ୍ଥେଦର ନୀରସତା ଅପେକ୍ଷା, ମୁଗ୍‌ଧାନୁଭବର ପ୍ରାଣବନ୍ତ ଅନୁଶୀଳନରେ ତାଙ୍କ ସୃଷ୍ଟି ସମ୍ଭାବନାମୟ । ଲେଖକଙ୍କର ଦୃଷ୍ଟିରେ ଦରଦ ଓ ସମପ୍ରାଣତା ଥିଲେ ମଧ୍ୟ ତାହା ଅତ୍ୟଧିକ ଭାବପ୍ରବଣତାର ବଶବର୍ତ୍ତୀ । ସେ ମିଥ୍ୟାକୁ ସତ୍ୟ ବୋଲି ଧରିନେଇ ନାହାନ୍ତି ବା ଜୀବନର ନିଷ୍ଠୁର ସତ୍ୟକୁ କୌଣସି ସ୍ଥଳରେ ଉପେକ୍ଷା କରିନାହାନ୍ତି । ଅନ୍ତରର ମୁଗ୍‌ଧତା ସହିତ ତୀକ୍ଷ୍‍ଣ ବିଚାରବୁଦ୍ଧି ଓ ଯୁକ୍ତିଯୁକ୍ତତାର ସମନ୍ୱୟ ଘଟାଇ, ସେ ବିଚାରସିଦ୍ଧ ମୁଗ୍‌ଧତାରେ ଜୀବନ ଭୂମିକାକୁ ଆଲୋଡ଼ନ କରିଛନ୍ତି । ତାଙ୍କ ଆଲୋଡ଼ନରେ ଜୀବନ ତେଣୁ ସଂକୀର୍ଣ୍ଣ ହୋଇପାରି ନାହିଁ । ଏହା ପ୍ରାଗୈତିହାସିକ କାଳରୁ ଆଜିଯାଏ ଲମ୍ୱି ଆସିଛି-। ସଂଜ୍ଞାରେ ଏହାକୁ ସୀମାବଦ୍ଧ କରାଯାଇ ପାରେନା । ଏହା ଏକ ବିରାଟ ଦର୍ଶନ, ବଞ୍ଚିବା ଏହାର ପରୀକ୍ଷା–‘‘ତୃଷ୍ଣା ଓ ବିତୃଷ୍ଣା’’ର ଦର୍ଶନ-ଅଧ୍ୟାପକଙ୍କ ମୁଖରେ ଫୁଟିଉଠିଥିବା ଏହି ଉକ୍ତିଟି ଲେଖକଙ୍କର ମୌଳିକ ଅଭିମତ । ଅସ୍ତିତ୍ୱ ପାଇଁ ସଂଗ୍ରାମର ମହତ୍ତ୍ୱକୁ ସେ ଏହାଦ୍ୱାରା ଦୃଢ଼ୀଭୂତ କରାଇଅଛନ୍ତି । ତେବେ ବୈଜ୍ଞାନିକ ଡାରଉଇନଙ୍କର ‘ଉଦ୍‌ବର୍ତ୍ତନ ସଂଘର୍ଷ’ ତାଙ୍କ ହାତରେ ତୁଚ୍ଚ୍ଥ ଜାନ୍ତବଶକ୍ତର ଜୟପରାଜୟରେ ପର୍ଯ୍ୟବସିତ ହୋଇ ନାହିଁ । ଭାରତଭୂମିର ‘‘ନାୟଂଆତ୍ମା ବଳହୀନେନ ଲଭ୍ୟ’’ର ଆଧ୍ୟାତ୍ମିକ ବଳିଷ୍ଠତାକୁ ସେ ଜୀବନ-ସଂଘର୍ଷର ବାସ୍ତବ ମାନଦଣ୍ଡରୂପେ ଗ୍ରହଣ କରିଛନ୍ତି । ସୁତରାଂ ଦେହ ଓ ଆତ୍ମାର ସମ୍ମିଶ୍ରିତ ଶକ୍ତିଶାଳୀତା, ତାଙ୍କ ସଂଘର୍ଷର ଭିତ୍ତିଭୂମି । କବି ଗୋବର୍ଦ୍ଧନ ବା ହରିମାଷ୍ଟ୍ରେ, ଶରୀର ଓ ଆତ୍ମାର ଏହି ଶକ୍ତି ନେଇ ବଞ୍ଚିବା ପାଇଁ ଯୁଦ୍ଧ କରିଛନ୍ତି-। ଜାନ୍ତବ ଶକ୍ତିର କୋଳାହଳ ମଧ୍ୟରେ ତାଙ୍କ ଜୀଇରହିବାରେ ପରାଜୟର ବ୍ୟର୍ଥତା ଖେଳିଯାଇଥିଲେ ମଧ୍ୟ ଆତ୍ମଶକ୍ତିରେ ସେମାନେ ସବଳ । କଥାକାରଙ୍କର ଲେଖନୀ ମୁନରେ ଏଇଭଳି ଚରିତ୍ରଗୁଡ଼ିକ ଚିରଭାସ୍ୱର ।

 

ବଞ୍ଚିବାର ମମତାରେ ସେ ଜୀବନକ୍ଷେତ୍ରରେ ପାପପୁଣ୍ୟର ବିଚାରକୁ ପ୍ରାଧାନ୍ୟ ଦେବା ସମୀଚୀନ ମନେ କରିନାହାନ୍ତି । ଫକୀରମୋହନଙ୍କର ଦୃଷ୍ଟିଭଙ୍ଗୀରୁ ତାଙ୍କ ଦୃଷ୍ଟିଭଙ୍ଗୀର ପାର୍ଥକ୍ୟ, ଏହି ସ୍ଥଳରେ ସହଜରେ ଅନୁମେୟ । ଜୀବନର ପ୍ରାକୃତିକ ସ୍ୱଚ୍ଛତାରେ ତାଙ୍କର ଦୃଢ଼ ଆତ୍ମବିଶ୍ୱାସ ଥିବାରୁ ସେ ଜୀବନର ଧାରାକୁ ସବୁ ସ୍ଥଳରେ ପବିତ୍ର ଓ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତ ବାଦବିସମ୍ୱାଦ ସତ୍ତ୍ୱେ ସ୍ଥିତିହିଁ ମଧୁର, ଏହା ତାଙ୍କର ଅଧିକାଂଶ ଗଳ୍ପରେ ସ୍ପଷ୍ଟ ହୋଇ ଉଠିଛି । ସାଂପ୍ରତିକ ବିଶ୍ୱର ଆଶାହୀନତା ବିରୁଦ୍ଧରେ ଲେଖକଙ୍କର ଏ ଆଶାଭରା ବାଣୀ ଅତ୍ୟନ୍ତ ଯୁଗୋପଯୋଗୀ ।

 

‘‘ପତାକା ଉତ୍ତୋଳନ’’ ଗଳ୍ପରେ ସ୍ଥିତିର ଏ ମାଧୁର୍ଯ୍ୟ, ଅବଶ୍ୟ ବିଡ଼ମ୍ୱିତ ହୋଇଛି । ନୀତିଜଗତର ସିଦ୍ଧାନ୍ତକୁ ସେ ଗଳ୍ପର ମୁଖ୍ୟଚରିତ୍ର ଉପରେ ଚାପିଦେଇ ‘ପ୍ରକୃତି’ର ହେତୁହୀନ ଶାସନକୁ, ରକ୍ଷଣଶୀଳତାର ଅନୁରୋଧରେ ଅବହେଳା ପ୍ରକାଶ କରିଅଛନ୍ତି । ଏହା ସତ୍ତ୍ୱେ ସୁରେନ୍ଦ୍ରଙ୍କର ପରବର୍ତ୍ତୀ ଆଭିମୁଖ୍ୟରେ ଜୀବନବକ୍ଷରେ ସ୍ଥିତିର ଜୟଗାନହିଁ ଚିତ୍ତାକର୍ଷକ ହୋଇଛି । ମୃତ୍ୟୁଗର୍ଭରେ ସ୍ଥିତିର ଏ ଅମୃତ ସ୍ୱାକ୍ଷରକୁ, ସେ ଅମୃତତର କରିପାରିଛନ୍ତି । ବିଦ୍ରୂପ ଓ ବ୍ୟଙ୍ଗୋକ୍ତି ମଧ୍ୟରେ ହେଲେ ମଧ୍ୟ ମୃତ୍ୟୁକୁ ସେ ଅମୃତସୋପାନ ବୋଲି ନିର୍ଦ୍ଦେଶ କରିଅଛନ୍ତି । ମୃତ୍ୟୁ ତାଙ୍କ ଦୃଷ୍ଟିରେ ଜୀବନର ଶେଷ ନୁହେଁ, ଜୀବନର ଏକ ନୀରବ ବିସ୍ତୃତି । ବଞ୍ଚିବାର କୋଳାହଳ ଭିତରେ ଯାହା ଅସ୍ପଷ୍ଟ ଓ ଆକର୍ଷଣବିହୀନ, ମୃତ୍ୟୁଗର୍ଭରେ ତାହା ସ୍ପଷ୍ଟ ଓ ଆକର୍ଷଣୀୟ । ନିଧି କାନଗୋଇଙ୍କ ଶୋଚନୀୟ ମୃତ୍ୟୁରେ, ନିହାତି ଦାର୍ଶନିକ ଦୃଷ୍ଟିଭଙ୍ଗୀ ନେଇ ସେ ଏହା ପ୍ରକାଶ କରିଅଛନ୍ତି ।

 

କଥାକାରଙ୍କର ବହୁ ଦାର୍ଶନିକତା, ତାଙ୍କ ଶିଳ୍ପ-ସୃଷ୍ଟିର ଅନ୍ୟ ଏକ ଲକ୍ଷଣୀୟ ବିଷୟ । ଜୀବନ ବ୍ୟାଖ୍ୟାରେ, ଜୀବନର ବାସ୍ତବତାକୁ ଉପେକ୍ଷା କରିବାକୁ ଲେଖକଙ୍କର ଏହା ଏକ ସୌଖୀନ ନିଶା ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇପାରେ; କିନ୍ତୁ ବାସ୍ତବରେ ତାଙ୍କର ଏ ଦାର୍ଶନିକତା, ବଞ୍ଚିବାର ବିଳାସରୁ ଜନ୍ମ ନେଇ ନାହିଁ । ବଞ୍ଚି ରହିବାର ନିଷ୍ଠୁର ତାଡ଼ନାରେ ଏହା ଏକ ପାଥେୟ । ‘‘ବ୍ୟର୍ଥ ଆଗମନୀ’’ର ରାମହରି ଚରିତ୍ରରେ ଏହା ସାର୍ବଜନୀନ ହୋଇପାରିଛି । ଅସ୍ତିତ୍ୱକୁ ସ୍ୱୀକାର କଲେ, ଅସ୍ତିତ୍ୱର ଏ ଉପଯୋଗ ବା ଅବଲମ୍ୱନକୁ ସ୍ୱୀକାର କରିବାକୁ ହେବ । କାରଣ ବଞ୍ଚିରହିବା ପାଇଁ ଦାର୍ଶନିକତା ଭଳି ବହୁ କଳାର ଆବଶ୍ୟକତା ରହିଛି । ଅସାର ଭାବି ଏ ସବୁକୁ ପରିହାର କଲେ, ବସ୍ତୁବାଦ ନାମରେ ଜୀବନରେ ଯାହା କିଛି ରହେ, ସେ ସମସ୍ତ ‘‘କୃଷ୍ଣଚୂଡ଼ା’’ରେ ଅଙ୍କିତ ବର୍ଣ୍ଣହୀନ ଜୀବନ ବା ଜୀବନ ଦ୍ୱାହିରେ ଜୀବନମୃତ୍ୟୁର ଏକ ନିଷ୍ଠୁର ପରିହାସ ।

 

ସ୍ଥିତି ପାଇଁ ଦାର୍ଶନିକତା ଭଳି, ନୀରୋଳ ପ୍ରୟୋଜନବୋଧର ଅନୁରୋଧରେ ସେ ସଂସ୍କାର ବା ଆଦର୍ଶକୁ ଜୀବନଭୂମିରେ ଅପରିହାର୍ଯ୍ୟ ମନେକରିଛନ୍ତି । ହେଲେହେଁ ଏ ସଂସ୍କାର ବା ଆଦର୍ଶର ରୂପ ଶାସ୍ତ୍ରୀୟ କୃତ୍ରିମତାରେ ସ୍ଥିତିଶୀଳ ନୁହେଁ । ଗତି ଏହାର ଧର୍ମ ଓ ବ୍ୟାପକ ଅର୍ଥରେ ମୁକ୍ତି ଏହାର ଲକ୍ଷ୍ୟ । ସଂକ୍ଷେପରେ କହିଲେ ଏହାହିଁ ସ୍ୱାଭାବିକ ବା ପ୍ରାକୃତିକ ମାନବବାଦର ବିଶେଷୋକ୍ତି । ରୂପ-ରସର ଦୁନିଆରେ ମଣିଷ, ମଣିଷ ପରି ଗଢ଼ିଉଠୁ, ନିଷ୍ପ୍ରାଣ ପ୍ରବଞ୍ଚନା ଓ ମତାନ୍ଧତାରେ ସେ ଜୀବନର ଶାଶ୍ୱତଲୀଳାକୁ ଅସ୍ୱୀକାର ନ କରୁ, ଏହାହିଁ ତାଙ୍କ କଳ୍ପିତ ଆଦର୍ଶବାଦର ନମୁନା । ‘ଅପରିଚିତ ନାୟକ’ ଚରିତ୍ରରେ ବଞ୍ଚିରହିବାର ଏ ସ୍ୱଚ୍ଛ ଦିଗଟି କେଡ଼େ ଶକ୍ତିଶାଳୀ, ତାହା ସୂଚାଇ ଦେବା ମାଧ୍ୟମରେ ମନୁଷ୍ୟପାଇଁ ଏହାକୁ ଏକ ଆଦର୍ଶ ରୂପରେ ସେ ଉପସ୍ଥାପନା କରିଅଛନ୍ତି । ନିରୁପଦ୍ରୂତ ଶାନ୍ତି, ଏ ଆଦର୍ଶର ଲକ୍ଷ୍ୟ । ‘‘ସାଙ୍ଗରିଲା’’ ବା ‘‘ଭାଗାବଣ୍ଡ୍‌’’ର ଆତ୍ମରକ୍ଷା ଲାଗି ଅଭିଯାନରେ, ବଞ୍ଚିବାର ବୈଚିତ୍ର୍ୟ ଥିଲେବି ଶାନ୍ତିର ବାର୍ତ୍ତା ଏଠି ସନ୍ତର୍ପିତ । ବିଷୟ ସଂସାରର ଆକ୍ରମଣରେ ‘ଖେୟାଲର ବିଳମ୍ୱିତ ଆଳାପ’ ବା ସୋପେନ ହାଓ୍ୱାର୍‌ଙ୍କର ଦାର୍ଶନିକ ମତବାଦ, ପ୍ରାଣରକ୍ଷା ଲାଗି ମ୍ରିୟମାଣ ।

 

ବସ୍ତୁତନ୍ତ୍ରୀ ସଭ୍ୟତାକୁ ବିଶ୍ୱାସ କଲେ ମଧ୍ୟ ସୁସ୍ଥଜୀବନ ପାଇଁ ସେ ତାହାକୁ ଅପରିହାର୍ଯ୍ୟ ମନେ କରିନାହାନ୍ତି । କାରଣ ବସ୍ତୁଜଗତର ଉତ୍ପାଦନବୃଦ୍ଧି, ବଣ୍ଟନ ଓ ଅର୍ଥନୈତିକ ସମସ୍ୟା, ସଭ୍ୟତାର ଗୋଟାଏ ତୁଚ୍ଚ୍ଥ ଆବଶ୍ୟକବୋଧରୁ ଜନ୍ମ ନେଇଥାଏ । ଏହା ସଭ୍ୟତା ନୁହେଁ ବା ବର୍ବରତାର ବିପରୀତବୋଧକ ଶବ୍ଦ ନୁହେଁ । ଆଧୁନିକ ମାନବର ଏହି ବିଷୟବୁଦ୍ଧି ଭିତରେ ବ୍ୟକ୍ତିସର୍ବସ୍ୱତାର ସ୍ୱାର୍ଥ, ପୁଞ୍ଜିଭୂତ । ତେଣୁ ଶିଳ୍ପସଭ୍ୟତାର ଦୁରନ୍ତ ବର୍ବରତା, ଏଠି ବହୁ ପଥ ଦେଇ ମନୁଷ୍ୟର ରକ୍ତ ଶୋଷଣ କରିଚାଲିଛି । ରାଜନୀତି, ଶ୍ରମିକ ଯୁନିୟନ, ସାହିତ୍ୟ ଅନୁଷ୍ଠାନ ଓ ବ୍ୟକ୍ତିଜୀବନ, କେହି ଯେ ଏ ଶୋଷଣ ଅଭିଯାନରୁ ମୁକ୍ତ, ତାହା ନୁହେଁ । ପ୍ରତ୍ୟକ୍ଷ ଓ ପରୋକ୍ଷ ଜାତି, ଗୋଷ୍ଠୀ ଓ ଆନ୍ତର୍ଜାତିକତା ନାମରେ ଆମେ ସମସ୍ତେ ଆମଠାରୁ ଦୁର୍ବଳକୁ ଶୋଷଣ କରି ଚାଲିଛେ । ଛଦ୍ମତପସ୍ୱୀର ବାନାତଳେ ଏ ରକ୍ତପିପାସା, ଅସଭ୍ୟତା ଭିନ୍ନ ଅନ୍ୟ କିଛି ନୁହେଁ । ସେଥିଯୋଗୁଁ ମାର୍କସ୍‌ବାଦର ବସ୍ତୁନିଶାକୁ ସେ ଉପହାସ କରିଛନ୍ତି । ମଣିନାଗ ପାହାଡ଼ ତଳର ନିକାଞ୍ଚନ ପରିବେଶରେ ସେ ପ୍ରକୃତ ଶାନ୍ତି ଓ ସତ୍ୟର ଆସ୍ୱାଦନ ଲାଭ କରିଛନ୍ତି । କିନ୍ତୁ ଜଡ଼ବାଦୀ ସଭ୍ୟତା, ନିଜର ସ୍ୱାର୍ଥ ହାସଲ କରିବା ନିମନ୍ତେ ନିକାଞ୍ଚନ ମଧ୍ୟରେ ଐଶ୍ୱର୍ଯ୍ୟର ଯେଉଁ ଭୌତିକ ଆକର୍ଷଣ ସୃଷ୍ଟିକରିଛି, ତାହା ‘ଅମୃତ’ର ସାଧନାକୁ ପଥଭ୍ରଷ୍ଟ କରିଦେଇଛି । ଯୁଗେ ଯୁଗେ ଅମୃତକୁ ବିପଥଗାମୀ କରାଇବା ଲାଗି ମରଣଶୀଳର ଯେଉଁ ନିଷ୍ଠୁର ପ୍ରତାରଣା ଏ ଶତାବ୍ଦୀ ଯାଏ ଗଡ଼ିଆସିଛି, ତାକୁ ପଣ୍ଡ କରିବା ସକାଶେ ନିରୀହ କର୍ମପ୍ରେରଣା ଓ ଆତ୍ମୋତ୍ସର୍ଗ ଉପରେ ଲେଖକ ଅତ୍ୟନ୍ତ ଆସ୍ଥାବାନ ।

 

ମାନବିକ ମର୍ଯ୍ୟାଦା ଓ ପ୍ରତିଭାର ଆର୍ତ୍ତନାଦକୁ ସେ ଧନଖୋର ସଭ୍ୟତାରେ ବାରମ୍ୱାର ଲାଞ୍ଛିତ କରାଇ ତାହାର ସୁପ୍ରତିଷ୍ଠା ଲାଗି ଅଦ୍ଭୁତ ମନୋବଳର ପରିଚୟ ଦେବାକୁ ସେ ତାଙ୍କର ପାଠକମାନଙ୍କୁ ପରୋକ୍ଷ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ।

 

ସ୍ଥୂଳତଃ, ଦ୍ରବ୍ୟୋନ୍ନତି, ବଞ୍ଚିବା ପାଇଁ ଏକ ଉପାୟ ହେଲେ ମଧ୍ୟ ଏହା ଜୀବନର ଲକ୍ଷ୍ୟ ହୋଇ ନ ପାରେ । ଦ୍ରବ୍ୟସିଦ୍ଧିଠାରୁ ପ୍ରାଣଧାରା ନିଶ୍ଚୟ ବିପୁଳ । ଉପଲବ୍‌ଧିରେ ଏହା ବିପୁଳତମ । ଯୁଦ୍ଧପାଗଳ ଶତାବ୍ଦୀ ଏହା ବୁଝିପାରି ନଥିବାରୁ ବିଶ୍ୱର ଯେତେ କିଛି ସଙ୍କଟ ଏଥିରୁ ଜନ୍ମ ନେଉଛି । ସମ୍ପଦ ଓ ଶକ୍ତିଭାରରେ ବିଶ୍ୱ ଆଜି ବିପର୍ଯ୍ୟସ୍ତ । ଧନମୁଗ୍‌ଧ ସଭ୍ୟତାର ଅବସାଦ ଓ ଯାତନାକୁ ମର୍ମେ ମର୍ମେ ଅନୁଭବ କରି ସେ ତାହାର ନୈତିକବ୍ୟାଧି ଦୂର କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ଆଗାମୀ ବିଶ୍ୱ ପାଇଁ ଏକମାତ୍ର ଆଶ୍ୱାସନା । ସଭ୍ୟତା ନାମରେ ଧ୍ୱଂସର ବିଭୀଷିକାରେ ଏ ବିଶ୍ୱ ଯେତେବେଳେ ବିକଳାଙ୍ଗ, ତାକୁ ପ୍ରକୃତିର ବିସ୍ତାର ମଧ୍ୟକୁ ଫେରିଯିବାକୁ ପଡ଼ିବ । ପ୍ଳେଟୋ ବା ଆରିଷ୍ଟେଟ୍‌ଲ୍‌ଙ୍କ ରାଜନୈତିକ ଅଥବା ଆଧ୍ୟାତ୍ମିକ ଦର୍ଶନରେ ଏହା ଯେତିକି ସତ୍ୟ, ବସ୍ତୁବାଦର ତିକ୍ତ ଅନୁଭୂତିରେ ଜର୍ଜରିତ ମଣିଷପାଇଁ ଏହା ତାହାଠାରୁ କୌଣସି ଗୁଣରେ କମ୍‌ ନୁହେଁ ।

 

ଅନ୍ତଃପ୍ରକୃତି ଓ ବହିଃପ୍ରକୃତି ସମ୍ୱନ୍ଧକୁ ବାରମ୍ୱାର ଗଳ୍ପପରିବେଶ ମଧ୍ୟରେ ଆକର୍ଷଣୀୟ କରି ଥୋଇବାରେ ଲେଖକଙ୍କର ଏହି ଉଦ୍ଦେଶ୍ୟ ନିହିତ । ଉକ୍ତ ଉଦ୍ଦେଶ୍ୟ, ସ୍ଥଳବିଶେଷରେ ଏତେ ସ୍ୱପ୍ନବିହ୍ୱଳ ଓ ଭାବପ୍ରବଣ ହୋଇ ପଡ଼ିଛି ଯେ ସେ ସ୍ଥଳରେ କଥାକାରଙ୍କୁ ‘ରୋମାଣ୍ଟିକ୍‌’ ବୋଲି ମତ ଦେବା ଅସମୀଚୀନ ନୁହେଁ । କିନ୍ତୁ ବାସ୍ତବରେ କୌଣସି ‘ism’ର ଛାୟାରେ ସେ ଏପରି ଭାବବିହ୍ୱଳତା ବା କଳ୍ପନାପ୍ରିୟତା ଦେଖାଇନାହାନ୍ତି । ଶିଳ୍ପୀ ଭାବରେ ପ୍ରୟୋଗ-ନିୟୋଗ ବା ଆରୋପକୁ ସେ ମୁକ୍ତବିକାଶର ଅନ୍ତରାୟ ବୋଲି ଜ୍ଞାନ କରୁଥିବାରୁ ତାଙ୍କ ସାହିତ୍ୟରେ ଯାହା କିଛି ସାହିତ୍ୟିକ-ବାଦର ବିଶ୍ୱପ୍ରତିବିମ୍ୱ ଲକ୍ଷ୍ୟ କରାଯାଏ, ତାହା ସମସ୍ତ ତାଙ୍କର ମାନବିକ ପ୍ରବୃତ୍ତିର ସୁସ୍ଥ ଓ ସହଜ ମୋହରୁ ଜନ୍ମ ନେଇଥିବା ସମ୍ଭବ । ଏଣୁ ପ୍ରବୃତ୍ତି ଅନୁରୋଧରେ ସେ ‘ରୋମାଣ୍ଟିକ’ ପରି ବୋଧ ହେଉଥିଲେ ମଧ୍ୟ ଏ ରୋମାଣ୍ଟିକ ମନୋବୃତ୍ତି, ମାନବର ସହଜାତ ବୋଲି ତାଙ୍କର ବିଶ୍ୱାସ । ମଣିଷ, ସ୍ୱଚ୍ଚ୍ଥନ୍ଦ ଜୀବନରେ ମୌଳିକ ସ୍ୱପ୍ନବିଳାସକୁ ବାଦ୍‌ ଦେଇ ବୋଧହୁଏ ବଞ୍ଚିପାରିବ ନାହିଁ । ଦେହର ଭୋକଠାରୁ ମନର ଏ ଭୋକ କେଡ଼େ ପ୍ରବଳ, ତାହା ନୟନା ଓ କାଜ୍‌ରୀର ଜୀବନରୁ ପ୍ରମାଣିତ । ସୁତରାଂ ସୁରେନ୍ଦ୍ରଙ୍କର ‘ରୋମାଣ୍ଟିସିଜିମ୍‌’, ବାସ୍ତବତାଠାରୁ ପଳାୟନ ନୁହେଁ ରିକ୍ତ ବାସ୍ତବତାକୁ ନିର୍ଭୀକ ଭାବରେ ସମ୍ମୁଖୀନ ହେବା ଲାଗି ଏହା ଅମୋଘ ଜୀବନୀଶକ୍ତି । ‘ଚନ୍ଦ୍ର’କୁ ‘ରୁଟି’ ବୋଲି ଜ୍ଞାନ କରି ପାଗଳ ମଣିଷ, ଯେଉଁ ମରୀଚିକା ପଛରେ ଧାଇଁଚାଲିଛି, ସେଥିରୁ ତାକୁ ନିବୃତ୍ତ କରି ଜୀବନ ସଂଗ୍ରାମର ନିର୍ଦ୍ଦିଷ୍ଟ ପଥ ଦେଖାଇବାକୁ ଏହା ଉଦ୍ଦିଷ୍ଟ ।

 

ବିଶେଷତଃ, ବ୍ୟକ୍ତିଗତ ଭାବରେ ବସ୍ତୁ-ସଂସାରର ଦହନ ଓ ଜ୍ୱାଳା ଭିତରେ ତାଙ୍କର ଅନୁଭୂତିର କ୍ରମବିକାଶ । ‘‘ବାଚିଲରସ ଡେନ’’ରୁ ଅଦ୍ୟାବଧି ତାଙ୍କ ଜୀବନରେ ସଂଘାତିର ଶେଷ ନାହିଁ । ବାସ୍ତବତାର ଦଂଶନ ତାଙ୍କୁ କ୍ଷତବିକ୍ଷତ କରିଥିଲେ ମଧ୍ୟ, ସାହସର ସହିତ ସେ ଏହାର ସମ୍ମୁଖୀନ ହୋଇଛନ୍ତି । ନିଜେ ଜଳିଥିବାରୁ ଅନ୍ୟର ଜ୍ୱଳନକୁ ସେ ନିବିଡ଼ଭାବେ ଅନୁଭବ କରିପାରିଛନ୍ତି । ଏଣୁ ତାଙ୍କୁ ଚରିତ୍ରଗୁଡ଼ିକ ମଧ୍ୟରୁ ସାମାନ୍ୟ କେତୋଟିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ମଧ୍ୟରେ ଲେଖକଙ୍କର ବାସ୍ତବ-ସଂଘର୍ଷର ଅନୁଭୂତି ଖୁବ୍‌ ତୀବ୍ର । ତାଙ୍କର ସ୍ୱପ୍ନଜୀବୀ ଚରିତ୍ରମାନେ ମଧ୍ୟ ବାସ୍ତବ ଜ୍ଞାନ ବିରହିତ ନୁହନ୍ତି । ବାସ୍ତବତାକୁ ଉପଲବ୍‌ଧି କରୁଥିବାରୁ ସେମାନଙ୍କ କଣ୍ଠରେ ଅସହାୟତାର ଯେଉଁ ଦାର୍ଶନିକ ଅଭିବ୍ୟକ୍ତି ଫୁଟିଉଠିଛି, ତାହା ବାସ୍ତବଠାରୁ ଆହୁରି କରୁଣ ଓ ଅଧିକ ସତ୍ୟ ।

 

ଏହା ଭିନ୍ନ ସୁରେନ୍ଦ୍ରଙ୍କର ଶିଳ୍ପୀପ୍ରାଣର ମାନବବାଦୀ ଆବେଦନ ଗଭୀର ଅନୁଧ୍ୟାନର ବିଷୟ । ଶ୍ରେଣୀସଂପ୍ରଦାୟ ଓ ସୁନ୍ଦର-କୁତ୍ସିତ ନିର୍ବିଶେଷରେ ସେ ମାନବୀୟ ଆଶାନିରାଶାକୁ ଅନୁକମ୍ପା ସହିତ ବିଚାର କରିଛନ୍ତି । ସବୁ ଜୀବନର ବଞ୍ଚିବା ଭିତରେ ଯେ କିଛି ନା କିଛି ନିଜତ୍ୱ ଥାଏ, ଏହା ସେ ତାଙ୍କର ଚରିତ୍ର ମାଧ୍ୟମରେ ପ୍ରକାଶ କରିବା ଛଳରେ ଏ ଧରଣୀର ପ୍ରତ୍ୟେକ ମନୁଷ୍ୟକୁ ନିର୍ବିକାର ଶ୍ରଦ୍ଧାରେ ଆପଣାର କରିପାରିଛନ୍ତି । ପାପୀ ବା ପାପ, ପରିସ୍ଥିତିସୁଲଭ ହୋଇଥିବାରୁ ସେ ତାହାର ହେତୁ ନିର୍ଣ୍ଣୟ କରିଛନ୍ତି ସତ, ମାତ୍ର ପାପ-ତାପ ବା ଲୋଭଗ୍ରସ୍ତ ମନୁଷ୍ୟସନ୍ତାନ, ତାଙ୍କର ଘୃଣାର ପାତ୍ର ହୋଇ ନାହିଁ । ବେଶ୍ୟା ଅମ୍ୱାପଲ୍ଲୀଠାରୁ ଅର୍ଥଲିପ୍‌ସୁ ସିନ୍ଧୁ ଖୁଣ୍ଟିଆ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଆଦରର ଧନ । ସେମାନଙ୍କ ସହିତ ଏକପ୍ରାଣ ହୋଇ ସେ ତାଙ୍କର ଦେହ ଓ ମନର ପ୍ରତ୍ୟେକ ଡାକରାକୁ, ନିର୍ଭୁଲ ଭାବରେ ଶୁଣିବାକୁ ସମର୍ଥ ହୋଇଛନ୍ତି ।

 

ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଅଶେଷ ଦ୍ୱନ୍ଦ୍ୱ ଓ ସଙ୍କଟ ମୁଖରେ ଗାଳ୍ପିକ ସୁରେନ୍ଦ୍ର ଜୀବନବାଦୀ । ବଞ୍ଚିବାର ଅବାଧ ମୁକ୍ତି ଭିତରେ ଜୀବନର ଋଜୁତାକୁ ସେ ସ୍ୱାଗତ ଜଣାଇଛନ୍ତି । ତାଙ୍କ ଶିଳ୍ପୀ-ଅନ୍ତରର ଏହା ହୁଏତ ଶ୍ରେଷ୍ଠତମ ଆଭିମୁଖ୍ୟ ।

Image

 

Unknown

।। ପରିଶିଷ୍ଟ ।।

 

ସଂକ୍ଷେପରେ ସୁରେନ୍ଦ୍ର :–

 

କଥାକାର ସୁରେନ୍ଦ୍ରଙ୍କର ଗଳ୍ପସୃଷ୍ଟିର ବିଭିନ୍ନ ଦିଗ, ଏପର୍ଯ୍ୟନ୍ତ ଆଲୋଚିତ ହୋଇଅଛି । ଅଦ୍ୟାବଧି କରାଯାଇଥିବା ବିଚାରରୁ ଏତିକି ସ୍ପଷ୍ଟ ହୁଏ ଯେ ସୁରେନ୍ଦ୍ରଙ୍କର ବ୍ୟକ୍ତିସତ୍ତା, ଊଣାଅଧିକେ ସମସ୍ତ ଗଳ୍ପରେ କେନ୍ଦ୍ରୀଭୂତ; ଅର୍ଥାତ୍‌ ତାଙ୍କର ବ୍ୟକ୍ତିମାନସର ପ୍ରତିଫଳନ, ଶିଳ୍ପୀମାନସରେ ସ୍ୱଚ୍ଚ୍ଥ ଓ ଉଜ୍ଜ୍ୱଳ । ସେ ତାଙ୍କର ବ୍ୟକ୍ତିଜୀବନରେ ଜାତୀୟ ସଂସ୍କୃତିକୁ ଜାତିର ଜୀବନ ଓ ସାହିତ୍ୟଠାରୁ ଭିନ୍ନ ବୋଲି ଭାବିପାରି ନାହାନ୍ତି । ବରଂ ତାଙ୍କ ଦୃଷ୍ଟିରେ କାଳ କାଳର ସଂସ୍କୃତିପୁଷ୍ଟ ଯେ କୌଣସି ଜାତି ଲାଗି, ତାହାର ସାହିତ୍ୟରେ ସଂସ୍କୃତି ସଚେତନତା ସର୍ବାଦୌ ଆବଶ୍ୟକ ବୋଲି ସ୍ୱୀକୃତ । ଏହି ସଂସ୍କୃତିବୋଧ ଅଭାବରୁ ଓଡ଼ିଆ ସାହିତ୍ୟର ଅତ୍ୟାଧୁନିକ ପର୍ଯ୍ୟାୟ ଲୋକପ୍ରିୟ ହୋଇପାରୁ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ଆମଦାନିକରା ଧାରଣାକୁ ଲେଖକ ବା ପାଠକପାଠିକା, କେହି ତାଙ୍କର ନିଜର ବୋଲି ଜ୍ଞାନ କରିପାରୁନାହାନ୍ତି । ଫଳତଃ ଗଭୀର ଅବବୋଧ ଅଭାବରୁ ସ୍ରଷ୍ଟାର ତନ୍ମୟତା ଅବା ଅନୁଭୂତିର ବିସ୍ତୃତ, ଆମ ସାହିତ୍ୟ ମଧ୍ୟରେ ସମ୍ଭବ ହୋଇପାରୁ ନାହିଁ । କେତେଜଣ ନିଷ୍ଠାପର ସାଧକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଲେଖନୀରେ ଜୀବନର ଅନ୍ତର୍ବୋଧର ଅଭାବ ଲକ୍ଷିତ ହେଉଛି-। କିପରି ଏକ ଉପରଠାଉରିଆ ଦିଗର ଚର୍ବିତଚର୍ବଣ ଚାଲିଥିବାରୁ ଜାତି, ତାହାର ବାସ୍ତବ ରୂପକୁ ସାହିତ୍ୟ ମୁକୁରରେ ଦେଖିବାକୁ ପାଉ ନାହିଁ । ଉକ୍ତ ପରିସ୍ଥିତିର ଆହ୍ୱାନ ଓ ସତ୍ୟବାଦୀଯୁଗର ଦିଗ୍‌ଦର୍ଶନରେ ଲେଖକଙ୍କର ସଂସ୍କୃତିପ୍ରିୟତା, ତାଙ୍କ ସୃଷ୍ଟିକଳ୍ପନାରେ ଦୃଢ଼ୀଭୂତ ହୋଇଥିବା ଖୁବ୍‌ ସମ୍ଭବ ।

 

ତେବେ ଏ ସଂସ୍କୃତି-ଚେତନାର ରୂପ, ସାଧାରଣ ଧାରଣାଠାରୁ ଟିକିଏ ଭିନ୍ନ । ଆମର ପୁରାଣକୀର୍ତ୍ତି ବା ଆମ ଯଶ ଗୌରବ ଭିତରେ ଆମ ସଂସ୍କୃତିକୁ ନ ଦେଖି, ଆମ ଜନତାର ଚିତ୍ତବୃତ୍ତିରେ ସେ ଯୁଗଯୁଗର ସାଧନାର ପ୍ରାଣପରୀକ୍ଷା କରିଅଛନ୍ତି । ପରମ୍ପରାର ଦୃଢ଼ ବିଶ୍ୱାସ, କାଳ କାଳ ଧରି କିପରି ସହଜ ଭାବରେ ଏ ଦେଶର ଶିରାଶୋଣିତରେ ନିଜକୁ ମିଶାଇ ନେଇଛି, ତାହା ତାଙ୍କ ଦର୍ଶନର ମୌଳିକ ତଥ୍ୟ ହୋଇ ପଡ଼ିଛି । ସୁତରାଂ ତାଙ୍କ ସଂସ୍କୃତିର ପ୍ରମାଣ, କୋଣାର୍କ, ଭୁବନେଶ୍ୱର ଅପେକ୍ଷା ଓଡ଼ିଶାର ଗାଁଗଣ୍ଡା ଓ ମାରୁମହର୍ଗ ଭିତରେ ଅଧିକ ସୁଲଭ । ଅରଣା ଗାଁର ମରୁଡ଼ିଖିଆ ମନୁଷ୍ୟ ବା ପ୍ରାଚୀ ଓ କୋଇଲୀ ଧାରର ଜନମତ, ସେ ପ୍ରାଚୀନ ବିଶ୍ୱାସର ଜୀବନ୍ତ ପ୍ରତୀକ । ଏହା ଯେତେ ଅସାର ହେଲେ ମଧ୍ୟ ଏହାକୁ ଛାଡ଼ି ଆମ କୃଷ୍ଟିର ଇତିହାସ, କଳ୍ପନା କରାଯାଇ ପାରେନା । କୋଟି ହୃଦୟର ଏହାହିଁ ଲିପିହୀନ ଇତିବୃତ୍ତ । ଏଥିରେ କଳ୍ପନା ଓ ବାସ୍ତବତାର ମଧୁର ନିଶାରେ, ଜୀବନ ଏକ ସୀମାହୀନ ନାଦ । ଏହା ଯେତେବେଳେ ଯେପରି ଝଙ୍କୃତ ହେଉଛି, ତାକୁହିଁ ସେହିପରି ମାନିନେବା, ସାଧାରଣ ଚିତ୍ତବୃତ୍ତିର ଏକ ବୈଚିତ୍ର୍ୟ । ସମୟ ବିଶେଷରେ ଏହା ନିର୍ଲିପ୍ତ ଓ ଉଦାସ ହେଇଥିଲେ ମଧ୍ୟ ଜୀବନବୋଧଠାରୁ ଏହା ଅଲଗା ନୁହେଁ ।

 

ସଂସ୍କୃତିପ୍ରିୟତା ବ୍ୟତୀତ ଜୀବନବୋଧର ବିପୁଳତା, ସୁରେନ୍ଦ୍ରସାହିତ୍ୟ ଓ ତାଙ୍କ ବ୍ୟକ୍ତିଗତ ଅଭିରୁଚିର ମୂଳମନ୍ତ୍ର । ସର୍ବୋପରି ଜୀବନକୁ ସେ ଏକ ବିରାଟ ସତ୍ୟ ବୋଲି ଅଙ୍ଗୀକାର କରିନେଇଛନ୍ତି । ଜୀବନରେ ‘ବିପୁଳ’ ଓ ‘ଅମୃତ’ ସନ୍ଧାନରେ ସେ ବ୍ରତୀ । ତାହାଠାରୁ ଅଳ୍ପରେ ସେ ସନ୍ତୁଷ୍ଟ ନୁହନ୍ତି । ସୁତରାଂ କ୍ଷୁଦ୍ରତା ଭିତରେ ବୃହତ୍‌କୁ ଓ ମୃତ୍ୟୁ ଭିତରେ ଅମୃତକୁ ଲକ୍ଷ୍ୟ ସମ୍ମୁଖରେ ରଖି ସେ ତାଙ୍କର ସୃଷ୍ଟିଧାରାରେ ଅଗ୍ରଗାମୀ । ତାଙ୍କର ଜୀବନଦର୍ଶନ ଓ ସମୀକ୍ଷା ସେହି ହେତୁରୁ ଅନେକ କ୍ଷେତ୍ରରେ ନିର୍ଭିକ ଓ ସ୍ୱତନ୍ତ୍ର । ବ୍ୟକ୍ତିଗତ ଅଭିମତ ଓ ଧାରାବାହିକ ରୁଚିକୁ ସେ ନିଜ ଦୃଷ୍ଟିରୁ ପରୀକ୍ଷା କରିବା ପରେ ତାହାକୁ ସତ୍ୟ ବା ମିଥ୍ୟା ବୋଲି ମାନି ନେଇଛନ୍ତି । ନିରପେକ୍ଷ ମତବାଦରେ ସେ ସତ୍ୟକୁହିଁ ପ୍ରତିଷ୍ଠା କରିବାକୁ ସର୍ବଦା ଇଚ୍ଚ୍ଥୁକ ଥିବାର ପ୍ରମାଣ, ତାଙ୍କ ସୃଷ୍ଟିରେ ବିରଳ ନୁହେଁ । ଏଣୁ, ସାହିତ୍ୟ-କ୍ଷେତ୍ରରେ ଫକୀରମୋହନ ଓ ରବୀନ୍ଦ୍ରନାଥ, ତାଙ୍କର ଆଦର୍ଶ ପରି ବୋଧ ହେଉଥିଲେ ମଧ୍ୟ ସେ ହେତୁହୀନ ଆନୁଗତ୍ୟରେ ଉକ୍ତ ସ୍ରଷ୍ଟାଦ୍ୱୟଙ୍କୁ ଅନୁସରଣ କରିବା ଉଚିତ ମନେ କରିନାହାନ୍ତି । ସୁତରାଂ ଏମାନେ ତାଙ୍କର ପ୍ରେରଣା ଉତ୍ସ ହୋଇପାରନ୍ତି, କିନ୍ତୁ ଚେତନାର ଶୀର୍ଷବିନ୍ଦୁ ନୁହନ୍ତି । ଆବଦ୍ଧତାବିହୀନ ଜୀବନରେ ତାଙ୍କ ସୃଷ୍ଟିହିଁ ତାଙ୍କ ମୁକ୍ତଚିନ୍ତାର ପରିଚୟ । ଚିନ୍ତାରାଜ୍ୟକୁ ସଂକୀର୍ଣ୍ଣ କରୁଥିବା କୃତ୍ରିମତା ଓ ଛଦ୍ମ ଆଡ଼ମ୍ୱରକୁ ସେ ପାପଠାରୁ ଅଧିକ ଘୃଣା କରିଛନ୍ତି । କାରଣ ଦେହ ଅପେକ୍ଷା ମନକୁ ସେ ନିଷ୍ପାପ ଜୀବନର ପ୍ରତିଛବି ବୋଲି ମାନି ନେଇଥିବାରୁ ତାଙ୍କ ଦୃଷ୍ଟିରେ କେତେକ ପର୍ଯ୍ୟାୟର ଅବୈଧ ଆଚରଣ ବା ସଂସାର ଦୃଷ୍ଟିର ପାପ, ବାସ୍ତବ ପାପ ନୁହେଁ । ନିରୀହ ଆନନ୍ଦ ପାଇଁ ଉଦ୍ଦିଷ୍ଟ ଥିଲେ, ଏହା ପୁଣ୍ୟଠାରୁ ଗରୀୟାନ, ଅଥବା ପୁଣ୍ୟର ସମସ୍ଥାନୀୟ । ସଂକୀର୍ଣ୍ଣତା ଓ ଆବଦ୍ଧରୁଚି, ତାଙ୍କ ମତରେ ପାପଠାରୁ ଅଧିକ ଭୀଷଣ । ଏହା ମନୁଷ୍ୟକୁ କେବଳ ନୀଚତା ଆଡ଼କୁ ଅଗ୍ରସର କରାଇ ନଥାଏ; ଜୀବନର ଯାହା କିଛି ବିସ୍ତୃତି ଓ ଅମୃତତ୍ୱ, ସେ ସବୁକୁ ଏହା ପଣ୍ଡ କରିଦିଏ ।

 

ସୁରେନ୍ଦ୍ରଙ୍କ ଜୀବନ ଭଳି ତାଙ୍କ ସାହିତ୍ୟର ଅନ୍ୟତମ ଦିଗ୍‌ଦର୍ଶନ ହେଉଛି ତାଙ୍କର କବିତ୍ୱପୂର୍ଣ୍ଣ ସ୍ପର୍ଶାତୁରତା । ଗାଳ୍ପିକର ବସ୍ତୁନିଷ୍ଠ (Objective) ଦୁନିଆରେ ସେ ଗୀତିକବିର ଆତ୍ମନିଷ୍ଠ ବିଶ୍ୱକୁ ପୂର୍ଣ୍ଣଭାବରେ ପରିହାର କରିପାରିନାହାନ୍ତି । ତାଙ୍କର ‘ଧ୍ୱନିପ୍ରବଣ କଳ୍ପନା’, (auditory imagination) ‘‘ଆମ୍ରମୁକୁଳର ବିଳାସରେ’’; ‘‘ନିର୍ଜନ, ନିଭୃତ, ନଦୀତୀରର ଜଳବେଣୀ ମଧ୍ୟରେ’’ ବା ‘‘ବୈଶାଖୀର ପାଗଳ ଘୂର୍ଣ୍ଣିରେ’’ ବହୁବାର ମର୍ମରିତ ହୋଇ ଉଠିଛି । ଏଣୁ ତାଙ୍କ ସାଧନାର ସ୍ୱଗତୋକ୍ତିରେ ଗଦ୍ୟହିଁ କବିତାମୟ । ତାଙ୍କ ଜୀବନ ମଧ୍ୟ ଗଦ୍ୟାକୀର୍ଣ୍ଣ । ଫଳକରେ ଏକ କବିତ୍ୱପୂର୍ଣ୍ଣ ଅନ୍ତର୍ଲିପ୍ତ । ଏହା ଦୁର୍ବୋଧ ହେଲେବି ସମୀକ୍ଷାତୀତ ନୁହେଁ । ତାଙ୍କ ସୃଷ୍ଟିର ଭୂମି ଓ ଭୂମିକାରେ ଏହା ପର୍ଯ୍ୟବେକ୍ଷଣ ସାପେକ୍ଷ ।

 

ସର୍ବଶେଷରେ କଳାକାର ସୁରେନ୍ଦ୍ରଙ୍କର ସାହିତ୍ୟସେବାର ବୈଚିତ୍ର୍ୟ ପ୍ରତି ଦୃଷ୍ଟିପାତ ନ କଲେ ତାଙ୍କ ବ୍ୟକ୍ତିତ୍ୱର ସଂକ୍ଷିପ୍ତ ପରିଚୟରେ ଅପୂର୍ଣ୍ଣତା ଆସିପାରେ । ସାହିତ୍ୟ ତାଙ୍କ ପାଇଁ ପ୍ରକାଶର ଏକ ମାଧ୍ୟମ ନୁହେଁ । ଏହା ତାଙ୍କର ଅବଲମ୍ୱନ ଓ ଅଭିବ୍ୟକ୍ତିର ଆତ୍ମସତ୍ତା । ତାଙ୍କ ମେଘମେଦୁର ଜୀବନର ନେପଥ୍ୟକାକଳି ଓ ପ୍ରକାଶ୍ୟ ସଂଳାପରେ ଏହା ଜୀବନ୍ତ । ଶିଳ୍ପୀପ୍ରାଣର ଅଶାନ୍ତ ଆତ୍ମାପୁରୁଷ, ଏଥିମଧ୍ୟରେ ଦଣ୍ଡାୟମାନ । ସେ ତାହାର ସୃଷ୍ଟିକଳାରେ ବହୁ ମଧ୍ୟରେ ଏକ, ଓ ଏକ ମଧ୍ୟରେ ବହୁରୂପେ ଦେଖାଦେଇଛି । ସେ ସୃଷ୍ଟି ମଧ୍ୟରେ ଅବିଭାଜ୍ୟ ଓ ନିରବଚ୍ଚ୍ଥିନ୍ନ । ସେ ସ୍ରଷ୍ଟା ଓ ଦ୍ରଷ୍ଟା–ଏହାହିଁ ସୁରେନ୍ଦ୍ରଙ୍କର ଚରମ ପରିଚୟ ।

Image